ପ୍ରସାଦ

 

 

 

 

 

 

 

 

 

 

 

ପ୍ରସାଦ

ଶ୍ରୀମତୀ ନର୍ମଦା ଦେବୀ

 

 

 

 

 

 

 

 

ପ୍ରସାଦ

(ଟଲଷ୍ଟୟ ଗଳ୍ପମାଳା)

ଅନୁବାଦ : ଶ୍ରୀମତୀ ନର୍ମଦା ଦେବୀ

 

ଭୂମିକା

 

ଏହି କ୍ଷୁଦ୍ର ପୁସ୍ତିକାର ନାମ “ପ୍ରସାଦ” । ଏହାକୁ ମନୋଯୋଗ ସହ ପାଠ କଲେ ପାଠକ ପାଠିକାମାନଙ୍କ ହୃଦୟରୁ ଆବିଳତା ଦୂରୀଭୂତ ହୋଇ ପ୍ରସନ୍ନତା ସ୍ୱତଃ ଜାଗରୂକ ହେବ । ଏଥିରେ ଥିବା କ୍ଷୁଦ୍ର ଗଳ୍ପଗୁଡ଼ିକ ମୁଁ ବାରମ୍ବାର ପାଠ କରିଅଛି ଏବଂ ପ୍ରତ୍ୟେକ ଥର ପାଠରେ ମୋର ତୃପ୍ତିର ଅବସାନ ଘଟି ନାହିଁ । ଏଥିରେ ଭାଷା ଯେପରି ସରଳ, ସେହିପରି ମଧୁର । ସମୁଦାୟ ଗ୍ରନ୍ଥ ପାଠ କଲେ ଗୋଟିଏ ମାତ୍ର କଠିନ ଦୁର୍ବୋଧ୍ୟ ଶବ୍ଦ ଦୃଷ୍ଟିଗୋଚର ହେବ ନାହିଁ । ଗଳ୍ପଗୁଡ଼ିକ ସୁପ୍ରସିଦ୍ଧ ରୁଷୀୟ ସାହିତ୍ୟିକ ଋଷି ଟଲଷ୍ଟୟଙ୍କ ଗଳ୍ପାବଳୀର ଅନୁବାଦ । କିନ୍ତୁ କି ଭାବ, କି ଭାଷା, କାହିଁରେ ଅନୁବାଦର କ୍ଳିଷ୍ଟତା ତିଳେମାତ୍ର ନାହିଁ ।

 

ଏହି ଗ୍ରନ୍ଥ ଖଣ୍ଡିକ ଓଡ଼ିଆ ସାହିତ୍ୟକ୍ଷେତ୍ରରେ ଏକ ଅଭିନବ ବସ୍ତୁ । ଏହା ଆବାଳବୃଦ୍ଧବନିତାର ପାଠୋପଯୋଗୀ । ସମସ୍ତେ ଏଥିରୁ ନିଜ ନିଜ ଇଚ୍ଛା ଓ ଆଗ୍ରହ ଅନୁସାରେ କିଛି ହେଲେ ସଦୁପଦେଶ ଲାଭ କରିପାରିବେ ଏବଂ ହୃଦୟରେ ପ୍ରକୃତ ଶାନ୍ତି ଅନୁଭବ କରିପାରିବେ ।

 

ଧର୍ମପିତାଙ୍କର “ଧର୍ମପୁତ୍ର” ପ୍ରତି ଉପଦେଶ ଅମୃତମୟ । ଏହି ସଂସାର ଯାହାଙ୍କର ରାଜ୍ୟ, ସେହି ଏକା ଏଥିରେ ଜୀବମାନଙ୍କର ପାପପୁଣ୍ୟର ସମୁଚିତ ବିଚାର କରିପାରନ୍ତି । ମନୁଷ୍ୟ ନିଜ ବୁଦ୍ଧିବଳରେ ବିଚାରକର୍ତ୍ତା ହେବାକୁ ବସି ଅଧିକାଂଶ ସମୟରେ ମହାଭ୍ରମରେ ପତିତ ହୋଇଥାଏ । ଏହି ଗଳ୍ପଟି ସମୁଦାୟ ଗ୍ରନ୍ଥର ଭୂମିକାସ୍ୱରୂପ; ତେଣୁ ମୋତେ ଭୂମିକା ଲେଖିବାକୁ ଅନୁରୋଧ କରିବା ଆବଶ୍ୟକ ନ ଥିଲା ।

 

“ଦ୍ଵନ୍ଦ୍ୱ” ଧର୍ମବିଷୟକ ଦ୍ଵନ୍ଦ୍ୱ ହେଲେହେଁ ପୃଥିବୀର ଯାବତୀୟ ଦ୍ଵନ୍ଦ୍ୱର ମୂଳସୂତ୍ର । ପ୍ରକୃତରେ କେବଳ ଅନ୍ଧତା ବା ଆଂଶିକ ଦୃଷ୍ଟି ସକଳ ଦ୍ଵନ୍ଦ୍ୱ ଓ ଅନର୍ଥର ହେତୁ ।

 

ବିବେକ ମନୁଷ୍ୟକୁ ତାହାର କର୍ତ୍ତବ୍ୟ ପ୍ରଦର୍ଶନ କରେ । ଯେ କର୍ତ୍ତବ୍ୟପରାୟଣ, ସେ ସର୍ବଦା ସବୁଠାରେ ତାହାରି ଦେବତାଙ୍କୁ ଦର୍ଶନ କରିପାରେ ଏବଂ ଜଗନ୍ନାଥ ତାହାକୁ ତାହାର କର୍ତ୍ତବ୍ୟ ମଧ୍ୟରେ ହିଁ ଦର୍ଶନ ଦିଅନ୍ତି । କର୍ତ୍ତବ୍ୟନିଷ୍ଠତା ଏବଂ କେବଳ ଶାସ୍ତ୍ରୀୟ ପ୍ରରୋଚନାରେ ତୀର୍ଥଭ୍ରମଣ–ଏ ଦୁହିଁଙ୍କ ମଧ୍ୟରେ ପ୍ରଥମଟିର ସ୍ଥାନ ଉଚ୍ଚତର ।

 

“ଅପେକ୍ଷା” ବୟାକରଣର ତର, ତମ ପ୍ରତ୍ୟୟବିଷୟକ ଭ୍ରମ ସଂଶୋଧନ କରିଅଛି । ଯେଉଁ ମହାପୁରୁଷ ସମସ୍ତ ଜଗତ୍ ଦେଖୁଅଛନ୍ତି, ସେହି ଏକା ଏହି ଦୁଇ ପ୍ରତ୍ୟୟକୁ ଯଥାସ୍ଥାନରେ ପ୍ରୟୋଗ କରିପାରନ୍ତି ଏବଂ ତଦନୁସାରେ ଯଥାସ୍ଥାନରେ ଦଣ୍ଡ ଓ ପୁରସ୍କାର ପ୍ରଦାନ କରିପାରନ୍ତି । ଲୋକସେବା ଦ୍ୱାରା ଯେ ଈଶ୍ୱରଙ୍କର ସାକ୍ଷାତ୍‍କାର ହୁଏ, ଏହା ଧ୍ରୁବ ସତ୍ୟ । “ଅପେକ୍ଷା” ଗଳ୍ପଟି ମଧୁ ମୋଚିକୁ ଦିନ ଭିତରେ ତିନିଥର ଈଶ୍ୱରଙ୍କ ଭେଟ କରାଇଥିଲା । ଏହି ଗଳ୍ପ ଦେବଦର୍ଶନର ମୂଳସୂତ୍ର ।

 

ସମୟ, ପ୍ରୟୋଜନ ଓ ଉଦ୍ଦେଶ୍ୟ ଏହି ତିନିଗୋଟି ବିଷୟରେ ସନ୍ୟାସୀ ରାଜାଙ୍କୁ ମାଟି ଖୋଳାଇ ଯେଉଁ ଉତ୍ତର ଦେଲେ, ତାହା ଯେପରି ସହଜ, ସେହିପରି ମଧ୍ୟ କଠିନ ଏବଂ ସନ୍ୟାସୀଙ୍କ ଅଭିଜ୍ଞତାର ଚରମ ଫଳ । ଯେଉଁ ସଂସାରୀ ଓ ବ୍ୟବସାୟୀ ଏହି ତିନିଗୋଟି କଥା ବୁଝି ନ ପାରେ, ସେ ବିଫଳମନୋରଥ ହୁଏ ।

 

ବାବନା ଭୂତର ନାମ ପ୍ରତ୍ୟେକ ଓଡ଼ିଆ ଜାଣେ; ମାତ୍ର ତାହାର କାର୍ଯ୍ୟକଳାପ ଅତି ଅଳ୍ପ ଲୋକଙ୍କୁ ଜଣା । ଅନେକେ ବାବନାଭୂତ ପରି ମାତନ୍ତି ଏବଂ ତହିଁର ଫଳ ମଧ୍ୟ ଭୋଗ କରନ୍ତି । ତାକୁ ପରାଜୟ କରିବାର ଏକମାତ୍ର ସୁଗମ ପନ୍ଥା, ତାକୁ ଉତ୍ତମରୂପେ ଚିହ୍ନି ତାହାର ଉପକାର କରିବା । ସେ ନିଜେ ଦାସ । ତାହାର ଦାସତ୍ୱ ଗଲେ ସେ ଆଉ କାହାରିକୁ ଦାସ କରି ମତାଇ ପାରେ ନାହିଁ ।

 

ଈଶ୍ୱର ସୃଷ୍ଟିରେ “ରହସ୍ୟ” ଅନେକ । ବହୁକାଳର ଅଧ୍ୟବସାୟ ପରେ ଶ୍ରୀମନ୍ତ ମୋଚିର ଏକ ରହସ୍ୟୋଭେଦ ଘଟିଥିଲା । ଈଶ୍ୱରଙ୍କ କୃପା ଭିନ୍ନ ସେପରି ଅଧ୍ୟବସାୟ ଜନ୍ମେ ନାହିଁ, ମାତ୍ର ସେହି କୃପା କାହାଠାରେ ଊଣା ବା କାହାଠାରେ ଅଧିକ ନୁହେଁ ।

 

“ଏଣିକି ଦିନକୁ ଦିନ ସବୁ ବିପରୀତ ହେଉଛି” କଥାଟା ଅକ୍ଷରେ ଅକ୍ଷରେ ସତ୍ୟ, ତେବେ କଣ ଆମ୍ଭେମାନେ ଉନ୍ନତ ନ ଅବନତ ହେଉଅଛୁଁ, ଏହା ନିଶ୍ଚୟ ଗଭୀର ଚିନ୍ତାର ବିଷୟ, ବିଶେଷତଃ ଆମ୍ଭମାନଙ୍କର ଓ ଆମ୍ଭେମାନେ ଯାହାଙ୍କର ଅଧୀନ ପ୍ରଜା ।

 

ଯେ ଦୁଃଖ ମଧ୍ୟରେ ସୁଖ ଖୋଜି ଜଣେ, “ଭାଗ୍ୟବିପର୍ଯ୍ୟୟ”ରେ ତାହାର ମନରେ ଶାନ୍ତି ଆସେ । ଏହା ପ୍ରକୃତ କଥା, କାରଣ ସନ୍ତୋଷ ସକଳ ସୁଖ ଶାନ୍ତିର ନିଦାନ ।

 

ଲଙ୍ଗଳରୁ ମାଟି ଝାଡ଼ୁଥିଲେ ସୁଦ୍ଧା ହଳିଆର ହାତରେ ‘ଧୂପ-ଦାନିଟି’ ଯେଉଁଠାରେ, ସେହିଠାରେ ସୁସ୍ଥିର ଅବସ୍ଥାନ କରୁଥିଲା ଏବଂ ତହିଁରୁ ଆମୋଦ ଆସି ଚାରିଆଡ଼େ ବ୍ୟାପୁଥିଲା । କାହାରି ଅମଙ୍ଗଳ ନ ହେଉ, ଏହା ଧୂପଦାନି ଧରିଥିବା କୃଷକର ଉଦ୍ଦେଶ୍ୟ ଥିଲା । ସମସ୍ତଙ୍କର ମଙ୍ଗଳ ହେଲା; ଅତ୍ୟାଚାରୀ ମାନେଜର ମଲେ ସୁଦ୍ଧା ତାହାର ଭବିଷ୍ୟତ ଜୀବନରେ ନିଶ୍ଚୟ ମଙ୍ଗଳ ହୋଇଥିବ; କାରଣ ସେ ଇହ ଜୀବନରେ ଘୋର ଅନୁତାପ କରିଥିଲା । ମୃତ୍ୟୁ ପରେ ଅମୃତର ତୋରଣ ସ୍ୱରୂପ ।

 

“ଭ୍ରାନ୍ତି” ଗଳ୍ପଟିର ବିଷୟ ବହୁ ପୁରାତନ । ଲୋକ ଭ୍ରାନ୍ତ ହୋଇ ଧନରତ୍ନ ଦେଖି ଆପଣାକୁ ସୁଖୀ ମନେ କରେ; ମାତ୍ର ପ୍ରକୃତ ସୁଖ ଧନ ରତ୍ନରେ ନାହିଁ । ଶାନ୍ତି ସର୍ବସୁଖର ନିଦାନ ।

 

ଭ୍ରାନ୍ତି ପରେ “ଶାନ୍ତି” ଯଥାସ୍ଥାନ ଅଧିକାର କରିଅଛି । ଗଳ୍ପ-ଲିଖିତ ବିଷୟଟି ପ୍ରାତ୍ୟହିକ ଘଟନା । ପିତସ୍ଥାନୀୟ ବ୍ୟକ୍ତିଙ୍କ ଉପଦେଶ ମାନି ଜଗୁପରି ଯେବେ ସମସ୍ତେ ପରସ୍ପରର ଭ୍ରାନ୍ତି ଦୂର କରନ୍ତେ; ତେବେ ସର୍ବପ୍ରକାର ଅଶାନ୍ତି ଅତି ଶୀଘ୍ର ସମାଜରୁ ବିଦୂରିତ ହୋଇଯାନ୍ତା । ମାତ୍ର ତହିଁର ସମ୍ଭାବନା ନାହିଁ ?

 

ପାପପୁରୁଷର କାର୍ଯ୍ୟ “କୁହୁକ”ରେ ଅତି ସୁନ୍ଦର ଭାବରେ ଚିତ୍ରିତ ହୋଇଅଛି । ଯେଡ଼େ ଭଲ ଲୋକ ହେଲେହେଁ ଯେବେ ତାହାର ହୃଦୟରେ ଟିକିଏ ଦୁର୍ବଳତା ଥାଏ, ତେବେ ସୁଯୋଗ ଉଣ୍ଡି ପାପପୁରୁଷ ତହିଁରେ କିପରି ପ୍ରବେଶ କରେ, ତାହା ଏଥିରେ ଉତ୍ତମରୂପେ ପ୍ରଦର୍ଶିତ ହୋଇଅଛି ।

 

କୁହୁକରେ ପଡ଼ିଲେ ଧନ ଓ ସମ୍ପତ୍ତିର ତୃଷା ମନୁଷ୍ୟକୁ କିପରି ମାରେ, ତାହା “ତୃଷ୍ଣା” ପାଠ କଲେ ଲୋକ ସହଜରେ ବୁଝି ପାରିବ । ପ୍ରାକୃତିକ ମୃଗତୃଷ୍ଣିକାରେ ପଡ଼ି ହରିଣ ଜଳ ପଛେ ପଛେ ଗୋଡ଼ାଇ ମଲାପରି ସମ୍ପତ୍ତିର ତୃଷ୍ଣା ମନୁଷ୍ୟକୁ କିପରି ଦଉଡ଼ାଇ ମାରେ, ଏହି ଗଳ୍ପଟି ତହିଁର ଏକ ଅପୂର୍ବ ଆଲେଖ୍ୟ ।

 

ସର୍ବଶକ୍ତିମାନ୍ ଜଗଦୀଶ୍ଵରଙ୍କ ବ୍ୟତୀତ ପ୍ରାଣୀକୁ ତାହାର ପାପପୁଣ୍ୟ ଲାଗି ସମୁଚିତ ଦଣ୍ଡ ବା ପୁରସ୍କାର ଦେବା ମନୁଷ୍ୟର ସାଧ୍ୟାୟତ୍ତ ନୁହେଁ । ଯାହାର ଉପଯୁକ୍ତ ଶକ୍ତି ନାହିଁ, ସେ ଦଣ୍ଡ ଦେବାକୁ ଯାଇ ତଦ୍‍ବିପରୀତରେ ପୁରସ୍କାର ଦେବାକୁ ବାଧ୍ୟ ହୋଇଥାଏ । ଗଳ୍ପଟି ବଡ଼ କୌତୂହଳୋଦ୍ଦୀପକ ।

 

“ବନ୍ଦୀ” ଗଳ୍ପଟି ଯଥାସ୍ଥାନରେ ସନ୍ନିବେଶିତ ହେଲା ପରି ବୋଧ ହେଲା ନାହିଁ । ଏଥିରୁ ଧୈର୍ଯ୍ୟ ଓ ଦୃଢ଼ପ୍ରତିଜ୍ଞତା ଆଗରେ ଅର୍ଥବଳ କିଛି ନୁହେଁ––ଏହାହିଁ ପ୍ରମାଣିତ ହେଉଅଛି ।

 

“ଦୃଷ୍ଟି ଲାଭ” ଆତ୍ମଦୃଷ୍ଟିର ଅତି ଉତ୍ତମ ଉଦାହରଣ । ଯେତେବେଳେ ଲୋକ ନିଜ ହୃଦୟରେ ଉପଲବ୍‌ଧିର କରିବ ଯେ, ଏକ ଜୀବନସ୍ରୋତ ସର୍ବତ୍ର ପ୍ରବାହିତ ଏବଂ ତାହାର ଜୀବନ ସେହି ସ୍ରୋତର ଏକାଂଶ ମାତ୍ର, ସେତେବେଳେ ସଂସାରରୁ ସବୁ ବିବାଦ ବିସମ୍ବାଦ ଓ ପାପ ତାପ ତିରୋହିତ ହେବ । ଏହି ଚିରନ୍ତନ ମହାସତ୍ୟ ଉପଲବ୍‍ଧି କରିବା ପାଇଁ ସଂସାରର ସବୁ ଲୀଳା ଖେଳା ।

 

“ପରିଣାମ” ଗଳ୍ପଟି “ପ୍ରସାଦ “ଗ୍ରନ୍ଥର ପରିଣାମ; ତଥା ପ୍ରସାଦ ଲିଖନ ଉଦ୍ଦେଶ୍ୟର ମଧ୍ୟ ପରିଣାମ । ଲେକେ ପରିଣାମକୁ ଉତ୍ତମରୂପେ ହୃଦୟଙ୍ଗମ କରି ପାରିଲେ ଜଗଦୀଶ୍ଵର ଯେ ମଙ୍ଗଳମୟ, ଏ ବିଷୟରେ ଦୃଢ଼ ଧାରଣା ଜନ୍ମି ପାରିବ ।

 

ସ୍ଥୂଳତଃ ଗ୍ରନ୍ଥର ଆରମ୍ଭଟି ଯେପରି ସୁନ୍ଦର, ଶେଷଟି ମଧ୍ୟ ସେହିପରି । ମୋ କ୍ଷୁଦ୍ର ବିବେଚନାରେ ଗ୍ରନ୍ଥ ଖଣ୍ଡିକ ସର୍ବାଙ୍ଗ-ସୁନ୍ଦର ହୋଇଅଛି । ଗ୍ରନ୍ଥକର୍ତ୍ତ୍ରୀ । ଧନ୍ୟବାଦାର୍ହା । ଏହି ଗ୍ରନ୍ଥ ସକଳ ଶ୍ରେଣୀର ପାଠକ ପାଠିକାମାନଙ୍କର ପଠନୋପଯୋଗୀ ଏବଂ ମୁଁ ଆଶା କରେ, ଏହା କି ସ୍କୁଲ କଲେଜର ଛାତ୍ର, କି ସର୍ବସାଧାରଣ ପାଠକ ସମସ୍ତଙ୍କ ନିକଟରେ ସମାଦୃତ ହେବ ।

 

ଭୁବନପୁର

 

୨୬ । ୨ । ୧୯୨୬

ଶ୍ରୀ ମଧୁସୂଦନ ଦାଶ

Image

 

ସୂଚୀପତ୍ର

 

୧.

ଧର୍ମପୁତ୍ର

୨.

ଦ୍ଵନ୍ଦ୍ୱ

୩.

ଦେବଦର୍ଶନ

୪.

ଅପେକ୍ଷା

୫.

ସାକ୍ଷାତ୍‌କାର

୬.

ତିନୋଟି ପ୍ରଶ୍ନ

୭.

ପରାଜୟ

୮.

ରହସ୍ୟ

୯.

ସେକାଳ ଓ ଏକାଳ

୧୦.

ଭାଗ୍ୟବିପର୍ଯ୍ୟୟ

୧୧.

ଧୂପଦାନି

୧୨.

ଭ୍ରାନ୍ତି

୧୩.

ଶାନ୍ତି

୧୪.

କୁହୁକ

୧୫.

ତୃଷ୍ଣା

୧୬.

ଦଣ୍ଡବିଧାନ

୧୭.

ବନ୍ଦୀ

୧୮.

ଦୃଷ୍ଟିଲାଭ

୧୯.

ବିବାଦଭଞ୍ଜନ

୨୦.

ପରିଣାମ

Image

 

ଧର୍ମପୁତ୍ର

 

ଗୋଟିଏ ଗ୍ରାମରେ ଜଣେ ଦରିଦ୍ର କୃଷକ ବାସ କରୁଥିଲା । ଅନେକ ଦିନ ପରେ ତାହାର ଗୋଟିଏ ପୁଅ ହେଲା । କୃଷକର ଭାରି ଆନନ୍ଦ, ପୁଅଟି ବୃଦ୍ଧ ବୟସରେ ତାହାର ସହାୟ ହେବ । ପୁଅ ହେବା ଅଳ୍ପଦିନ ପରେ ସେହି ଗ୍ରାମକୁ ଜଣେ ଲୋକ ଆସିଲା, ସେ କିଏ କିମ୍ବା ତାହାର ଘର କେଉଁଠାରେ, କେହି ଜାଣନ୍ତି ନାହିଁ । ସେ ସେହି କୃଷକର ଘରେ ୨।୪ ଦିନ ରହିଲା । ପିଲାଟାକୁ ଦେଖି ସେ ଖୁସି ହେଲା; ସର୍ବଦା କହେ, “ଏ ପୁଅଟି ମୋର ଧର୍ମପୁଅ ।” ୨।୪ ଦିନ ସେଠାରେ ରହି ସେ ଚାଲିଗଲା । ପିଲାଟି ଦିନକୁ ଦିନ ବଢ଼ିବାକୁ ଲାଗିଲା । ତାହାର ଭାରି ବୁଦ୍ଧି, ତାକୁ ପଢ଼ାଇବାପାଇଁ ତାହାର ବାପ ତାକୁ ଗାଁ ଚାଟଶାଳୀକୁ ପଠାଇଲା । ସେଠାରେ ଯାହା ଶିଖିବାର ସେ ସବୁ ଶିଖିଲା । ଏହିପରି ତାକୁ ଯେତେବେଳେ ୧୦।୧୨ ବର୍ଷ ବୟସ, ସେତେବେଳେ ଦିନେ ପୂଜାବେଳେ ସେ ତାହାର ବାପା ମାଆଙ୍କୁ କହିଲା, “ମୁ ସର୍ବଦା ଶୁଣେ ମୋର ଜଣେ ଧର୍ମବାପ ଅଛନ୍ତି; କିନ୍ତୁ ତାଙ୍କୁ ତ ମୁଁ ଦେଖିଲି ନାହିଁ । ତାଙ୍କ ଘର କେଉଁଠାରେ ମତେ କହ, ମୁଁ ତାଙ୍କ ସଙ୍ଗରେ ଦେଖା କରି ଆସିବି ।” ତାହାର ବାପ କହିଲା, “ତୋର ଧର୍ମବାପର ଘର କେଉଁଠାରେ, ଆମ୍ଭେମାନେ ତ କେହି ଜାଣୁ ନାହିଁ । ତୁ ଜନ୍ମ ହେବାର କେତେଦିନ ପରେ ସେ ଏଠାକୁ ଆସିଥିଲେ, କିନ୍ତୁ ତାଙ୍କ ଘର କେଉଁଠାରେ, ସେ ତାହା କିଛି କହି ନାହାନ୍ତି ।” କୃଷକର ପୁଅ ତାହା ଶୁଣି କହିଲା, “ଏହି ଗ୍ରାମ ପାଖରେ ମୋର ଜଣେ ଧର୍ମ ମା’ ଅଛନ୍ତି, ତାଙ୍କ ସଙ୍ଗରେ ତ ତମର ସର୍ବଦା ଦେଖା ହୁଏ; ମୋତେ ଅନୁମତି ଦିଅ, ମୁଁ ମୋ ଧର୍ମବାପାକୁ ଖୋଜି ଦେଖେଁ ।” ବାପ ମା’ ଅନୁମତି ଦେବାରୁ ସେ ତାହାର ଧର୍ମବାପାକୁ ଖୋଜିବାକୁ ବାହାରିଲା । ଅନେକ ଦୂର ଚାଲି ଚାଲି ବିଚରା କ୍ଳାନ୍ତ ହୋଇ ଗୋଟିଏ ଗଛମୂଳେ ବସିଲା । ଅଳ୍ପକ୍ଷଣ ପରେ ଦେଖିଲା, ତାହା ଆଡ଼କୁ ଗୋଟିଏ ଲୋକ ଆସୁଛି । ଲୋକଟି ପାଖକୁ ଆସି ପଚାରିଲା, “ତୁମେ ତ ପିଲାଲୋକ, ଏକା କୁଆଡ଼େ ଯାଉଛ ?’’ ପିଲାଟି ନିଜର ପରିଚୟ ଦେଇ କହିଲା, “ମୁଁ ଶୁଣିଛି ମୋର ଜଣେ ଧର୍ମବାପ ଅଛନ୍ତି; କିନ୍ତୁ ମୁଁ କେବେ ତାଙ୍କୁ ଦେଖିନାହିଁ । ବର୍ତ୍ତମାନ ମୁଁ ତାଙ୍କୁ ଖୋଜି ତାଙ୍କ ସଙ୍ଗରେ ଦେଖା କରିବି ବୋଲି ବାହାରିଛି ।’’ ଏହି କଥା ଶୁଣି ସେହି ଲୋକଟି କହିଲା, “ତୁମକୁ ଆଉ ବେଶି ଖୋଜିବାକୁ ହେବ ନାହିଁ; କାରଣ ମୁଁ ତୁମର ଧର୍ମବାପ । ପିଲାଟି ଭାରି ଖୁସି ହୋଇ ତାଙ୍କୁ ଦଣ୍ଡବତ କରି ପଚାରିଲା, “ବର୍ତ୍ତମାନ ତୁମେ କେଉଁଠିକି ଯାଉଛ ? ଯଦି ଆମ ଗାଁ’ଆଡ଼େ ଯାଉଥାଅ, ତାହାହେଲେ ଆମ ଘରକୁ ଚାଲ; ଯଦି ତୁମ ଘରକୁ ଫେରି ଯାଉଥାଅ, ତାହାହେଲେ ଚାଲ, ମୁଁ ତୁମ ସଙ୍ଗରେ ଯିବି । “ଧର୍ମବାପ କହିଲା, “ମୋର ଆଜି ଅନେକ ଗ୍ରାମରେ କାମ ଅଛି । ତୁମ ଘରକୁ ଯାଇପାରିବି ନାହିଁ । ମୁଁ କାଲି ମୋ ଘରକୁ ଫେରିବି, ତୁମେ କାଲି ଆସିବ ।’’ ଏହି କଥା ଶୁଣି ପିଲାଟି ପଚାରିଲା, “କିନ୍ତୁ ମୁଁ ତ ତୁମ ଘର ଚିହ୍ନେ ନାହିଁ କେମିତି ଯିବି ?’’ ଧର୍ମବାପ କହିଲା, “ତୁମେ ଘରୁ ବାହାରି ଯେଉଁଆଡ଼ୁ ସୂର୍ଯ୍ୟ ଉଠେ ସିଧା ସେହି ଆଡ଼କୁ ଚାଲିଯିବ । କିଛିଦୂର ଗଲାରୁ ଗୋଟିଏ ବଣ ଦେଖି ପାରିବ । ସେହି ବଣ ଭିତରେ କିଛି ଦୂର ଗଲେ ଗୋଟିଏ ଖୋଲା ଜାଗାରେ ପହଞ୍ଚିବ । ସେଠାକୁ ଯାଇ ସେଠି ଟିକିଏ ବସି ବିଶ୍ରାମ କରିବ ଏବଂ ସେଠାରେ କଣ ଘଟିବ, ତାହା ମଧ୍ୟ ଲକ୍ଷ୍ୟ କରିବ । ସେହି ବଣର ଆର ପାଖରେ ଗୋଟିଏ ବଗିଚା ଅଛି, ସେହି ବଗିଚା ଭିତରେ ସୁନେଲି ରଙ୍ଗର ଛାତବାଲା ଗୋଟିଏ ଘର ଅଛି । ସେହି ମୋ ଘର । ସେହି ଘରକୁ ଗଲେ ମୋ ସାଙ୍ଗରେ ଦେଖା ହେବ ।’’ ଏହା କହି ସେ ଚାଲିଗଲା ।

 

ତହିଁ ଆରଦିନ ଧର୍ମବାପ ଯେପରି କହିଥିଲା, ପିଲାଟି ଠିକ୍ ସେହିପରି କଲା । ସକାଳେ ଉଠି ପୂର୍ବ ଆଡ଼କୁ ମୁହଁ କରି ଯାଉଁ ଯାଉଁ ସେ ଗୋଟିଏ ଜଙ୍ଗଲ ପାଖରେ ପହଞ୍ଚିଲା । ଜଙ୍ଗଲ ଭିତର ଦେଇ କିଛିଦୂର ଯାଇ ସେ ଗୋଟିଏ ଖୋଲା ଜାଗା ଦେଖିଲା । ସେହିଠାରେ ସେ ଗୋଟିଏ ବଡ଼ ଗଛ ଦେଖିଲା । ସେହି ଗଛର ଗୋଟିଏ ଡାଳରେ ଖଣ୍ଡେ ଦଉଡ଼ି ବନ୍ଧା ହୋଇଛି ଏବଂ ସେହି ଦଉଡ଼ିର ତଳଆଡ଼େ ଖଣ୍ଡେ ଭାରି କାଠ ବନ୍ଧା ହୋଇ ଝୁଲୁଛି । ଠିକ୍ ସେହି କାଠଖଣ୍ଡିକ ତଳେ ଗୋଟିଏ କାଠର ପାତ୍ରରେ ମହୁ ପୂର୍ଣ୍ଣ ହୋଇ ରହିଛି । ସେଠାରେ ପାତ୍ରରେ କାହିଁକି ମହୁ ରହିଛି ଏବଂ ଠିକ୍ ତା ଉପରେ ସେହି ଭାରି କାଠଖଣ୍ଡିକ କାହିଁକି ଝୁଲୁଛି, ତାହା ସେ କିଛି ବୁଝି ପାରିଲା ନାହିଁ । ସେ ନାନା କଥା ଭାବୁଛି, ଏପରି ସମୟରେ ଗୋଟିଏ ଶବ୍ଦ ଶୁଣି ଚାହିଁ ଦେଖିଲା ଯେ, ଜଙ୍ଗଲ ଭିତରୁ ଗୋଟିଏ ଭାଲୁ ଚାରୋଟି ଛୁଆ ସଙ୍ଗରେ ନେଇ ବାହାରି ଆସିଲା । ଛୁଆମାନଙ୍କ ମଧ୍ୟରୁ ଗୋଟିଏ ବଡ଼, ଆଉ ତିନୋଟି ସାନ ସାନ । ଭାଲୁ ମହୁ ଗନ୍ଧ ପାଇ ସିଧା ସେହି ପାତ୍ରଆଡ଼କୁ ଯାଇ କାଠ ଖଣ୍ଡିକୁ ମୁଣ୍ଡରେ ଠେଲିଦେଇ ମହୁ ଖାଇବାକୁ ଆରମ୍ଭ କଲା ଓ ଛୁଆମାନଙ୍କୁ ଡାକିଲା । ସେମାନେ ମହୁ ଖାଇବାକୁ ଆରମ୍ଭ କରିଛନ୍ତି, ଏପରି ସମୟରେ ସେହି କାଠ ଖଣ୍ଡିକ ଫେରି ଆସି ଛୁଆମାନଙ୍କ ଦେହରେ ଲଗିଲା । ଏହା ଦେଖି ତାଙ୍କ ମା’ କାଠ ଖଣ୍ଡିକ ଗୋଡ଼ରେ ଟିକିଏ ଜୋରରେ ଠେଲିଦେଲା । ତାହା ଆହୁରି ଦୂରକୁ ଯାଇ ଫେରି ଆସି ଜୋରରେ ଗୋଟିକ ମୁଣ୍ଡରେ ଓ ଗୋଟିକ ପିଠିରେ ଆଘାତ କଲା । ଛୁଆମାନେ ଚିତ୍କାର କରି ସେଠାରୁ ପଳାଇ ଗଲେ । ଏହା ଦେଖି ଭାଲୁ ରାଗିଯାଇ ଆଗ ଦୁଇ ଗୋଡ଼ରେ କାଠଖଣ୍ଡକୁ ଟେକି ଯଥାସାଧ୍ୟ ଜୋରରେ ତାକୁ ଠେଲିଦେଲା । କାଠ ଘୁଞ୍ଚି ଯିବାରୁ ବଡ଼ ଛୁଆଟି ଦଉଡ଼ି ଆସି ମହୁ ଖାଇବାକୁ ଲାଗିଲା । କାଠ ଖଣ୍ଡିକ ଉପରକୁ ଉଠି ଫେରି ଆସି ତା ମୁଣ୍ଡରେ ଏତେ ଜୋରରେ ଆଘାତ କଲା ଯେ, ସେ ଛୁଆଟି ମରିଗଲା । ତାହାର ମା’ ଆହୁରି ବେଶି ରାଗିଯାଇ କାଠଖଣ୍ଡିକ ଉପରକୁ ଧରି ଏତେ ଜୋରରେ ତାହା ଫୋପାଡ଼ିଲା ଯେ, ଯେଉଁ ଡାଳରେ ସେ କାଠ ବନ୍ଧା ହୋଇଥିଲା, ତାହା ଅପେକ୍ଷା ଆହୁରି ଉଚ୍ଚକୁ ଉଠିଗଲା । ଭାଲୁ ଓ ଅନ୍ୟ ଛୁଆ ତିନୋଟି ଯାଇ ମହୁ ଖାଇବାକୁ ଲାଗିଲେ । କାଠ ଖଣ୍ଡିକ ଅନେକ ଉପରକୁ ଯାଇ ଖୁବ୍ ଜୋରରେ ଖସି ଆସି ଭାଲୁ ମୁଣ୍ଡରେ ବାଜିଲା, ସେ ଓଲଟି ପଡ଼ି ଛଟପଟ ହୋଇ ମରିଗଲା । ଛୁଆଗୁଡ଼ିକ ବଣକୁ ପଳାଇଗଲେ ।

 

ଏହିସବୁ ଦେଖି ବାଳକ ଭାରି ଆଶ୍ଚର୍ଯ୍ୟାନ୍ୱିତ ହୋଇ ପୁଣି ଚାଲିବାକୁ ଆରମ୍ଭ କଲା । ସେହି ବଣ ପାର ହୋଇ ଗୋଟିଏ ସୁନ୍ଦର ବଗିଚା ଦେଖିଲା । ବଗିଚା ଭିତରେ ଗୋଟିଏ ପ୍ରକାଣ୍ଡ ପ୍ରାସାଦ, ଛାତ ସୁନେଲି ରଙ୍ଗର । ସେହି ଘରର ଫାଟକ ପାଖରେ ତାହାର ଧର୍ମବାପ ଛିଡ଼ା ହୋଇଥିଲା । ସେ ପିଲାଟିକୁ ଦେଖି ଭାରି ଖୁସି ହୋଇ ତାକୁ ବଗିଚା ଭିତରକୁ ଘେନିଗଲା ବଗିଚା ଦେଖି ପିଲା ଭାରି ଖୁସିହେଲା । ଏଡ଼େ ସୁନ୍ଦର ବଗିଚା ସେ କେବେ ଦେଖିନାହିଁ । ତାପରେ ଘର ଭିତରକୁ ଗଲା । ଘର ଆହୁରି ସୁନ୍ଦର । ତାହାର ଧର୍ମବାପ ତାକୁ ଚାରିଆଡ଼େ ବୁଲାଇ ଦେଖାଇ ଶେଷରେ ଗୋଟିଏ ବନ୍ଦ ଘରପାଖକୁ ଆସି କହିଲା, “ଏହି ଘରେ ତାଲା ପଡ଼ି ନାହିଁ, କିନ୍ତୁ କେବଳ ବନ୍ଦ ଅଛି । ଇଚ୍ଛା କଲେ ଏ ଘର ଜଣେ ସହଜରେ ଫିଟାଇ ପାରେ, କିନ୍ତୁ ମୁଁ ତୁମକୁ ଏ ଘର ଫିଟାଇବାକୁ ମନା କରୁଛି । ତୁମେ ଏଠାରେ ବାସ କରି ଏଠାରେ ସମସ୍ତ ଉପଭୋଗ କରିପାର; କିନ୍ତୁ ମୋର ଏକମାତ୍ର ଆଦେଶ ଯେ, ତୁମେ ଏହି ଘର କେବେ ଫିଟାଇବ ନାହିଁ । ଯଦି କେବେ ଏ ଘର ଫିଟାଅ; ତାହା ହେଲେ ସେହି ବଣଭିତରେ ଯାହା ଦେଖିଥିଲ, ତାହା ମନେକରିବ ।”

 

ଏହା କହି ଯେ ସେଠାରୁ ଚାଲିଗଲା । ଧର୍ମପୁଅ ସେହି ଘରେ ରହିଲା, ଏତେ ଆନନ୍ଦରେ ତାହାର ଦିନ ସେଠାରେ କଟିଗଲା ଯେ, ୩୦ବର୍ଷ ତାକୁ ତିନି ଘଣ୍ଟା ପରି ମନେ ହେଲା-। ୩୦ ବର୍ଷ ପରେ ଦିନେ ସେ ସେହି ବନ୍ଦ ଘର ପାଖ ଦେଇ ଚାଲି ଯାଉ ଯାଉ ଭାବିଲା, ‘‘ଏହି ଘରେ କଣ ଅଛି, ଏଥର ଦେଖିବି ।” ଅଳ୍ପ ଠେଲିଦେଲା ମାତ୍ରକେ କବାଟ ଫିଟିଗଲା-। ଘର ଭିତରକୁ ଯାଇ ସେ ଦେଖିଲା, ଅନ୍ୟ ସମସ୍ତ ଘର ଅପେକ୍ଷା, ସେହି ଘରଟି ସୁନ୍ଦର ଓ ବଡ଼, ଘର ମଝିରେ ଗୋଟିଏ ସିଂହାସନ ରହିଛି । କିଛିକ୍ଷଣ ଘରର ଏପାଖ ସେପାଖ ବୁଲି ସେ ଯାଇ ସେହି ସିଂହାସନରେ ବସିଲା । ସିଂହାସନ ପାଖରେ ଗୋଟିଏ ଦଣ୍ଡ ଦେଖି ସେଇଟି ହାତରେ ଧରିଲା-। ଦଣ୍ଡ ଧରିଲା ମାତ୍ରକେ ସେ ଦେଖିଲା ଯେ, ଘରର କାନ୍ଥ ସବୁ ଅଦୃଶ୍ୟ ହୋଇଗଲା ଏବଂ ଚାରିଆଡ଼କୁ ଚାହିଁ ସେ ସମସ୍ତ ପୃଥିବୀ ଏବଂ ସେଥିରେ ଲୋକମାନେ କଣ କରୁଛନ୍ତି, ସବୁ ଦେଖିପାରିଲା । କିଛିକ୍ଷଣ ଦେଖି ତାହାର ମନ ହେଲା, ତାହାର ନିଜ ଘରେ କ’ଣ ହେଉଛି ଦେଖିବ-। ତାହାର ଗ୍ରାମ ଯେଉଁଆଡ଼େ ସେହି ଆଡ଼କୁ ସେ ଚାହିଁଲା । ତାହାର ବାପର ଜମି ଆଡ଼କୁ ଚାହିଁ ଦେଖିଲା ଯେ ଧାନ କଟା ହୋଇ ସବୁ ଜମା ହୋଇଛି ଏବଂ ଖଣ୍ଡେ ବଳଦଗାଡ଼ିରେ ଜଣେ ଲୋକ ସେହି ଆଡ଼କୁ ଆସୁଛି । ପ୍ରଥମେ ସେ ମନେ କଲା; ତାହାର ବାପ ଗାଡ଼ିରେ ଧାନ ବୋଝେଇ କରି ଘରକୁ ନେବାକୁ ଆସିଛି; କିନ୍ତୁ ଆଉ ଟିକିଏ ଭଲକରି ଦେଖିଲାରୁ ବୁଝିପାରିଲା ଯେ, ସେ ତାଙ୍କ ଗ୍ରାମର ଜଣେ ଚୋର । ନିଶ୍ଚୟ ଧାନ ଚୋରି କରିବାକୁ ଆସୁଛି । ଏହା ଦେଖି ସେ ତାହାର ବାପକୁ ସାବଧାନ କରାଇ ଦେବ ବୋଲି ଚିତ୍କାର କରି କହିଲା, “ଉଠ, ଉଠ, ଧାନ ଚୋରିଗଲା-।” ସେତେବେଳେ ରାତି, ତାହାର ବାପ ଶୋଇଥିଲା, ସେ ଉଠି ବସି କହିଲା, “ମୁଁ ସ୍ଵପ୍ନ ଦେଖିଲି, କିଏ ଯେପରି ମୋର ଧାନ ଚୋରିକରି ନେଇ ଯାଉଛି, ଦେଖି ଆସେଁ ।” ସେ ଯାଇ ଦେଖିଲା ଚୋର ଗାଡ଼ିରେ ଧାନ ବୋଝେଇ କରୁଛି । ଚୋରକୁ ଧରି ପୋଲିସରେ ଦେଲା । ତାପରେ ତାର ଧର୍ମପୁଅ ତାର ଧର୍ମ ମା’ ଘର ଆଡ଼କୁ ଚାହିଁ ଦେଖିଲା ଯେ, ସେ ଶୋଇଛି ଏବଂ ତାର ସ୍ଵାମୀ ଆସ୍ତେ ଆସ୍ତେ ଉଠି ବାହାରକୁ ଯାଇ କୁସଙ୍ଗୀମାନଙ୍କ ସାଙ୍ଗରେ ମିଶୁଛି । ଏହା ଦେଖି ସେ କହି ଉଠିଲା, “ଉଠ, ଉଠ, ଦେଖ, ତୁମ ସ୍ଵାମୀ କିପରି କୁସଙ୍ଗୀମାନଙ୍କ ସଙ୍ଗରେ ମିଶୁଛି ।” ତାହାର ଧର୍ମ ମା’ର ନିଦ ଭାଙ୍ଗିଲା । ତା ପରେ ସେ ସ୍ଵାମୀ ସଙ୍ଗରେ ଖୁବ୍‍ କଳି ଲଗାଇଲା । କଳି ପରେ ତାହାର ସ୍ଵାମୀ ରାଗି ଘରୁ ବାହାରିଗଲା । ତା ପରେ ପୁଣି ସେ ନିଜ ଘର ଆଡ଼କୁ ଚାହିଁ ଦେଖିଲା ଯେ, ତାହାର ମା’ ଶୋଇଛି ଏବଂ ଗୋଟିଏ ଚୋର ଆସ୍ତେ ଆସ୍ତେ ସେଇ ଘରେ ପଶି ଚୋରି କରିବାକୁ ଯାଉଛି-। ତାହାର ମା’ ଜାଗିଉଠି ଚିତ୍‌କାର କରିବାରୁ ଚୋର ଖଣ୍ଡିଏ ଛୁରି ନେଇ ତାକୁ ମାରିବାକୁ ଗଲା-। ଏହା ଦେଖି ପୁଅ ଆଉ ସ୍ଥିର ରହି ନ ପାରି ହାତର ଦଣ୍ଡଟି ଚୋରକୁ ଲକ୍ଷ୍ୟ କରି ଫୋପାଡ଼ିଲା-। ତାହା ଚୋର କପାଳରେ ଲାଗିଲାରୁ ଚୋର ସେହିଠାରେ ପଡ଼ି ମରିଗଲା ।

 

ଚୋରକୁ ମାରିବା ମାତ୍ରକେ ସେହି ଘରର କାନ୍ଥସବୁ ବନ୍ଦ ହୋଇଗଲା ଏବଂ ଘରଟି ଠିକ୍‍ ଆଗ ପରି ହୋଇଗଲା । ତାହା ପରେ ଘରର କବାଟ ଫିଟାଇ ଧର୍ମବାପା ସେହି ଘର ଭିତରକୁ ଆସି ତାହାର ହାତ ଧରି ତାକୁ ସେହି ସିଂହାସନରୁ ଓହ୍ଲାଇ ଦେଲେ । ସେ କହିଲେ, “ତୁମେ ମୋର ଆଦେଶ ଅମାନ୍ୟ କରିଛ । ଏହି ଘର ଫିଟାଇ ତୁମେ ଗୋଟିଏ ଅନ୍ୟାୟ କରିଛ, ଏହା ଛଡ଼ା ତୁମେ ଆଉ ଗୋଟାଏ ଅନ୍ୟାୟ କରିଛ, ତାହାଦ୍ୱାରା ଏହି ପୃଥିବୀର ଦୁଃଖ ଅନେକ ବଢ଼ାଇଛ । ତୁମେ ଯଦି ଆଉ ଘଡ଼ିଏ ସେଠାରେ ବସିଥାନ୍ତ, ତାହାହେଲେ ପୃଥିବୀର ଅଧେ ଲୋକଙ୍କର ସର୍ବନାଶ କରିଥାନ୍ତ ।” ଏହା କହି ସେ ତାଙ୍କର ଧର୍ମପୁଅକୁ ନେଇ ସିଂହାସନ ପାଖକୁ ଯାଇ ଦଣ୍ଡ ଧରି ସେଥିରେ ବସିଲେ, ପୁଣି ସେହି ଘରର କାନ୍ଥ ସବୁ ଅଦୃଶ୍ୟ ହୋଇ ସମସ୍ତ ଦେଖାଗଲା । ତହୁଁ ସେ କହିଲେ, “ତୁମ ବାପର ତୁମେ କି ଅନିଷ୍ଟ କରିଛ; ଦେଖ । ସେହି ଚୋର ବର୍ଷେ ଜେଲରେ ରହି ବେଶି ଦୁଷ୍ଟ ହୋଇ ଫେରିଆସିଛି । ତୁମର ବାପ ଉପରେ ତାହାର ଆଗରୁ ରାଗ ରହିଛି; ଦେଖ, ସେ ତୁମର ଦିଓଟି ଗୋରୁ ଚୋରି କରିଛି ଏବଂ ଘର ପୋଡ଼ିଯାଉଛି । ତା ପରେ ଧର୍ମବାପ ତାକୁ ଅନ୍ୟ ଆଡ଼କୁ ଦେଖିବାକୁ କହିଲେ । ସେ ଦେଖିଲା; ତାହାର ଧର୍ମମା’ର ସ୍ୱାମୀ ବର୍ଷେ ହେବ ଘର ଛାଡ଼ି ଦିନକୁ ଦିନ ବେଶି ମନ୍ଦକାର୍ଯ୍ୟ କରୁଛି, ଧର୍ମମା’ ମଧ୍ୟ ଅତ୍ୟନ୍ତ କଷ୍ଟରେ ଅଛି । ପରେ ସେ ଦେଖିଲା, ତାହାର ମା’ ନିଜର ପାପ ସ୍ମରଣ କରି କାନ୍ଦୁଛି ଏବଂ କହୁଛି, “ସେଦିନ ସେ ଚୋର ଯଦି ମତେ ହତ୍ୟା କରିଥାନ୍ତା, ତା ହେଲେ ମୁଁ ଏତେ ପାପ କରି ନଥାନ୍ତି ।”

 

ତହିଁ ଉତ୍ତାରେ ଧର୍ମବାପ ତାକୁ ତଳ ଆଡ଼କୁ ଦେଖିବାକୁ କହିଲାରୁ ସେ ଚାହିଁ ଦେଖିଲା ଯେ, ଦୁଇଜଣ ପ୍ରହରୀ ସେହି ଚୋରକୁ ଧରି ଗୋଟିଏ ଜେଲଖାନା ସମ୍ମୁଖରେ ଛିଡ଼ା ହୋଇଛନ୍ତି । ଧର୍ମବାପ କହିଲେ, ଏହି ଲୋକଟି ଦଶ ଜଣ ଲୋକଙ୍କୁ ହତ୍ୟା କରିଛି । ବଞ୍ଚିଥିଲେ ସେ ତାହାର ପାପର ପ୍ରାୟଶ୍ଚିତ୍ତ କରିଥାନ୍ତା; କିନ୍ତୁ ଅସମୟରେ ତାକୁ ମାରି ତୁମେ ତାକୁ ପ୍ରାୟଶ୍ଚିତ୍ତ କରିବାର ସୁଯୋଗ ଦେଲ ନାହିଁ, ବର୍ତ୍ତମାନ ତାହାର ପାପପାଇଁ ତୁମେ ଦାୟୀ । ଏହି କାର୍ଯ୍ୟଦ୍ଵାରା ତୁମେ ନିଜର ଅନିଷ୍ଟ କରିଛ । ବଣରେ ସେହି ଭାଲୁ କାଠ ଖଣ୍ଡିକ ଠେଲି ଦେଲାରୁ ପ୍ରଥମେ ତାହାର ଛୁଆମାନେ ମହୁଖାଇବାରେ ବାଧା ପାଇଲେ, ଦ୍ଵିତୀୟ ଥର କାଠ ଠେଲିବାରୁ ଗୋଟିଏ ଛୁଆ ମଲା, ତୃତୀୟ ଥର କାଠ ଠେଲି ନିଜେ ମଲା । ତୁମେ ମଧ୍ୟ ଠିକ୍ ସେହିପରି କରିଛ । ଚୋରର ପାପର ପ୍ରାୟଶ୍ଚିତ୍ତ ପାଇଁ ମୁଁ ତୁମକୁ ତିରିଶ ବର୍ଷ ସମୟ ଦେଉଅଛି । ତୁମେ ଯଦି ପ୍ରାୟଶ୍ଚିତ୍ତ ନ କର, ତା ହେଲେ ତୁମକୁ ତାହାର ସ୍ଥାନ ନେବାକୁ ହେବ ?” ଧର୍ମପୁତ୍ର ପଚାରିଲା, “କିପରି ମୁଁ ତାହାର ପାପର ପ୍ରାୟଶ୍ଚିତ୍ତ କରିବି ?” ଧର୍ମପିତା କହିଲେ, ପୃଥିବୀକୁ ତୁମେ ତୁମର କାର୍ଯ୍ୟଦ୍ଵାରା ଯେତେ ଦୁଃଖ ଆଣିଲ; ସେହି ପରିମାଣରେ ପୃଥିବୀରୁ ଦୁଃଖ ଦୂର କରିପାରିଲେ ତୁମର ନିଜର ଓ ଚୋରର ପାପର ପ୍ରାୟଶ୍ଚିତ୍ତ ହେବ ।” କିପରି ମୁଁ ପୃଥିବୀର ଦୁଃଖ ଦୂର କରିବି ?” ଧର୍ମପିତା କହିଲେ, “ପୂର୍ବ ଆଡ଼କୁ ମୁହଁ କରି ଯାଅ । କିଛି ଦୂର ଯାଇ ଗୋଟିଏ ପଡ଼ିଆ ଏବଂ କେତେଗୁଡ଼ିଏ ଲୋକ ଦେଖିବ । ସେମାନେ କ’ଣ କରୁଛନ୍ତି, ତାହା ଦେଖିବ ଏବଂ ତୁମେ ଯାହା ଜାଣ, ତାଙ୍କୁ କହିବ । ପରେ ବାଟରେ କଣ ହେଉଛି ଦେଖି ଦେଖି ପୁଣି ଯିବ । ଚତୁର୍ଥ ଦିନରେ ଗୋଟିଏ ବଣରେ ପହଞ୍ଚି ଗୋଟିଏ ଗୁହା ଦେଖିପାରିବ । ସେହି ଗୁହାରେ ଜଣେ ସନ୍ନ୍ୟାସୀ ଅଛନ୍ତି, ଯାହା ଯାହା ଘଟିଛି, ତାହା ସବୁ ତାଙ୍କୁ କହିବ । କ’ଣ କରିବାକୁ ହେବ, ତାହା ସେ ତୁମକୁ କହିଦେବେ । ସେ ଯାହା କହିବେ, ତାହା କଲେ ତୁମର ଓ ଚୋରର ପାପର ପ୍ରାୟଶ୍ଚିତ୍ତ ହେବ ।” ଏହା କହି ଧର୍ମପିତା ଧର୍ମପୁତ୍ରକୁ ଘର ବାହାରେ ଛାଡ଼ିଦେଇ ଆସିଲେ ।

 

ଧର୍ମପୁତ୍ର ଯାତ୍ରା କଲା । ଯାଉଁ ଯାଉଁ ସେ ଭାବିଲା, “ଜଗତର ଦୁଃଖ ମୁଁ କିପରି ଦୂର କରିବି ? ଯେଉଁମାନେ ଦୁଃଖର କାରଣ, ସେମାନଙ୍କୁ ଶାସ୍ତି ଦେବା ତ ଉଚିତ । ଶାସ୍ତି ଦେଲେ ତ ଅନ୍ୟର ପାପର ଭାର ମତେ ନେବାକୁ ହେବ, ତା’ହେଲେ କଣ କରିବି ? “ଏହିପରି ଭାବି ଯାଉଁ ଯାଉଁ ସେ ଗୋଟିଏ ସ୍ଥାନରେ ପହଞ୍ଚି ଦେଖିଲା ଯେ, ସେଠାରେ ଖଣ୍ଡେ ଜମିରେ ଖୁବ୍ ଧାନ ହୋଇଛି-। ସେହି ଜମି ଭିତରେ ଗୋଟିଏ ଛୋଟ ବାଛୁରୀ ପଶିଲା, କେତେଗୁଡ଼ିଏ ଲୋକ ତାହା ଦେଖି ସେ ବାଛୁରୀକି ଗୋଡ଼ାଇଲେ । ତାକୁ ସେମାନେ କେବଳ ଏ ପାଖ ସେ ପାଖ ଗୋଡ଼ାଇ ନେଉଥାନ୍ତି, ଯେତେଥର ବାଛୁରୀଟି ବାହାରି ଆସିବାକୁ ଯାଉଥାଏ, ଜଣେ କାହାକୁ ହେଲେ ଆଗରେ ଦେଖି ପୁଣି ତାହା ଭିତରକୁ ପଳାଉଥାଏ । ଲୋକମାନେ ମଧ୍ୟ ଧାନ ମାଡ଼ି ତା ପଛରେ ଗୋଡ଼ାଉଥାନ୍ତି । ଜଣେ ସ୍ତ୍ରୀ ସେଠାରେ ଛିଡ଼ାହୋଇ ଚିତ୍କାର କରୁଥାଏ, ମୋ ବାଛୁରୀଟିକି ଏମାନେ ଗୋଡ଼ାଇ ଗୋଡ଼ାଇ ମାରି ପକାଇବେ । ଏହା ଦେଖି ଧର୍ମପୁତ୍ର ସେହି ଲୋକମାନଙ୍କୁ କହିଲା, “ତୁମେମାନେ ଏ କ’ଣ କରୁଛ ? ତୁମେମାନେ ଚାଲି ଆସ, ସେ ସ୍ତ୍ରୀଟି ଯାଇ ତା ବାଛୁରୀକୁ ଡାକୁ ।” ସେମାନେ ବାହାରି ଆସିଲେ, ସ୍ତ୍ରୀଟି ଆଗକୁ ଯାଇ ବାଛୁରୀକି ଡାକିଲା । ତାହାର ପାଟି ଶୁଣି ବାଛୁରୀ ତା ପାଖକୁ ଦୌଡ଼ି ଆସି ଭାରି ଆନନ୍ଦ ପ୍ରକାଶ କରିବାକୁ ଲାଗିଲା । ଏହିପରି ସେହି ଲୋକମାନେ, ସେ ସ୍ତ୍ରୀ ଓ ବାଛୁରୀ ସମସ୍ତେ ଖୁସି ହେଲେ ।

 

ଧର୍ମପୁତ୍ର ଯାଉଁ ଯାଉଁ ଭାବିଲା, “ମୁଁ ଦେଖୁଛି, ମନ୍ଦକାର୍ଯ୍ୟଦ୍ୱାରା ବେଶୀ ମନ୍ଦ ହୁଏ । ଯେତେ ବେଶୀ ଲୋକ ଦୁଃଖ, କଷ୍ଟ, ଅନ୍ୟାୟ ଦୂର କରିବାକୁ ଚେଷ୍ଟା କରନ୍ତି, ତାହା ସେତେ ବଢ଼େ-। ମନ୍ଦକାର୍ଯ୍ୟ ଦ୍ୱାରା କେବେ ମନ୍ଦ ଦୂର କରା ଯାଇନପାରେ; କିନ୍ତୁ କଣ କରିବାକୁ ହେବ, ମୁଁ ବୁଝି ପାରୁନାହିଁ । ବାଛୁରୀଟି ସ୍ତ୍ରୀର କଥା ଶୁଣିଲା ବୋଲି ସବୁ ଠିକ୍ ହେଲା; କିନ୍ତୁ ସେ ଯଦି ଶୁଣି ନଥାନ୍ତା, ତାହାହେଲେ ଆମେମାନେ ତାକୁ କିପରି ସେହି ଧାନଜମିରୁ ବାହାର କରିଥାନ୍ତୁ ?”

 

ଏହିପରି ସେ ଯାଉଁ ଯାଉଁ ଅନେକ ଭାବିଲା, କିନ୍ତୁ କିଛି ସ୍ଥିର କରିପାରିଲା ନାହିଁ । ସେହିଦିନ ରାତିରେ ସେ ଗୋଟିଏ ଗ୍ରାମରେ ପହଞ୍ଚି ଶେଷରେ ଗୋଟିଏ ଘରେ ଅତିଥି ହେଲା । ପିଣ୍ଡାରେ ବସି ସେ ଦେଖିଲା ଯେ; ଭିତରେ ଜଣେ ସ୍ତ୍ରୀ ଘର ଧୋଉଛି । ଘର ଧୋଇ ସାରି ସେ ଖଣ୍ଡେ ଅପରିଷ୍କାର ଲୁଗାରେ ଘର ପୋଛିବାକୁ ଆରମ୍ଭ କଲା; ସେ ବାରମ୍ବାର ପୋଛିଲେ ମଧ୍ୟ ଘର ପରିଷ୍କାର ହେଉ ନଥାଏ । କିଛିକ୍ଷଣ ଦେଖି ଧର୍ମପୁତ୍ର ପଚାରିଲା, “ତୁମେ ସେପରି କଣ କରୁଛ ?” ସ୍ତ୍ରୀଟି କହିଲା, “ମୁଁ ଏହି ଘର କୌଣସିମତେ ପୋଛି ପରିଷ୍କାର କରିପାରୁ ନାହିଁ, ବାରମ୍ବାର ପୋଛି କ୍ଳାନ୍ତ ହୋଇ ପଡ଼ିଲିଣି ।’’ ଧର୍ମପୁତ୍ର କହିଲା, “ତୁମେ ଯଦି ଘର ପରିଷ୍କାର କରିବାକୁ ଇଚ୍ଛା କର, ତାହାହେଲେ ଆଗେ ସେହି ଲୁଗାଟା ପରିଷ୍କାର କର ।” ଲୁଗାଖଣ୍ଡିକ ପରିଷ୍କାର କରି ଧୋଇ ଘର ପୋଛିବାରୁ ଘର ମଧ୍ୟ ପରିଷ୍କାର ହେଲା । ସେଦିନ ରାତିରେ ସେଠାରେ ରହି ସକାଳେ ସେ ପୁଣି ଚାଲିବାକୁ ଆରମ୍ଭ କଲା । କିଛିଦୂର ଯାଇ ସେ ଦେଖିଲା; କେତେଗୁଡ଼ିଏ ଲୋକ କାଠର ଚକ ଗଢ଼ୁଛନ୍ତି, ସେମାନେ ଚାରିପାଖ ଘୂରୁଛନ୍ତି କିନ୍ତୁ କାଠ ବଙ୍କା ହେଉନାହିଁ । ଧର୍ମପୁତ୍ର ଦେଖିଲା ଯେ, ମଝିରେ ଯେଉଁ କାଠରେ ସେମାନେ ସେହି ଚକର କାଠ ବାନ୍ଧିଛନ୍ତି, ସେ କାଠ ଖଣ୍ଡିକ ଢିଲା ଅଛି; ସୁତରାଂ ସେମାନଙ୍କ ସଙ୍ଗେ ଘୂରୁଛି । ଧର୍ମପୁତ୍ର ସେମାନଙ୍କୁ ପଚାରିଲାରୁ ସେମାନେ କହିଲେ, “ଆମ୍ଭେମାନେ ଏହି କାଠ ଖଣ୍ଡିକରେ ଚକ ତିଆରି କରିବୁଁ, ଦୁଇଥର ଏହି କାଠକୁ ଗରମ କଲୁଣି, ଆମ୍ଭେମାନେ କ୍ଳାନ୍ତ ହୋଇ ପଡ଼ିଲୁଣି, ତଥାପି ଏହା ଗୋଲ ହେବାକୁ ନାହିଁ ।” ଧର୍ମପୁତ୍ର କହିଲା, “ତୁମ୍ଭେମାନେ ଯେଉଁଥିରେ ଏହି କାଠ ବାନ୍ଧିଛ, ସେ କାଠଟା ଖୁବ୍ ଶକ୍ତ ହୋଇ ପୋତା ହୋଇନାହିଁ; ତେଣୁ ତୁମମାନଙ୍କ ସଙ୍ଗେ ସଙ୍ଗେ ତାହା ମଧ୍ୟ ଘୂରୁଛି, ଆଗ ସେଇଟା ଠିକ୍ କର ।” ସେମାନେ ତାହା କଥାନୁସାରେ କାର୍ଯ୍ୟ କରିବାରୁ ଚକର କାଠ ମଧ୍ୟ ଗୋଲ ହେଲା । ଧର୍ମପୁତ୍ର ସେମାନଙ୍କ ସଙ୍ଗରେ ରାତି କଟାଇ ସକାଳୁ ପୁଣି ଯାତ୍ରା କଲା । ସମସ୍ତ ଦିନ ଚାଲି ସନ୍ଧ୍ୟାବେଳେ ଗୋଟିଏ ସ୍ଥାନରେ ପହଞ୍ଚି ଦେଖିଲା ଯେ, ଗୋଟିଏ ଗଛତଳେ କେତେଗୁଡ଼ିଏ ଶଗଡ଼ିଆ ନିଆଁ ଜଳିବାକୁ ଚେଷ୍ଟା କରୁଛନ୍ତି । ସେମାନେ କିଛି ଶୁଖିଲା କାଠ, ଡାଳପତ୍ର ଯୋଗାଡ଼ କରିଛନ୍ତି । ସେଥିରୁ କିଛି ନେଇ ନିଆଁ ଲଗାଇ ତାହା ଭଲକରି ନ ଜଳୁଣୁ ସେଥିରେ ଓଦା କାଠ ଦେଉଛନ୍ତି ଏବଂ ତାହା ସେହିକ୍ଷଣି ଲିଭି ଯାଉଛି । ଏହିପରି ବାରମ୍ବାର ଚେଷ୍ଟା କରି ମଧ୍ୟ ସେମାନେ ନିଆଁ ଜାଳିପାରିଲେ ନାହିଁ । ଏହା ଦେଖି ଧର୍ମପୁତ୍ର ସେମାନଙ୍କୁ କହିଲା, ‘ତୁମେମାନେ ସେମିତି କ’ଣ କରୁଛ ? ଆଗ ସେହି ଶୁଖିଲା କାଠ ଭଲକରି ଜଳୁ, ପରେ ତା ଉପରେ ଓଦା କାଠଦେବ, ତାହା ନ ହେଲେ ତୁମେମାନେ କେବେ ନିଆଁ ଜାଳି ପାରିବ ନାହିଁ ।” ସେମାନେ ସେହିପରି କଲାରୁ ନିଆଁ ଜଳିଲା ।

 

ସେମାନଙ୍କ ପାଖରେ କିଛିକ୍ଷଣ କଟାଇ ଧର୍ମପୁତ୍ର ପୁଣି ଚାଲିଲା । ବାଟରେ ସେ ଯାହା ଯାହା ଦେଖିଲା, ତାହାର ଅର୍ଥ କଣ, ତାହା ସେ ଅନେକ ଭାବିଲା, କିନ୍ତୁ କିଛି ସ୍ଥିର କରିପାରିଲା ନାହିଁ ।

 

ସମସ୍ତ ଦିନ ଚାଲି ଚାଲି ସନ୍ଧ୍ୟାବେଳେ ସେ ଗୋଟିଏ ବଣରେ ଆସି ପହଞ୍ଚିଲା । ସେହି ବଣରେ ଜଣେ ସନ୍ୟାସୀଙ୍କର ଗୁହା ଦେଖି ସେଠାରେ ଯାଇଁ ଡାକିଲା । ଭିତରୁ କିଏ ଜଣେ ପଚାରିଲା, “କିଏ ଡାକୁଛି ?” ଧର୍ମପୁତ୍ର କହିଲା, “ମୁଁ ଜଣେ ପାପୀ, ମତେ ମୋର ନିଜର ଓ ଅନ୍ୟର ପାପର ପ୍ରାଯଶ୍ଚିତ୍ତ ତୁମକୁ କରିବାକୁ ହେବ ?”

 

ଯାହା ଯାହା ଘଟିଥିଲା ଓ ସେ ଯାହା ଦେଖିଥିଲା, ସମସ୍ତ ଧର୍ମପୁତ୍ର ତାଙ୍କୁ କହି ଶେଷରେ କହିଲା, “ମୁଁ ଦେଖିଲି, ମନ୍ଦକାର୍ଯ୍ୟଦ୍ୱାରା ମନ୍ଦର ପ୍ରତିକାର କରାଯାଇ ପାରେନାହିଁ; କିନ୍ତୁ କିପରି ପ୍ରତିକାର କରିବାକୁ ହେବ, ମୁଁ ବୁଝି ପାରୁନାହିଁ, ମତେ ଶିଖାଇ ଦିଅ ।”

 

ସନ୍ୟାସୀ ପଚାରିଲେ, “ବାଟରେ ତୁମେ ଆଉ କଣ ଦେଖିଛ, ମତେ କହ ।” ଧର୍ମପୁତ୍ର ଯାହା ଯାହା ଦେଖିଥିଲା, ସବୁ କହିଲା । ସନ୍ୟାସୀ ସବୁ ଶୁଣି ଗୁହା ଭିତରକୁ ଯାଇ ଖଣ୍ଡେ ପୁରୁଣା କୁରାଢ଼ି ଆଣିଲେ ଏବଂ ଧର୍ମପୁତ୍ରକୁ ସଙ୍ଗରେ ନେଇ ଗୋଟିଏ ଗଛ ପାଖକୁ ଯାଇ ସେହି ଗଛଟି କାଟିବାକୁ କହିଲେ । ସେ ଗଛଟି କାଟିଲାରୁ ତାକୁ ତିନିଖଣ୍ଡ କରିବାକୁ କହିଲେ । ଧର୍ମପୁତ୍ର ଗଛ ତିନି ଖଣ୍ଡ କରି ସାରିଲା ପରେ ସେ ଗୁହା ଭିତରକୁ ଯାଇ ନିଆଁ ଆଣି ତାକୁ ପୋଡ଼ିବାକୁ କହିଲେ । ଡାଳପତ୍ର ସବୁ ପୋଡ଼ିଯାଇ କେବଳ ତିନି ଖଣ୍ଡ କଳା କାଠମୁଣ୍ଡିଆ ବାକି ରହିଲା । ତା ପରେ ଧର୍ମପୁତ୍ର ସନ୍ୟାସୀଙ୍କ ଆଦେଶାନୁସାରେ ସେହି ତିନି ଖଣ୍ଡ ମାଟିରେ ପୋତିଲା । ସନ୍ୟାସୀ କହିଲେ, “ସେହି ପାହାଡ଼ ତଳେ ଯେଉଁ ନଈ ଦେଖୁଛ, ସେଥିରୁ ମୁହଁରେ ପାଣି ଆଣି ଏହି କାଠ ମୂଳରେ ଦେବ । ପାଣି ଦେଇ ଯେତେବେଳେ ଏଥିରୁ ଚେର ବାହାରିବ; ଏହି ଶୁଖିଲା କାଠରୁ ଡାଳପତ୍ର ବାହାରିବ । ସେତେବେଳେ ମନ୍ଦକାର୍ଯ୍ୟର ପ୍ରତିକାର କିପରି କରିବାକୁ ହେବ, ତାହା ତୁମେ ବୁଝିପାରିବ ଏବଂ ତୁମର ପାପର ପ୍ରାୟଶ୍ଚିତ ମଧ୍ୟ ହେବ ।’’ ଏହା କହି ସନ୍ୟାସୀ ଗୁହା ଭିତରକୁ ଚାଲିଗଲେ । ଧର୍ମପୁତ୍ର ଏହାର ଅର୍ଥ କିଛି ବୁଝିପାରିଲା ନାହିଁ । କିନ୍ତୁ ତାକୁ ସନ୍ୟାସୀ ଯେଉଁ କାର୍ଯ୍ୟ ଦେଲେ, ସେହି କାର୍ଯ୍ୟରେ ସେ ଲାଗିଗଲା ।

 

ଧର୍ମପୁତ୍ର ନଈରୁ ମୁହଁରେ ପାଣି ଆଣି ସେହି ଗଛମୂଳେ ଦେଲା । ଏହିପରି ଅନେକକ୍ଷଣ କଲା ପରେ ସେ କ୍ଳାନ୍ତ ହୋଇ ସନ୍ନ୍ୟାସୀଙ୍କୁ କିଛି ଖାଦ୍ୟ ମାଗିବାକୁ ଗୁହା ଭିତରକୁ ଗଲା; କିନ୍ତୁ ଦେଖିଲା ଯେ ଗୁହା ଭିତରେ ସନ୍ନ୍ୟାସୀ ଶୋଇ ରହିଛନ୍ତି । ତାଙ୍କୁ ଉଠାଇବାକୁ ଚେଷ୍ଟା କରି ସେ ବୁଝି ପାରିଲା ତାଙ୍କର ମୃତ୍ୟୁ ହୋଇଛି । ଗୁହା ଭିତରେ କିଛି ଶୁଖିଲା ରୁଟି ଏବଂ ଫଳମୂଳ ଥିଲା । ସେଥିରୁ କିଛି ଖାଇ ସେ ସନ୍ନ୍ୟାସୀଙ୍କପାଇଁ ଗୋଟିଏ କବର ଖୋଳିବାକୁ ଆରମ୍ଭ କଲା । ରାତିରେ ସେ ଗଛମୂଳେ ପାଣିଦିଏ ଏବଂ ଦିନବେଳେ କବର ଖୋଳେ, ଏହିପରି କେତେକ ଦିନରେ କବର ଖୋଳା ଶେଷ ହେଲା । ସେହି ସମୟରେ କେତେ ଜଣ ଲୋକ ସନ୍ନ୍ୟାସୀଙ୍କ ନିମନ୍ତେ କିଛି ଖାଦ୍ୟ ନେଇ ସେହି ବଣକୁ ଆସିଲେ । ସେମାନେ ଆସି ସନ୍ନ୍ୟାସୀଙ୍କ ମୃତ୍ୟୁସମ୍ୱାଦ ଶୁଣିଲେ ଏବଂ ଧର୍ମପୁତ୍ରକୁ ସେ ତାଙ୍କ ସ୍ଥାନରେ ରଖି ଯାଇଛନ୍ତି ବୋଲି ଶୁଣି ସେମାନେ ସେହି ଖାଦ୍ୟ ତାକୁ ଦେଲେ ଏବଂ ମଝିରେ ମଝିରେ ଖାଦ୍ୟ ଦେଇଯିବେ ବୋଲି କହିଲେ । ଏହିପରି ବର୍ଷେ କଟିଗଲା । ଧର୍ମପୁତ୍ର ସେହିଠାରେ ଥାଏ, ଲୋକମାନେ ଯାହା ଖାଦ୍ୟ ଦିଅନ୍ତି ଖାଏ, ଆଉ ଗଛମୂଳେ ପାଣି ଦିଏ-। ପାପର ପ୍ରାୟଶ୍ଚିତ କରିବାପାଇଁ ସେ ମୁହଁରେ ପାଣି ଆଣି ଗଛରେ ଦିଏ । ଏହି କଥା ଶୁଣି ଅନେକ ଲୋକ ତାକୁ ଦେଖିବାକୁ ଆସନ୍ତି ଓ ଧର୍ମୋପଦେଶ ଶୁଣନ୍ତି । ଅନେକ ଧନୀ ବ୍ୟକ୍ତି ତାହାପାଇଁ ଅନେକ ମୂଲ୍ୟବାନ୍ ଦ୍ରବ୍ୟ ଉପହାର ଆଣନ୍ତି, ସେ କିନ୍ତୁ ନିଜପାଇଁ ସାମାନ୍ୟ ଖାଦ୍ୟ ରଖି ବାକି ସମସ୍ତ ଗରିବ ଲୋକମାନଙ୍କୁ ଦିଏ । ଏହିପରି ଆହୁରି ବର୍ଷେ କଟିଗଲା । ସେ ପ୍ରତିଦିନ ମୁହଁରେ ପାଣି ଆଣି ଗଛରେ ଦିଏ; କିନ୍ତୁ ସେଥିରେ ଡାଳପତ୍ର ବାହାରିବାର କୌଣସି ଲକ୍ଷଣ ଦେଖାଯାଏ ନାହିଁ ।

 

ଦିନେ ସେ ଗୁହାରେ ବସିଛି, ଏପରି ସମୟରେ ଗୋଟିଏ ଲୋକ ସେହି ବାଟରେ ଘୋଡ଼ାଚଢ଼ି ଗୀତ ଗାଇ ଗାଇ ଯାଉଥିବାର ଦେଖିଲା । ଲୋକଟି ଅଳ୍ପବୟସ୍କ ଏବଂ ବଳିଷ୍ଠ । ସେ କିଏ ଏବଂ କେଉଁଠାକୁ ଯାଉଛି ବୋଲି ଧର୍ମପୁତ୍ର ତାକୁ ପଚାରିଲା । ଲୋକଟି କହିଲା, “ମୁଁ ଜଣେ ଦସ୍ୟୁ, ମନୁଷ୍ୟ ମାରିବା ମୋର ବ୍ୟବସାୟ । ଯେତେ ବେଶି ଲୋକ ମାରେଁ, ମୋ ମନରେ ସେତେ ଆନନ୍ଦ ହୁଏ ।’’ ଏହି କଥା ଶୁଣି ଧର୍ମପୁତ୍ର ଭାବିଲା, “ଏହିପରି ଲୋକ ମନରୁ କି ଉପାୟରେ କୁମତି ଦୂର କରିବାକୁ ହେବ ? ଯେଉଁମାନେ ନିଜେ ମୋ ପାଖକୁ ଆସି ପାପ ସ୍ୱୀକାର କରନ୍ତି, ତାଙ୍କୁ ଉପଦେଶ ଦେବା ସହଜ, କିନ୍ତୁ ଏ ତ ତାହାର ମନ୍ଦକାର୍ଯ୍ୟ ପାଇଁ ଅହଙ୍କାର କରୁଛି । ବର୍ତ୍ତମାନ ମୁଁ କ’ଣ କରିବି ? ଏ ଯଦି ଏହି ବାଟରେ ବୁଲେ, ତାହାହେଲେ ଲୋକେ ଭୟରେ ମୋ ପାଖକୁ ଆସିବେ ନାହିଁ । ସେମାନଙ୍କର କ୍ଷତି ତ ହେବ, ତାହା ଛଡ଼ା ମୁଁ କ’ଣ ଖାଇ ବଞ୍ଚିବି, ବୁଝିପାରୁ ନାହିଁ-।”

 

ଏହା ଭାବି ସେ ଦସ୍ୟୁକୁ କହିଲା, “ଲୋକେ ତାଙ୍କ ପାପପାଇଁ ଅହଙ୍କାର କରିବାକୁ ମୋ ପାଖକୁ ଆସନ୍ତି ନାହିଁ, ସେମାନେ ଅନୁତପ୍ତ ହୋଇ ଏଠାକୁ ଆସନ୍ତି । ତୁମର ଯଦି ଈଶ୍ୱରଙ୍କୁ ଭୟ ଥାଏ, ତାହାହେଲେ ତୁମର ପାପପାଇଁ ଅନୁତାପ କର । ଯଦି ତାହା ନ କର, ତାହାହେଲେ ଏଠାରୁ ତୁମେ ଚାଲିଯାଅ, ନଚେତ୍ ଲୋକମାନେ ଭୟ ପାଇ ଏଠାକୁ ଆସିବେ ନାହିଁ । ତୁମେ ଯଦି ମୋ କଥା ନ ଶୁଣ, ତାହାହେଲେ ଈଶ୍ୱର ତୁମକୁ ଶାସ୍ତି ଦେବେ ।”

 

ଦସ୍ୟୁ ଏହି କଥା ଶୁଣି ହସି ଉଠି କହିଲା, “ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ ଏବଂ ତୁମ କଥା ମଧ୍ୟ ଶୁଣିବି ନାହିଁ । ତୁମେ ମୋର ପ୍ରଭୁ ନୁହଁ, ତୁମେ ଧର୍ମଦ୍ୱାରା ଜୀବିକା ଅର୍ଜନ କରୁଛ ଏବଂ ମୁଁ ମନୁଷ୍ୟ ମାରି ତାହା କରୁଛି । ସମସ୍ତଙ୍କୁ ତ ବଞ୍ଚିବାକୁ ହେବ ! ତୁମ ପାଖକୁ ଯେ ଉପଦେଶ ଶୁଣିବାକୁ ଆସନ୍ତି, ତାଙ୍କୁ ତୁମେ ଉପଦେଶ ଦିଅ, ମତେ ଶିକ୍ଷା ଦେବା ଆବଶ୍ୟକ ନାହିଁ । ମୁଁ ତୁମକୁ ହତ୍ୟା କରିଥାନ୍ତି; କିନ୍ତୁ ସେଥିରେ କୌଣସି ଲାଭ ନାହିଁ ବୋଲି ଆଜି ତୁମକୁ ଛାଡ଼ି ଦେଲି; ଭବିଷ୍ୟତରେ ତୁମେ ସାବଧାନ ହେବ । ମତେ ଉପଦେଶ ଦେବାକୁ ଆସିବ ନାହିଁ ।’’ ଏହା କହି ଦସ୍ୟୁ ଚାଲିଗଲା, କିନ୍ତୁ ସେ ବଣକୁ ସେ ଆଉ ଆସେ ନାହିଁ; ସୁତରାଂ ଶାନ୍ତିରେ ଧର୍ମପୁତ୍ରର ଆହୁରି ଆଠ ବର୍ଷ କଟିଗଲା ।

 

ଦିନେ ଧର୍ମପୁତ୍ର ଗଛରେ ପାଣିଦେଇ ସାରି କ୍ଳାନ୍ତ ହୋଇ ପଡ଼ିବାରୁ ଗୁହା ଭିତରକୁ ବିଶ୍ରାମ କରିବାକୁ ଗଲା । ସେଠାରେ ବସି ସେ ବାଟ ଆଡ଼କୁ ଚାହିଁ ତାହା ପାଖକୁ କେହି ଆସୁଛି କି ନାହିଁ ଦେଖୁଥାଏ; କିନ୍ତୁ ସେ ଦିନ କେହି ଆସିଲେ ନାହିଁ । ସେ ବସି ବସି ତାହାର ଅତୀତ ଜୀବନ କଥା ଭାବିବାକୁ ଲାଗିଲା । ତାହାର ମନେ ପଡ଼ିଲା, ସେହି ଦସ୍ୟୁ ତାକୁ କହିଥିଲା ଯେ ସେ ଧର୍ମଦ୍ୱାରା ଜୀବିକା ଅର୍ଜନ କରୁଛି । ସେ ଭାବିଲା, “ମତେ ସନ୍ୟାସୀ ଯେପରି ଜୀବନ କଟାଇବାକୁ କହିଥିଲେ, ମୁଁ ତାହା କରୁନାହିଁ । ଧର୍ମଦ୍ୱାରା ମୁଁ ବାସ୍ତବିକ ଖ୍ୟାତି ଏବଂ ଜୀବିକା ଅର୍ଜନ କରୁଛି । ଆଜିକାଲି ଏପରି ହୋଇଗଲାଣି ଯେ, ମୋ ପାଖକୁ କେହି ନ ଆସିଲେ ଭାରି ଏକୁଟିଆ ଲାଗୁଛି, ଆଉ ଯେତେବେଳେ ଲୋକେ ଆସି ମୁଁ ଖୁବ୍ ଧାର୍ମିକ ବୋଲି ପ୍ରଶଂସା କରନ୍ତି, ମୋର ଭାରି ଆନନ୍ଦ ହୁଏ । ପ୍ରଶଂସା ପାଇବାର ଇଚ୍ଛା ମତେ ଧର୍ମରୁ ଦୂରକୁ ନେଇ ଯାଉଛି । ଏପରି କଲେ ତ ଚଳିବ ନାହିଁ, ଏହାଦ୍ୱାରା ମୋର ପାପର ପ୍ରାୟଶ୍ଚିତ ହେଉ ନାହିଁ, ବରଂ ପାପ ବଢ଼ୁଛି । ଏଠାରେ ନ ରହି ଏହି ବଣର ଅନ୍ୟ ଅଂଶକୁ ଚାଲିଯିବି ଏବଂ ଯେପରି ମୋର ପୂର୍ବ ପାପର ପ୍ରାୟଶ୍ଚିତ ହେବ ଏବଂ ଆଉ ପାପ ନ ହେବ, ସେପରି ଚେଷ୍ଟା କରିବି ।”

 

ଏହିପରି ଭାବି ଧର୍ମପୁତ୍ର କିଛି ଫଳମୂଳ ସଙ୍ଗରେ ନେଇ ଗୋଟିଏ ନିର୍ଜନ ସ୍ଥାନକୁ ଯିବ ବୋଲି ବାହାରିଲା । ଯିବାବେଳେ ବାଟରେ ତାହାର ସେହି ଦସ୍ୟୁ ସଙ୍ଗରେ ଦେଖାହେଲା । ତାକୁ ଦେଖି ଧର୍ମପୁତ୍ର ଭୟରେ ପଳାଇ ଯାଉଥିଲା, କିନ୍ତୁ ଦସ୍ୟୁ ତାକୁ ଡାକି ପଚାରିଲା, “ତୁମେ କେଉଁଆଡ଼େ ଯାଉଛ ।” ଧର୍ମପୁତ୍ର କହିଲା, ସେ ଗୋଟିଏ ନିର୍ଜନ ସ୍ଥାନକୁ ଯାଉଛି, ଯେଉଁଠାକୁ କୌଣସି ଲୋକ ଯିବେ ନାହିଁ । ଦସ୍ୟୁ ଏହା ଶୁଣି ଭାରି ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲା, “ତାହାହେଲେ ତୁମେ ଖାଇବ କଣ ?” ଧର୍ମପୁତ୍ର ସେ କଥା ଭାବି ନଥିଲା । ବର୍ତ୍ତମାନ ଦସ୍ୟୁ ପଚାରିବାରୁ କହିଲା, “ଈଶ୍ୱର ଯାହା ଦେବେ ।” ଦସ୍ୟୁ କିଛି ନ କହି ଚାଲିଗଲା । ଧର୍ମପୁତ୍ର ଭାବିଲା, “ମୁଁ ତ ତାକୁ ତାହାର ପାପର କଥା କିଛି କହି କହିଲି ନାହିଁ, ଆଜି ତାକୁ ଦେଖି ତାହାର ମନ ଭଲ ଅଛି ବୋଲି ବୋଧ ହେଉଛି, କହିଲେ କେଜାଣି ଅନୁତାପ କରିପାରେ ।” ଏହା ଭାବି ସେ ତାକୁ ଡାକି କହିଲା, “ତୁମର ପାପର ପ୍ରାୟଶ୍ଚିତ କର, ଈଶ୍ଵରଙ୍କ ହାତରୁ କେବେ ରକ୍ଷା ପାଇବ ନାହିଁ ।” ତାହା କଥା ଶୁଣି ଦସ୍ୟୁ ରାଗିଯାଇ ଖଣ୍ଡେ ଛୁରି ବାହାର କରି ତାକୁ ଦେଖାଇ କହିଲା, ଦୁଇଥର ତୁମେ ମୋତେ ଉପଦେଶ ଦେବାକୁ ଆସିଲ, “ଦୁଇଥର ତୁମକୁ ମୁଁ ଛାଡ଼ିଦେଲି; କିନ୍ତୁ ଆଉ ଥରେ ଯେବେ ତୁମେ ଏପରି କରିବ ତାହାହେଲେ ମୁଁ ନିଶ୍ଚୟ ତୁମକୁ ହତ୍ୟା କରିବି ।” ଏହା କହି ସେ ଚାଲିଗଲା । ସେଦିନ ସନ୍ଧ୍ୟାବେଳେ ଧର୍ମପୁତ୍ର ଗଛରେ ପାଣି ଦେବାକୁ ଯାଇଁ ଦେଖିଲା ଯେ, ସେଥିମଧ୍ୟରୁ ଗୋଟିକରେ ସୁନ୍ଦର ଡାଳ ବାହାରିଛି ।

 

ଏହିପରି ସେ ଲୋକମାନଙ୍କଠାରୁ ଦୂରରେ ଲୁଚି ରହିଲା । ଖାଦ୍ୟ ଶେଷ ହୋଇଯିବାରୁ ସେ କିଛି ଫଳ ଖୋଜିବାକୁ ବାହାରିଲା । କିନ୍ତୁ ଅଳ୍ପଦୂର ଯାଇ ଦେଖିଲା ଯେ, ଗୋଟିଏ ଥଳୀରେ କିଛି ଖାଦ୍ୟ ଗୋଟିଏ ଗଛ ଡାଳରେ ଝୁଲୁଛି, ସେଥିରେ ତାହାର କିଛିଦିନ କଟିଗଲା । ସେ ଖାଦ୍ୟ ଶେଷ ହୋଇଯିବାରୁ ଆଉ ଗୋଟିଏ ସେହିପରି ଖାଦ୍ୟର ଥଳୀ ପାଇଲା । ଏହିପରି ତାହାର ଦିନ କଟି ଯାଉଥାଏ; କିନ୍ତୁ ମନରେ ସେହି ଦସ୍ୟୁଭୟ ସର୍ବଦା ଥାଏ । ତାହାର ଭୟ ଯେ, କାଳେ ତାହାର ପାପର ପ୍ରାୟଶ୍ଚିତ୍ତ ହେବା ଆଗରୁ ଦସ୍ୟୁ ତାକୁ ହତ୍ୟା କରିବ । ଦସ୍ୟୁର ଶବ୍ଦ ଶୁଣିଲା ମାତ୍ରକେ ସେ ଯାଇଁ ଗୁହା ଭିତରେ ଲୁଚେ । ଏହିପରି ଦଶ ବର୍ଷ କଟିଗଲା । ସେହି ଗୋଟିକ ଗଛ ବଢ଼ୁଥାଏ; କିନ୍ତୁ ଅନ୍ୟ ଦିଓଟି ସେହିପରି ଥାଏ । ଦିନେ ସକାଳୁ ଧର୍ମପୁତ୍ର ଗଛରେ ପାଣି ଦେଇ କ୍ଳାନ୍ତ ହୋଇ ବସିପଡ଼ିଲା । ବସି ବସି ସେ ଭାବିଲା, “ମୁଁ ପାପ କରି ମୃତ୍ୟୁକୁ ଭୟ କରୁଛି, ହୁଏତ ଈଶ୍ୱରଙ୍କ ଇଚ୍ଛା ଯେ, ମୁଁ ମୃତ୍ୟୁଦ୍ୱାରା ପାପର ପ୍ରାୟଶ୍ଚିତ କରିବି ।” ଏହିପରି ଭାବୁଛି, ଏପରି ସମୟରେ ସେ ଦସ୍ୟୁର ଗଳା ଶୁଣିଲା, ସେ କାହାକୁ ଖୁବ୍‍ ଗାଳି ଦେଉଛି । ଧର୍ମପୁତ୍ରର ମନେ ହେଲା; ଏକ ଈଶ୍ଵର ଭିନ୍ନ କେହି ତାହାର କୌଣସି ଅନିଷ୍ଟ କିମ୍ବା ଉପକାର କରିପାରିବ ନାହିଁ । ଏହା ଭାବି ସେ ବାହାରକୁ ଆସି ଦେଖିଲା ଯେ, ଦସ୍ୟୁ ଗୋଟିଏ ଲୋକକୁ ଘୋଡ଼ା ସାଙ୍ଗରେ ବାନ୍ଧି ନେଇ ଯାଉଛି । ଧର୍ମପୁତ୍ର ଘୋଡ଼ା ଆଗରେ ଛିଡ଼ା ହୋଇ ପଚାରିଲା, “ଏହି ଲୋକଟିକୁ କେଉଁଠାକୁ ନେଇ ଯାଉଛ ।” ଦସ୍ୟୁ କହିଲା, “ବଣ ଭିତରକୁ । ଏ ଜଣେ ବଣିକର ପୁଅ, ତାହାର ବାପା କେଉଁଠାରେ ଟଙ୍କା ରଖିଛି, ସେ କୌଣସିମତେ କହିଲା ନାହିଁ, ନ କହିବା ପଯ୍ୟନ୍ତ ତାକୁ ମାରୁଥିବି ।” ଏହା କହି ଦସ୍ୟୁ ଯିବାକୁ ବାହାରିଲା; କିନ୍ତୁ ଧର୍ମପୁତ୍ର ଘୋଡ଼ାର ଲଗାମ ଧରି ତାକୁ ଅଟକାଇ କହିଲା, ‘‘ଏ ଲୋକଟିକୁ ଛାଡ଼ିଦିଅ ।” ଦସ୍ୟୁ ଭୟଙ୍କର ରାଗି ତାକୁ ମାରିବାକୁ ହାତ ଉଠାଇ କହିଲା, “ଏହି ଲୋକକୁ କେମତି ମାରିବ, ତାହା କଣ ତୁମେ ପରୀକ୍ଷା କରିବାକୁ ଚାହଁ ? ମୁଁ କଣ ତୁମକୁ ହତ୍ୟା କରିବି ବୋଲି କହି ନାହିଁ ? ଧର୍ମପୁତ୍ର ଭୀତ ନ ହୋଇ କହିଲା, “ମୁଁ ତୁମକୁ ଛାଡ଼ିବି ନାହିଁ । ଏକ ଈଶ୍ଵର ଛଡ଼ା ମୁଁ ଆଉ କହାକୁ ଭୟ କରେ ନାହିଁ । ଏ ଲୋକଟିକୁ ଛାଡ଼ି ଦିଅ ।”

 

ଦସ୍ୟୁ ଛୁରି ବାହାର କରି ସେହି ଲୋକଟିର ଦଉଡ଼ି କାଟିଦେଇ କହିଲା, “ଦୁଇଜଣଯାକ ଏଠାରୁ ଚାଲିଯାଅ, ଆଉ କେବେ ମୋ ପାଖକୁ ଆସିବ ନାହିଁ ।” ବଣିକର ପୁଅ ଦଉଡ଼ି ପଲାଇଗଲା-। ଦସ୍ୟୁ ଚାଲି ଯାଉଥିଲା, କିନ୍ତୁ ଧର୍ମପୁତ୍ର ତାକୁ ଅଟକାଇ ଦସ୍ୟୁବୃତ୍ତି ଛାଡ଼ିଦେବାକୁ ଅନୁରୋଧ କଲା-। ଦସ୍ୟୁ ଶେଷ ପର୍ଯ୍ୟନ୍ତ ତାହା କଥା ଶୁଣି କିଛି ନ କହି ଚାଲିଗଲା । ପରଦିନ ସକାଳେ ଗଛରେ ପାଣି ଦେବାକୁ ଯାଇ ଧର୍ମପୁତ୍ର ଦେଖିଲା ଯେ, ଆଉ ଗୋଟିଏ କାଠରୁ ଡାଳପତ୍ର ବାହାରି ଗୋଟିଏ ସୁନ୍ଦର ଗଛ ହୋଇଛି ।

 

ଆହୁରି ଦଶବର୍ଷ କଟିଗଲା । ଦିନେ ଧର୍ମପୁତ୍ର ତୁନି ହୋଇ ବସି ଭାବୁଛି, “ଈଶ୍ଵର ମନୁଷ୍ୟପାଇଁ କେତେ ଆନନ୍ଦ ରଖିଅଛନ୍ତି; ଅଥଚ ଅକାରଣରେ କେତେ ଦୁଃଖ ସେ ଭୋଗ କରେ । କାହିଁକି ମନୁଷ୍ୟ ସୁଖ ପାଏ ନାହିଁ ?” ମନୁଷ୍ୟର ଦୁଃଖ ମନେ କରି ତାହା ମନରେ ଭାରି ଦୟା ହେଲା, ସେ ଭାବିଲା, “ଏହିପରି ତୁନି ହୋଇ ରହିବା ମୋ ପକ୍ଷରେ ଅତ୍ୟନ୍ତ ଅନ୍ୟାୟ ମୁଁ ଯେଉଁ ଶିକ୍ଷା ପାଇଛି, ତାହା ଅନ୍ୟମାନଙ୍କୁ ଦେବା ମୋର କର୍ତ୍ତବ୍ୟ ।” ଏହିପରି ସମୟରେ ସେ ଦେଖିଲା ଯେ, ସେହି ଦସ୍ୟୁ ଆସୁଛି । ତାକୁ ଦେଖି ସେ ଭାବିଲା, ଏ ଲୋକଟାକୁ କିଛି କହି ଲାଭ ନାହିଁ । ପ୍ରଥମେ ଏହିପରି ସେ ଭାବିଲା; କିନ୍ତୁ ପରମୁହୂର୍ତ୍ତରେ ଉଠି ପଦାକୁ ଗଲା । ସେ ଦେଖିଲା ଯେ, ଦସ୍ୟୁ ଅତ୍ୟନ୍ତ ଦୁଃଖିତ ଓ ଚିନ୍ତିତଭାବରେ ଘୋଡ଼ାରେ ଚଢ଼ି ଯାଉଛି । ତାକୁ ଦେଖି ଧର୍ମପୁତ୍ରର ମନରେ ଭାରି ଦୁଃଖ ହେଲା । ସେ ଦୌଡ଼ିଯାଇ ଦସ୍ୟୁ ହାତ ଧରି କହିଲା, “ଭାଇ, ଥରେ ନିଜ ଆତ୍ମା କଥା ଭାବ, ତୁମ ଭିତରେ ଈଶ୍ଵର ଅଛନ୍ତି । ତୁମେ ନିଜେ କଷ୍ଟ ପାଉଛ, ଅନ୍ୟକୁ ମଧ୍ୟ କଷ୍ଟ ଦେଉଛ । ଈଶ୍ଵର ତୁମକୁ ଭଲପା’ନ୍ତି । କେତେ ଆନନ୍ଦ ସେ ତୁମପାଇଁ ରଖିଛନ୍ତି । ନିଜର ସର୍ବନାଶ କରିନାହିଁ । ଥରେ ଭାବି ଦେଖ ।”

 

ଦସ୍ୟୁ ବିରକ୍ତ ହୋଇ କହିଲା, ‘ମତେ ଯିବାକୁ ଦିଅ ।’ ଧର୍ମପୁତ୍ର ତାକୁ ଧରି କାନ୍ଦିବାକୁ ଆରମ୍ଭ କଲା । ଦସ୍ୟୁ ତାହା ଆଡ଼କୁ କିଛି କ୍ଷଣ ଚାହିଁ ରହିଲା । ଶେଷରେ ଘୋଡ଼ାରୁ ଓହ୍ଲାଇ ତାହା ଗୋଡ଼ତଳେ ପଡ଼ି କହିଲା, “ମୁଁ ତୁମ ପାଖରେ ହାରିଗଲି । କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ମୁଁ ତୁମକୁ ବାଧା ଦେଉଛି, କିନ୍ତୁ ଆଉ ପାରିଲି ନାହିଁ । ବର୍ତ୍ତମାନ ମତେ ନେଇ ତୁମର ଯାହା ଇଚ୍ଛା କର । ପ୍ରଥମେ ତୁମେ ଯେତେବେଳେ ମତେ ଉପଦେଶ ଦେଲ, ମୋର ଭାରି ରାଗ ହୋଇଥିଲା । ଯେତେବେଳେ ତୁମେ ଲୋକମାନଙ୍କଠାରୁ ଦୂରରେ ନିଜକୁ ଲୁଚାଇ ରଖିଲ, ସେତେବେଳେ ତୁମ କଥା ମୋ ମନରେ ଲାଗିଲା । କାରଣ, ମୁଁ ବୁଝି ପାରିଲି ଯେ, ତୁମେ ନିଜପାଇଁ କିଛି ଚାହଁନାହିଁ । ସେହି ଦିନଠାରୁ ମୁଁ ମଝିରେ ମଝିରେ ଖାଦ୍ୟ ଆଣି ତୁମପାଇଁ ଏହି ଗଛରେ ଝୁଲାଇ ରଖିଯାଏ । ଏହି କଥା ଶୁଣି ଧର୍ମପୁତ୍ରର ମନେ ପଡ଼ିଲା ସ୍ତ୍ରୀଟି ଯେଉଁ ଲୁଗାରେ ଘର ପରିଷ୍କାର କରୁଥିଲା, ତାକୁ ପରିଷ୍କାର କଲାରୁ ସେଥିରେ ଘର ପରିଷ୍କାର ହେଲା । ସେହିପରି ଯେତେବେଳେ ସେ ନିଜର ଚିନ୍ତା ଛାଡ଼ିଦେଇ ନିଜର ମନକୁ ଆଗ ପରିଷ୍କାର କଲା, ସେତେବେଳେ ସେ ଅନ୍ୟର ମନ ପରିଷ୍କାର କରିବାକୁ ସମର୍ଥ ହେଲା । ଦସ୍ୟୁ କହିଲା, “ତା ପରେ ଯେତେବେଳେ ଦେଖିଲି ଯେ, ତୁମେ ମୃତ୍ୟୁକୁ ଭୟ କରନାହିଁ, ସେତେବେଳେ ମୋର ମନର ପରିବର୍ତ୍ତନ ହେଲା ।” ଧର୍ମପୁତ୍ରର ମନେ ପଡ଼ିଲା–ଯେଉଁ ଲୋକମାନେ ଚକ ତିଆରି କରୁଥିଲେ, ସେମାନେ ଯେତେବେଳ ପର୍ଯ୍ୟନ୍ତ ମଝିର କାଠଖଣ୍ଡିକ ଦୃଢ଼ ରୂପରେ ବସାଇ ନ ଥିଲେ, ସେତେବେଳ ପର୍ଯ୍ୟନ୍ତ ସେମାନେ ଚକ ବଙ୍କା କରିପାରି ନଥିଲେ । ସେହିପରି ଯେତେବେଳେ ତାହା ମନରୁ ମୃତ୍ୟୁଭୟ ଦୂର ହେଲା ଏବଂ ସେ ନିଜକୁ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ହାତରେ ଛାଡ଼ିଦେଲା, ସେତେବେଳେ ସେ ଏହି ଦସ୍ୟୁର ନିଷ୍ଠୁର ହୃଦୟକୁ ପରିବର୍ତ୍ତିତ କରି ପାରିଥିଲା । ପରେ ଦସ୍ୟୁ କହିଲା, “କିନ୍ତୁ ଯେତେବେଳେ ତୁମେ ମୋପାଇଁ ଦୁଃଖିତ ହୋଇ କାନ୍ଦିଲ, ସେତେବେଳେ ମୋର ମନ ସମ୍ପୂର୍ଣ୍ଣ ରୂପେ ବଦଳିଗଲା ।”

 

ଧର୍ମପୂତ୍ର ଅତ୍ୟନ୍ତ ଆନନ୍ଦିତ ହୋଇ ଯେଉଁଠାରେ ସେ ଗଛ ଲଗାଇଥିଲା, ସେଠାକୁ ଦସ୍ୟୁକୁ ଘେନିଗଲା । ସେଠାରେ ଯାଇଁ ଦେଖିଲା ଯେ, ତୃତୀୟ କାଠ ଖଣ୍ଡିକରୁ ଡାଳପତ୍ର ବାହାରି ଗୋଟିଏ ସୁନ୍ଦର ଗଛ ହୋଇଛି । ଧର୍ମପୁତ୍ରର ମନେ ପଡ଼ିଲା ଯେ, ନିଆଁ ଭଲ କରି ନ ଜଳିବା ପର୍ଯ୍ୟନ୍ତ ଶଗଡ଼ିଆମାନେ ସେଥିରେ କାଠ ଦେଲାରୁ ତାହା ନ ଜଳି ଲିଭି ଯାଉଥାଏ । ସେହିପରି ଯେତେବେଳେ ତାହାକୁ ତାହାର ନିଜର ମନ ଅନ୍ୟପାଇଁ ଦୟା ଓ ଦୁଃଖରେ ସମ୍ପୂର୍ଣ୍ଣରୂପେ ପୂର୍ଣ୍ଣ ହୋଇଥିଲା, ସେତେବେଳେ ସେ ଅନ୍ୟର ମନ ସ୍ପର୍ଶ କରି ପାରିଥିଲା ।

 

ଏହିପରି ଏତେଦିନରେ ତାହାର ପାପର ପ୍ରାୟଶ୍ଚିତ୍ତ ହୋଇଥିବାର ଦେଖି ଧର୍ମପୁତ୍ର ଅତ୍ୟନ୍ତ ଆନନ୍ଦିତ ହେଲା । ସେ ନିଜର ସମସ୍ତ ଇତିହାସ ଦସ୍ୟୁ ନିକଟରେ ବର୍ଣ୍ଣନା କଲା ଏବଂ ମୃତ୍ୟୁମୁଖରେ ପତିତ ହେଲା । ଦସ୍ୟୁ ସେହିଠାରେ ବାସ କରି ଧର୍ମପୁତ୍ରର ଉପଦେଶ ଅନୁସାରେ ଜୀବନଯାପନ କଲା ଏବଂ ନିଜେ ଯେଉଁ ଶିକ୍ଷାଲାଭ କରିଥିଲା, ତାହା ଅନ୍ୟମାନଙ୍କୁ ଦାନ କରି ଜୀବନକୁ ଧନ୍ୟ କରିଥିଲା ।

Image

 

ଦ୍ଵନ୍ଦ୍ୱ

 

କରାଚୀ ନଗରରେ ଗୋଟିଏ କଫି ଦୋକାନ ଅଛି । ସେଠାରେ ବିଭିନ୍ନ ଦେଶର ଓ ବିଭିନ୍ନ ଜାତିର ଲୋକେ କଫି ପାନ କରିବାକୁ ଆସି ଅନେକ ସମୟରେ ନାନା ବିଷୟରେ କଥାବାର୍ତ୍ତା ହୁଅନ୍ତି । ଦିନେ ପାରସ୍ୟ ଦେଶୀୟ ଜଣେ ଜ୍ଞାନୀ ଲୋକ ସେଠାକୁ ଆସିଲେ । ସେ ତାଙ୍କର ସମଗ୍ର ଜୀବନ ଈଶ୍ୱର ଚିନ୍ତାରେ କଟାଇଥିଲେ । ଏମନ୍ତ କି ଅତ୍ୟଧିକ ଚିନ୍ତା ତାଙ୍କ ମସ୍ତିଷ୍କକୁ ବିକୃତ କରିଦେଲା । ତାହା ଫଳରେ ସେ ବାତୁଳପ୍ରାପ୍ତ ହୋଇଗଲେ ଏବଂ ଅବଶେଷରେ ଈଶ୍ୱରଙ୍କ ଅସ୍ତିତ୍ଵରେ ସନ୍ଦେହ କରିବାକୁ ଆରମ୍ଭ କଲେ । ପାରସ୍ୟ ରାଜା ଏହା ଶୁଣିପାରି ତାଙ୍କୁ ଦେଶରୁ ନିର୍ବାସିତ କରିଦେଲେ ।

 

ତାଙ୍କର ଜଣେ କ୍ରୀତଦାସ ଥିଲା । ସେ ଯେତେବେଳେ କଫି ଦୋକାନକୁ ଆସିଲେ, ତାଙ୍କ ସଙ୍ଗରେ ସେହି କ୍ରୀତଦାସଟି ଆସି ବାହାରେ ବସି ରହିଲା । ଦୋକାନରେ ପ୍ରବେଶ କରି ପ୍ରଥମେ ସେ କିଛି ଅହିଫେନ ସେବନ କଲେ । କିଛିଷଣ ପରେ ତାଙ୍କର କ୍ରୀତଦାସକୁ ଡାକି କହିଲେ “ଈଶ୍ୱର ଅଛନ୍ତି କି ନାହିଁ, ଏ ବିଷୟରେ ତୋର କ’ଣ ମନେ ହୁଏ ?”

 

କ୍ରୀତଦାସ ଉତ୍ତର କଲା, “ନିଶ୍ଚୟ ଈଶ୍ୱର ଅଛନ୍ତି ।” ଏହା କହି ସେ ତାହାର ପୋଷାକ ଭିତରୁ ଗୋଟିଏ କାଠର ପ୍ରତିମା ବାହାର କରି କହିଲା, “ଦେଖ, ଏହି ମୋର ଈଶ୍ୱର, ଶୈଶବବକାଳରୁ ମୋତେ ରକ୍ଷା କରୁଛନ୍ତି ଏବଂ ସର୍ବଦା ମୋ ସାଙ୍ଗରେ ଥାନ୍ତି ।”

 

ଦୋକାନରେ ଥିବା ଲୋକମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପ୍ରଭୁ ଭୃତ୍ୟଙ୍କ କଥା ଶୁଣୁଥିଲେ-। ତାଙ୍କ ଭିତରେ ଜଣେ ବ୍ରାହ୍ମଣ ଥିଲେ । ସେ ସେହି ଦାସକୁ କହିଲେ “ନିର୍ବୋଧ ! ଈଶ୍ୱରଙ୍କୁ ତୁ ସଙ୍ଗେ ସଙ୍ଗେ ଘେନି ବୁଲୁଛୁ, ଏହା କି ସମ୍ଭବ ହୋଇପାରେ ? ବ୍ରହ୍ମ ହେଲେ ଏକମାତ୍ର ଈଶ୍ଵର ଏବଂ ବ୍ରାହ୍ମଣମାନେ ତାଙ୍କର ପୁରୋହିତ । ଭାରତରେ ଶତ ଶତ ମନ୍ଦିରରେ ତାଙ୍କର ପୂଜା ହୁଏ-। ସହସ୍ର ସହସ୍ର ବର୍ଷ ଭିତରେ ଜଗତରେ କେତେଆଡ଼େ କେତେ ପରିବର୍ତ୍ତନ ହୋଇଗଲାଣି; କିନ୍ତୁ ବ୍ରାହ୍ମଣମାନଙ୍କ ଆଧିପତ୍ୟ ଅକ୍ଷୁଣ୍ଣ ରହିଛି; କାରଣ ବ୍ରହ୍ମ ସେମାନଙ୍କୁ ରକ୍ଷା କରୁଛନ୍ତି ।”

 

ବ୍ରାହ୍ମଣ ନୀରବ ହେବାମାତ୍ରକେ ଜଣେ ଇହୁଦୀ କହି ଉଠିଲା, “ଈଶ୍ଵରଙ୍କର ପ୍ରକୃତ ମନ୍ଦିର ଭାରତରେ ନାହିଁ । ଈଶ୍ଵର କଦାପି ବ୍ରାହ୍ମଣମାନଙ୍କୁ ରକ୍ଷା କରୁନାହାନ୍ତି । ବ୍ରାହ୍ମଣମାନଙ୍କ ଈଶ୍ଵର ପ୍ରକୃତ ଈଶ୍ଵର ନୁହନ୍ତି, ଇବ୍ରାହିମ, ଜୈବକ, ଏମାନଙ୍କର ଈଶ୍ଵର ପ୍ରକୃତ ଈଶ୍ଵର । ସେ କେବଳ ଇହୁଦିମାନଙ୍କୁ ରକ୍ଷା କରୁଛନ୍ତି । ଜଗତର ଆରମ୍ଭରୁ ଆମ୍ଭମାନଙ୍କ ଜାତି ତାଙ୍କର ଅତ୍ୟନ୍ତ ପ୍ରିୟ । ବର୍ତ୍ତମାନ ଆମ୍ଭେମାନେ ଚାରିଆଡ଼େ ବିଚ୍ଛୁରିତ ହୋଇ ପଡ଼ିଛୁ ସତ୍ୟ; କିନ୍ତୁ ଈଶ୍ଵର କହିଛନ୍ତି, ସେ ଦିନେ ଆମ୍ଭମାନଙ୍କୁ ସମ୍ମିଳିତ କରିବେ ଏବଂ ଆମ୍ଭେମାନେ ପୃଥିବୀର ସମସ୍ତ ଜାତିଙ୍କୁ ଶାସନ କରିବୁ ।”

 

ଏହା କହି ସେ ନିବୃତ୍ତ ହେବାରୁ ଜଣେ ଇତାଲୀୟ ଧର୍ମପ୍ରଚାରକ କହିଲେ, “ତୁମ୍ଭେ ଯାହା କହିଲ, ତାହା ସତ୍ୟ ନୁହେଁ । ତୁମ୍ଭେ ଈଶ୍ଵରଙ୍କ ପ୍ରିୟ ଜାତି ନୁହ । ପ୍ରଥମେ ସେ ତୁମ୍ଭମାନଙ୍କୁ ଅନୁଗ୍ରହ କରିଥିଲେ ସତ୍ୟ; କିନ୍ତୁ ବର୍ତ୍ତମାନ ତୁମ୍ଭ ଉପରେ କୃଦ୍ଧ ହୋଇ ସେ ତୁମ୍ଭମାନଙ୍କର ଏପରି ଦୁରବସ୍ଥା କରିଛନ୍ତି । ଯଦି କେହି ମୁକ୍ତି ପାଇବାକୁ ଇଚ୍ଛାକରେ, ତାହାହେଲେ ସେ ଅବଶ୍ୟ କ୍ୟାଥଲିକମାନଙ୍କ ନିୟମାନୁସାରେ ତାଙ୍କର ପୂଜା କରିବ; ତାହା ନ ହେଲେ କାହାରି ମୁକ୍ତି ନାହିଁ ।”

 

ଜଣେ ପ୍ରୋଟେଷ୍ଟାଣ୍ଟ ଧର୍ମପ୍ରଚାରକ ସେଠାରେ ଥିଲେ, ସେ ଏହା ଶୁଣି କହିଲେ, “କେବଳ ତୁମ୍ଭ ଧର୍ମରେ ମୁକ୍ତି ଅଛି, ଏହା ତୁମ୍ଭେ କିପରି କହୁଛ ? ଖ୍ରୀଷ୍ଟ ବାଇବେଲରେ ଯାହା କହିଛନ୍ତି, ସେହି ନିୟମ ଅନୁସାରେ ଯେଉଁମାନେ ଈଶ୍ଵରଙ୍କ ଉପାସନା କରିବେ, କେବଳ ସେହିମାନେ ମୁକ୍ତିର ଅଧିକାରୀ ।”

 

ଜଣେ ତୁର୍କୀ ଏ କଥା ଶୁଣି କହିଲା, “ତୁମ୍ଭେମାନେ ଯେଉଁ ଧର୍ମ ଅବଲମ୍ବନ କରିଛ, ତାହା ସତ୍ୟ ଧର୍ମ ନୁହେଁ । ମହମ୍ମଦଙ୍କ ପ୍ରଚାରିତ ଧର୍ମହିଁ ସତ୍ୟ ଧର୍ମ । ଦେଖୁଛ ତ ମୁସଲମାନ ଧର୍ମ କିପରି ଚାରିଆଡ଼େ ବିସ୍ତୃତ ହେଉଛି । ଏକମାତ୍ର ମୁସଲମାନମାନେ ମୁକ୍ତିର ଅଧିକାରୀ ।”

 

ଏହିପରି ଧର୍ମ ଘେନି ସେମାନଙ୍କ ମଧ୍ୟରେ ଘୋର ତର୍କ ବିତର୍କ ହେଲା । ପ୍ରତ୍ୟେକେ ନିଜ ନିଜ ଧର୍ମକୁ ଶ୍ରେଷ୍ଠଧର୍ମ ବୋଲି ପ୍ରମାଣ କରିବାକୁ ବ୍ୟସ୍ତ ହୋଇଉଠିଲେ । ସମସ୍ତେ ଯେତେବେଳେ ଏହିପରି ତର୍କବିତର୍କରେ ଉନ୍ମତ୍ତ, ସେଠାରେ ଜଣେ ଲୋକ ସ୍ଥିର ଭାବରେ ବସି ସମସ୍ତଙ୍କ କଥା ଶୁଣୁଥିଲା । ସେ ଜଣେ ଚୀନ ଦେଶୀୟ ଛାତ୍ର । ଯେଉଁମାନେ ତର୍କ କରୁଥିଲେ, ସେମାନେ କିଛି ମୀମାଂସା କରି ନ ପାରି ସେହି ଲୋକଟିକୁ କହିଲେ, “ତୁମେ ତ ସ୍ଥିର ହୋଇ ବସି ସବୁ ଶୁଣୁଛ, ବର୍ତ୍ତମାନ ତୁମେ ବିଚାର କରି କହ, କେଉଁ ଧର୍ମ ଶ୍ରେଷ୍ଠ ।” ସେ ବ୍ୟକ୍ତି କିଛିକ୍ଷଣ ସ୍ଥିର ହୋଇ ଧୀର ଭାବରେ କହିଲା, “ମନୁଷ୍ୟର ଅହଂକାର ତାକୁ ଧର୍ମବିଷୟରେ ପରସ୍ପର ସଙ୍ଗରେ ଏକମତ ହବାକୁ ବାଧା ଦିଏ । ତୁମ୍ଭମାନଙ୍କ ଯୁକ୍ତି ଶୁଣି ଗୋଟିଏ ଘଟନା ମୋର ମନେ ପଡ଼ୁଛି । ମୁଁ ଗୋଟିଏ ଇଂରାଜ ଜାହାଜରେ ଚୀନରୁ ଆସୁଥିଲି । ଆସିଲାବେଳେ ଜାହାଜ କୋଇଲା ନେବାପାଇଁ ସୁମାତ୍ରା ଦୀପ ପାଖରେ ନଙ୍ଗର କଲା । ଆମ୍ଭେମାନେ କେତେଜଣ ଜାହାଜରୁ ଓହ୍ଲାଇ କୂଳକୁ ଗଲୁଁ । ମୁଁ ଚାରିଆଡ଼େ ବୁଲି ଗୋଟିଏ ଗଛତଳେ ବିଶ୍ରାମ କରୁଛି, ଏପରି ସମୟରେ ଗୋଟିଏ ଅନ୍ଧ ସେଠାକୁ ଆସିଲା । ଆମ୍ଭେମାନେ ଶୁଣିଲୁଁ, ସୂର୍ଯ୍ୟ କି ପଦାର୍ଥ, ତାହା ଜାଣିବାପାଇଁ ସେ ଲୋକଟି ଅତ୍ୟନ୍ତ ବ୍ୟସ୍ତ ହେଉଥିଲା । ସେଥିପାଇଁ ଅନେକ ସମୟରେ ସେ ସୂର୍ଯ୍ୟ ଆଡ଼କୁ ଚାହିଁ ଚାହିଁ ସେ ବିଷୟରେ କିଛି ସ୍ଥିର କରିପାରିଲା ନାହିଁ । ଅବଶେଷରେ ଅନ୍ଧ ହୋଇଗଲା । ଅନ୍ଧହେଲାରୁ ସେ ଆଉ ସୂର୍ଯ୍ୟ ଦେଖି ପାରିଲା ନାହିଁ । ତହୁଁ ସେ ସ୍ଥିର କଲା ଯେ, ସୂର୍ଯ୍ୟ କିଛି ନୁହେ । ସୂର୍ଯ୍ୟ ବୋଲି କୌଣସି ପଦାର୍ଥ ନାହିଁ । ଆମ୍ଭେମାନେ ଯେଉଁଠାରେ ବସିଥିଲୁ, ସେଠାକୁ ଆସି ସେ ନିକଟରେ ବସିଲା । ତାହା ସଙ୍ଗରେ ଜଣେ ଭୃତ୍ୟ ଆସିଥିଲା । ସନ୍ଧ୍ୟାର ଆଗମନ ଦେଖି ଭୃତ୍ୟ ଗୋଟିଏ ଆଲୁଅ ଜାଳିଲା । ଭୃତ୍ୟଟି ଯେତେବେଳେ ଆଲୁଅ ଲଗାଉଥିଲା, ସେହି ଅନ୍ଧ ଲୋକଟି ତାକୁ କହିଲା, “ମୁଁ ଯେତେବେଳେ କହେଁ, ସୂର୍ଯ୍ୟ ନାହିଁ, ମୁଁ କଣ ଠିକ୍ କଥା କହେ ନାହିଁ ? ଲୋକେ କହନ୍ତି ସୂର୍ଯ୍ୟ ଅଛି; ମୁଁ କେତେବେଳେ ସୂର୍ଯ୍ୟ ଦେଖିପାରେ ନାହିଁ; ସବୁବେଳେ ଅନ୍ଧକାର ଦେଖେଁ ।”

 

ଭୃତ୍ୟ କହିଲା, “ସୂର୍ଯ୍ୟ କଣ ମୁଁ ଜଣେ ନାହିଁ, ମୋର ଜାଣିବାର ପ୍ରୟୋଜନ ମଧ୍ୟ ନାହିଁ, କିନ୍ତୁ ଆଲୋକ କାହାକୁ କହନ୍ତି, ମୁଁ ଜାଣେ । ବର୍ତ୍ତମାନ ମୁଁ ଏହି ଦୀପ ଜାଳିଛି, ଏହା ସାହାଯ୍ୟରେ ମୁଁ କାର୍ଯ୍ୟ କରି ପାରିବି, ଏହି ମୋର ସୂର୍ଯ୍ୟ ।” ନିକଟରେ ଜଣେ ଲୋକ ବସିଥିଲା, ସେ ଏ କଥା ଶୁଣି କହିଲା, “ତୁମେ ଦୁହେଁଯାକ ଅନ୍ଧ, ସୂର୍ଯ୍ୟ କଣ ଜାଣ ନାହିଁ । ସୂର୍ଯ୍ୟ ଗୋଟିଏ ଅଗ୍ନିର ଗୋଲକ । ସେ ପ୍ରତିଦିନ ସମୁଦ୍ର ଭିତରୁ ଉଠେ ଓ ଆମ ଦ୍ଵୀପର ପର୍ବତ ପଛ ଆଡ଼େ ବୁଡ଼ିଯାଏ । ଏହା ସମସ୍ତେ ଦେଖିଛନ୍ତି ।” ଜଣେ ଧୀବର ଏକଥା ଶୁଣି କହିଲା, “ତୁମେ କିଛି ଜାଣ ନାହିଁ । ସୂର୍ଯ୍ୟ କେତେବେଳେ ତୁମ ଦେଶର ପର୍ବତ ଆର ପାଖରେ ବୁଡ଼େ ନାହିଁ । ମୁଁ ପ୍ରତିଦିନ ମାଛ ଧରିବାକୁ ଯାଏଁ । ମୁଁ ନିଜେ ଦେଖିଛି, ସୂର୍ଯ୍ୟ ସମୁଦ୍ର ଭିତରେ ଡୁବିଯାଏ ।” ଜଣେ ଭାରତବର୍ଷୀୟ ଲୋକ ସେଠାରେ ଥିଲା, ସେ କହିଲା “ତମେମାନେ ସମସ୍ତେ ମୂଢ଼, କେହି କିଛି ଜାଣି ନାହିଁ । ସୂର୍ଯ୍ୟ ଗୋଟିଏ ଦେବତା, ସେ ରଥରେ ଚଢ଼ି ଆକାଶରେ ବୁଲନ୍ତି । ତୁମମାନଙ୍କ ପରି ଅଜ୍ଞ ଲୋକମାନେ ଭାବନ୍ତି ଯେ, ସୂର୍ଯ୍ୟ କେବଳ ତାଙ୍କରି ଦେଶର ଆଲୋକ ।” ଜଣେ ମିସର ଦେଶୀୟ ଲୋକ ଏ କଥା ଶୁଣି କହିଲା, “ତୁମେ ଭୁଲ ବୁଝିଛ । ସୂର୍ଯ୍ୟ ଦେବତା ନୁହେଁ, ମୁଁ ଅନେକ ଦେଶ ବୁଲିଛି, ମୁଁ ଜାଣେ ସୂର୍ଯ୍ୟ କୌଣସି ବିଶେଷ ଦେଶରେ ଆଲୋକ ଦିଏ ନାହିଁ ଏବଂ ପର୍ବତରେ ଅସ୍ତ ହୁଏ ନାହିଁ । ସୂର୍ଯ୍ୟ ପୂର୍ବରେ ଉଦିତ ହୁଏ ଓ ପଶ୍ଚିମରେ ଅସ୍ତ ଯାଏ ।” ସେ ଆଉ କିଛି କହିବାକୁ ଯାଉଥିଲା, କିନ୍ତୁ ଜଣେ ଇଂରେଜ ତାକୁ ବାଧା ଦେଇ କହି ଉଠିଲା, “ତୁମେମାନେ କେହି କିଛି ଜାଣି ନାହିଁ । ସୂର୍ଯ୍ୟର ଉଦୟ ଅସ୍ତ ହେବାର କୌଣସି ବିଶେଷ ସ୍ଥାନ ନାହିଁ । ସୂର୍ଯ୍ୟ ସବୁବେଳେ ପୃଥିବୀର ଚାରିଆଡ଼େ ଘୂରୁଛି ।” ଏହା କହି ସେ ସେମାନଙ୍କୁ ନିଜ ମତରେ ବିଶ୍ୱାସ କରାଇବାପାଇଁ ଅନେକ ଚେଷ୍ଟା କଲା; କିନ୍ତୁ କେହି ତାହା କଥା ବୁଝି ପାରିଲେ ନାହିଁ । ସମସ୍ତେ ମିଳି କେବଳ କୋଳାହଳ କରିବାକୁ ଲାଗିଲେ ।

 

“ଆମ ଜାହାଜର ଚାଳକ ଖୁବ୍ ବୁଦ୍ଧିମାନ୍ ଓ ଜ୍ଞାନୀ ଲୋକ ଥିଲେ । ଶେଷରେ ସମସ୍ତେ ଆସି ତାଙ୍କୁ ଏ ବିଷୟ ମୀମାଂସା କରିବାକୁ ଅନୁରୋଧ କଲେ । ସେ କହିଲେ, ‘ତୁମ୍ଭେମାନେ ସମସ୍ତେ ଭୁଲ ବୁଝିଛ ଓ ପରସ୍ପରକୁ ଭୁଲ ବୁଝାଉଛ । ସୂର୍ଯ୍ୟ ପୃଥିବୀର ଚାରିଆଡ଼େ ଘୂରେ ନାହିଁ; କିନ୍ତୁ ପୃଥିବୀ ସୂର୍ଯ୍ୟର ଚତୁର୍ଦ୍ଦିଗରେ ନିତ୍ୟ ଘୂରୁଛି । ସୂର୍ଯ୍ୟ ସମସ୍ତ ପୃଥିବୀକୁ ଆଲୋକ ଦିଏ ତୁମ୍ଭେମାନେ ଯଦି ସର୍ବଦା ତଳକୁ ନ ଚାହିଁ ଚାରିଆଡ଼କୁ ଦୃଷ୍ଟି ଦିଅ; ତାହା ହେଲେ ଦେଖିପାରିବ ଯେ ସୂର୍ଯ୍ୟ କେବଳ କୌଣସି ବିଶେଷ ଦେଶ କିମ୍ବା ଜାତିକୁ ଆଲୋକ ଦିଏ ନାହିଁ, କିନ୍ତୁ ସମସ୍ତଙ୍କୁ ଆଲୋକ ଦାନ କରେ ।’ ତାଙ୍କ କଥା ଶୁଣି ସମସ୍ତେ ତୁନି ହେଲେ ।” ଏହି ଗଳ୍ପଟି କହି ସେହି ଚୀନ୍ ଦେଶୀୟ ଲୋକଟି କହିଲା, “ଧର୍ମ ବିଷୟରେ ମଧ୍ୟ ଏହିପରି । କେବଳ ଅହଙ୍କାର ଯୋଗୁଁ ଲୋକମାନଙ୍କ ମଧ୍ୟରେ ଏତେ ମତଭେଦ–ଏତେ ଦ୍ୱନ୍ଦ୍ୱ । ସୂର୍ଯ୍ୟ ବିଷୟରେ ଯେପରି; ଧର୍ମ ବିଷୟରେ, ସେହିପରି ପ୍ରତ୍ୟେକ ଲୋକ, ପ୍ରତ୍ୟେକ ଜାତି ନିଜପାଇଁ ଭିନ୍ନ ଭିନ୍ନ ଈଶ୍ଵର ଲୋଡ଼ନ୍ତି । ସମସ୍ତ ବିଶ୍ୱ ଯାହାକୁ ଧାରଣ କରିପାରେ ନାହିଁ; ସେମାନେ ତାହାକୁ ନିଜ ନିଜ ମନ୍ଦିରରେ ଆବଦ୍ଧ କରିବାକୁ ଅଭିଳାଷୀ ହୁଅନ୍ତି । ସମସ୍ତ ବ୍ରହ୍ମାଣ୍ଡ ତାଙ୍କର ମନ୍ଦିର; ସେ ମନ୍ଦିର ସଙ୍ଗରେ କେଉଁ ମନ୍ଦିରର ତୁଳନା ହୋଇପାରେ ? ସେ ମନୁଷ୍ୟ ମନରେ ଯେଉଁ ଉଚ୍ଚ ଭାବ ଦେଇ ଅଛନ୍ତି; କେଉଁ ମନ୍ଦିରର ନିୟମ ତାହା ସଙ୍ଗରେ ତୁଳନୀୟ ହୋଇପାରେ ? ମନୁଷ୍ୟ ତାଙ୍କପାଇଁ ଅନେକ ପ୍ରକାର ଆସନ ରଚନା କରେ, କିନ୍ତୁ ଧର୍ମପ୍ରାଣ ସାଧୁ ବ୍ୟକ୍ତିର ଅନ୍ତରରେ ସେ ନିଜେ ଯେଉଁ ଆସନ ରଚନା କରନ୍ତି, କେଉଁ ଆସନ ତାହା ସଙ୍ଗେ ସମାନ ? ଲୋକମାନେ ଏହା ନ ଦେଖି ନିଜପାଇଁ ପୃଥକ୍ ପୃଥକ୍ ଦେବତା ଠିକ୍ କରି ନିଅନ୍ତି । ମନୁଷ୍ୟ ଯେତେ ତାଙ୍କର ନିକଟବର୍ତ୍ତୀ ହେବ, ସେ ତାଙ୍କର ମହିମା ଦେଖି ଦେବଭାବ ପ୍ରାପ୍ତ ହେବ । ସେ କି କେବେ କାହାକୁ ଘୃଣା କରିପାରେ କିମ୍ବା ହୀନ ମନେ କରିପାରେ ? ଯେ ଜାଣେ ଯେ, ସୂର୍ଯ୍ୟ ସମସ୍ତ ପୃଥିବୀକୁ ଆଲୋକ ଦାନ କରି ପୃଥିବୀର ଅନ୍ଧକାର ନାଶ କରେ; ତାହା ନିକଟରେ ପ୍ରାସାଦ କୁଟୀର ଭେଦ ନାହିଁ–ଧନୀ ଦରିଦ୍ର, ପଣ୍ଡିତ ମୂର୍ଖ ପ୍ରଭୃତି ଗଣନା ମଧ୍ୟ ନାହିଁ । ଅନ୍ଧ ହୋଇ ଯେବେ କେହି ସୂର୍ଯ୍ୟକୁ ଦେଖିବାକୁ ଅକ୍ଷମ ହୁଏ, ସେ କୃପାପାତ୍ର ହୋଇ ପାରେ; ମାତ୍ର ଘୃଣ୍ୟ ନୁହେ । କେବଳ ଅନ୍ଧତା ବା ଆଶିଂକ ଦୃଷ୍ଟି ସକଳ ଦ୍ଵନ୍ଦ୍ୱ ଓ ଅନର୍ଥର ହେତୁ ।” ଏହା କହି ସେ ନୀରବ ହେଲା । ଯେଉଁମାନେ ନିଜ ନିଜ ଧର୍ମର ଶ୍ରେଷ୍ଠତା ପ୍ରତିପାଦନପାଇଁ ତୁମୂଳ ତର୍କ ଲଗାଇଥିଲେ, ସେମାନେ ମଧ୍ୟ ନୀରବ ହେଲେ ।

Image

 

ଦେବଦର୍ଶନ

 

ବାଲେଶ୍ଵର ଜିଲ୍ଲାର ଉତ୍ତରାଞ୍ଚଳରେ ଏକ ଗ୍ରାମରେ ଦୁଇଜଣ ବୃଦ୍ଧ ବାସ କରୁଥିଲେ । ଦୁହିଁଙ୍କ ଭିତରେ ଘନିଷ୍ଠ ବନ୍ଧୁତା । ତାଙ୍କ ଭିତରୁ ଜଣକର ନାମ ସଦାନନ୍ଦ । ତାଙ୍କର ଅବସ୍ଥା ବେଶ୍ ସ୍ଵଚ୍ଛଳ ଏବଂ ଚରିତ୍ର ମଧ୍ୟ ଅନିନ୍ଦନୀୟ ଥିଲା । ସେ କେତେ କୌଣସି ଅନ୍ୟାୟ କାର୍ଯ୍ୟ କରୁ ନ ଥିଲେ କିମ୍ଵା ଅଶ୍ଳୀଳ ବା ରୂଢ଼ ଭାଷା ପର୍ଯ୍ୟନ୍ତ ବ୍ୟବହାର କରୁ ନଥିଲେ । ଗ୍ରାମର ସମସ୍ତେ ତାଙ୍କୁ ସମ୍ମାନ କରୁଥିଲେ । ତାଙ୍କର ପରିବାର ମଧ୍ୟ ବୃହତ୍ ଥିଲା । ସେ ଜଣେ ସୁସ୍ଥ ସବଳ ଓ ଦୀର୍ଘାକାର ପୁରୁଷ । ଅନ୍ୟ ବୃଦ୍ଧଙ୍କ ନାମ ରସାନନ୍ଦ । ତାଙ୍କ ଅବସ୍ଥା ତେଡ଼େ ସ୍ଵଚ୍ଛଳ ନଥିଲା । ଜମିରୁ ଯାହାକିଛି ଆୟ ହୁଏ, ସେଥିରେ କୌଣସି ପ୍ରକାରେ ସଂସାର ଚଳିଯାଏ । ସେ ପୂର୍ବେ ବଢ଼େଇ କାମ କରୁଥିଲେ; କିନ୍ତୁ ବର୍ତ୍ତମାନ ବୃଦ୍ଧ ହେବାରୁ ଛାଡ଼ି ଦେଇଅଛନ୍ତି । ଦେଖିବାକୁ ଶ୍ୟାମବର୍ଣ୍ଣ ଓ ଖର୍ବାକୃତି-। ତାଙ୍କ ମନଟି ସର୍ବଦା ଶାନ୍ତି ଓ ଆନନ୍ଦରେ ପୂର୍ଣ୍ଣ-ପରିବାର ଓ ପ୍ରତିବେଶୀମାନଙ୍କ ସାଙ୍ଗରେ ମିଳି ମିଶି ଖୁବ୍ ଶାନ୍ତିରେ କାଳ କାଟୁଥାନ୍ତି । ଦୋଷ ମଧ୍ୟରେ ସେ ଟିକିଏ ଅତିରିକ୍ତ ତମାଖୁ ପ୍ରିୟ-

 

ଏହି ଦୁଇ ବୃଦ୍ଧ ବହୁଦିନ ପୂର୍ବରୁ ପ୍ରତିଜ୍ଞା କରିଥିଲେ ଯେ, ଦୁଇଜଣ ଏକ ସଙ୍ଗରେ ଜଗନ୍ନାଥ ଦର୍ଶନକୁ ଯିବେ । ରସାନନ୍ଦଙ୍କର କିଛି ଜଞ୍ଜାଳ ନାହିଁ, ସେ ଯିବାପାଇଁ ସର୍ବଦା ପ୍ରସ୍ତୁତ; କିନ୍ତୁ ସଦାନନ୍ଦଙ୍କର କୌଣସିମତେ ସମୟ ହୁଏ ନାହିଁ । ଗୋଟିଏ ପରେ ଗୋଟିଏ କାର୍ଯ୍ୟ ପ୍ରାୟ ତାଙ୍କର ତୀର୍ଥଯାତ୍ରାର ପ୍ରତିବନ୍ଧକ ହୁଏ ।

 

ଦିନେ ରାସାନନ୍ଦ କହିଲେ, “ବନ୍ଧୁ, ଆମ୍ଭେମାନେ ଆଉ କେବେ ପ୍ରତିଜ୍ଞା ରକ୍ଷା କରିବା ? ଦିନ ତ ଶେଷ ହୋଇ ଆସିଲା, ଆଉ ବିଳମ୍ବ କରିବା କି ଉଚିତ ?” ସଦାନନ୍ଦ କହିଲେ, “ଭାଇ, ଏତେଦିନ ଅପେକ୍ଷା କରିଛ; ଆଉ କିଛିଦିନ ଅପେକ୍ଷା କର । ମୁଁ ଏହି ଘରଟା ଆରମ୍ଭ କରିଛି, ଭାବିଥିଲି, ବେଶି ଖରଚ ହେବନାହିଁ, କିନ୍ତୁ ବର୍ତ୍ତମାନ ଦେଖୁଛି ଯେ, ମୁଁ ଯାହା ଭାବିଥିଲି; ତହିଁରୁ ଢେର ବେଶି ଖରଚ ପଡ଼ିଯିବ । ସୁତରାଂ ବର୍ତ୍ତମାନ ତୀର୍ଥଯାତ୍ରା ପାଇଁ ଟଙ୍କା ଯୋଗାଡ଼ କରିବା ଟିକିଏ କଷ୍ଟକର ହେବ । ଆଉ ମଧ୍ୟ ମୁଁ ଯଦି ଯାଏଁ, ତାହା ହେଲେ ଏସବୁ କିଏ ଦେଖିବ ?”

 

ରସାନନ୍ଦ କହିଲେ, “ତୁମର ଯଦି ଟଙ୍କା ପାଇଁ ଯିବା କଷ୍ଟକର ହୁଏ, ତାହାହେଲେ ଆଉ ମୁଁ କ’ଣ କରିବି ? ମୋଠାରୁ ତୁମର ଅବସ୍ଥା ଢେର ଭଲ । ମୁଁ ଟଙ୍କା ଯୋଗାଡ଼ କରି ପାରିବି, ଆଉ ତୁମେ ପାରିବ ନାହିଁ ? ତୁମର ବଡ଼ପୁଅ ତ ଏ ସବୁ ଦେଖିପାରେ ? ଆମେମାନେ ଆଉ କେତେଦିନ ବଞ୍ଚିବା ? ଆମମାନଙ୍କ ପରେ ତ ସେମାନଙ୍କୁ ସବୁ ଦେଖିବାକୁ ହେବ ପୂର୍ବରୁ ଅଭ୍ୟାସ ଥିବା ଭଲ ।” ସଦାନନ୍ଦ ସେ ଦିନ ଆଉ କିଛି କହିଲେ ନାହିଁ । କଥାଟା କିନ୍ତୁ ତାଙ୍କ ମନରେ ଲାଗିଲା-। ତହିଁ ଆରଦିନ ରସାନନ୍ଦଙ୍କୁ କହିଲେ, “ଭାଇ, ତୁମେ ଯାହା କହିଛ ତାହା ଠିକ୍ । ଆମମାନଙ୍କର ତୀର୍ଥଯାତ୍ରା ବିଷୟରେ ଆଉ ବିଳମ୍ବ କରିବା ଉଚିତ ନୁହେଁ । ୩ । ୪ ଦିନ ମଧ୍ୟରେ ବାହାରି ପଡ଼ିବା-।” ଉଭୟେ ସମସ୍ତ ବନ୍ଦୋବସ୍ତ କରିବାକୁ ଲାଗିଲେ । ସଦାନନ୍ଦ ତାଙ୍କ ପୁଅମାନଙ୍କୁ ଅନେକ ଉପଦେଶ ଦେଲେ, ସବୁ ବିଷୟବାଡ଼ି ବୁଝାଇ ଦେଲେ । ଘର କିପରି ଶେଷ କରିବେ, ଇତ୍ୟାଦି ସବୁ ବିଷୟ ତନ୍ନ ତନ୍ନ କରି ସେମାନଙ୍କୁ କହିଲେ । ରସାନନ୍ଦ ନାନା ଉପାୟରେ ଶହେଟଙ୍କା ଯାଏ ସଂଗ୍ରହ କଲେ ଏବଂ ଦୁଇ ଚାରି କଥାରେ ସ୍ତ୍ରୀ ପୁତ୍ରଙ୍କଠାରୁ ବିଦାୟ ନେଇ ବାହାରିପଡ଼ିଲେ-। ଏହିପରି ଦୁଇ ଵୃଦ୍ଧ ଯାତ୍ରା ଆରମ୍ଭ କଲେ । ଦିନଯାକ ବାଟ ଚାଲନ୍ତି ରାତି ହେଲେ କୌଣସି ଗୃହସ୍ଥ ଘରେ ଆଶ୍ରୟ ନିଅନ୍ତି । ସଦାନନ୍ଦ ଦୃଢ଼ ଓ ବଳିଷ୍ଠ ପୁରୁଷ; ସେ ଖୁବ୍‍ ଚାଲି ପାରନ୍ତି, ରସାନନ୍ଦ ତାଙ୍କ ସଙ୍ଗରେ ସମାନ ଭାବରେ ଚାଲି ପାରନ୍ତି ନାହିଁ । ପୁଣି ତାଙ୍କର ଗୁଡ଼ାଖୁ ଖାଇବାର ଅଭ୍ୟାସ ଥିବାରୁ ସେଥିପାଇଁ ମଧ୍ୟ ମଝିରେ ମଝିରେ ବିଳମ୍ବ ହୁଏ । ବୈତରଣୀ ପାରି ହୋଇ ସେମାନଙ୍କର ଆଶ୍ରୟ ପାଇବା ଟିକିଏ କଠିନ ହୋଇଉଠିଲା । ସେ ବର୍ଷ ସେ ଅଞ୍ଚଳରେ ବଡ଼ ଦୁର୍ଭିକ୍ଷ ହୋଇଥିଲା-। ଲୋକମାନଙ୍କର ଅବସ୍ଥା ଶୋଚନୀୟ, ଅତିଥି ଅଭ୍ୟାଗତଙ୍କୁ ପଚାରେ କିଏ ? ଯାତ୍ରୀଦ୍ଵୟ ଅତି ସାବଧାନରେ ନିରାପଦ ସ୍ଥାନ ଦେଖି ଆଶ୍ରୟ ନିଅନ୍ତି । ସେଠାରେ ନିଜେ ରାନ୍ଧି ବାଢ଼ି ଖା’ନ୍ତି, ଚାଲିଯାନ୍ତି । ଏହିପରି ଯାଉ ଯାଉ ଦିନେ ରସାନନ୍ଦ କହିଲେ, ସେ ବଡ଼ ତୃଷାର୍ତ୍ତ ହୋଇଅଛନ୍ତି-। ଟିକିଏ ପାଣି ନ ପିଇଲେ ଆଉ ଚାଲି ପାରିବେ ନାହିଁ । ସଦାନନ୍ଦ କହିଲେ, “ଏଠି ପାଣି କେଉଁଠି ପାଇବ ? କିଛି ଦୂର ଚାଲ, ଦେଖିବା । “ରସାନନ୍ଦ କହିଲେ, ‘ନିକଟରେ ଗୋଟିଏ ଗ୍ରାମ ଦେଖା ଯାଉଛି, ମୁଁ ଦଉଡ଼ି ଯାଇ ପାଣି ପିଇ ଆସେ, ତୁମେ ଆଗଭର ହୁଅ, ମୁଁ ଏହିକ୍ଷଣି ଆସିବି-। “ଏହା କହି ସେ ଗ୍ରାମ ଆଡ଼କୁ ଗଲେ । ସେଠାରେ ପହଞ୍ଚି ଦେଖିଲେ, ଗ୍ରାମ ପ୍ରାୟ ଶୂନ୍ୟ । ନିକଟବର୍ତ୍ତୀ ଗୋଟିଏ ଘରେ ଡାକିଲେ, କିନ୍ତୁ କେହି ଉତ୍ତର ଦେଲେ ନାହିଁ । କବାଟ ଠେଲି ଭିତରକୁ ଯାଇ ଦେଖିଲେ, ଘରଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସେଥିରେ ଜନପ୍ରାଣୀ ଅଛନ୍ତି ବୋଲି ବୋଧ ହେଉ ନାହଁ । ଗୋଟିଏ ଘର ଭିତରକୁ ଯାଇ ଦେଖିଲେ କଙ୍କାଳସାର ଗୋଟିଏ ଲୋକ ପଡ଼ିଛି-। ଆଉ ଗୋଟିଏ ଘରେ ଗୋଟିଏ ବୃଦ୍ଧା ସ୍ତ୍ରୀ ଅବସନ୍ନ ଭାବରେ କାନ୍ଥକୁ ଆଉକି ବସିଛି ଏବଂ ଗୋଟିଏ ଶୀର୍ଣ୍ଣକାୟ ବାଳକ କରୁଣ ସ୍ୱରରେ ତାକୁ ଖାଇବାକୁ ମାଗୁଛି । ପୁଣି ଗୋଟିଏ ରୁଗ୍‍ଣା ସ୍ତ୍ରୀ ମଧ୍ୟ ସେହି ଘରେ ପଡ଼ିଛି । ଏହା ଦେଖି ରସାନନ୍ଦ ବୁଝି ପାରିଲେ ଯେ, ଦୁର୍ଭିକ୍ଷ ଯୋଗୁ ସେମାନଙ୍କର ସେପରି ଦଶା ହୋଇଅଛି । ତାଙ୍କ ପାଖରେ କିଛି ଖାଦ୍ୟ ଥିଲା, ତତ୍‍କ୍ଷଣାତ ବାହାର କରି ସେହି ବାଳକଟିକୁ ଦେଲେ । ପରେ ସେ ଗ୍ରାମ ଭିତରକୁ ଯାଇଁ ବହୁ କଷ୍ଟରେ କିଛି ଚାଉଳ, ଡାଲି ଓ ଅନ୍ୟାନ୍ୟ ପ୍ରୟୋଜନୀୟ ଦ୍ରବ୍ୟାଦି କିଣି ଆଣିଲେ ଏବଂ ନିଜେ ରନ୍ଧାନାଦି କାର୍ଯ୍ୟ ସମାପନ କଲେ-। ତତ୍ପରେ ସେହି ବୃଦ୍ଧା ଓ ସେ ପୁରୁଷଟିକୁ ମଧ୍ୟ କିଛି ଖାଇବାକୁ ଦେଲେ । ଯେଉଁ ରୁଗ୍‍ଣା ସ୍ତ୍ରୀ ଟି ସେ ଘରେ ଥିଲା, ସେ ମଧ୍ୟ କିଛି ଆହାର କଲା । ଆହାରାନ୍ତେ କିଞ୍ଚିତ ସୁସ୍ଥ ହେଲାରୁ ସେହି ଲୋକଟି ରସାନନ୍ଦଙ୍କୁ କହିଲା, “ମୁଁ ଜଣେ କୃଷକ । ଆମ୍ଭମାନଙ୍କ ଅବସ୍ଥା କୌଣସି କାଳେ ଖୁବ୍‍ ଭଲ ନ ଥିଲା କିନ୍ତୁ ଦୁଃଖେ ସୁଖେ ଚଳି ଯାଉଥିଲୁ । ଦୁଇ ବର୍ଷ ଧାନ ନ ହେବାରୁ ଆମର ଏପରି ଦଶା ହୋଇଛି-। ପ୍ରଥମ ବର୍ଷ ଋଣ କରି କୌଣସି ମତେ ଚଳିଲୁ । ଭାବିଥିଲି, ଏ ବର୍ଷ ଧାନ ହେଲେ ଋଣ ପରିଶୋଧ କରିବି । ଏ ବର୍ଷ ମଧ୍ୟ ଧାନ ହେଲା ନାହିଁ । ପୂର୍ବ ଋଣ ପରିଶୋଧ କରି ନ ଥିବାରୁ କେହି ସହଜରେ ଋଣ ଦେଲେ ନାହିଁ । ଘରେ ଯାହା ଜିନିଷପତ୍ର ଥିଲା, ତାହା ବିକ୍ରୟ କରି କିଛିଦିନ ଚଳିଲୁଁ-। ସବୁ ଶେଷ ହେଲାରୁ ଭିକ୍ଷା ଛଡ଼ା ଆଉ ଅନ୍ୟ ଉପାୟ କିଛି ରହିଲା ନାହିଁ । କିନ୍ତୁ ଭିକ୍ଷା ଦେବାକୁ ମଧ୍ୟ ଲୋକ ନାହାନ୍ତି । ଲୋକେ ନିଜେ ଖାଇବାକୁ ପାଉ ନାହାଁନ୍ତି, ଭିକ୍ଷା ଦେବେ କାହୁଁ-? ଖାଦ୍ୟ ଅଭାବରୁ ମୋର ସ୍ତ୍ରୀ ପୀଡ଼ିତ ହୋଇ ପଡ଼ିଛି । ମୋର ବୃଦ୍ଧା ମାତା ଶିଶୁ ପୁତ୍ର ଓ ମୁଁ ଖାଦ୍ୟ ଅଭାବରୁ ପ୍ରାୟ ମରିବାକୁ ବସିଛୁଁ ।” ରସାନନ୍ଦ ସବୁ କଥା ଶୁଣି କିଛି ସ୍ଥିର କରି ପାରିଲେ ନାହିଁ । ସଦାନନ୍ଦଙ୍କୁ ଅଗ୍ରସର ହେବାକୁ କହି ସେ ପାଣି ପିଇବାକୁ ଆସିଥିଲେ; କିନ୍ତୁ ଏହି ପରିବାରକୁ ଏପରି ଅବସ୍ଥାରେ ଛାଡ଼ି ଯିବାକୁ ତାଙ୍କର ମନ ବଳିଲା ନାହିଁ । ସେ କିଛି ସ୍ଥିର କରି ନ ପାରି ସେ ଦିନ ଯିବାର ସଂକଳ୍ପ ତ୍ୟାଗକରି ସେହି ଘରେ ରାତ୍ରିଯାପନ କରିବେ ବୋଲି ଠିକ୍ କଲେ ।

 

ରାତ୍ରରେ ଶୋଇ ଶୋଇ ସେ ଭାବିଲେ, “ମୋର ତ ଏଠାରେ ବିଳମ୍ବ ହୋଇଗଲା; କ’ଣ କରିବି, କିଛି ବୁଝି ପାରୁନାହିଁ । ଯାହାହେଉ କାଲି ବାହାରି ପଡ଼ିବି ।” ତହିଁ ଆର ଦିନ ସକାଳୁ ଉଠି ସେ ଗ୍ରାମକୁ ଯାଇଁ ୭ । ୮ ଦିନ ପାଇଁ ଖାଦ୍ୟଦ୍ରବ୍ୟ କିଣି ଆଣିଲେ, ରାନ୍ଧି ବାଢ଼ି ସେ ପରିବାରର ଲୋକମାନଙ୍କୁ ଖୋଉ ଖୋଉ ବିଳମ୍ବ ହୋଇଗଲା, ସେଦିନ ମଧ୍ୟ ଯାଇ ପାରିଲେ ନାହିଁ । ସେହି କୃଷକର ଶିଶୁପୁତ୍ରଟି ସବୁବେଳେ ତାଙ୍କ ସଙ୍ଗରେ ଥାଏ, ଦିନକ ଭିତରେ ତା ଉପରେ ରସାନନ୍ଦଙ୍କର ଟିକିଏ ମାୟା ଜନ୍ମି ଯାଇଥିଲା । ସେଦିନ ରାତିରେ ଶୋଇ ଶୋଇ ସେ ଭାବିଲେ, ‘ବର୍ତ୍ତମାନ ମୋର କର୍ତ୍ତବ୍ୟ କଣ ? ତୀର୍ଥଦର୍ଶନ କରି ଯିବି ଯିବି ବୋଲି ବାହାରିଥିଲି, ବାଟରେ ଏ କି ପ୍ରତିବନ୍ଧକ ଆସି ଉପସ୍ଥିତ ହେଲା ! ବର୍ତ୍ତମାନ ମୁଁ ଯଦି ଚାଲିଯାଏଁ, ତାହାଲେ ଏହି ଦୁଃସ୍ଥ ପରିବାରଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବ । କିନ୍ତୁ ମୁଁ କ’ଣ କରିବି ? ଯେପରି ହେଉ କାଲି ନିଶ୍ଚୟ ବାହାରି ପଡ଼ିବି-।” ଏହିପରି ଭାବି ସେ ଶୋଇ ପଡ଼ିଲେ । ଶୋଇ ଶୋଇ ସେ ସ୍ଵପ୍ନ ଦେଖିଲେ ଯେ, ସେ ପୁରୀ ଯିବେ ବୋଲି ବାହାରିଅଛନ୍ତି, କିନ୍ତୁ ପଛରୁ ତାଙ୍କୁ ଯେପରି କିଏ ବାଧା ଦେଉଅଛି-। ଫେରି ଦେଖିଲେ, ସେହି କୃଷକର ପୁତ୍ରଟି ତାଙ୍କ ଲୁଗା ଟାଣି ଧରିଅଛି ଏବଂ ଅତି କରୁଣ ସ୍ଵରରେ ତାଙ୍କୁ ଖାଦ୍ୟ ମାଗୁଅଛି । ତାଙ୍କର ଦିନ ଭାଙ୍ଗିଗଲା । ସେ ଭାବିଲେ, “ମୁଁ ବର୍ତ୍ତମାନ ଗଲେ ଚଳିବ ନାହିଁ-। ମୁଁ ବୋଧହୁଏ ଅନେକ ପାପ କରିଛି, ସେଥିଯୋଗୁଁ ଜଗନ୍ନାଥ ଦର୍ଶନ ମୋ କପାଳରେ ନାହିଁ । ପ୍ରଭୁଙ୍କ ଇଚ୍ଛା କିଏ ଜାଣି ପାରିବ ? ସେ ମୋତେ ଏହିଠାରେ ଗୋଟିଏ କାର୍ଯ୍ୟ ଦେଇଛନ୍ତି-। ତାଙ୍କ କାର୍ଯ୍ୟଙ୍କୁ ଅବହେଳା କରି ତାଙ୍କୁ ଦର୍ଶନ କରିବାକୁ ଗଲେ କଣ ସେ ଅଧିକ ସନ୍ତୁଷ୍ଟ ହେବେ-?” ସେ ତତ୍‍ପରଦିନ ଯିବାର ସଂକଳ୍ପ ତ୍ୟାଗ କଲେ ।

 

ସକାଳେ ଉଠି ସେ ଗ୍ରାମକୁ ଯାଇ ହଳ, ବଳଦ ପ୍ରଭୃତି କୃଷିର ଉପଯୋଗୀ ଦ୍ରବ୍ୟାଦି କିଣି ସେହି କୃଷକକୁ ଦେଲେ । ତାହାର ବନ୍ଧକୀ ଜମି ଛଡ଼ାଇ ଆଣିଲେ । ପୁନରାୟ ଧାନ ହେବା ପର୍ଯ୍ୟନ୍ତ ସେମାନେ କ’ଣ ଖାଇବେ ? ସେମାନଙ୍କୁ କିଛି ଧାନ ମଧ୍ୟ କିଣି ଦେଲେ । ତାଙ୍କର ଏହିସବୁ କାର୍ଯ୍ୟ ଦେଖି ସେହି କୃଷକ ପରିବାର ବିସ୍ମୟ ଓ କୃତଜ୍ଞତାରେ ଅଭିଭୂତ ହୋଇପଡ଼ିଲେ । ଜଣେ ଅପରିଚିତ ଲୋକ ଗୋଟିଏ ଦରିଦ୍ର ପରିବାରକୁ ସାହାଯ୍ୟ କରିବାକୁ କିପରି ଏତେ ସ୍ଵାର୍ଥତ୍ୟାଗ କରୁଅଛି, ସେମାନେ ବୁଝି ପାରିଲେ ନାହିଁ । ସେମାନେ ତାଙ୍କୁ ସାକ୍ଷାତ୍ ଈଶ୍ଵରଙ୍କ ଦୂତ ସ୍ଵରୂପ ମଣି ଭକ୍ତି କରୁଥାନ୍ତି । ଏଣେ ରସାନନ୍ଦ ଦେଖିଲେ ଯେ, କୃଷକର ପ୍ରୟୋଜନୀୟ ଦ୍ରବ୍ୟାଦି କିଣି ସାରି ତାଙ୍କ ପାଖରେ ଏତେ ଅଳ୍ପ ଟଙ୍କା ଅଛି ଯେ ସେଥିରେ କୌଣସିମତେ ସେ ଘରକୁ ଫେରି ଯାଇଁ ପାରିବେ; କିନ୍ତୁ ପୁରୀ ଯାଇ ତୀର୍ଥଦର୍ଶନ ସମାଧାନ କରିବା ଅସମ୍ଭବ । ନାନା ଆନ୍ଦୋଳନ ପରେ ସେ ଘରକୁ ଫେରିଯିବାହିଁ ସ୍ଥିର କଲେ । ତାଙ୍କର ଅଭିପ୍ରାୟ ସେହି କୃଷକ ପରିବାରକୁ କହିଲେ; କିନ୍ତୁ ସେମାନେ ତାଙ୍କୁ ଆଉ କିଛିଦିନ ସେମାନଙ୍କ ପାଖରେ ରହିବାକୁ ପୁନଃ ପୁନଃ ଅନୁରୋଧ କରିବାକୁ ଲାଗିଲେ । ଏହିପରି କେତେଟା ଦିନ ଚାଲିଗଲା । ଯିବାକଥା କହିଲେ ସେହି ପରିବାରର ଲୋକମାନେ ତାଙ୍କ କଥାରେ କର୍ଣ୍ଣପାତ କରନ୍ତି ନାହିଁ । ସୁତରାଂ ଦିନେ ରାତିରେ ଉଠି କାହାକୁ କିଛି ନ କହି ସେ ବାହାରି ପଡ଼ିଲେ ଏବଂ ଯଥା ସମୟରେ ଆସି ଗ୍ରାମରେ ପହଞ୍ଚିଲେ । ସେ ନିରାପଦରେ ଫେରି ଆସିଥିବାର ଦେଖି ପରିବାରବର୍ଗ ଅତ୍ୟନ୍ତ ଆନନ୍ଦିତ ହେଲେ; କିନ୍ତୁ ସେ ପୁରୀ ଯାଇ ନ ଥିବା କଥା ଶୁଣି ଗ୍ରାମର ସମସ୍ତେ ଅତ୍ୟନ୍ତ ବିସ୍ମିତ ହେଲେ । ସେ କହିଲେ, ‘ପ୍ରଭୁଙ୍କର ଦୟା ନ ହେଲେ କାହୁଁ ତାଙ୍କର ଦର୍ଶନ ପାଇବି ? ସୁତରାଂ ବାଟରେ ନାନା ବାଧା ଆସି ଉପସ୍ଥିତ ହେଲା, ମୁଁ ଫେରି ଆସିଲି ।”

 

ଏଣେ ରସାନନ୍ଦ ପାଣି ପିଇବାପାଇଁ ଗ୍ରାମ ଆଡ଼କୁ ଗଲା ପରେ ସଦାନନ୍ଦ ତାଙ୍କୁ ଅପେକ୍ଷା କରି ଆସ୍ତେ ଆସ୍ତେ ଚାଲିବାକୁ ଲାଗିଲେ । କିନ୍ତୁ ସେଦିନ ରସାନନ୍ଦ ଆସିଲେ ନାହିଁ । ସଦାନନ୍ଦ ଭାବିଲେ, କୌଣସି କାରଣରୁ ବୋଧହୁଏ ରସାନନ୍ଦର ବିଳମ୍ବ ହୋଇଯାଇଥିବ, କାଲି ନିଶ୍ଚୟ ସେ ମୋତେ ଭେଟିବ । କିନ୍ତୁ ତହିଁଆର ଦିନ ମଧ୍ୟ ସେ ଆସିଲେ ନାହିଁ । ତେଣୁ ସଦାନନ୍ଦ ଭାବିଲେ, ରସାନନ୍ଦ ବୋଧହୁଏ ଅନ୍ୟବାଟେ ଯାଇଥିବେ । ପୁରୀରେ ତାଙ୍କ ସଙ୍ଗରେ ଦେଖା ହେବ ଭାବି ସେ ଆଉ ତାଙ୍କ ପାଇଁ ଅପେକ୍ଷା ନକରି ଚାଲିଗଲେ ଏବଂ ଯଥା ସମୟରେ ପୁରୀରେ ପହଞ୍ଚିଲେ । ଚାରିଆଡ଼େ ପଣ୍ଡାମାନେ ଆସି ଘେରିଗଲେ । ସେ ଅନେକ ଭାବି ଗୋଟିଏ ପଣ୍ଡା ସ୍ଥିର କଲେ ଏବଂ ତାହା ସାହଯ୍ୟରେ ଗୋଟିଏ ବସା ଠିକ୍ କଲେ । ବସାରେ ସବୁ ଠିକ୍ କରି ସେ ରସାନନ୍ଦଙ୍କୁ ଖୋଜିବାକୁ ଯିବେ ବୋଲି ଭାବିଲେ । ବିଦେଶରେ ଚୋରିର ସମ୍ଭାବନା ଥିବାରୁ ଟଙ୍କା ଥଳିଟି ଖୁବ୍ ସତର୍କଭାବରେ ସଙ୍ଗେ ସଙ୍ଗେ ନେଇ ବୁଲୁଥାନ୍ତି । ଅନେକ ଖୋଜି ମଧ୍ୟ କେଉଁଠାରେ ରସାନନ୍ଦଙ୍କ ସନ୍ଧାନ ପାଇଲେ ନାହିଁ । ତାଙ୍କ ସମ୍ବନ୍ଧରେ ନିରାଶ ହୋଇ ସେ ପଣ୍ଡା ସାହାଯ୍ୟରେ ପୁରୀର ଦର୍ଶନୀୟ ସ୍ଥାନ ସବୁ ଦେଖିବାକୁ ବାହାରିଲେ । ଦିନଯାକ ବୁଲି ବୁଲି ସନ୍ଧ୍ୟା ସମୟରେ ଆରତି ଦେଖିବାପାଇଁ ମନ୍ଦିରକୁ ଆସିଲେ । ସେଠାରେ ଭିଡ଼ ଭିତରେ ସ୍ଥାନ ପାଇବା ଅତ୍ୟନ୍ତ ଦୁଷ୍କର-। ପଣ୍ଡା ସାହାଯ୍ୟରେ ଅତି କଷ୍ଟରେ ଟିକିଏ ସ୍ଥାନ ପାଇଲେ । ଆରତି ଆରମ୍ଭ ହେଲା-। ସହସ୍ର ଲୋକ ଭକ୍ତିପୂର୍ଣ୍ଣ ଚିତ୍ତରେ ଆରତି ଦେଖୁଅଛନ୍ତି ଓ ଜଗନ୍ନାଥଙ୍କର ଜୟଗାନ କରୁଛନ୍ତି-। ଭିଡ଼ ଭିତରେ ଚୋରି ହେବାର ଖୁବ୍ ସମ୍ଭାବନା; ସୁତରାଂ ସଦାନନ୍ଦ ଗୋଟିଏ ହାତରେ ଟଙ୍କାଥଳିଟି ଖୁବ୍ ଶକ୍ତ କରି ଧରି ଠିଆ ହାଇଥାନ୍ତି । ଆରତି ପ୍ରାୟ ଶେଷ ହେଉଅଛି, ଏପରି ସମୟରେ ଠିକ୍ ଜଗନ୍ନାଥଙ୍କ ସମ୍ମୁଖରେ ଗୋଟିଏ ଲୋକ ତାଙ୍କ ଦୃଷ୍ଟି ଆକର୍ଷଣ କଲା । ସେହି ଲୋକଟି ହାତ ଯୋଡ଼ି ଠାକୁରଙ୍କ ଆଡ଼କୁ ଅନାଇ ସେଠାରେ ଠିଆ ହୋଇଅଛି । ତାହାର ମୁଖ ଭକ୍ତିଭାବରେ ପୂର୍ଣ୍ଣ-। ସଦାନନ୍ଦ ଭଲକରି ଦେଖି ତାକୁ ରସାନନ୍ଦ ବୋଲି ଚିହ୍ନି ପାରିଲେ କିନ୍ତୁ ସେ ଏତେ ନିକଟକୁ କିପରି ଗଲା ? ସେ ନିଶ୍ଚୟ ଖୁବ୍ ଭଲ ପଣ୍ଡା ପାଇଥିବ । ଏହିପରି ଭାବି ରସାନନ୍ଦଙ୍କୁ ଦେଖିଲେ ବୋଲି ଖୁବ୍ ଆନନ୍ଦିତ ହୋଇ ସଦାନନ୍ଦ ବାହାରେ ତାଙ୍କ ପାଇଁ ଅପେକ୍ଷା କରି ଠିଆହେଲେ-। କ୍ରମେ କ୍ରମେ ସମସ୍ତ ଲୋକ ଚାଲିଗଲେ କିନ୍ତୁ ରସାନନ୍ଦଙ୍କୁ ସେ ଦେଖିପାରିଲା ନାହିଁ । ସେ ଦିନ ବସାକୁ ଫେରିଗଲେ । ତହିଁ ଆରଦିନ ପୁଣି ତାଙ୍କ ପଣ୍ଡାଙ୍କୁ ସଙ୍ଗରେ ନେଇ ସେ ପୁରୀରେ ଯାତ୍ରୀମାନଙ୍କ ବାସସ୍ଥାନ ସମସ୍ତ ତନ୍ନ ତନ୍ନ ଖୋଜିଲେ, କିନ୍ତୁ କୌଣସିଠାରେ ରସାନନ୍ଦ କିମ୍ବା ସେହି ଆକୃତିର କୌଣସି ଲୋକର ସନ୍ଧାନ ପାଇଲେ ନାହିଁ । ସେଦିନ ମଧ୍ୟ ସନ୍ଧ୍ୟାବେଳେ ଆରତି ଦେଖିବାକୁ ଗଲେ-। ସେ ଦିନ ମଧ୍ୟ ରସାନନ୍ଦଙ୍କୁ ପୂର୍ବଦିନ ଯେଉଁଠି ଦେଖିଥିଲେ ଠିକ୍ ସେହିଠାରେ ଦେଖିଲେ-। ସେଦିନ ସେ ରସାନନ୍ଦଙ୍କ ସଙ୍ଗରେ ଯେ କୌଣସି ରୂପେ ଦେଖା କରିବେ ବୋଲି ଭାବିଲେ-। ଯେତେବେଳେ ଯାତ୍ରୀମାନେ ଫେରିବାକୁ ଆରମ୍ଭ କଲେ, ସେ ପ୍ରତ୍ୟକକୁ ଖୁବ୍ ଭଲକରି ଦେଖିବାକୁ ଲାଗିଲେ; କିନ୍ତୁ ରସାନନ୍ଦଙ୍କୁ ପାଇଲେ ନାହିଁ । ସେ ସାତଦିନ ପୁରୀରେ ରହିଲେ । ପ୍ରତିଦିନ ମନ୍ଦିରକୁ ଯାଇ ଦେଖନ୍ତି, ରସାନନ୍ଦ ସର୍ବ ପ୍ରଥମରେ ହାତଯୋଡ଼ି ଠିଆ ହୋଇଅଛନ୍ତି, କିନ୍ତୁ ପରେ ଅନେକ ଖୋଜି ଆଉ ତାହାଙ୍କୁ ପା’ନ୍ତି ନାହିଁ । ତୀର୍ଥଦର୍ଶନ ଶେଷ କରି ସେ ଗୃହାଭିମୁଖରେ ଯାତ୍ରା କଲେ ଏବଂ ଯଥାସମୟରେ ଗ୍ରାମରେ ଆସି ପହଞ୍ଚିଲେ । ଆସି ଦେଖିଲେ, ସେ ଯେଉଁ ଘର ଆରମ୍ଭ କରି ଯାଇଥିଲେ,ତାକୁ ଶେଷ କରିବାପାଇଁ ତାଙ୍କ ବଡ଼ ପୁଅ ହାତରେ ଯେଉଁ ଟଙ୍କା ଦେଇ ଯାଇଥିଲେ; ତାହା ସେ ନାନା ବାଜେ ଖର୍ଚ୍ଚରେ ଶେଷ କରିଅଛି, ଘର ସେହି ଅବସ୍ଥାରେ ପଡ଼ିଅଛି-। ଧାନକଟା ପ୍ରଭୃତି ସମ୍ବନ୍ଧରେ ମଧ୍ୟ ସେ ଯେପରି ଉପଦେଶ ଦେଇ ଯାଇଥିଲେ, ତଦନୁସାରେ କାର୍ଯ୍ୟ ହୋଇ ନାହିଁ । ଏହି ସବୁ କାରଣରୁ ବିରକ୍ତ ଓ ବ୍ୟସ୍ତ ହୋଇ ସେ ୨।୩ ଦିନ ଘରୁ ବାହାରି ପାରିଲେ ନାହିଁ । ରସାନନ୍ଦ ଫେରି ଆସିଅଛନ୍ତି ବୋଲି ସେ ଶୁଣିଥିଲେ, ୨।୩ ଦିନ ପରେ ତାଙ୍କ ସଙ୍ଗରେ ସାକ୍ଷାତ୍ କରିବାକୁ ଗଲେ । ଫେରି ଆସିବାର କାରଣ ପଚାରିବାରୁ ରସାନନ୍ଦ ବିସ୍ତାରିତ ଭାବରେ ତାଙ୍କୁ ସବୁ କହି ଅବଶେଷରେ କହିଲେ, “ଭାଇ, ମୁଁ ଏ ସବୁ ଆଉ କାହାକୁ କହି ନାହିଁ, କେବଳ ତୁମକୁ କହିଲି । ମୁଁ ପାପୀ, ମୋ ଭାଗ୍ୟରେ କାହୁଁ ପ୍ରଭୁଙ୍କ ଦର୍ଶନ ଘଟିବ ? କିନ୍ତୁ ମୋର ମନେ ହେଲା, ମୁଁ ଯଦି ଏହି ଦୁସ୍ଥ ପରିବାରକୁ ତ୍ୟାଗ କରି ଯାଏଁ, ତାହା ହେଲେ ସେ କଣ ମୋ ପ୍ରତି ସନ୍ତୁଷ୍ଟ ହେବେ ? ତାଙ୍କ କାର୍ଯ୍ୟକୁ ଅବହେଳା କରି ତାଙ୍କୁ ଦର୍ଶନ କରିବାରେ କିଛି ଲାଭ ନାହିଁ ବୋଲି ଭାବି ମୁଁ ଫେରି ଆସିଲି ।’’ ସବୁ କଥା ଶୁଣି ସଦାନନ୍ଦଙ୍କର ପୁରୀରେ ରସାନନ୍ଦଙ୍କୁ ଯେପରି ଭାବରେ ଜଗନ୍ନାଥଙ୍କ ସମ୍ମୁଖରେ ଦେଖିଥିଲେ, ସେ କଥା ମନେ ପଡ଼ିଲା । ସେ କହିଲେ, “ମୁଁ ଦୀର୍ଘ ପଥ ଅତିକ୍ରମ କରି ପୁରୀ ପର୍ଯ୍ୟନ୍ତ ଯାଇ ଜଗନ୍ନାଥ ଦର୍ଶନ କଲି ସତ୍ୟ, କିନ୍ତୁ ସେ ମୋର ପୂଜା ଗ୍ରହଣ କରିଛନ୍ତି କି ନାହିଁ ମୁଁ ଜାଣେ ନାହିଁ । ମାତ୍ର ତୁମେ କାର୍ଯ୍ୟରେ ତାଙ୍କର ଯେଉଁ ସେବା କଲ, ସେ ସେବା ସେ ଗ୍ରହଣ କରିଛନ୍ତି, ତାହା ମୁଁ ନିଶ୍ଚିତଭାବରେ କହିପାରେ ।” ସଦାନନ୍ଦ ମୁଖରୁ ଏହି ପ୍ରଶଂସା ଶୁଣି ଲଜ୍ଜିତ ହୋଇ ରସାନନ୍ଦ ଆଉ ସେ ବିଷୟରେ କିଛି କହିବାକୁ ଅବସର ନ ଦେଇ ଅନ୍ୟ ପ୍ରସଙ୍ଗ ପକାଇଲେ ।

Image

 

ପ୍ରସାଦ

ଅପେକ୍ଷା

 

ଅନନ୍ତରାମ ବିଜୟନଗରର ଜଣେ ଧନୀ ବଣିକ । ଅବସ୍ଥା ସ୍ୱଚ୍ଛଳ–ସହର ମଧ୍ୟରେ ଦୁଇଖଣ୍ଡି ଦୋକାନ ଓ ନିଜର ଖଣ୍ଡିଏ ଘର ଥିଲା । ଯୁବା ବୟସରେ ଅନନ୍ତର ମଦ୍ୟପାନ ପ୍ରଭୃତି କେତେକ କୁଅଭ୍ୟାସ ଥିଲା, କିନ୍ତୁ ପରେ ସେସବୁ ଛାଡ଼ିଦେଇ ବିବାହ କରି ବେଶ ସୁଖରେ ସଂସାର କରୁଥାଏ । ନିଜେ ସୁପୁରୁଷ ସଙ୍ଗୀତଜ୍ଞ ଓ ଆମୋଦପ୍ରିୟ; ଗୃହିଣୀ ସୁନ୍ଦରୀ ଓ ସୁଶୀଳା, ପୁତ୍ରକନ୍ୟାଗୁଡ଼ିକ ଶାନ୍ତ ଶିଷ୍ଟ–ସୁତରାଂ ଆନନ୍ଦରେ ଦିନ କାଟୁଥାଏ ।

 

ପ୍ରୟାଗର ମେଳା ନିକଟବର୍ତ୍ତୀ–ବହୁ ଲୋକଙ୍କର ସମାଗମ ହେବ । ଅନନ୍ତରାମ ବ୍ୟବସାୟ ଉଦ୍ଦେଶ୍ୟରେ ସେଠାକୁ ଯିବାକୁ ବାହାରିଲା । କିନ୍ତୁ ଯେତେବେଳେ ପରିବାରର ଲୋକଙ୍କ ପାଖକୁ ବିଦାୟ ନେବାକୁ ଗଲା, ତାହାର ସ୍ତ୍ରୀ କହିଲା, ''ନା, ତୁମେ ଯାଅ ନାହିଁ, ମୁଁ ତୁମ ସମ୍ବନ୍ଧରେ ଅତ୍ୟନ୍ତ ଦୁଃସ୍ୱପ୍ନ ଦେଖିଛି ।’’ ଅନନ୍ତ ସେ କଥାକୁ ହସରେ ଉଡ଼ାଇ ଦେଇ କହିଲା ''ତୁମେ ଏଡ଼େ ଭୀରୁ-! ତୁମେ କ’ଣ ଭାବୁଛ, ମୁଁ ହଜିଯିବି ।” ତାହାର ସ୍ତ୍ରୀ କହିଲା, ''କେଜାଣି କାହିଁକି ମୋ ମନରେ ବଡ଼ ଭୟ ହେଉଛି । ବାସ୍ତବିକ ମୁଁ ବଡ଼ ଦୁଃସ୍ୱପ୍ନ ଦେଖିଛି । ମୁଁ ସ୍ୱପ୍ନ ଦେଖିଲି, ତୁମେ ଫେରି ଆସିଛ, କିନ୍ତୁ ଏହି କେତେଟା ଦିନରେ ତୁମର ମୁଣ୍ଡ ବାଳ ସବୁ ପାଚି ଯାଇଛି ।”

 

ଅନନ୍ତ ପୁନରାୟ ହାସ୍ୟ କରି କହିଲା, ''ଏ ତ ଖୁବ୍ ଭଲ ସ୍ୱପ୍ନ । ତୁମେ ଦେଖିବ, ମୁଁ ବ୍ୟବସାୟରେ ଖୁବ୍ ଲାଭ କରି ତୁମପାଇଁ କେତେ ସୁନ୍ଦର ସୁନ୍ଦର ପଦାର୍ଥ ଘେନି ଫେରି ଆସିବି ।” ଯଥାସମୟରେ ସେ ଦ୍ରବ୍ୟ-ସମ୍ଭାର, ଅର୍ଥାଦି ଘେନି ଯାତ୍ରା କଲା । କିଛିଦୂର ଗଲାରୁ ତାହାର ପରିଚିତ ଆଉ ଜଣେ ବଣିକ ସଙ୍ଗରେ ତାହାର ସାକ୍ଷତ୍ ହେଲା । ଦୁହେଁ ଏକ ସଙ୍ଗରେ ସେଦିନ ଗୋଟିଏ ପାନ୍ଥଶାଳରେ ଆଶ୍ରୟ ନେଲେ । ଖାଇସାରି ଦୁଇଜଣ ଦିଓଟି ଘରେ ବିଶ୍ରାମ କରିବାକୁ ଗଲେ । ଅନନ୍ତ ତହିଁ ଆରଦିନ ପ୍ରଭାତରୁ ଉଠି ଯାତ୍ରା କରିବ ବେଲି ସ୍ଥିର କରିଥିଲା; ଅନ୍ଧାର ଥାଉଁ ଥାଉଁ ଉଠି ନିଜର ଗନ୍ତବ୍ୟ ସ୍ଥାନ ଆଡ଼କୁ ଯାତ୍ରାକଲା ।

 

ମଧ୍ୟାହ୍ନ ସମୟରେ ସେ ଟିକିଏ ବିଶ୍ରାମ କରିବାପାଇଁ ଗୋଟିଏ ଚଟିଘର ପାଖରେ ବସିଛି, ଏପରି ସମୟରେ ସେଠାରେ ଖଣ୍ଡିଏ ଗାଡ଼ି ଆସି ପହଞ୍ଚିଲା । ସେହି ଗାଡ଼ିରୁ ତିନିଜଣ ପୁଲିସ କର୍ମଚାରୀ ଓହ୍ଲାଇ ଅନନ୍ତ ପାଖକୁ ଆସି ତାହାର ନାମ, ଧାମ ସବୁ ପଚାରିଲେ । ଠିକ୍ ଉତ୍ତର ପାଇ ସେମାନେ ପୁନରାୟ ତାକୁ ପଚାରିଲେ, ''କାଲି ତୁମେ କେଉଁଠାରେ ଓ କାହା ସଙ୍ଗରେ ରାତ୍ରିଯାପନ କରିଥିଲ ? ଯେଉଁ ବଣିକ ସଙ୍ଗରେ ତୁମେ ରାତ୍ରିଯାପନ କରିଥିଲ, ସକାଳେ କଣ ତାକୁ ଦେଖିଛ ? ଭୋର ନ ହେଉଣୁ ତୁମେ କାହିଁକି ପାନ୍ଥଶାଳା ଛାଡ଼ି ଚାଲିଆସିଲ ?”

 

ଏହି ସବୁ ପ୍ରଶ୍ନ ଶୁଣି ଅନନ୍ତ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲା, ''ତୁମ୍ଭେମାନେ କାହିଁକି ଏତେ ପ୍ରଶ୍ନ କରୁଛ ? ମୁଁ ମୋର କାର୍ଯ୍ୟରେ ଯାଉଛି, ମତେ ଏତେ ପ୍ରଶ୍ନ କରିବାର କିଛି ପ୍ରୟୋଜନ ନାହିଁ ।”

 

ପୁଲିସ୍ କର୍ମଚାରୀ ଏହି କଥା ଶୁଣି କହିଲା, ''ମୁଁ ଏହି ପ୍ରଦେଶର ପୁଲିସ୍ କର୍ମଚାରୀ, ତୁମକୁ ଏହିପରି ପ୍ରଶ୍ନ କରିବାର କାରଣ ଅଛି । କାଲି ଯେଉଁ ବଣିକ ତୁମେ ରାତ୍ରିଯାପନ କରିଥିଲ, ତାକୁ କିଏ ହତ୍ୟା କରିଛି । ତୁମର ବାକ୍‌ସ ପ୍ରଭୃତି ଆମ୍ଭେମାନେ ତଲାସ୍ କରିବୁ ।”

 

ସେମାନେ ଚଟିକୁ ଯାଇ ଅନନ୍ତର ସମସ୍ତ ଦ୍ରବ୍ୟାଦି ଦେଖିବାକୁ ଆରମ୍ଭ କଲେ । ଦେଖୁଁ ଦେଖୁଁ ଗୋଟାଏ ବ୍ୟାଗ୍ ଭିତରୁ ଖଣ୍ଡିଏ ଛୁରି ବାହାରିଲା । ସେମାନେ ଅନନ୍ତକୁ ପଚାରିଲେ, ଏ କାହାର ଛୁରି ?’’ ଅନନ୍ତ ଖଣ୍ଡିଏ ରକ୍ତାକ୍ତ ଛୁରି ଦେଖି ଅତ୍ୟନ୍ତ ଭୀତ ହୋଇ ଅବାକ୍ ହୋଇ ଚାହିଁ ରହିଲା । ‘‘ଏ ଛୁରିରେ ରକ୍ତ କେଉଁଠାରୁ ଆସିଲା !’’ ଅନନ୍ତ ଉତ୍ତର ଦେବାକୁ ଚେଷ୍ଟା କଲା, କିନ୍ତୁ ଭୟରେ କିଛି କହି ପାରିଲା ନାହିଁ । ଅବଶେଷରେ ଅସ୍ପଷ୍ଟଭାବରେ କହିଲା, ''ମୁଁ ଜାଣେ ନାହିଁ, ଏ ମୋର ନୁହେ ।”

 

ଏହି କଥା ଶୁଣି ପୁଲିସ୍ କର୍ମଚାରୀ କହିଲା, “ଆଜି ସକାଳେ ଦେଖାଗଲା ଯେ, ସେହି ବଣିକକୁ ରାତ୍ରିରେ କିଏ ହତ୍ୟା କରିଛି । ନିଶ୍ଚୟ ତୁମେ ଏହା କରିଛ, କାରଣ ସେହି ଘର ଭିତର ପାଖରୁ ବନ୍ଦ ହୋଇଥିଲା ଏବଂ ଆଉ କେହି ସେଠାରେ ନ ଥିଲେ । ତାହା ଛଡ଼ା ତୁମର ବ୍ୟବହାର ଓ କଥାରୁ ତୁମେ ଦୋଷୀ ବୋଲି ସ୍ପଷ୍ଟ ବୁଝାଯାଉଛି । ତୁମେ କିପରି ତାକୁ ହତ୍ୟା କଲ ଓ କେତେ ଟଙ୍କା ନେଇଛ, ମତେ କହ ।”

 

ଅନନ୍ତ ଅନେକ ପ୍ରକାରେ ନିଜକୁ ନିର୍ଦ୍ଦୋଷ ବୋଲି ଜ୍ଞାପନ କଲା । ସେ କହିଲା, ସେ ରାତି ଭିତରେ ସେ ସେହି ବଣିକକୁ ଆଦୌ ଦେଖି ନାହିଁ ଆଉ ମଧ୍ୟ ତାହା ପାଖରେ ତାହାର ନିଜର ଆଠହଜାର ଟଙ୍କା ଛଡ଼ା ଆଉ କିଛି ନାହିଁ । କିନ୍ତୁ ସେ ଏଡ଼େ ଭୀତ ହୋଇଥିଲା ଯେ, ତାହାର କଥା ଓ ବ୍ୟବହାରରୁ ସେ ଦୋଷୀ ବୋଲି ମନେ ହେଉଥିଲା । ପୁଲିସ୍ ତାକୁ ଗ୍ରେପ୍ତାର କରି ନେଇ ନିକଟବର୍ତ୍ତୀ ଗୋଟିଏ ସହରର ଜେଲଖାନାରେ ରଖିଲେ । ବିଜୟନଗରରେ ତାହାର ଚରିତ୍ର ସମ୍ବନ୍ଧରେ ଅନୁସନ୍ଧାନ ହେଲା । ପ୍ରତିବେଶୀମାନେ କହିଲେ, ଆଗେ ଯଦିବା ସେ ମଦ୍ୟପାନ କରୁଥିଲା ଏବଂ ଅନେକ ସମୟ ବୃଥା ନଷ୍ଟ କରୁଥିଲା, ପରେ ତାହାର ଚରିତ୍ର ସଂଶୋଧନ କରି ସତ୍ ଭାବରେ ଜୀବନ କଟାଉଥିଲା । ସେ ଜଣେ ଉତ୍ତମ ଲୋକ ବୋଲି ସମସ୍ତେ ତାକୁ ଜାଣନ୍ତି । ଏଣେ ବିଚାରର ସମୟ ଉପସ୍ଥିତ ହେଲା । ସେ ବଣିକକୁ ହତ୍ୟା କରି କୋଡ଼ିଏ ହଜାର ଟଙ୍କା ଚୋରି କରିଅଛି ବୋଲି ଅଭିଯୁକ୍ତ ହୋଇଥିଲା ।

 

ଅନନ୍ତର ସ୍ତ୍ରୀ ଏହି ସବୁ ବିବରଣ ଶୁଣି ହତବୁଦ୍ଧି ହୋଇ ପଡ଼ିଲା–ତାକୁ ଦଶଦିଗ ଅନ୍ଧାର ଦିଶିଲା । ବହୁ କଷ୍ଟରେ ଧୈର୍ଯ୍ୟ ଧରି ସେ ପିଲାମାନଙ୍କୁ ସଙ୍ଗରେ ଘେନି ସ୍ୱାମୀ ସଙ୍ଗରେ ଦେଖା କରିବାକୁ ବାହାରିଲା । ଖୁଣୀ ଆସାମୀ–ଦେଖା ହେବା ସହଜ ନୁହେ । କିନ୍ତୁ ଅନେକ ଚେଷ୍ଟା ଓ ପ୍ରାର୍ଥନାରେ ସେ ଅନୁମତି ପାଇ ସ୍ୱାମୀ ସଙ୍ଗରେ ଦେଖାକଲା । କାରାଗୃହରେ ମଳିନ ବେଶରେ ସ୍ୱାମୀକୁ ଦେଖି ସ୍ତ୍ରୀର ହୃଦୟ ବିଦୀର୍ଣ୍ଣ ହୋଇଗଲା । ଅବଶେଷରେ ଧୈର୍ଯ୍ୟାବଲମ୍ବନ କରି ସ୍ୱାମୀ ନିକଟରୁ ପ୍ରକୃତ ଘଟଣା ଶୁଣିବାକୁ ଇଚ୍ଛା କଲା । ଅନନ୍ତଠାରୁ ସବୁ କଥା ଶୁଣି ସେ କହିଲା, “ମୁଁ ତ ତୁମକୁ ସେଦିନ ଯାତ୍ରା କରିବାକୁ ମନା କରୁଥିଲି । ମୋ କଥା ଶୁଣିଥିଲେ ଏପରି ହୋଇ ନ ଥାନ୍ତା ।” କିଛିକ୍ଷଣ ପରେ ପୁଣି ତାର ସ୍ଵାମୀକୁ ପଚାରିଲା, “ମୁଁ ତୁମର ସ୍ତ୍ରୀ, ମତେ ସତ କରି କହ, ତୁମେ କଣ ଏ କାର୍ଯ୍ୟ କରିଛ ।” ତାର ସ୍ତ୍ରୀ ମଧ୍ୟ ତାକୁ ଏପରି ସନ୍ଦେହ କରୁଅଛି ଦେଖି ସେ ଦୁଃଖରେ କାନ୍ଦିବାକୁ ଆରମ୍ଭ କରିଥିଲା । ଏତିକିବେଳେ ଜଣେ କର୍ମଚାରୀ ଆସି କହିଲା ଯେ, ସମୟ ହୋଇ ଯାଇଅଛି, ଆଉ ସେମାନେ କଥା କହିପାରିବେ ନାହିଁ । ସ୍ତ୍ରୀ ସ୍ଵାମୀଠାରୁ ବିଦାୟ ନେଇ ଘରକୁ ଗଲା ।

 

ସ୍ତ୍ରୀ ଚାଲିଗଲା ପରେ ଅନନ୍ତ ବସି ତାହାର ଦୁର୍ଭାଗ୍ୟ କଥା ଭାବିବାକୁ ଲାଗିଲା । ସମସ୍ତେ ତାକୁ ସନ୍ଦେହ କରୁଛନ୍ତି, ଏପରି କି, ତାହାର ସ୍ତ୍ରୀ ମଧ୍ୟ ତାହାକୁ ସନ୍ଦେହ କରୁଛି । ଏହିପରି ଭାବି ଭାବି ସେ ମନେ ମନେ କହିଲା, “ଏକମାତ୍ର ଈଶ୍ଵର ସତ୍ୟ ଜାଣନ୍ତି, ସୁତରାଂ ସେ ଯାହା କରିବେ । ମୋର ଆଉ କିଛି କରିବାର ନାହିଁ ।” ପରେ ସେ ଆଉ ନିଜକୁ ରକ୍ଷା କରିବାକୁ କିଛି କହିଲା ନାହିଁ । ବିଚାରରେ ସେ ଦୋଷୀ ସାବ୍ୟସ୍ତ ହୋଇ ନିର୍ବାସିତ ହେଲା ।

 

୨୦ ବର୍ଷ ଅତୀତ ହୋଇଅଛି । ଅନନ୍ତ ନିର୍ବାସିତ ହୋଇ ବନ୍ଦୀ ଦଶାରେ ଏ ଦୀର୍ଘକାଳ କଟାଇଅଛି । ତାହାର ସ୍ୱଭାବ ଚରିତ୍ର ଦେଖି ସରକାରୀ କର୍ମଚାରୀମାନେ ତାକୁ ବିଶ୍ୱାସ କରନ୍ତି । କଏଦୀମାନେ ତାକୁ ଶ୍ରଦ୍ଧା କରନ୍ତି । କଏଦୀମାନଙ୍କ ଭିତରେ ପରସ୍ପର କଳହ ବିବାଦ ହେଲେ ଅନନ୍ତ ମଧ୍ୟସ୍ଥ ହୋଇ ଭାଙ୍ଗିଦିଏ ।

 

ଦିନେ ଦଳେ ନୂଆ କଏଦୀ ଆସି ସେଠାରେ ପହଞ୍ଚିଲେ । ସନ୍ଧ୍ୟା ସମୟରେ ପୁରାତନ କଏଦୀମାନେ ସେମାନଙ୍କ ପାଖକୁ ଯାଇ ସେମାନଙ୍କ ଘର କେଉଁଠାରେ, କି ଦୋଷରେ ସେମାନେ ନିର୍ବାସିତ ହୋଇଅଛନ୍ତି, ଇତ୍ୟାଦି ପ୍ରଶ୍ନ କଲେ । ଅନନ୍ତ ମଧ୍ୟ ବସି ସବୁ ଶୁଣୁଥିଲା । ନୂଆ କଏଦୀମାନଙ୍କ ମଧ୍ୟରୁ ଜଣେ କହିଲା, “ମୁଁ ଗୋଟିଏ ଘୋଡ଼ା ଚୋରି କରିଥିଲି ବୋଲି ଦଣ୍ଡ ପାଇଛି-। ମୁଁ ଘୋଡ଼ାଟା ଚୋରି କରି ନାହିଁ । ଶୀଘ୍ର ଘରେ ପହଞ୍ଚିବି ବୋଲି ଜଣକ ଘରୁ ଘୋଡ଼ା ଫିଟାଇ ନେଇ ଘରେ ପହଞ୍ଚି ଘୋଡ଼ାଟାକୁ ଛାଡ଼ିଦେଲି; କିନ୍ତୁ କେହି ମୋ କଥା ବିଶ୍ଵାସ କଲେ ନାହିଁ-। ମୁଁ ଚୋରି କରିଛି ବୋଲି ମତେ ଦଣ୍ଡ ଦେଲେ । ଅନେକ ଦିନ ଆଗରୁ, ମୁଁ ଏପରି ଗୋଟାଏ କାର୍ଯ୍ୟ କରିଥିଲି, ଯହିଁରେ ମୋର ଦଣ୍ଡ ପାଇବା ଉଚିତ ଥିଲା; କିନ୍ତୁ ସେଥର ମୋତେ କେହି ଧରି ପାରିଲେ ନାହିଁ ।’’ ସେହି ଲୋକଟିର ବୟସ ପ୍ରାୟ ପଚାଶ ବର୍ଷ ହେବ–ବେଶ୍‍ ଦୀର୍ଘାକୃତି, ସୁସ୍ଥ ଓ ବଳିଷ୍ଠ-। ଜଣେ ତାକୁ ପଚାରିଲା, ‘‘ତୁମ ଘର କେଉଁଠାରେ ? ତୁମ ନାମ କ’ଣ ?’’ ଉତ୍ତର–‘‘ମୋର ଘର ବିଜୟନଗର–ମୋର ନାମ ଶ୍ରୀକର ।’’

 

ଏହି କଥା ଶୁଣି ଅନନ୍ତ ପଚାରିଲା, ‘‘ବିଜୟନଗରରେ ତୁମ ଘର ? ସେଠାରେ ଅନନ୍ତ ରାମ ବୋଲି ଜଣେ ବଣିକ ଥିଲା; ତାହାର ପରିବାରର ଅବସ୍ଥା କିପରି ତୁମେ କିଛି ଜାଣ ?’’

 

ଶ୍ରୀକର–‘‘ଅନନ୍ତରାମ ପରିବାରଙ୍କୁ ମୁଁ ଜାଣେ । ଅନନ୍ତ କଣ ଦୋଷ କରିଥିଲା ବୋଲି ନିର୍ବାସନ ଦଣ୍ଡ ପାଇଛି । ତାହାର ପରିବାରର ଅବସ୍ଥା ବର୍ତ୍ତମାନ ବେଶ୍‍ ସ୍ୱଚ୍ଛଳ । ଆଚ୍ଛା, ତୁମେ କିପରି ଏଠାକୁ ଆସିଲ ?’’

 

ଅନନ୍ତ ଦୀର୍ଘନିଶ୍ୱାସ ପକାଇ କହିଥିଲା, ‘‘ମୁଁ ନିଶ୍ଚୟ କିଛି ପାପ କରିଥିଲି, ସେଥିପାଇଁ ଏଠାରେ କୋଡ଼ିଏ, ବର୍ଷକାଳ ନିର୍ବାସିତ ହୋଇ ରହିଛି ।’’

 

ଶ୍ରୀକର ପଚାରିଲା, ‘‘ତୁମେ କି ଅପରାଧ କରିଥିଲ ?’’ ଅନନ୍ତ କିଛି କହିଲା ନାହିଁ । କିନ୍ତୁ ସେ କିପରି ମିଥ୍ୟା ଅଭିଯୋଗରେ ନିର୍ବାସିତ ହୋଇଥିଲା, ସେ ସବୁ ତାହାର ସଙ୍ଗୀମାନେ କହିଲେ-। ଶ୍ରୀକର ସେହି କଥା ଶୁଣି ଅତ୍ୟନ୍ତ ବିଚଳିତ ହୋଇଉଠିଲା । ସେ କେବଳ ବାରମ୍ୱାର କହିଲା, ‘‘ଏ ବଡ଼ ଅଦ୍ଭୁତ ! ତୁମେ ଏଠାରେ ରହି ରହି ଏତେ ବୃଦ୍ଧ ହୋଇ ଯାଇଛ ।’ ଅନ୍ୟମାନେ ତାହାର ଏପରି ବିସ୍ମୟର କାରଣ ପଚାରିଲେ । କିନ୍ତୁ ସେ କେବଳ କହିଲା–‘‘ଏଠାରେ ଏପରିଭାବରେ ଆମମାନଙ୍କର ସାକ୍ଷାତ ହେଲା ବୋଲି ମୁଁ ଏଡ଼େ ବିସ୍ମିତ ହେଲି ।’’

 

ଏହି କଥା ଶୁଣି ଅନନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲା । ତେବେ ସେ ବଣିକକୁ କିଏ ହତ୍ୟା କରିଛି, ଏ ଲୋକ କଣ ଜାଣେ ? ସେ କହିଲା, ‘‘ଶ୍ରୀକର, ତୁମେ ନିଶ୍ଚୟ ସେ ସବୁ କଥା ଶୁଣିଥିବ-।’’

 

ଶ୍ରୀକର–‘‘ହଁ, ମୁଁ ସବୁ ଘଟନା ଶୁଣିଥିଲି, କିନ୍ତୁ ସେ ଅନେକ ଦିନର କଥା, ମୁଁ ସବୁ ଭୁଲିଗଲିଣି ।’’

 

ଅନନ୍ତ–‘‘କିଏ ସେ ବଣିକକୁ ହତ୍ୟା କରିଥିଲା, ତୁମେ ଜାଣ ?’’

 

ଶ୍ରୀକର ହସି ହସି କହିଲା, ‘‘କିଏ ଆଉ ହତ୍ୟା କରିବ ? ଯାହା ପାଖରୁ ଛୁରି ବାହାରିଥିଲା, ସେହି ନିଶ୍ଚୟ ହତ୍ୟାକାରୀ । ଅନ୍ୟ କେହି ଯଦି ତୁମ ବ୍ୟାଗ୍‍ ଭିତରେ ଛୁରି ଲୁଚାଇ ରଖିଥିଲା, ତାକୁ ତ କେହି ଧରି ପାରିଲେ ନାହିଁ ! ଆଉ ବ୍ୟାଗ୍‍ ତୁମ ମୁଣ୍ଡପାଖରେ ଥିଲା, କିପରି ସେଥିରେ ଅନ୍ୟ ଲୋକ ଛୁରି ଲୁଚାଇଲା ? ତାହାହେଲେ ତ ତୁମ ନିଦ ଭାଙ୍ଗି ଯାଇଥାନ୍ତା ?’’

 

ତାହାର କଥା ଶୁଣି ଓ ଭାବଭଙ୍ଗୀ ଦେଖି ଅନନ୍ତର ମନେ ହେଲା ଯେ, ଶ୍ରୀକର ନିଶ୍ଚୟ ସେହି ବଣିକକୁ ହତ୍ୟା କରିଥିଲା । ସେଦିନ ସମସ୍ତ ରାତ୍ରି ତାହାର ନିଦ ହେଲା ନାହିଁ । ନାନା କଥା ମନେ ପଡ଼ିଲା । ତାହାର ସ୍ତ୍ରୀର କଥା, ସନ୍ତାନ ଦିଓଟିଙ୍କ କଥା ଅନେକକ୍ଷଣ ପର୍ଯ୍ୟନ୍ତ ଭାବିଲା । କିପରି ପୁଲିସ୍‍ ତାକୁ ଧରିନେଲେ, ସ୍ତ୍ରୀ ଓ ପିଲାମାନେ କିପରି ଦୁଃଖରେ ତାହାଠାରୁ ବିଦାୟ ନେଲେ, କିପରି ତାହାର ବିଚାର ହେଲା, ସେ ଏତେଦିନ କିପରି କଷ୍ଟ ପାଇଅଛି, ସେ ସବୁ ଗୋଟି ଗୋଟି ହୋଇ ମନେପଡ଼ିଲା । ଏହି ଲୋକଟାପାଇଁ ସେ ଏତେ କଷ୍ଟ ପାଇଅଛି ! ଶ୍ରୀକର ଉପରେ ତାହାର କ୍ରୋଧ ହେଲା । ସେ ଭାବିଲା, ସେ ନିଜେ ମରୁ ପଛକେ ଏହାର ପ୍ରତିଶୋଧ ନେବ । ପରେ ପୁଣି ମନକୁ ଅନେକ ପ୍ରବୋଧ ଦେଲା, ସମସ୍ତ ରାତ୍ର ପ୍ରାର୍ଥନା କଲା; କିନ୍ତୁ ମନରେ ଶାନ୍ତି ପାଇଲା ନାହିଁ । ତହି ଆରଦିନ ସେ ଶ୍ରୀକର ପାଖରୁ ଯଥାସମ୍ଭବ ଦୂରରେ ରହିଲା । ଏହିପରି ପନ୍ଦର ଦିନ କଟିଗଲା-। ଅନନ୍ତର ରାତ୍ରରେ ନିଦ୍ରା ହୁଏ ନାହିଁ । ତାହାର ମନ ଏତେଦୂର ଅଶାନ୍ତ ହୋଇଉଠିଲା ଯେ, ସେ କଣ କରିବ, କିଛି ସ୍ଥିର କରିପାରିଲା ନାହିଁ ।

 

ଦିନେ ରାତିରେ ସେ ଜେଲଖାନା ଭିତରେ ବୁଲୁଅଛି, ଏପରି ସମୟରେ ଦେଖିଲା ଯେ, କଏଦୀମାନେ ଯେଉଁ ଘରେ ଥା’ନ୍ତି, ସେଥିମଧ୍ୟରୁ ଗୋଟିଏ ଘରୁ କେତେଗୁଡ଼ିଏ ମାଟି ଖସି ପଡ଼ିଲା । ଅନନ୍ତ ତାହା ଦେଖି ସେହିଠାରେ ଠିଆ ହୋଇ ରହିଲା । ହଠାତ୍‍ ଶ୍ରୀକର ସେ ଘରୁ ବାହାରି ଆସିଲା ଓ ଅତ୍ୟନ୍ତ ଭୀତ ହୋଇ ଅନନ୍ତ ଆଡ଼କୁ ଚାହିଁ ରହିଲା । ଅନନ୍ତ ସେଠାରୁ ଅନ୍ତର ହେବାକୁ ବସିଲାରୁ ଶ୍ରୀକର ନିକଟକୁ ଆସି ତାହା ହାତ ଧରି କହିଲା, “ମୁଁ ପଳାଇ ଯିବାର ଗୋଟିଏ ଉପାୟ ସ୍ଥିର କରିଛି । ତୁମେ ଯଦି କାହାକୁ କିଛି ନ କହିବ, ତାହାହେଲେ ତୁମକୁ ମଧ୍ୟ ସଙ୍ଗରେ ନେଇଯିବି । କିନ୍ତୁ ତୁମେ ଯଦି କହିଦିଅ, ତାହାହେଲେ ମୁଁ ତ ଶାସ୍ତି ପାଇବି; କିନ୍ତୁ ମୁଁ ତୁମକୁ ମଧ୍ୟ ହତ୍ୟା କରିବି ।’’ ଏହା ଶୁଣି ଅନନ୍ତ ଅତ୍ୟନ୍ତ ବିରକ୍ତ ହେଲା । ସେ ହାତ ଛଡ଼ାଇ ନେଇ କହିଲା, “ମୁଁ ପଳାଇବାକୁ ଇଚ୍ଛା କରେ ନାହିଁ । ତୁମେ ତ ମତେ ଅନେକ ଦିନ ପୂର୍ବରୂ ହତ୍ୟା କରିଛ, ଆଉ କଣ କରିବ ? ଏ ବିଷୟ କହିବା ନ କହିବାରେ ମୋର କିଛି ହାତ ନାହିଁ, ଈଶ୍ୱର ଯାହା କରିବେ ।’’

 

ପରଦିନ ଯେତେବେଳେ କଏଦୀମାନେ କାର୍ଯ୍ୟକୁ ଯାଉଥିଲେ, ସେତେବେଳେ ଜଣେ କର୍ମଚାରୀ ଦେଖିଲା ଯେ, ଜଣେ ଦୁଇଜଣ କଏଦୀ ଗୋଡ଼ରୁ ମାଟି ଝାଡ଼ି ପକାଇଦେଲେ । ଏହା ଦେଖି ତାହା ମନରେ ସନ୍ଦେହ ହେଲା । ଜେଲ ଭିତରେ ଅନୁସନ୍ଧାନ କରି ସେମାନେ ଗୋଟିଏ ସୁଡ଼ଙ୍ଗ ଦେଖି ପାରିଲେ । କିଏ ତାହା ଖୋଳିଛି ପଚାରିବାପାଇଁ ସମସ୍ତ କଏଦୀଙ୍କୁ ଏକତ୍ରିତ କରାହେଲା । ଜେଲର ଅଧ୍ୟକ୍ଷ ସମସ୍ତଙ୍କୁ ପଚାରିଲେ, କିନ୍ତୁ କେହି କିଛି କହି ପାରିଲେ ନାହିଁ । ଯେଉଁମାନେ ଜାଣିଥିଲେ; ସେମାନେ ମଧ୍ୟ ନୀରିବ ରହିଲେ । ଭୟ–ଏକଥା ପ୍ରକାଶ ପାଇଲେ ଶ୍ରୀକର କଠିନ ଶାସ୍ତି ପାଇବ । ଅବଶେଷରେ ଅଧ୍ୟକ୍ଷ ଅନନ୍ତକୁ କହିଲେ, “ମୁଁ ଜାଣେ, ତୁମେ ସତ୍ୟବାଦୀ, ତୁମେ ଯଦି ଜାଣ କିଏ ସୁଡ଼ଙ୍ଗ ଖୋଳିଛି, ତାହାହେଲେ କହ ।”

 

ଶ୍ରୀକର ଯେପରି କିଛି ଜାଣେ ନାହିଁ, ଏପରି ଭାବରେ ଠିଆ ହୋଇ ରହିଲା । ଅନନ୍ତ ଅନେକ କ୍ଷଣ ପର୍ଯ୍ୟନ୍ତ କିଛି କହି ପାରିଲା ନାହିଁ । ସେ ମନେ ମନେ ଭାବିଲା, ଯାହାପାଇଁ ମୁଁ ଏତେ କଷ୍ଟ ପାଇଛି, ତାହାର ଅପରାଧ କାହିଁକି ପ୍ରକାଶ କରିବି ନାହିଁ ? ସେ ଯେପରି ମତେ ଏତେ କଷ୍ଟ ଦେଇଛି, ତାର ପ୍ରତିଫଳ ପାଇବା ଉଚିତ । କିନ୍ତୁ ମୁଁ ଯଦି କହେ, ସେ କଠୋର ଶାସ୍ତି ପାଇବ । କେଜାଣି ବା ମୁଁ ତାକୁ ମିଛରେ ସନ୍ଦେହ କରୁଛି । ସେ ଏହିପରି ଅନେକକ୍ଷଣ ନୀରବ ରହିବାରୁ ଅଧ୍ୟକ୍ଷ ପୁଣି ତାକୁ ପଚାରିଲେ । ଅନନ୍ତ କହିଲା, “ମୁଁ କିଛି କହି ପାରିବି ନାହିଁ । ଇଶ୍ୱରଙ୍କ ଇଚ୍ଛା ନୁହେଁ ଯେ, ମୁଁ କିଛି କହେ, ତୁମର ଯାହା ଇଚ୍ଛା କର ।’’ ଅନେକ ଚେଷ୍ଟା କରି ମଧ୍ୟ ଅନନ୍ତ ପାଖରୁ କେହି କିଛି କଥା ବାହାର କରି ପାରିଲେ ନାହିଁ ।

 

ସେଦିନ ରାତିରେ ଯେତେବେଳେ ଅନନ୍ତ ଶୋଇଅଛି, ସେ ଦେଖିଲା, କେହି ଜଣେ ଧୀରେ ଧୀରେ ଆସି ତା’ ବିଛଣାରେ ବସିଲା । ସେ ଭଲ କରି ଦେଖି ଚିହ୍ନିଲା–ସେ ବ୍ୟକ୍ତି ଶ୍ରୀକର । ଅନନ୍ତ କହିଲା, “ତୁମେ ପୁଣି କାହିଁକି ଏଠାକୁ ଆସିଛ ? ମୋ ପାଖରୁ ଚାଲିଯାଅ ।’’ ଶ୍ରୀକର ନୀରବରେ ବସି ରହିଲା । ଅନନ୍ତ ବିଛଣାରୁ ଉଠି କହିଲା, “ତୁମେ ନ ଗଲେ ମୁଁ ପ୍ରହରୀ ଡାକିବି ।”

 

ଶ୍ରୀକର ଆସ୍ତେ ଆସ୍ତେ କହିଲା, “ଅନନ୍ତ, ମୋତେ କ୍ଷମା କର ।’’

 

ଅନନ୍ତ-‘‘କ’ଣ ପାଇଁ ?”

 

ଶ୍ରୀକର–“ମୁଁ ସେହି ବଣିକକୁ ହତ୍ୟା କରି ତୁମ ବ୍ୟାଗ୍ ଭିତରେ ଛୁରି ଲୁଚାଇଥିଲି । ତୁମକୁ ମଧ୍ୟ ହତ୍ୟା କରିବି ବୋଲି ଭାବିଥିଲି; କିନ୍ତୁ ସେହି ସମୟରେ ଗୋଟିଏ ଶବ୍ଦ ଶୁଣି ଛୁରି ଲୁଚେଇ ଦେଇ ଖିଡ଼ିକି ବାଟେ ପଳାଇଗଲି ।”

 

ଅନନ୍ତ ନୀରବ ନିଶ୍ଚଳ–ସେ କ’ଣ କହିବ, କିଛି ବୁଝି ପାରିଲା ନାହିଁ । ଶ୍ରୀକର କହିଲା, “ଅନନ୍ତ ମୋତେ କ୍ଷମା କର । ମୁଁ ଦୋଷ ସ୍ୱୀକାର କରିବି, ତୁମେ ମୁକ୍ତ ହୋଇ ଘରକୁ ଯିବ ।’’ ଅନନ୍ତ କହିଲା, “ତୁମ ପକ୍ଷରେ କହିବା ସହଜ, କିନ୍ତୁ ୨୦ ବର୍ଷ ପରେ ମୁଁ ଆଉ କେଉଁଠାକୁ ଯିବି ? ମୋର ପରିବାରର ଲୋକମାନେ ମୋତେ ଭୁଲିଗଲେଣି, ମୋର ଆଉ କେଉଁଠି ସ୍ଥାନ ନାହିଁ ।’’ ଶ୍ରୀକର ପୁଣି ବ୍ୟାକୁଳ ହୋଇ କହିଲା, “ତୁମେ ମୋତେ କ୍ଷମା କର । ମୁଁ ଯଦି ଆଜି କୋଠାର ଶାସ୍ତି ପାଇଥାନ୍ତି, ତାହାହେଲେ ମଧ୍ୟ ମୋର ଏତେ କଷ୍ଟ ହୋଇ ନ ଥାନ୍ତା । ମୁଁ ତୁମର ସର୍ବନାଶ କରିଛି; କିନ୍ତୁ ତୁମେ ଦୟା କରି ଆଜି ମୋର ନାମ ପ୍ରକାଶ କଲ ନାହିଁ ।” ଏହା କହି ସେ କାନ୍ଦିବାକୁ ଲାଗିଲା-। ତାହାର ଅବସ୍ଥା ଦେଖି ଅନନ୍ତ ମଧ୍ୟ କାନ୍ଦି ପକାଇଲା । ଅବଶେଷରେ ସେ କହିଲା, “ଈଶ୍ୱର ତୁମକୁ କ୍ଷମା କରିବେ । ହୁଏତ ମୁଁ ତୁମ ଅପେକ୍ଷା ଅଧିକ ପାପୀ, ସେଥିଯୋଗୁଁ ଏତେଦିନ କଷ୍ଟ ପାଇଲି ।” ଏହି କଥା କହିବା ପରେ ତା ମନର ସମସ୍ତ ଗ୍ଳାନି ଦୂର ହେଲା–ପୂର୍ବ ଶାନ୍ତି ଫେରିଆସିଲା । ତାହାର ଆଉ ଘରକୁ ଫେରି ଯିବାର ଆଗ୍ରହ ରହିଲା ନାହିଁ ।

 

ପରଦିନ ଶ୍ରୀକର ତାହାର ଦୋଷ ସ୍ଵୀକାର କଲା । ଯେତେବେଳେ ଅନନ୍ତର ମୁକ୍ତିର ଆଦେଶ ଆସିଲା; ସେତେବେଳକୁ ମୃତ୍ୟୁ ଆସି ତାକୁ ଚିରଦିନପାଇଁ ମୁକ୍ତି ଦେଇଅଛି ।

Image

 

ସାକ୍ଷାତ୍‌କାର

 

କୌଣସି ଗ୍ରାମରେ ମଧୁ ନାମରେ ଜଣେ ଚର୍ମକାର ବାସ କରୁଥିଲା । ଦାଣ୍ଡ ଉପରେ ତାହାର ଘର, ସେହିଠାରେ ବସି ସାରାଦିନ ସେ କାର୍ଯ୍ୟ କରୁଥାଏ । ସେ ବାଟରେ ଯେଉଁମାନେ ଯା’ନ୍ତି; ମଧୁ ସମସ୍ତଙ୍କ ଯୋତା ଆଡ଼କୁ ଥରେ ଚାହିଁ ଦେଖେ । କାରଣ ସେହି ଛୋଟ ଗ୍ରାମଟିରେ ଯେତେ ଲୋକ ଯୋତା ପିନ୍ଧନ୍ତି, ପ୍ରାୟ ସମସ୍ତଙ୍କ ଯୋତା ତା ପାଖକୁ ଆସେ । ପ୍ରାୟ ସମସ୍ତ ଯୋତାରେ ନିଜ ହାତର କାମ ଦେଖି ସେ ବଡ଼ ଖୁସି ହୁଏ । ମଧୁ କେବେ କାହାକୁ ଠକେ ନାହିଁ, ସେଥିଯୋଗୁଁ ଗ୍ରାମର ସମସ୍ତେ ତାକୁ ବିଶ୍ଵାସ କରନ୍ତି । ସେ ଯାହା ଉପାର୍ଜନ କରେ, ସେଥିରେ ତାହାର ଏକପ୍ରକାର ବେଶ୍ ଚଳିଯାଏ । ସଂସାରରେ ତାହାର ଆଉ କେହି ନାହାନ୍ତି । ଏକମାତ୍ର ପୁତ୍ର ସନ୍ତାନ ରଖି ବହୁଦିନ ପୂର୍ବରୁ ସ୍ତ୍ରୀ ସଂସାରରୁ ବିଦାୟ ନେଇଥିଲେ । ପୁଅଟି ବଡ଼ ହୋଇ ଯେତେବେଳେ ତାକୁ ଅଳ୍ପ ଅଳ୍ପ ସାହାଯ୍ୟ କରିବାକୁ ଆରମ୍ଭ କଲା, ସେତେବେଳେ ହଠାତ୍ ସାତ ଦିନ ଜ୍ଵରରେ ସେ ମୃତ୍ୟୁମୁଖରେ ପତିତ ହେଲା । ପୁଅର ମୃତ୍ୟୁରେ ମଧୁର ମନ ବଡ଼ ବିଷଣ୍ଣ ହୋଇପଡ଼ିଲା–ସଂସାର ତାକୁ ବିଷପରି ଲାଗିଲା–ସେ ଈଶ୍ଵରଙ୍କୁ ଦୋଷ ଦେବାକୁ ଲାଗିଲା । ସେହିଦିନଠାରୁ ସେ ଆଉ କାହା ସଙ୍ଗରେ ପ୍ରାୟ ମିଶେ ନାହିଁ କିମ୍ବା କେଉଁଠାକୁ ଯାଏ ନାହିଁ ।

 

ଦିନେ ଗ୍ରାମର ଜଣେ ବୃଦ୍ଧ ଧାର୍ମିକ ବ୍ୟକ୍ତି ମଧୁ ଘରକୁ ବୁଲିବାକୁ ଆସିଲେ । ମଧୁ ତାଙ୍କପାଖରେ ନିଜର ଦୁଃଖ କଥା କହି ଶେଷରେ କହିଲା, “ମୋର ଆଉ ବଞ୍ଚିବାର ଇଚ୍ଛା ନାହିଁ । ସଂସାରରେ ମୋର ଆଉ କେହି ନାହିଁ । ମୋର କେବଳ ଏତିକି ପ୍ରାର୍ଥନା, ଈଶ୍ଵର ଯେପରି ମୋର ସମସ୍ତ ପ୍ରିୟଜନଙ୍କୁ ଘେନିଗଲେ, ସେହିପରି ମତେ ମଧ୍ୟ ନିଅନ୍ତୁ ।”

 

ସେହି ବୃଦ୍ଧଟି କହିଲେ, “ମଧୁ, ତୁମର ଏ କଥା କହିବାର କୌଣସି ଅଧିକାର ନାହିଁ । ସଂସାରରେ ଆମମାନଙ୍କ ଇଚ୍ଛା ପୂର୍ଣ୍ଣ ହେଉ, ଏହା ପ୍ରାର୍ଥନା କରିବା ଉଚିତ ନୁହେଁ । ତୁମକୁ ରଖି ତୁମ ପୁତ୍ରକୁ ନେବାପାଇଁ ଈଶ୍ୱରଙ୍କର ଯଦି ଇଚ୍ଛା ହେଲା, ତେବେ ନିଶ୍ଚୟ ସେଥିରେ ତାଙ୍କର କିଛି ମଙ୍ଗଳ ଅଭିପ୍ରାୟ ଥିବ । ତୁମେ କେବଳ ନିଜର ସୁଖ ଲୋଡ଼ ବୋଲି ଏଡ଼େ ନିରାଶ ହେଉଛ ।”

 

ମଧୁ ପଚାରିଲା, “ସଂସାରରେ ନିଜର ସୁଖ ଛଡ଼ା ମନୁଷ୍ୟ ଆଉ କଣପାଇଁ ବଞ୍ଚିବ ?”

 

ବୃଦ୍ଧ–“ଈଶ୍ୱରଙ୍କ ପାଇଁ । ତୁମେ ଯେତେବେଳେ ତାଙ୍କ ପାଇଁ ବଞ୍ଚିବାକୁ, ତାଙ୍କରି କାର୍ଯ୍ୟରେ ଜୀବନ କଟାଇବାକୁ ଶିଖିବ, ସେତେବେଳେ ତୁମ ମନରେ ଆଉ ନିରାଶା ରହିବ ନାହିଁ, ତୁମେ ଶାନ୍ତି ପାଇବ ।’’

 

ବୃଦ୍ଧ ଚାଲିଗଲା ପରେ ମଧୁ ଏ ବିଷୟରେ ଅନେକ ଭାବିଲା ।

 

ସେ ପିଲାଦିନେ କିଛି ପଢ଼ି ଶିଖିଥିଲା । କିନ୍ତୁ ଏ ଦୀର୍ଘ ଜୀବନରେ ସେ ଆଉ କିଛି ପଢ଼ିବାକୁ ଚେଷ୍ଟା କରିନାହିଁ, ପ୍ରାୟ ସବୁ ଭୁଲି ଯାଇଥିଲା । ଦିନେ ସେ ଯାଇଁ ଛାପା ଭାଗବତ ପୋଥି ଖଣ୍ଡିଏ କିଣି ଆଣିଲା । ପ୍ରଥମେ ପଢ଼ିବାକୁ ଟିକେ କଷ୍ଟ ହେଲା; କିନ୍ତୁ ବାରମ୍ବାର ଚେଷ୍ଟା କରି ସେ ବେଶ୍ ପଢ଼ି ପାରିଲା । କିଛିକାଳ ପର୍ଯ୍ୟନ୍ତ ସେ ସମସ୍ତ କାମ ଶେଷ କରି ଇଚ୍ଛା ହେଲେ ସନ୍ଧ୍ୟାବେଳେ ଅଳ୍ପ ଅଳ୍ପ ପଢ଼ୁଥିଲା । କିନ୍ତୁ ଶେଷରେ ଏପରି ହେଲା ଯେ, କେତେବେଳେ କାର୍ଯ୍ୟ ଶେଷ ହେବ ବୋଲି ସେ ବ୍ୟସ୍ତ ହୋଇ ପଡେ । କାମ ଶେଷ କରି ଦୀପ ଜାଳି ବହି ଘେନି ପଢ଼ି ବସେ । କ୍ରମେ ତାହାର ଜୀବନରେ ପରିବର୍ତ୍ତନ ହେବାକୁ ଲାଗିଲା । ପୂର୍ବ ପରି ନୈରାଶ୍ୟ ଓ ଅଶାନ୍ତି ଆଉ ତା ମନରେ ରହିଲା ନାହିଁ । ଆଗେ ସେ ସମୟ ସମୟରେ ଟିକିଏ ଟିକିଏ ନିଶା ଖାଉଥିଲା, ସେ ସବୁ ଏବେ କୁଆଡ଼େ ଦୂର ହୋଇଗଲା । ସେ ଯାହା ପଢ଼େ ଓ ତାହା ମନରେ ଯେଉଁ ଭାବ ଜନ୍ମେ, ସେ ବିଷୟରେ ସର୍ବଦା ଚିନ୍ତା କରେ । ସେ ଯେତେ ବେଶୀ ଚିନ୍ତା କରେ, କଠିନ କଥା ସବୁ ତାହା ପକ୍ଷରେ ବୁଝିବା ତେତେ ସହଜ ହୋଇଯାଏ । ତାହା ପାଖରେ ଆଉ ଉଚ୍ଚ ନୀଚ ପ୍ରଭେଦ ରହିଲା ନାହିଁ । ତାହାର ଦୈନିକ କାର୍ଯ୍ୟ ତା ପ୍ରତି ଆନନ୍ଦଜନକ ହୋଇଉଠିଲା ।

 

ଶୀତକାଳ, ଦିନର ସମସ୍ତ କାର୍ଯ୍ୟ ସାରି ସନ୍ଧ୍ୟା ହେଲାରୁ ମଧୁ ଦୀପ ଜାଳି ପଢ଼ିବସିଲା । ପଢ଼ୁ ପଢ଼ୁ ଅନେକ ସମୟ ଚାଲିଗଲା, ରାତ୍ରି ଯେ ବେଶୀ ହୋଇଅଛି, ମଧୁର ସେ ଜ୍ଞାନ ନାହିଁ । ପଢ଼ୁ ପଢ଼ୁ ସେ ଦେଖିଲା, ଗୋଟିଏ ସ୍ଥାନରେ ଅଛି, “ଈଶ୍ୱର ଭକ୍ତବତ୍ସଳ, ଭକ୍ତକୁ ସେ ଦର୍ଶନ ଦିଅନ୍ତି ।” ଏହି ପର୍ଯ୍ୟନ୍ତ ପଢ଼ି ସେ ପୋଥି ବନ୍ଦକଲା । ତାହାର ମନେ ହେଲା, ଈଶ୍ୱର ତ ଭକ୍ତବତ୍ସଳ, ଯେ ତାଙ୍କୁ ଭକ୍ତି କରି ଡାକେ ପୂଜା କରେ, ସେ ତାକୁ ଦର୍ଶନ ଦିଅନ୍ତି । ମୋ ପରି ପାପୀ ଲୋକ କଣ ତାଙ୍କ ଦର୍ଶନ ପାଇପାରେ ? ପୁଣି ତାହାର ମନେ ହେଲା, ଆଚ୍ଛା ସେ ତ ପତିତପାବନ, ତେବେ କାହିଁକି ମୁଁ ଦର୍ଶନ ନ ପାଇବି ? କିନ୍ତୁ ଯଦି ପ୍ରଭୁ ମୋତେ ଦର୍ଶନ ଦିଅନ୍ତି, ତାହାହେଲେ କଣ ମୁଁ ତାଙ୍କର ଉପଯୁକ୍ତ ଅଭ୍ୟର୍ଥନା କରିପାରିବି ? ମୁଁ ଦରିଦ୍ର, ମୁଁ ପାପୀ, ମୁଁ କିପରି ତାଙ୍କର ପୂଜାର ଆୟୋଜନ କରିବି !

 

ଏହିପରି ଭାବୁ ଭାବୁ ସେ ଟିକିଏ ତନ୍ଦ୍ରାଭିଭୂତ ହୋଇପଡ଼ିଛି, ଏପରି ସମୟରେ ତାହାର ମନେ ହେଲା, ଯେପରି କିଏ ଡାକିଲା, ‘ମଧୁ !’ ସେ ଚମକି ଉଠି ଚାରିଆଡ଼କୁ ଚାହିଁ କୌଣସିଠାରେ କାହାକୁ ଦେଖିପାରିଲା ନାହିଁ । କିନ୍ତୁ ସେ ସ୍ପଷ୍ଟ ଯେପରି ଶୁଣି ପାରିଲା, “ମଧୁ, କାଲି ମୋପାଇଁ ଅପେକ୍ଷା କରିବ, ମୁଁ ଆସିବି ।” ମଧୁ ସ୍ଵପ୍ନ ଦେଖୁଛି, କି ଜାଗ୍ରତ ଅଛି, କିଛି ବୁଝି ପାରିଲା ନାହିଁ । ଅନେକ କ୍ଷଣ ପରେ ଶୋଇ ପଡ଼ିଲା । ପରଦିନ ସକାଳେ ଉଠିବା ମାତ୍ରକେ ତାହାର ସେହି ଚିନ୍ତା ଜାଗ୍ରତ ହେଲା । ତାହାର ମନେ ହେଲା, ନିଶ୍ଚୟ ତାହାର ମନର ଭାବ ଈଶ୍ୱର ଜାଣି ପାରି ତାକୁ ଦର୍ଶନ ଦେବେ ବୋଲି କହିଅଛନ୍ତି । କିନ୍ତୁ ସେ କି ବେଶରେ ଆସିବେ ? ସମସ୍ତ ଲୋକଙ୍କ ଭିତରେ ସେ କଣ ତାଙ୍କୁ ଚିହ୍ନି ପାରିବ ?

 

ଯଥାସମୟରେ ସେ କାମ ଆରମ୍ଭ କଲା, କିନ୍ତୁ ସେ ଦିନ ତାହାର ଆଉ କୌଣସି କାର୍ଯ୍ୟରେ ମନ ଲାଗୁ ନ ଥାଏ । ସେ ବାରମ୍ବାର ଦାଣ୍ଡ ଆଡ଼କୁ ଚାହିଁଥାଏ । କିଛିକ୍ଷଣ ପରେ ସେ ଆଉ କାମରେ ମନ ଦେଇ ପାରିଲା ନାହିଁ । ସେ ଦିନ ଭାରି ଶୀତ, ଥଣ୍ଡା ପବନ ବହୁଛି । ବେଳ ବେଶୀ ହେଲାରୁ ମଧୁ ଉଠି ଚୁଲି ଜାଳି ପାକ ଆରମ୍ଭ କଲା । ମାତ୍ର ମନଟା ଚଞ୍ଚଳ, ଅଛି, ପୁଣି ଆସି ଦାଣ୍ଡରେ ଦେଖିବାକୁ ଲାଗିଲା । ସେ ଠିଆ ହୋଇଛି, ଏପରି ସମୟରେ ଦେଖିଲା, ଗୋଟିଏ ବୃଦ୍ଧ ବାଡ଼ି ଧରି ଅତି କଷ୍ଟରେ ସେ ବାଟରେ ଯାଉଛି । ମଧୁ ତାକୁ ଚିହ୍ନି ପାରିଲା । ସେ ମଧ୍ୟ ତାହାରି ଜାତି, ତାହାର କେହି ନାହିଁ, ଅତ୍ୟନ୍ତ ବୃଦ୍ଧ ହେବାରୁ କାମ କରି ପାରେ ନାହିଁ, ଭିକ୍ଷା କରି ଖାଏ । ଖଣ୍ଡିଏ ଲୁଗା ପିନ୍ଧି ଗୋଟିଏ କାନି ଦେହରେ ଦେଇ ଶୀତରେ ଥରୁଛି । ମଧୁ ତାକୁ “ଡାକି କହିଲା, ମୋ ଘରକୁ ଆସ ଟିକିଏ ନିଆଁ ପାଖରେ ବସିଯାଅ ।” ବୃଦ୍ଧ ଖୁବ୍ ଖୁସି ହୋଇ ଆସିଲା ଏବଂ ନିଆଁ ପାଖରେ ବସି ଶୀତ ଦୂର କଲା । ମଧୁ ତାହା ସଙ୍ଗରେ କଥା କହୁଥାଏ, କିନ୍ତୁ ତାହାର ଚକ୍ଷୁ ଥାଏ ଦାଣ୍ଡଆଡ଼େ । ବୃଦ୍ଧ କିଛି କ୍ଷଣ ବସି ଯିବାପାଇଁ ଉଠିଲା । ମଧୁ ତାହାର ଗୋଟିଏ ପୁରୁଣା ଜମା ବାହାର କରି ତାକୁ ଦେଇ କହିଲା, “ଏଇଟି ନିଅ, ଶୀତଦିନଟା କୌଣସିମତେ ପିନ୍ଧି ଚଳାଇବ । ମୁଁ ଗରିବ, ମୁଁ ଆଉ କ’ଣ ଦେବି ?” ବୃଦ୍ଧ ଅତ୍ୟନ୍ତ ଖୁସି ହୋଇ ତାକୁ ଆଶୀର୍ବାଦ କରି ଚାଲିଗଲା ।

 

ମଧୁ ପୁଣି ଦାଣ୍ଡଆଡ଼କୁ ଚାହିଁ ବସି ରହିଲା । ବେଳ ବେଶୀ ହେଲାରୁ ଗାଧୋଇ ଆସି ଖାଇବାକୁ ଯାଉଛି, ଏପରି ସମୟରେ ଗୋଟିଏ ସ୍ତ୍ରୀ ଛୋଟ ପିଲାଟିଏ କୋଳରେ ଘେନି ତାହା ଦୋକାନକୁ ଆସି କାତରସ୍ଵରରେ କହିଲା; “ମୁଁ କାଲିଠାରୁ କିଛି ଖାଇନାହିଁ । ଶୀତରେ ମୋର ପିଲାଟିର ଗୋଡ଼ ହାତ ଥଣ୍ଡା ହୋଇଗଲାଣି, ସେ ମଧ୍ୟ କିଛି ଖାଇନାହିଁ । ଦୟାକରି କିଛି ଭିକ୍ଷା ଦିଅ-।” ମଧୁ ଦେଖିଲା; ସ୍ତ୍ରୀଟି ଅତ୍ୟନ୍ତ ଶୀର୍ଣ୍ଣ, ଶିଶୁଟି ମଧ୍ୟ ସେହିପରି । ସେ ସେମାନଙ୍କୁ ଘରକୁ ଡାକି ଆଣିଲା; ଭାତ ବାଢ଼ି ସ୍ତ୍ରୀଲୋକଟିକୁ ଖାଇବାକୁ ଦେଲା । ଶିଶୁଟି କାନ୍ଦିବାକୁ ଆରମ୍ଭ କଲାରୁ ମଧୁ ତାକୁ ମା’ ପାଖରୁ ନେଇ ନାନାପ୍ରକାରେ ଭୁଲାଇବାକୁ ଚେଷ୍ଟା କରି ତାକୁ ତୁନି କରାଇଲା-। ସ୍ତ୍ରୀଟି ଖାଇ ସାରି ଉଠିଲାରୁ ମଧୁ ତାହାର ଭଙ୍ଗ ବାକ୍‌ସଟି ଫିଟାଇ ସେଥିରୁ ଖଣ୍ଡିଏ ପୁରୁଣା କମ୍ବଳ ବାହାର କରି ତାକୁ ଦେଇ କହିଲା; “ଏ ଖଣ୍ଡି ନିଅ, ଘୋଡ଼ାଇ ହେବ, ତାହା ହେଲେ ବେଶି ଶୀତ ବାଧିବ ନାହିଁ । ମୋ ଘରେ ତ ଦୁଧ ନାହିଁ; ତୁମ ପିଲାଟି କ’ଣ ଖାଇବ ! ଏଇ ଦିଓଟି ପଇସା ନିଅ; ଦୁଧ କିଣି ତାକୁ ଖୋଇବ ।” ସ୍ତ୍ରୀଟି ତାହାର ମିଷ୍ଟ କଥା ଶୁଣି ଓ ଏପରି ଦୟା ଦେଖି କାନ୍ଦି ପକାଇ କହିଲା; “ବାବା, ଈଶ୍ଵର ସର୍ବଦା ତୁମର ମଙ୍ଗଳ କରନ୍ତୁ ।”

 

ସେ ଚାଲିଗଲା ପରେ ଅବଶିଷ୍ଟ ଯାହା ଭାତ ଥିଲା; ସେତକ ଖାଇ ମଧୁ ପୁଣି ଆସି ଦୋକାନରେ ବସିଲା । କ୍ରମେ ବେଳ ବୁଡ଼ିବାକୁ ବସିଲା–ମଧୁ ଦୋକାନରେ ବସିଛି । ପ୍ରାୟ ସନ୍ଧ୍ୟାବେଳେ ସେ ଦେଖିଲା; ଗୋଟିଏ ବୃଦ୍ଧା ଗୋଟିଏ ଟୋକେଇରେ ଫଳଗୁଡ଼ିଏ ନେଇ ଯାଉଛି । ଏପରି ସମୟରେ ପ୍ରାୟ ୧୦।୧୧ ବର୍ଷର ଗୋଟିଏ ବାଳକ ଆସି ପଛଆଡ଼ୁ ତାକୁ ପେଲିଦେଲା । ଟୋକେଇଟି ପଡ଼ି ଫଳଗୁଡ଼ିକ ଚାରିଆଡ଼େ ବିଞ୍ଚି ହୋଇପଡ଼ିଲା । ବୃଦ୍ଧା ସେହି ବାଳକଟିକୁ ଖୁବ୍ ଗାଳି ଦେଇ ତାକୁ ମାରିବାକୁ ଉଦ୍ୟମ ହେଲା । ମଧୁ ଦୌଡ଼ିଯାଇ ବୃଦ୍ଧା ହାତରୁ ବାଳକଟିକୁ ଛଡ଼ାଇ ଆଣିଲା । ବୃଦ୍ଧା ଅତି କ୍ରୁଦ୍ଧ ହୋଇ କହିଲା, “ସେ ଭାରି ଦୁଷ୍ଟ, ମୋର କେତେଥର ଏହିପରି କ୍ଷତି କରିଛି, ଆଜି ମୁଁ ତାକୁ ଧରିଛି, ନିଶ୍ଚୟ ମାରିବି, ତୁମେ ଛାଡ଼ିଦିଅ ।” ମଧୁ ବୃଦ୍ଧାର ଫଳଗୁଡ଼ିକ ଗୋଟାଇ ତା ଟୋକେଇରେ ଦେଇ ବୋଧଶୋଧ କରି କହିଲା, “ତାକୁ ମାରିଲେ କିଛି ଫଳ ହେବନାହିଁ । ତୁମେ ଏବେ ତୁମ ଫଳ ଘେନି ବିକିବାକୁ ଯାଅ ।” ତତ୍‍ପରେ ସେ ବାଳକଟିକୁ ଏପରି ମିଷ୍ଟ କଥାରେ ତାହାର ଅନ୍ୟାୟ କାର୍ଯ୍ୟ ବୁଝାଇଦେଲା ଯେ, ବାଳକଟି ସେପରି ବ୍ୟବହାରପାଇଁ ଅତ୍ୟନ୍ତ ଲଜ୍ଜିତ ହେଲା । ବୃଦ୍ଧାର ମଧ୍ୟ କ୍ରୋଧ କିଛି ଶାନ୍ତ ହେଲାରୁ ସେ ଟୋକେଇଟି ଧରି ଫଳ ବିକିବାକୁ ବାହାରିଲା । ବାଳକଟି ଆସ୍ତେ ଆସ୍ତେ ତା ପାଖକୁ ଯାଇ କହିଲା, “ଦେଖ, ତୁମ ଟୋକେଇଟି ମତେ ଦିଅ, ବଜାରରେ ତୁମେ ଯେଉଁଠାରେ ବସି ଫଳ ବିକ୍ରି କର, ସେଠାରେ ଦେଇ ଆସିବି, ମୁଁ ଆଉ କିଛି ଦୁଷ୍ଟ ପଣ କରିବି ନାହିଁ ।” ବୃଦ୍ଧା ପ୍ରଥମେ ଇତସ୍ତତଃ ହୋଇ ଯେତେବେଳେ ଦେଖିଲା ଯେ, ବାସ୍ତବିକ ବାଳକଟି ତାହାର ବ୍ୟବହାରପାଇଁ ଲଜ୍ଜିତ, ତାହା ମୁଣ୍ଡରେ ଟୋକେଇଟି ଦେଲା । ଦୁଇଜଣଯାକ ଚାଲିଗଲେ ।

 

ସନ୍ଧ୍ୟା ହେଲା, ଘରେ ଦୀପ ଜାଳିଦେଇ ମଧୁ ଭାବିଲା, “ଦିନଯାକ ତ ଅପେକ୍ଷା କଲି, କାହିଁ କେହି ତ ଆସିଲେ ନାହିଁ ? ମୁଁ କଣ ତାହାହେଲେ ସ୍ଵପ୍ନ ଦେଖିଥିଲି ? କିମ୍ବା ଏପରି ହୋଇପାରେ, ପ୍ରଭୁ ଆସିଲେ, ମୁଁ ତାଙ୍କୁ ଚିହ୍ନି ନ ପାରି ଅଭ୍ୟର୍ଥନା କରିପାରି ନାହିଁ ।” ଏହିପରି ଭାବୁଛି, ହଠାତ୍ ତାହାର ମନେ ହେଲା, କିଏ ଡାକୁଛି, “ମଧୁ !” ସେ ଚମକି ଉଠି ପଚାରିଲା, “କିଏ ଡାକୁଛି ?” ସେହି ସ୍ଵର କହିଲା, “ମତେ ଚିହ୍ନି ପାରୁ ନାହିଁ ?” ମଧୁର ଦୃଷ୍ଟିପଥରେ ଧୀରେ ଧୀରେ ସେହି ବୃଦ୍ଧର ମୂର୍ତ୍ତିଟି ଉଜ୍ଜ୍ୱଳ ହୋଇ ଫୁଟି ଉଠିଲା । ସେ ଆଉ ଶୀତରେ ଥରୁ ନାହିଁ, ତାହାର ମୁଖରେ ଆନନ୍ଦଜନିତ ହାସ୍ୟ । ବୃଦ୍ଧର ମୂର୍ତ୍ତିଟି ଆସ୍ତେ ଆସ୍ତେ ଉଭେଇଗଲା । ତତ୍‍ପରେ ସେହି ସ୍ତ୍ରୀ ଓ ତାହାର ଶିଶୁସନ୍ତାନର ମୂର୍ତ୍ତି ପ୍ରକାଶିତ ହେଲା । ସ୍ତ୍ରୀଟି ଆଉ ପୂର୍ବ ପ୍ରାୟ ଶୀର୍ଣ୍ଣ ଦେଖାଯାଉ ନାହିଁ, ସେ ଏବଂ ଶିଶୁ ଦୁହେଁଯାକ ହସୁଛନ୍ତି । ସେ ମୂର୍ତ୍ତି ମଧ୍ୟ ଆସ୍ତେ ଆସ୍ତେ ଶୂନ୍ୟରେ ମିଶିଗଲା । ତହୁଁ ସେହି ବୃଦ୍ଧା ଓ ବାଳକଟିର ମୂର୍ତ୍ତି ଉଦ୍ଭାସିତ ହୋଇ ଉଠିଲା । ଦୁଇଜଣଯାକ ଆନନ୍ଦରେ ପରସ୍ପରକୁ ଚାହିଁ ହସୁଛନ୍ତି । ମଧୁର ମନ ଅପୂର୍ବ ଆନନ୍ଦରେ ପୂର୍ଣ୍ଣ ହୋଇ ଉଠିଲା । ସେ ବାଣୀ ପୁନର୍ବାର କହିଲା, “ମଧୁ, ମୁଁ ଆସିଥିଲି, ତୁମେ ମୋର ଯଥାର୍ଥ ଅଭ୍ୟର୍ଥନା କରିଛ । ମୋର ସନ୍ତାନଙ୍କୁ ଅଭ୍ୟର୍ଥନା କରି, ତାଙ୍କର ସେବା କରି ତୁମେ ମତେ ଅଭ୍ୟର୍ଥନା କରିଛ, ମୋର ସେବା କରିଛ । ସନ୍ତାନ ମଧ୍ୟରେ ଥାଇ ମୁଁ ତୁମର ସେବା ଗ୍ରହଣ କରିଛି ।” ମଧୁ ଭକ୍ତିଭରେ ଭୂମିରେ ମସ୍ତକ ଲଗାଇ ସେହି ବାଣୀ ଉଦ୍ଦେଶ୍ୟରେ ପ୍ରଣାମ କଲା । ପ୍ରଣାମ କରିସାରି ଉଠି ଦେଖିଲା, ତାହାର ମନ ଅପୂର୍ବ ସ୍ଵର୍ଗୀୟ ଆଲୋକ ଓ ଶାନ୍ତିରେ ପୂର୍ଣ୍ଣ ।

Image

 

ତିନୋଟି ପ୍ରଶ୍ନ

 

ଜଣେ ରାଜା ଥିଲେ, ତାଙ୍କ ମନରେ ଏକ ସମୟରେ ତିନୋଟି ପ୍ରଶ୍ନ ଉଦିତ ହେଲା–ଯଦି ସେ ଜାଣି ପାରନ୍ତେ, ପ୍ରତି କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ସମୟ, ସଂସାରରେ କେଉଁ ଲୋକର ସଙ୍ଗ ତାଙ୍କ ପକ୍ଷରେ ଏକାନ୍ତ ଆବଶ୍ୟକ ଏବଂ ତାଙ୍କ ଜୀବନରେ ସର୍ବାପେକ୍ଷା ପ୍ରୟୋଜନୀୟ କାର୍ଯ୍ୟ କଣ । ଏହା ଯେବେ ସେ ବୁଝି ପାରନ୍ତେ, ତାହାହେଲେ ଆଉ କିଛି ଭାବନା ରହନ୍ତା ନାହିଁ, ସବୁ କାର୍ଯ୍ୟ ଶୃଙ୍ଗଳାରେ ସମ୍ପନ୍ନ ହୋଇଯାନ୍ତା ।

 

ରାଜା ମନ ମଧ୍ୟରେ ନାନା ଆଲୋଚନା କରି କିଛି ସ୍ଥିର କରି ପାରିଲେ ନାହିଁ । ଶେଷରେ ରାଜ୍ୟ ମଧ୍ୟରେ ଘୋଷଣା କରାଇ ଦେଲେ ଯେ, କାର୍ଯ୍ୟ ଆରମ୍ଭ କରିବାର ପ୍ରକୃତ ସମୟ କେତେବେଳେ, କେଉଁ ଲୋକ ତାଙ୍କ ପକ୍ଷରେ ପ୍ରୟୋଜନୀୟ ଏବଂ କେଉଁ କାର୍ଯ୍ୟ କରିବା ଅତ୍ୟାବଶ୍ୟକ–ଏହା ଯେ ତାଙ୍କୁ କହି ଦେଇ ପାରିବ, ସେ ତାହାକୁ ପ୍ରଚୁର ପୁରସ୍କାର ଦେବେ ।

 

ରାଜ୍ୟରୁ ଅନେକ ପଣ୍ଡିତ ଆସି ଜମା ହେଲେ–ଦୂରଦୂରାନ୍ତରର କେତେ ଜ୍ଞାନୀ ଲୋକ ଆସିଲେ, ମାତ୍ର ନାନା ମୁନିଙ୍କର ନାନା ମତ–କହାରି ସଙ୍ଗରେ କାହାରି ଉତ୍ତର ମିଳିଲା ନାହିଁ ।

 

ପ୍ରଥମ ପ୍ରଶ୍ନର ଉତ୍ତରରେ କେହି କେହି କହିଲେ, କାର୍ଯ୍ୟ କରିବାର ଉପଯୁକ୍ତ ସମୟ ଜାଣିବାକୁ ହେଲେ ଦିନ, ମାସ ଓ ବର୍ଷର ଗୋଟିଏ ତାଲିକା ଦେଖି ନିରୂପିତ ସମୟରେ କାର୍ଯ୍ୟ କରିବା ଉଚିତ । କେବଳ ଏହି ଉପାୟରେ ଉପଯୁକ୍ତ ସମୟରେ କାର୍ଯ୍ୟ କରାଯାଇପାରେ । ଅନ୍ୟମାନେ କହିଲେ ଯେ, ପ୍ରତ୍ୟେକ କାର୍ଯ୍ୟ କରିବାର ପ୍ରକୃତ ସମୟ ପୂର୍ବରୁ ନିରୂପଣ କରିବା ଅସମ୍ଭବ; ସୁତରାଂ ଲୋକ ଯଦି ଆଳସ୍ୟରେ ସମୟ ନଷ୍ଟ ନ କରି କାର୍ଯ୍ୟ କରେ, ତାହାହେଲେ ସେ ଉପଯୁକ୍ତ ସମୟରେ କାର୍ଯ୍ୟ କରି ପାରିବ । ଅନ୍ୟ କେତେକ ଲୋକ କହିଲେ, ରାଜା ଯେତେ ଚେଷ୍ଟା କରନ୍ତୁ, କାର୍ଯ୍ୟର ଉପଯୁକ୍ତ ସମୟ ନିରୂପଣ କରିବା ଅସମ୍ଭବ । ତେବେ ସେ ଯଦି ତାଙ୍କୁ ପରାମର୍ଶ ଦେବାପାଇଁ କେତେଜଣ ଜ୍ଞାନୀ ଲୋକ ନିଯୁକ୍ତ କରନ୍ତି, ତାହାହେଲେ ପ୍ରତ୍ୟେକ କାର୍ଯ୍ୟର ଉପଯୁକ୍ତ ସମୟ ସେମାନେ ନିରୂପଣ କରିଦେଇ ପାରିବେ । ଆହୁରି ମଧ୍ୟ କେହି କେହି କହିଲେ, ଅନେକ କାର୍ଯ୍ୟ ଅଛି, ଯେଉଁଥିରେ କାହାରି ପରାମର୍ଶ ପାଇଁ ଅପେକ୍ଷା କଲେ ଚଳିବ ନାହିଁ । ଯେଉଁ ମୁହୂର୍ତ୍ତରେ ସେ କାର୍ଯ୍ୟ ଉପସ୍ଥିତ ହେବ, ତତ୍‍କ୍ଷଣାତ୍ ସେ ସମ୍ବନ୍ଧରେ କର୍ତ୍ତବ୍ୟ ସ୍ଥିର କରିବାକୁ ହେବ । ଏପରି କାର୍ଯ୍ୟର ସମୟ ନିରୂପଣ କରିବାକୁ ହେଲେ ଏ ବିଷୟ ପୂର୍ବରୁ ଜାଣିବା ଆବଶ୍ୟକ । ଯେଉଁମାନେ ଗୁଣିବିଦ୍ୟା ଜାଣନ୍ତି, ସେହିମାନେ କେବଳ ପୂର୍ବରୁ କୌଣସି ଘଟନା କଥା ଜାଣି ପାରନ୍ତି । ସୁତରାଂ ଏ ବିଷୟରେ ଗୁଣିଆମାନଙ୍କ ପରାମର୍ଶ ନେବା ଉଚିତ ।

 

ଦ୍ୱିତୀୟ ପ୍ରଶ୍ନର ମଧ୍ୟ ଅନେକେ ଅନେକ ପ୍ରକାର ଉତ୍ତର ଦେଇଥିଲେ । କେହି କହିଲେ, ସଭାସଦ୍‌ମାନେ ରାଜାଙ୍କ ପକ୍ଷରେ ଅତ୍ୟନ୍ତ ପ୍ରୟୋଜନୀୟ; ଅନ୍ୟମାନେ କହିଲେ, ଧର୍ମଯାଜକମାନେ ସର୍ବାପେକ୍ଷା ଅଧିକ ଆବଶ୍ୟକ; କେହି କହିଲେ ଚିକିତ୍ସକ, କେହି ବା କହିଲେ ସୈନ୍ୟମାନେ ରାଜାଙ୍କ ପକ୍ଷରେ ବିଶେଷ ପ୍ରୟୋଜନୀୟ ।

 

ତୃତୀୟ ପ୍ରଶ୍ନ ହେଲା–କିପରି କାର୍ଯ୍ୟ କରିବା ସବୁଠାରୁ ଭଲ । କେହି କେହି କହିଥିଲେ, ବୈଜ୍ଞାନିକ ଆଲୋଚନା ସର୍ବାପେକ୍ଷା ଭଲ କାର୍ଯ୍ୟ; ଅନ୍ୟମାନେ କହିଥିଲେ, ଯୁଦ୍ଧକୌଶଳ ଶିଖିବା ସର୍ବୋତ୍ତମ । ପ୍ରତ୍ୟେକ ଏହିପରି ଭିନ୍ନ ଭିନ୍ନ ଉତ୍ତର ଦେଇଥିଲେ, କିନ୍ତୁ କୌଣସିଟାରେ ରାଜାଙ୍କ ମନ ମାନିଲା ନାହିଁ; ସୁତରାଂ ସେ କାହାକୁ ପୁରସ୍କାର ଦେଲେ ନାହିଁ । କିନ୍ତୁ ପ୍ରଶ୍ନଗୁଡ଼ିକର ପ୍ରକୃତ ଉତ୍ତର ନ ଜାଣିବା ପର୍ଯ୍ୟନ୍ତ ମନ ସ୍ଥିର ହେବାକୁ ନାହିଁ । ଜଣେ ବିଖ୍ୟାତ ଜ୍ଞାନୀ ସନ୍ନ୍ୟାସୀଙ୍କ କଥା ଶୁଣିପାରି ସେ ତାଙ୍କ ସଙ୍ଗରେ ପରାମର୍ଶ କରିବାକୁ ସ୍ଥିର କଲେ ।

 

ସେହି ସନ୍ନ୍ୟାସୀ ନିର୍ଜନ ଅରଣ୍ୟ ମଧ୍ୟରେ ବାସ କରନ୍ତି ଏବଂ ସାଧାରଣ ଲୋକ ଛଡ଼ା ଆଉ କାହାର ସଙ୍ଗରେ ମିଶନ୍ତି ନାହିଁ । ରାଜା ଅରଣ୍ୟ ପ୍ରାନ୍ତରେ ତାଙ୍କ ଅନୁଚରମାନଙ୍କୁ ରଖି ନିଜେ ଏକାକୀ ସାମାନ୍ୟ ବେଶରେ ସନ୍ନ୍ୟାସୀଙ୍କ କୁଟୀରକୁ ଗଲେ । କୁଟୀର ନିକଟକୁ ଯାଇଁ ଦେଖିଲେ ଯେ, ସନ୍ନ୍ୟାସୀ ମାଟି ଖୋଳୁଅଛନ୍ତି । ସେ ରାଜାଙ୍କୁ ଦେଖି ଅଭିବାଦନ କରି ମାଟି ଖୋଳିବାକୁ ଲାଗିଲେ । ରାଜା ଦେଖିଲେ, ସନ୍ନ୍ୟାସୀ ବଡ଼ ଦୁର୍ବଳ, ମାଟିରେ ଗୋଟିଏ ଚୋଟ ପକାଇ କ୍ଳାନ୍ତ ହୋଇ ପଡ଼ୁଅଛନ୍ତି । ରାଜା ନିକଟକୁ ଯାଇ କହିଲେ, ମୁଁ ତିନୋଟି ପ୍ରଶ୍ନର ଉତ୍ତର ଜାଣିବାପାଇଁ ଆପଣଙ୍କ ପାଖକୁ ଆସିଛି । ଯେଉଁ ସମୟରେ ଯେଉଁ କାର୍ଯ୍ୟ କରିବା ଉଚିତ, ତାହା ମୁଁ କିପରି କରି ପାରିବି ? କେଉଁ ଲୋକମାନେ ମୋ ପକ୍ଷରେ ବିଶେଷ ପ୍ରୟୋଜନୀୟ ? କିପରି କାର୍ଯ୍ୟ କରିବା ସର୍ବାପେକ୍ଷା ଭଲ ।

 

ସନ୍ନ୍ୟାସୀ ରାଜାଙ୍କ ପ୍ରଶ୍ନ ଶୁଣିଲେ, କିନ୍ତୁ କୌଣସି ଉତ୍ତର ନ ଦେଇ ପୁଣି ମାଟି ଖୋଲିବାକୁ ଲାଗିଲେ ।

 

କିଛିକ୍ଷଣ ପରେ ରାଜା କହିଲେ, ଆପଣ କ୍ଳାନ୍ତହୋଇ ପଡ଼ିଲେଣି, “ମୋତେ ଦିଅନ୍ତୁ, ମୁଁ କିଛିକ୍ଷଣ ମାଟି ଖୋଳେ ।” ସନ୍ନ୍ୟାସୀ ତାହାଙ୍କୁ ଧନ୍ୟବାଦ ଦେଇ ବସିଲେ । ରାଜା ମାଟି ଖୋଳିବାକୁ ଲାଗିଲେ । କିଛିକ୍ଷଣ ପରେ ରାଜା ମାଟି ଖୋଳା ବନ୍ଦ କରି ପୁଣି ସେହି ତିନୋଟି ପ୍ରଶ୍ନ ସନ୍ନ୍ୟାସୀଙ୍କୁ ପଚାରିଲେ । କିନ୍ତୁ ସନ୍ନ୍ୟାସୀ ତାହାର କୌଣସି ଉତ୍ତର ନ ଦେଇ କହିଲେ, “ତୁମେ କ୍ଳାନ୍ତ ହୋଇଗଲଣି, କିଛିକ୍ଷଣ ବିଶ୍ରାମ କର ।” ରାଜା କିନ୍ତୁ ତାଙ୍କ କଥା ନ ଶୁଣି ପୁଣି ମାଟି ଖୋଳିବାକୁ ଲାଗିଲେ । ପ୍ରାୟ ସନ୍ଧ୍ୟା ହୋଇ ଆସିଲା; ରାଜା କହିଲେ, “ମୁଁ ତିନୋଟି ପ୍ରଶ୍ନର ଉତ୍ତର ପାଇବାପାଇଁ ଆପଣଙ୍କ ନିକଟକୁ ଆସିଥିଲି । ଆପଣ ଯଦି ଉତ୍ତର ନ ଦେଇ ପାରିବେ, ତାହା ହେଲେ କହନ୍ତୁ, ମୁଁ ଫେରିଯାଏଁ ।”

 

ସନ୍ନ୍ୟାସୀ କହିଲେ, “ଦେଖ, ଦେଖ, ଜଣେ ଲୋକ କିପରି ଏଣିକି ଦୌଡ଼ି ଆସୁଛି, ସେ କିଏ ଦେଖିବା ।”

 

ରାଜା ଫେରି ଦେଖିଲେ, ଜଣେ ଲୋକ ବଣ ଭିତରୁ ଦୌଡ଼ି ଦୌଡ଼ି ଆସୁଅଛି । ଦୁଇ ହାତରେ ତାହାର ପେଟକୁ ଚାପି ଧରିଅଛି; କିନ୍ତୁ ହାତ ଭିତର ଦେଇ ରକ୍ତ ଝର ଝର ହୋଇ ବହିଯାଉଅଛି । ସେ ଲୋକଟି ଦୌଡ଼ି ଦୌଡ଼ି ଆସି ରାଜା ଯେଉଁଠାରେ ଥିଲେ, ସେହିଠାରେ ଅଜ୍ଞାନ ହୋଇ ପଡ଼ିଗଲା । ରାଜା ଏବଂ ସନ୍ନ୍ୟାସୀ ତାହାର ଲୁଗା ଫିଟାଇ ଦେଖିଲେ, ତା ପେଟରେ ଗୋଟିଏ ଗୁରୁତର ଆଘାତ । ରାଜା ତତ୍‌କ୍ଷଣାତ୍ ସେ ବ୍ୟକ୍ତିର କ୍ଷତ ଧୋଇଦେଇ ବାନ୍ଧିଦେଲେ । କିନ୍ତୁ ସେ ଏଭଳି କାର୍ଯ୍ୟରେ ଅଭିଜ୍ଞ ନ ଥିବାରୁ ରକ୍ତ ବନ୍ଦ କରି ପାରି ନ ଥିଲେ । ତଥାପି ଅତ୍ୟନ୍ତ ଯତ୍ନ କରି ବାରମ୍ଵାର କ୍ଷତକୁ ଧୋଇଦେଲେ । ଅନେକ କ୍ଷଣ ପରେ ରକ୍ତ ବନ୍ଦ ହେଲା, ଲୋକଟିର ଟିକିଏ ଚେତନା ମଧ୍ୟ ଆସିଲା । ସେ ଟିକିଏ ପାଣି ମାଗିବାରୁ ରାଜା ତାହା ମୁହଁ ପାଖରେ ପାଣି ଦେଲେ । ଲୋକଟି ପାଣି ପିଇ ସ୍ଥିର ହୋଇ ରହିଲା । ସେତେବେଳକୁ ସନ୍ଧ୍ୟା ହୋଇ ଗଲାଣି ରାଜା ଓ ସନ୍ନ୍ୟାସୀ ଧରାଧରି କରି ଲୋକଟିକୁ କୁଟୀର ଭିତରକୁ ନେଇ ବିଛଣାରେ ଶୋଇ ଦେଲେ । ସେ ସ୍ଥିର ହୋଇ ପଡ଼ି ରହିଲା । ଏଣେ ରାଜା ସେତେବେଳକୁ ଏଡ଼େ କ୍ଳାନ୍ତ ହୋଇ ପଡ଼ିଥିଲେ ଯେ, ସେ ସେହି କୁଟୀରରେ ମାଟି ଉପରେ ଶୋଇପଡ଼ିଲେ । ନିଦ ଭାଙ୍ଗିଲା ବେଳକୁ ଦେଖିଲେ ଯେ ସକାଳ ହୋଇଗଲାଣି ଓ ବିଛଣାରେ ଶୋଇ ପୂର୍ବଦିନର ସେଇ ଲୋକଟି ତାଙ୍କ ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଅଛି ।

 

‘ରାଜା ଉଠିଲାରୁ ସେହି ଲୋକଟି କ୍ଷୀଣ ସ୍ୱରରେ ତାଙ୍କୁ କହିଲା “ମୋତେ କ୍ଷମା କରନ୍ତୁ-।”

 

ରାଜା ବିସ୍ମିତ ହୋଇ କହିଲେ, ମୁଁ ତ ତୁମକୁ ଚିହ୍ନେ ନାହିଁ; ତୁମେ ମୋର କଣ କ୍ଷତି କରିଛ ଯେ, ମୁଁ ତୁମକୁ କ୍ଷମା କରିବି ?” ସେହି ଲୋକଟି କାତର ସ୍ୱରରେ କହିଲା, “ଆପଣ ମୋତେ ଚିହ୍ନନ୍ତି ନାହିଁ; କିନ୍ତୁ ମୁଁ ଆପଣଙ୍କୁ ଜାଣେ ମୁଁ ଆପଣଙ୍କର ଶତ୍ରୁ । ଆପଣ ମୋର ଭାଇକୁ ମାରି ତାହାର ସମ୍ପତ୍ତି ଅଧିକାର କରିଥିଲେ ବୋଲି ମୁଁ ପ୍ରତିହିଂସା ନେବାକୁ ପ୍ରତିଜ୍ଞା କରିଥିଲି । କାଲି ଆପଣ ସନ୍ନ୍ୟାସୀଙ୍କ ନିକଟକୁ ଆସିଥିବା କଥା ଜାଣିପାରି ମୁଁ ପ୍ରସ୍ତୁତ ହୋଇ ଆସିଥିଲି । ଆପଣ ଯେତେବେଳେ ଫେରିଯିବେ, ସେତେବେଳେ ଆପଣଙ୍କୁ ହତ୍ୟା କରିବି ବୋଲି ମୁଁ ବାଟରେ ଲୁଚି ରହିଥିଲି । ମାତ୍ର ଅନେକ ସମୟ ଅତୀତ ହୋଇଗଲା, ତଥାପି ଆପଣ ଫେରିଲେ ନାହିଁ ଦେଖି ମୁଁ ସନ୍ଧାନ ବୁଝିବାକୁ ଆସୁଥିଲି । ଏପରି ସମୟରେ ଆପଣଙ୍କ ଅନୁଚରମାନଙ୍କ ହାତରେ ପଡ଼ିଲି । ସେମାନେ ମୋତେ ଚିହ୍ନିପାରି ଆଘାତ କଲେ । ତାଙ୍କ ପାଖରୁ ଜୀବନ ଘେନି ପଳାଇ ଆସିଲି ସତ୍ୟ, କିନ୍ତୁ ଆପଣ ଯଦି ମୋର କ୍ଷତରୁ ରକ୍ତପାତ ବନ୍ଦ କରି ନ ଥାନ୍ତେ, ତାହାହେଲେ ଅତ୍ୟଧିକ ରକ୍ତପାତରୁ ମୋର ନିଶ୍ଚୟ ମୃତ୍ୟୁ ଘଟିଥାନ୍ତା । ଆପଣ ମୋର ଜୀବନ ରକ୍ଷା କରିଅଛନ୍ତି । ମୁଁ ଯଦି ସଂପୂର୍ଣ୍ଣରୂପେ ଆରୋଗ୍ୟ ଲାଭ କରି ଏଠାରୁ ବାହାରେ, ତାହାହେଲେ ଆଜୀବନ ଆପଣଙ୍କ ସେବାରେ ଆପଣାକୁ ନିୟୋଜିତ କରି ଧନ୍ୟ ହେବି । ଏବେ ମୋତେ କ୍ଷମା କରନ୍ତୁ ।”

 

ଏତେ ସହଜରେ ଏପରି ଆକସ୍ମିକ ଭାବରେ ତାଙ୍କର ପରମ ଶତ୍ରୁ ସଙ୍ଗରେ ମିତ୍ରତା ହେବାରୁ ରାଜା ଅତ୍ୟନ୍ତ ଆନନ୍ଦିତ ହୋଇ ତାହାର ସମ୍ପତ୍ତି ତାକୁ ଫେରାଇ ଦେବାକୁ ସ୍ଵତଃ ଅଙ୍ଗୀକାର କରି ତାହାର ଚିକିତ୍ସା ଓ ସେବା କରିବାପାଇଁ ତାଙ୍କର ଓ ଭୃତ୍ୟଙ୍କୁ ପଠାଇ ଦେବାକୁ କହି ସେ ବ୍ୟକ୍ତିଠାରୁ ବିଦାୟ ନେଲେ । ଯିବା ପୂର୍ବରୁ ଆଉ ଥରେ ସନ୍ନ୍ୟାସୀଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ଅନୁରୋଧ କରିବେ ବୋଲି ସେ ଭାବିଥିଲେ । ବାହାରକୁ ଆସି ଦେଖିଲେ, ପୂର୍ବଦିନ ଯେଉଁ ମାଟି ଖୋଳା ହୋଇଥିଲା, ସେଥିରେ ସନ୍ନ୍ୟାସୀ ମଞ୍ଜି ବୁଣୁଅଛନ୍ତି । ରାଜା ତାଙ୍କୁ ପ୍ରଶ୍ନର ଉତ୍ତର ଦେବାରୁ ଅନୁରୋଧ କରିବାରୁ ସନ୍ନ୍ୟାସୀ କହିଲେ, “ତୁମେ ତ ପ୍ରଶ୍ନର ଉତ୍ତର ପାଇ ସାରିଛ, ଆଉ ମତେ କ’ଣ ପଚାରୁଛ ।” ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ଵିତ ହୋଇ କହିଲେ, “କିପରି ? କେତେବେଳେ ମୁଁ ପ୍ରଶ୍ନର ଉତ୍ତର ପାଇଲି ?”

 

ସନ୍ନ୍ୟାସୀ କହିଲେ, “ତୁମେ କଣ ବୁଝି ପାରୁ ନାହଁ ? କାଲି ଯଦି ତୁମେ ମୋର ଦୁର୍ବଳତା ଦେଖି ଦୟା କରି ଏଠାରେ ମାଟି ନ ଖୋଳି ଫେରି ଯାଇଥାନ୍ତ, ତାହାହେଲେ ସେହି ଲୋକଟି ତୁମକୁ ଆକ୍ରମଣ କରିଥାନ୍ତା ଏବଂ ତୁମେ ମୋ ପାଖରେ ନ ରହି ଚାଲିଗଲ ବୋଲି ତୁମକୁ ଅନୁତାପ କରିବାକୁ ହୋଇଥାନ୍ତା । ସୁତରାଂ ସେହି ସମୟ ତୁମର ମାଟି ଖୋଳିବା ପକ୍ଷରେ ଉପଯୁକ୍ତ ସମୟ ଥିଲା; ମୁଁ ତୁମ ପକ୍ଷରେ ସର୍ବାପେକ୍ଷା ପ୍ରୟୋଜନୀୟ ବ୍ୟକ୍ତି ହୋଇଥିଲି । ମୋତେ ସାହାଯ୍ୟ କରିବାହିଁ ତୁମର ସର୍ବାପେକ୍ଷା କାର୍ଯ୍ୟ ହୋଇଥିଲା । ତତ୍ପରେ ଯେତେବେଳେ ସେହି ଲୋକଟି ଆସି ଉପସ୍ଥିତ ହେଲା, ସେହି ମୁହୂର୍ତ୍ତରେ ତାହାର ସେବା କରିବାର ଉପଯୁକ୍ତ ସମୟ ଆସିଲା, କାରଣ ଯଦି ସେହି ସମୟରେ ତୁମେ ତାହାର ସେବା ନ କରିଥାନ୍ତା, ତାହା ହେଲେ ତୁମ ସଙ୍ଗେ ତାହାର ମିଳନ ହେବା ପୂର୍ବରୁ ତାହାର ମୃତ୍ୟୁ ହୋଇଥାନ୍ତା । ସୁତରାଂ ସେତେବେଳେ ସେ ତୁମ ପକ୍ଷରେ ସର୍ବାପେକ୍ଷା ପ୍ରଯୋଜନୀୟ ବ୍ୟକ୍ତି ଏବଂ ତାହାର ସେବା ସର୍ବାପେକ୍ଷା ପ୍ରୟୋଜନୀୟ କାର୍ଯ୍ୟ ହୋଇଥିଲା । ସର୍ବଦା ଏହି କଥା ମନେ ରଖିବ ଯେ, ସବୁ କାର୍ଯ୍ୟପାଇଁ ଗୋଟିଏ ମାତ୍ର ଉପଯୁକ୍ତ ସମୟ ଅଛି-ସେ ସମୟଟି ‘ବର୍ତ୍ତମାନ’ । କେବଳ ବର୍ତ୍ତମାନ ମୁହୂର୍ତ୍ତଟି ଆମ୍ଭମାନଙ୍କର ସ୍ଵାୟତ୍ତ, ପରମୁହୂର୍ତ୍ତ ଯେ ଆମ୍ଭମାନଙ୍କୁ ମିଳିବ, ତାହାର ସ୍ଥିରତା ନାହିଁ । ଯେତେବେଳେ ତୁମେ ଯାହା ସଙ୍ଗରେ ଥିବ, ସେହି ଏକା ତୁମ ପକ୍ଷରେ ସର୍ବାପେକ୍ଷା ପ୍ରୟୋଜନୀୟ ବ୍ୟକ୍ତି; କାରଣ ପରେ ତୁମେ ଆଉ କାହାରି ସଙ୍ଗ ପାଇବ କି ନାହିଁ, ତାହା ତୁମେ ଜାଣ ନାହିଁ । ଯେତେବେଳେ ଯାହା ସଙ୍ଗରେ ଥିବ, ତାହାର ଉପକାର ସାଧନ କରିବା ତୁମ ପକ୍ଷରେ ସର୍ବଶ୍ରେଷ୍ଠ କାର୍ଯ୍ୟ । କାରଣ ଏହାହିଁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ।”

 

ରାଜା ପ୍ରସନ୍ନ ଚିତ୍ତରେ ସନ୍ନ୍ୟାସୀଙ୍କୁ ଅଭିବାଦନ କରି ଗୃହକୁ ଫେରିଗଲେ ।

Image

 

ପରାଜୟ

 

ପୂର୍ବ କାଳରେ ସିରିଆ ଦେଶରେ ଜଣେ ସାଧୁ ଓ ଦୟାଳୁ ଗୃହସ୍ଥ ଥିଲେ । ତାଙ୍କର ଅନେକ ସମ୍ପତ୍ତି ଥିଲା ଓ ଅନେକଗୁଡ଼ିଏ କ୍ରୀତଦାସ ଥିଲେ । ସେହି ଦାସମାନେ ପ୍ରଭୁଙ୍କ ବ୍ୟବହାରରେ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ ଏବଂ ସର୍ବଦା ତାଙ୍କର ସୁଖ୍ୟାତି ପ୍ରଚାର କରୁଥିଲେ । ସେମାନେ କହନ୍ତି, “ଆହା, ପୃଥିବୀରେ ଆମ ପ୍ରଭୁଙ୍କ ପରି ଏଡ଼େ ସତ୍ ଓ ଦୟାଳୁ ଲୋକ ଆଉ ନାହାନ୍ତି । ସେ ଆମମାନଙ୍କୁ କେଡ଼େ ସୁଖରେ ରଖିଅଛନ୍ତି, କିପରି ଭଲ ଖାଇବାକୁ ପିନ୍ଧିବାକୁ ଦିଅନ୍ତି, ଆଉ ଯାହାର ଯେତିକି ବଳ, ତାକୁ ସେହିଭଳି କାର୍ଯ୍ୟରେ ଲଗାନ୍ତି । କାହାକୁ ଟିକିଏ କଷ୍ଟ ଦିଅନ୍ତି ନାହିଁ କି କାହାକୁ କେବେ କଟୁ କଥା ପଦେ କହନ୍ତି ନାହିଁ । ଅନ୍ୟାନ୍ୟ ଲୋକେ ଦାସମାନଙ୍କ ପ୍ରତି କିପରି ପଶୁତୁଲ୍ୟ ବ୍ୟବହାର କରନ୍ତି, ସେମାନଙ୍କ ସଙ୍ଗରେ କେବେ ଭଲକରି କଥା କହନ୍ତି ନାହିଁ । ସେମାନଙ୍କ ସଙ୍ଗେ ଆମ ଅବସ୍ଥାରେ କେତେ ପ୍ରଭେଦ ? ଏପରି ପ୍ରଭୁ ପାଇ ଆମେମାନେ କି ସୁଖରେ ଦିନ କଟାଉଛୁଁଟି !”

 

ସୁଖରେ ଦିନ ଯାଉଥାଏ––କାହାରି କିଛି ଅସନ୍ତୋଷ ନାହିଁ । ଏଣେ ପ୍ରଭୁ ଆଉ ଦାସଙ୍କ ମଧ୍ୟରେ ଏପରି ସଦ୍‍ଭାବ ଦେଖି ପାପପୁରୁଷ ମନେ ମନେ ବଡ଼ ଅସହିଷ୍ଣୁ ହୋଇ ଉଠିଲା; କିପରି କିଛି ଅନର୍ଥ ଭେଇବ; ତାହାର ଉପାୟ ସନ୍ଧାନ କରିବାକୁ ଲାଗିଲା । ଦାସଦଳ ମଧ୍ୟରେ ବାବନା ବୋଲି ଜଣେ ଲୋକ ଥିଲା; ତାହାର ପ୍ରକୃତି ଟିକିଏ ଚଞ୍ଚଳ । ପାପପୁରୁଷ ଅନେକ କୌଶଳରେ ତାକୁ ଆୟତ୍ତ କରି ତାହାରି ସାହାଯ୍ୟରେ ଅନ୍ୟ ଦାସମାନଙ୍କ ମନ ଅଧିକାର କରିବାକୁ ଉଦ୍ୟମ ଲଗାଇଲା । ଦିନେ ସମସ୍ତେ ବସି ବିଶ୍ରାମ କରୁଅଛନ୍ତି, ଅନ୍ୟ ଦିନ ପରି ପ୍ରଭୁଙ୍କ ଗୁଣ ଆଲୋଚନା ଚାଲିଅଛି, ଏପରି ସମୟରେ ବାବନ ହଠାତ୍ ବିରକ୍ତ ହୋଇ କହିଲା, “ଆରେ, ମିଛଟାରେ କାହିଁକି ସମସ୍ତେ ତାଙ୍କର ଏତେ ପ୍ରଶଂସା କରୁଛ ? ଭଲ କରି କାମ କଲେ ସମସ୍ତେ ଭଲ ବ୍ୟବହାର କରିବେ । ଆମେମାନେ ସବୁବେଳେ ତାଙ୍କ କାମରେ ଲାଗିଛୁଁ, ସବୁବେଳେ ମନଜଗି ଚଳୁଛୁଁ, ସେ ଆମମାନଙ୍କ ପ୍ରତି ଭଲ ବ୍ୟବହାର ନ କରିବେ କାହିଁକି ? ଆଚ୍ଛା, ଆସ ତ ଦିନେ ତାଙ୍କର କିଛି କ୍ଷତି କରି ଦେଖିବା, ସେ କଣ କରିବେ ! କିଛି କ୍ଷତି ହେଲେ ସେ ନିଶ୍ଚୟ ଅନ୍ୟମାନଙ୍କ ପରି ଆମମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରିବେ ।’’

 

ଅନ୍ୟ ସମସ୍ତେ ବାବନାର ଏ କଥାରେ ଘୋର ପ୍ରତିବାଦ କଲେ । ବହୁ ବାଦ ପ୍ରତିବାଦ ଉତ୍ତାରେ ସମସ୍ତେ ଏକ ହୋଇ ବାବନା ସଙ୍ଗରେ ବାଜି ମାରିଲେ । ବାବନା ପ୍ରତିଜ୍ଞା କଲା, ଯେ କୌଣସିରୂପେ ସେ ତାହାର ପ୍ରଭୁର ରାଗ ଜନ୍ମାଇବ । କିନ୍ତୁ ଯଦି ସେ ତାକୁ ବନ୍ଦୀ କରନ୍ତି କିମ୍ବା ଅନ୍ୟ କୌଣସି ଶାସ୍ତି ଦିଅନ୍ତି, ସେମାନେ ତାକୁ ଉଦ୍ଧାର କରିବେ । ସ୍ଥିର ହେଲା, ତହିଁ ଆରଦିନ ସକାଳେ ବାବନା ତାହାର ପ୍ରତିଜ୍ଞା ପୂର୍ଣ୍ଣ କରିବ ।

 

ସେ ଭଦ୍ରବ୍ୟକ୍ତିଙ୍କର କେତେଗୁଡ଼ିଏ ସୁନ୍ଦର ମେଣ୍ଢା ଥିଲେ । ସେହି ମେଣ୍ଢାଗୁଡ଼ିକୁ ସେ ଅତ୍ୟନ୍ତ ଭଲ ପାଆନ୍ତି । ବାବନା ସେହି ମେଣ୍ଢାମାନଙ୍କ ସେବାରେ ନିଯୁକ୍ତ ଥିଲା । ପରଦିନ ସକାଳେ ଭଦ୍ରବ୍ୟକ୍ତି ତାଙ୍କର କେତେଜଣ ବନ୍ଧୁଙ୍କୁ ମେଣ୍ଢା ଦେଖାଇଵା ନିମନ୍ତେ ସଙ୍ଗରେ ନେଇ ଆସିଲେ । ବାବନା ଅନ୍ୟାନ୍ୟ ଦାସମାନଙ୍କୁ ଇଙ୍ଗିତ କଲାରୁ ସେମାନେ ସମସ୍ତେ ସେଠାରେ ଉପସ୍ଥିତ ହେଲେ । ବାବନା କିପରି ତାହାର ଉଦ୍ଦେଶ୍ୟ ସାଧନ କରିବ, ତାହା ଦେଖିବାପାଇଁ ପାପ ପୁରୁଷ ମଧ୍ୟ ନିକଟରେ ଅପେକ୍ଷା କରୁଥାଏ । ଭଦ୍ରବ୍ୟକ୍ତି ତାଙ୍କ ବନ୍ଧୁମାନଙ୍କୁ ସମସ୍ତ ମେଣ୍ଢା ଦେଖାଇ କହିଲେ, “ଏଗୁଡ଼ିକ ସବୁ ଖୁବ୍ ସୁନ୍ଦର, କିନ୍ତୁ ଗୋଟିଏ ମେଣ୍ଢା ଅଛି, ସେଇଟିକୁ ମୁଁ ବେଶି ଭଲପାଏ ଏବଂ ସେ ମଧ୍ୟ ସବୁଠାରୁ ସୁନ୍ଦର । ଦେଖିବ, ତାର ଶିଙ୍ଗ, ଲୋମ କେଡ଼େ ସୁନ୍ଦର !’’

 

ଏତେ ଲୋକ ଦେଖି ମେଣ୍ଢାଗୁଡ଼ିକ ଭୟରେ ଚମକି ଏଣେତେଣେ ହୋଇ ଯାଉଥିଲେ; ତେଣୁ ସେମାନେ ଟିକିଏ ସ୍ଥିର ହେଲାବେଳକୁ ବାବନା କୌଶଳରେ ସେମାନଙ୍କୁ ପୁଣି ଏପରି ଚମକାଇ ଦିଏ ଯେ, ସେମାନେ ପୁଣି ଏକାଠି ମିଶିଯାନ୍ତି । ସୁତରାଂ କେଉଁ ମେଣ୍ଢାଟିକୁ ଭଦ୍ରବ୍ୟକ୍ତି ଦେଖାଇବାକୁ ଚାହାନ୍ତି, ତାହା ତାଙ୍କର ବନ୍ଧୁମାନେ ବୁଝି ପାରୁ ନ ଥିଲେ । ଅବଶେଷରେ ଭଦ୍ରବ୍ୟକ୍ତି କହିଲେ, “ବାବନା ତୁ ଭିତରକୁ ଯାଇ ସେହି ମେଣ୍ଢାଟିକୁ ଟିକିଏ ଧର, ଏମାନେ ଦେଖିବେ । ଦେଖ, ଖୁବ୍ ସାବଧାନ ହୋଇ ତାକୁ ଧରିବୁ, ଯେପରି କୌଣସି ଆଘାତ ନ ଲାଗେ ।”

 

ସେ ଏକଥା କହିଲା ମାତ୍ରକେ ବାବନା ଦଉଡ଼ି ଯାଇ ସେହି ମେଣ୍ଢାଟିକୁ ଧରି ପକାଇଲା ଏବଂ ପରେ ତାହାର ଗୋଟିଏ ପଛଗୋଡ଼ ଧରି ଏପରି ଭାବରେ ଟାଣି ଦେଲା ଯେ, ମେଣ୍ଢାଟିର ସେ ଗୋଡ଼ଟି ଭାଙ୍ଗିଗଲା ଓ ସେ ଯନ୍ତ୍ରଣାରେ ଚିତ୍‌କାର କରିବାକୁ ଲାଗିଲା । ଯେଉଁମାନେ ମେଣ୍ଢା ଦେଖିବାକୁ ଆସିଥିଲେ, ସେମାନେ ଓ ଅନ୍ୟାନ୍ୟ ଦାସମାନେ ଅତ୍ୟନ୍ତ ବିରକ୍ତ ହୋଇ ପାଟି କରି ଉଠିଲେ । ବାବନା ଏପରି କୌଶଳରେ କାର୍ଯ୍ୟ କରୁଥିବାର ଦେଖି ପାପପୁରୁଷ ଭାରି ଖୁସି ହେଲା । ଭଦ୍ରବ୍ୟକ୍ତିଙ୍କର ମୁହଁ ରାଗରେ ରକ୍ତବର୍ଣ୍ଣ ହୋଇଗଲା; କିନ୍ତୁ ସେ କିଛି ନ କହି ସ୍ଥିରଭାବରେ ଠିଆ ହୋଇ ରହିଲେ ।

 

ଏଥି ଉତ୍ତାରେ ସେ କଣ କରିବେ, ତାହା ଦେଖିବାପାଇଁ ସମସ୍ତେ ଆଗ୍ରହରେ ଅପେକ୍ଷା କରି ରହିଅଛନ୍ତି । କିଛିକ୍ଷଣ ଏହିପରି ରହି ଭଦ୍ରବ୍ୟକ୍ତି ଆକାଶ ଆଡ଼କୁ ଚାହିଁଲେ । କ୍ଷଣକାଳ ପରେ ଆସ୍ତେ ଆସ୍ତେ ତାଙ୍କ ମୁହଁରୁ ରାଗର ଚିହ୍ନ ଚାଲିଗଲା, ସେ ବାବନା ଆଡ଼କୁ ଚାହିଁ ହସି ହସି କହିଲେ, “ବାବନା ମୁଁ ପ୍ରକୃତ କଥା ବୁଝିପାରିଛି । ମୋର ରାଗ ଜନ୍ମାଇବାପାଇଁ ତୋହର ପ୍ରଭୁ ତତେ ଆଦେଶ ଦେଇଥିଲା । କିନ୍ତୁ ମୋର ପ୍ରଭୁ ତୋ ପ୍ରଭୁ ଅପେକ୍ଷା ଶକ୍ତିଶାଳୀ । ମୁଁ ତୋ ଉପରେ କ୍ରୋଧ କରିନାହିଁ, କିନ୍ତୁ ମୁଁ ତୋର ପ୍ରଭୁର ମୁଣ୍ଡ ତଳକୁ କରିବି । ତୋର ଭୟ ହୋଇଛି, ମୁଁ କାଳେ ଶାସ୍ତି ଦେବି । ମୁଁ ଜାଣେ, ତୁ ଅନେକ ଦିନରୁ ସ୍ୱାଧୀନତା ପାଇବାକୁ ଇଚ୍ଛା କରୁଛୁ । ମୁଁ ତତେ ଶାସ୍ତି ଦେବି ନାହିଁ ତୁ, ସ୍ଵାଧୀନତା ପାଇବାକୁ ଇଚ୍ଛା କରୁ । ମୋର ଏହି ବନ୍ଧୁମାନଙ୍କ ସମ୍ମୁଖରେ ମୁଁ ଏହି ମୁହୂର୍ତ୍ତରେ ତତେ ସ୍ଵାଧୀନତା ଦେଲି । ଏବେ ତୋର ଯେଉଁଠାକୁ ଇଚ୍ଛା ଯାଇପାରୁ ।” ଏତିକି କହି ସେ ତାଙ୍କ ବନ୍ଧୁମାନଙ୍କୁ ସଙ୍ଗରେ ନେଇ ସେଠାରୁ ଚାଲିଗଲେ । ପାପପୁରୁଷ ନିରାଶ ଓ ଲଜ୍ଜିତ ହୋଇ ସେଠାରୁ ପଳାଇଗଲା ।

Image

 

ରହସ୍ୟ

 

ଗୋଟିଏ ଗ୍ରାମରେ ଶ୍ରୀମନ୍ତ ନାମରେ ଜଣେ ମୋଚି ବାସ କରୁଥିଲା । ସେ ବଡ଼ ଗରିବ, ତାହାର ନିଜର ଘର କି ଜମିବାଡ଼ି କିଛି ନଥିଲା । ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ସେ ଖଣ୍ଡିଏ ଘର ଭଡ଼ା କରିଥାଏ । । ଯାହା ଉପାର୍ଜନ କରେ, ସେଇଥିରୁ କୌଣସିମତେ ଦିନ ଚଳିଯାଉଥାଏ । ଶୀତ ଦିନରେ ସେମାନଙ୍କୁ ବଡ଼ କଷ୍ଟ ହୁଏ; କାରଣ ଘରେ ଖଣ୍ଡିଏ ମାତ୍ର ପୁରୁଣା କମ୍ବଳ, ସେଥିରେ ସମସ୍ତଙ୍କର ଚଳେ ନାହିଁ । ଥରେ ଶୀତ ପୂର୍ବରୁ ଶ୍ରୀମନ୍ତ ଅନେକ କଷ୍ଟରେ କିଛି ପଇସା ଜମାଇଲା, ଇଚ୍ଛା ଯେ, ସେଥିରେ ଖଣ୍ଡେ ଭଲ କମ୍ବଳ କିଣିବ । ଦିନେ ସକାଳେ ସେ କମ୍ବଳ କିଣିବାକୁ ବାହାରିଲା । ସ୍ତ୍ରୀ ପାଖରେ ଯାହା ଜମା ରଖିଥିଲା, ସେତକ ନେଲା । ଗ୍ରାମରେ ଦୁଇ ତିନି ଜଣଙ୍କଠାରୁ କିଛି ପଇସା ପାଇବ, ସେ ସବୁ ଆଦାୟ କରି ଖଣ୍ଡିଏ ଭଲ କମ୍ବଳ କିଣିବ ବୋଲି ବାହାରିଲା । ହାତରେ ପଇସା ପାଇଲେ ଶ୍ରୀମନ୍ତ ମଝିରେ ମଝିରେ ଟିକେ ମଦ ଖାଇଦିଏ । ତେଣୁ ଆଜି ତାହାର ସ୍ତ୍ରୀ ତାକୁ ବିଶେଷ ଭାବରେ ସାବଧାନ କରି ଦେଇଥିଲା––ଯେପରି ପଇସାତକ ଅନ୍ୟ କାହିଁରେ ଖରଚ କରି ନ ପକାଏ । ଶ୍ରୀମନ୍ତ ପାଉଣା ଆଦାୟ କରିବାକୁ ଗଲା, କିନ୍ତୁ ପ୍ରାୟ କାହାରି ପାଖରୁ କିଛି ପାଇଲା ନାହିଁ । କେବଳ ଜଣେ ଲୋକ କେତେ ଅଣା ମାତ୍ର ଦେଲା । ଶ୍ରୀମନ୍ତ ଭାବିଲା, ଆଜି ତ କିଛି ପଇସା ପାଇଲି ନାହିଁ, କମ୍ବଳ କିପରି କିଣିବି ? ଆଜି ଫେରିଯାଏ, ଆଉ ଦିନେ ଦେଖାଯିବ । ଏହା ଭାବି ସେ ଘର ଆଡ଼କୁ ଫେରିଲା । ଫେରିଲାବେଳେ ତାହା ପାଖରେ ଯାହା ରେଜା ପଇସା ଥିଲା, ସେତକ ଦେଇ ମଦ ଟିକିଏ ଖାଇଦେଲା । ବାଟରେ ଆସୁ ଆସୁ ସେ ଭାବିଲା, “ମୁଁ କମ୍ବଳ ନେଇ ଯିବି ବୋଲି ମୋ ସ୍ତ୍ରୀ ତ ଚାହିଁ ବସିଥିବ, ଏବେ ଖାଲିହାତ ଦେଖି କଣ ମନେ କରିବ ? ବାସ୍ତବିକ ଶୀତରେ ବଡ଼ କଷ୍ଟ ପାଇବାକୁ ହେଉଛି ! ଲୋକେ କାମ କରାଇ ନେବେ ଅଥଚ ପଇସା ଦେବେନାହିଁ, ମାଗିଲା ବେଳକୁ କହିବେ, ଏବେ ପଇସା ନାହିଁ । ସେମାନେ ତ ହାତରେ ପଇସା ନାହିଁ ବୋଲି କହି ଖଲାସ, ଏଣେ ମୋର ଚଳେ କିପରି ?

 

ଏହିପରି ମନରେ ଭାବି ଯାଉଁ ଯାଉଁ ସେ ଗୋଟିଏ ମନ୍ଦିର ପାଖରେ ଆସି ପହଞ୍ଚିଲା । ମନ୍ଦିର ଆଡ଼କୁ ଚାହିଁ ଯେପରି ମନ୍ଦିର କାନ୍ଥ ପାଖରେ କ’ଣ ଗୋଟିଏ ଧଳା ପଦାର୍ଥ ଦେଖିଲା, ପଦାର୍ଥଟି ହଲୁଛି । ଆଉ ଟିକିଏ ପାଖକୁ ଯାଇ ଦେଖିଲା, ଗୋଟିଏ ମନୁଷ୍ୟ ପରି ମନେହେଲା । ସେତେବେଳକୁ ପ୍ରାୟ ସନ୍ଧ୍ୟା ହେଲାଣି । ଶ୍ରୀମନ୍ତ ଭାବିଲା, ଏତେବେଳେ ଏଭଳି ନିର୍ଜନ ମନ୍ଦିର ପାଖରେ କିଏ ବସିଛି ? କାଳେ ଚୋର ହୋଇଥିବ, ମୁଁ ଆଉ ପାଖକୁ ଯିବିନାହିଁ । ଏହା ଭାବି ସେ କିଛିଦୂର ଚାଲିଗଲା, କିନ୍ତୁ ତା ମନଟା ଟିକିଏ ଇତସ୍ତତଃ ହେଲା । ସେ ଭାବିଲା, ‘ଆହା ! ସେ ଲୋକଟିର ଯଦି କିଛି ବିପଦ ଘଟିଥାଏ, ତାହାହେଲେ କଣ ହେବ ? ନା, ମୁଁ ଯାଏ ଦେଖେଁ, ମୋ ପାଖରେ କି ସମ୍ପତ୍ତିଗୁଡ଼ାଏ ଅଛି ଯେ, କିଏ ଚୋରି କରିବ ।’ ଏହିପରି ମନେ ମନେ ପାଞ୍ଚି ସେ ସେଠାକୁ ଯାଇଁ ଦେଖିଲା ଯେ, ଲୋକଟି ନିତାନ୍ତ ଅଳ୍ପବୟସ୍କ, ଦେଖିବାକୁ ଭାରି ସୁନ୍ଦର, କିନ୍ତୁ ତାହା ଦେହରେ ଖଣ୍ଡିଏ ବୋଲି ଲୁଗା ନାହିଁ; ମାତ୍ର କୌଣସିଠାରେ କିଛି ଆଘାତର ଚିହ୍ନ ମଧ୍ୟ ନାହିଁ । ଶ୍ରୀମନ୍ତ ତା ପାଖକୁ ଯାଇ ଚାଦର ଖଣ୍ଡିକ ନେଇ ତାକୁ ପିନ୍ଧିବାକୁ ଦେଲା । ଲୋକଟି ଭଲ କରି ଲୁଗା ପିନ୍ଧି ପାରୁନଥାଏ; “ଶ୍ରୀମନ୍ତ ଦେଖାଇ ଦେଲାରୁ ଏକପ୍ରକାର ପିନ୍ଧିଲା । ତହୁଁ ଶ୍ରୀମନ୍ତ କହିଲା, “ଶୀତରେ ତୁମର ବଡ଼ କଷ୍ଟ ହେଉଥିବ, କିନ୍ତୁ କଣ କରାଯିବ । ଏବେ ଚିକିଏ ବାଟ ଚାଲିଲେ ଗରମ ବୋଧ ହେବ । ମୋ ସଙ୍ଗରେ ଚାଲ ।”

 

ଲୋକଟି କରୁଣ ଦୃଷ୍ଟିରେ ଶ୍ରୀମନ୍ତ ଆଡ଼କୁ ଚାହିଁଲା; କିନ୍ତୁ କିଛି କହିପାରିଲା ନାହିଁ । ଶ୍ରୀମନ୍ତ କହିଲା, “ତୁମେ କଥା କହୁନାହଁ କାହିଁକି ? ଗୋଟାଏ ଜାଗାରେ ବସି ରହିଲେ ବେଶୀ ଶୀତ କରିବ । ମୋ ସାଙ୍ଗରେ ଚାଲ । ଯଦି ଦୁର୍ବଳ ବୋଧ କରୁଥାଅ, ତାହା ହେଲେ ଏହି ବାଡ଼ିଖଣ୍ଡି ନିଅ-। ଏଥିରେ ଭରା ଦେଇ ଚାଲି ପାରିବ ।’ ଲୋକଟି ଚାଲିବାକୁ ଆରମ୍ଭ କଲା । କୌଣସି ଦୁର୍ବଳତାର ଲକ୍ଷଣ ଦେଖାଗଲା ନାହିଁ । କିଛିଦୂର ଗଲାରୁ ଶ୍ରୀମନ୍ତ ତାକୁ ପଚାରିଲା, ‘ତୁମ ଘର କେଉଁଠାରେ ?’ ସେ କହିଲା, ‘ମୋ ଘର ଏ ଅଞ୍ଚଳରେ ନୁହେଁ ।’

 

ଶ୍ରୀମନ୍ତ କହିଲା, ‘ତାହା ମୁଁ ଜାଣେ । ଏ ସ୍ଥାନର ପ୍ରାୟ ସମସ୍ତ ଲୋକଙ୍କୁ ତ ମୁଁ ଚିହ୍ନେ । ଆଚ୍ଛା, ତୁମେ ମନ୍ଦିର ପାଖକୁ ଆସିଲ କିପରି ?”

 

‘ମୁଁ କହିପାରିବି ନାହିଁ ।’

 

‘ତୁମ ପ୍ରତି କଣ କେହି ମନ୍ଦ ବ୍ୟବହାର କରିଛି ?’

 

‘ନା, କେହି କିଛି କରି ନାହିଁ । ଈଶ୍ଵର ମତେ ଶାସ୍ତି ଦେଇଛନ୍ତି ।’

 

‘ଅବଶ୍ୟ ଈଶ୍ଵର ତ ସମସ୍ତ ଶାସନ କରୁଛନ୍ତି, ତେବେ ପୁଣି କେଉଁଠାରେ ହେଲେ ଆଶ୍ରୟ ଓ ଖାଦ୍ୟ ଅନ୍ୱେଷଣ କରିବ ତ ? କେଉଁଠାକୁ ଯିବାକୁ ଇଚ୍ଛା କରିଛ ?’

 

‘ମୁଁ କିଛି ଜାଣେ ନାହିଁ ।’

 

ଶ୍ରୀମନ୍ତ ତାହା କଥା ଶୁଣି ବିସ୍ମିତ ହେଲା । ଲୋକଟିକୁ ଦେଖିଲେ ଦୁଷ୍ଟ ବୋଲି ମନେ ହେଉନାହିଁ; ଅଥଚ ସେ ନିଜ ସମ୍ବନ୍ଧରେ କିଛି କହୁନାହିଁ । କିଛିକ୍ଷଣ ଭାବି ଶ୍ରୀମନ୍ତ କହିଲା, ‘ଆଚ୍ଛା, ବର୍ତ୍ତମାନ ତ ମୋ ସଙ୍ଗରେ ମୋ ଘରକୁ ଚାଲ, କ’ଣ କରାଯିବ, ସେ କଥା ପରେ ବିଚାର କରିବା ।’ ଏହା କହି ଶ୍ରୀମନ୍ତ ଘର ଆଡ଼କୁ ଚାଲିଲା, ଲୋକଟି ମଧ୍ୟ ସାଙ୍ଗରେ ଚାଲିଲା । ଶ୍ରୀମନ୍ତ ଭାବିଲା, ‘ମୁଁ କମ୍ବଳ କିଣିବାକୁ ଚାଲି, କମ୍ବଳ ତ କିଣା ହେଲାନାହିଁ; ତା ଉପରେ ଗୋଟିଏ ଲୋକ ସାଙ୍ଗରେ ନେଇ ଘରକୁ ଯାଉଛି, ମୋ ସ୍ତ୍ରୀ ନିଶ୍ଚୟ ଭାରି ରାଗିବ ।’ କିନ୍ତୁ ସେ ଯେତେବେଳେ ଲୋକଟି ଆଡ଼କୁ ଚାହିଁଲା ଓ ମନ୍ଦିର ପାଖରେ ତାହାର କରୁଣ ଦୃଷ୍ଟି କଥା ମନେ କଲା, ସେତେବେଳେ ତାକୁ ସାଙ୍ଗରେ ଆଣିଛି ବୋଲି ମନରେ ଆନନ୍ଦ ଅନୁଭବ କଲା ।

 

ଶ୍ରୀମନ୍ତର ସ୍ତ୍ରୀ ସେଦିନ ସନ୍ଧ୍ୟା ପୂର୍ବରୁ କାମ ସାରି ସ୍ୱାମୀକୁ ଅପେକ୍ଷା କରି ବସିଛି । ଶ୍ରୀମନ୍ତର ଫେରିବାରେ ବିଳମ୍ବ ଦେଖି ତାହା ମନରେ ଟିକିଏ ଭାବନା ହେଲା । ସେ ମନେ ମନେ କହିଲା, ‘ଏବେ ଭଲରେ ଭଲରେ କମ୍ବଳ କିଣି ଫେରିଆସିଲେ ରକ୍ଷା । ତାକୁ କେହି ନ ଠକିଲେ ହୁଏ । ସେ ତ କାହାକୁ ଠକେ ନାହିଁ, ତେବେ ସେ ଯେପରି ସରଳ, ତାକୁ ଠକାଇବା ଭାରି ସହଜ । ଏତେବେଳ ପର୍ଯ୍ୟନ୍ତ ଫେରୁ ନାହିଁ କାହିଁକି ?’ ବସି ବସି ଏହିପରି ଭାବୁଛି, ଏପରି ସମୟରେ ବାହାରେ ପାଦଶବ୍ଦ ଶୁଣି ଦୁଆର ପାଖକୁ ଉଠିଯାଇ ଦେଖିଲା ଯେ, ଶ୍ରୀମନ୍ତ ଉପସ୍ଥିତ । ତା ହାତରେ କମ୍ବଳ ନାହିଁ, ସାଙ୍ଗରେ ଆଉ ଗୋଟିଏ ଲୋକ; ସେ ଶ୍ରୀମନ୍ତର ଚାଦର ପିନ୍ଧିଛି । ଏସବୁ ଦେଖି ଶ୍ରୀମନ୍ତର ସ୍ତ୍ରୀ ରାଗରେ ଜଳିଗଲା । ସେ ଭାବିଲା, ଶ୍ରୀମନ୍ତ ନିଶ୍ଚୟ କୌଣସିଠାରେ ମଦ ଖାଇ ପଇସାଯାକ ଖରଚ କରିଛି, ଏବେ ଜଣେ ସଙ୍ଗୀକୁ ନେଇ ଘରକୁ ଫେରୁଛି । ସେ କିଛି ନ କହି ଛିଡ଼ା ହୋଇ ରହିଲା । ଶ୍ରୀମନ୍ତ ଘର ଭିତରକୁ ଆସି ସେହି ଲୋକଟିକୁ ଡାକି ବସାଇ ସ୍ତ୍ରୀକୁ କହିଲା, ‘ଭାରି ଭୋକ କଲାଣି, ଆମମାନଙ୍କୁ କିଛି ଖାଇବାକୁ ଦିଅ ।’ ସ୍ତ୍ରୀ କିଛି ଉତ୍ତର ନ ଦେଇ ସେହିପରି ଛିଡ଼ା ହୋଇ ରହିଲା । ଶ୍ରୀମନ୍ତ ବୁଝିପାରିଲା, ସ୍ତ୍ରୀ ରାଗିଛି, କିନ୍ତୁ କିଛି ନ ଜାଣିଲା ପରି କହିଲା, ‘ଆଜି କଣ ରନ୍ଧା ହୋଇ ନାହିଁ ?’

 

ସ୍ତ୍ରୀ ତହୁଁ ଅତ୍ୟନ୍ତ ଗରମ ହୋଇ କହିଲା, ‘ନା, ମୁଁ ତୁମମାନଙ୍କ ପାଇଁ ରାନ୍ଧି ନାହିଁ । ମଦ ଖାଇ ସାଙ୍ଗରେ ଲୋକ ନେଇ ଘରକୁ ଆସି ଖାଇବାକୁ ମାଗିବ, ମୁଁ କେଉଁଠୁ ଆଣି ଦେବି ? କମ୍ବଳ କିଣିବାକୁ ଯେଉଁ ଟଙ୍କା କେଇଟି ରଖିଥିଲି, ତାକୁ ତ ସବୁ ଖରଚ କରି ଦେଇ ଆସିଲ, ଏବେ ଆମେମାନେ ଶୀତରେ କଷ୍ଟ ପାଇ ମରିବୁଁ ସିନା !’ ଏହିପରି ସେ ଅନର୍ଗଳ ବକିବାକୁ ଲାଗିଲା । ଶ୍ରୀମନ୍ତ ତାକୁ ଯେତେ ବୁଝାଇବାକୁ ଚେଷ୍ଟାକଲା, ସେ ଶୁଣିଲା ନାହିଁ । ଶେଷରେ ଟଙ୍କା ବାହାର କରି ତାହାର ସ୍ତ୍ରୀକୁ ଦେଲା ଏବଂ କାହିଁକି ସେ କମ୍ବଳ କିଣି ପାରି ନାହିଁ, ସେ କଥା ସବୁ କହିଲା । ସେତେବେଳ ପର୍ଯ୍ୟନ୍ତ ତାହାର ସ୍ତ୍ରୀର ମନ ଥଣ୍ଡା ହୋଇନାହିଁ । ସେ ଟଙ୍କାତକ ରଖିଦେଇ ଦାଣ୍ଡଦୁଆର ଆଡ଼କୁ ଚାଲିଗଲା । ବୋଧହୁଏ ବାହାରକୁ ଚାଲି ଯାଉଥିଲା; କିନ୍ତୁ ଦୁଆରପାଖକୁ ଯାଇଁ ଥରେ ପଛ ଆଡ଼କୁ ଫେରି ଅନାଇଲା । ସେ ପର୍ଯ୍ୟନ୍ତ ଶ୍ରୀମନ୍ତର ସଙ୍ଗୀ ଲୋକଟି କାଠଟି ପରି ବସି ସ୍ୱାମୀ ସ୍ତ୍ରୀଙ୍କ କଳି ଶୁଣୁଥିଲା । ଶ୍ରୀମନ୍ତର ସ୍ତ୍ରୀ ତାହା ଆଡ଼କୁ ଚାହିଁ ଦେଖିଲା; ଲୋକଟି ତାହାରି ଆଡ଼କୁ ଚାହିଁ ରହିଛି । ଲୋକଟିର କାତର ଦୃଷ୍ଟି ଦେଖି ତାହାର ମନଟା ଟିକିଏ ନରମ ହୋଇଗଲା; ସେ ବାହାରି ନ ଯାଇ ସେହିଠାରେ ଠିଆ ହୋଇ ରହିଲା । ଅଳ୍ପ କ୍ଷଣ ପରେ ଶ୍ରୀମନ୍ତକୁ କହିଲା, ‘ସେ ଯଦି ଭଲ ଲୋକ; ତେବେ ଏତେ ରାତିରେ କାହିଁକି ବାହାରେ ଅଛି ! ସେ କିଏ; ତାହା ତ ତୁମେ ମତେ କିଛି କହୁ ନାହଁ ।’

 

ଶ୍ରୀମନ୍ତ କହିଲା, ‘ମୁଁ ତ ଏତେବେଳଯାଏ ସେହି କଥା କହିବାକୁ ଚେଷ୍ଟା କରୁଛି; କିନ୍ତୁ ତୁମେ କଣ ମୋ କଥା ଶୁଣୁଛ !’ ଏହା କହି ସେ କିପରି ଅବସ୍ଥାରେ ସେ ଲୋକଟିକୁ ଦେଖିଥିଲା ଓ କିପରି ତାକୁ ସାଙ୍ଗରେ ଘେନି ଆସିଛି, ସବୁ କହିଲା । ସ୍ତ୍ରୀ ଲୋକଟି ଆଡ଼କୁ ପୁଣି ଚାହିଁ ଦେଖିଲା ଯେ, ସେ ମୁହଁ ତଳକୁ ପୋତି ତୁନି ହୋଇ ବସିଛି । ତା ମନରେ ଟିକିଏ ଦୟା ହେଲା, ସେ ଫେରିଆସି ଯାହା ରାନ୍ଧିଥିଲା ବାଢ଼ି ଦେଇ ଦୁଇ ଜଣଙ୍କୁ ଖାଇବାକୁ କହିଲା । ଦୁଇଜଣ ଖାଇ ବସିଲେ । ଶ୍ରୀମନ୍ତର ସ୍ତ୍ରୀ ସେ ଲୋକଟିକୁ ଭଲ କରି ଦେଖିଲା, ତାକୁ ଦେଖି ତା ମନରେ କିପରି ଗୋଟାଏ ସ୍ନେହ ଜନ୍ମିଲା । ସେ ଲୋକଟି ମଧ୍ୟ ଖାଉ ଖାଉ ଚାହିଁ ଦେଖିଲା ଯେ, ଶ୍ରୀମନ୍ତର ସ୍ତ୍ରୀ ତାହା ଆଡ଼କୁ ସସ୍ନେହ ଦୃଷ୍ଟିରେ ଅନାଇ ରହିଛି । ତାହା ଦେଖି ଆନନ୍ଦରେ ଲୋକଟିର ମୁଖ ଉଜ୍ଜ୍ଵଳ ହୋଇ ଉଠିଲା ଓ ସେ ତାହା ଆଡ଼କୁ ଚାହିଁ ହସିଲା । ସେମାନେ ଖାଇ ସାରିଲାରୁ ଶ୍ରୀମନ୍ତର ସ୍ତ୍ରୀ ଆଗନ୍ତୁକକୁ ତାହାର ପରିଚୟ ପଚାରିଲା; କିନ୍ତୁ ସେ ଶ୍ରୀମନ୍ତକୁ ଯେଉଁ ଉତ୍ତର ଦେଇଥିଲା, ତାକୁ ମଧ୍ୟ ସେହି ଉତ୍ତର ଦେଲା । ରାତି ବେଶି ହୋଇଯିବାରୁ ଶ୍ରୀମନ୍ତର ସ୍ତ୍ରୀ ସେ ଲୋକଟିକୁ ଶୋଇବାପାଇଁ ବିଛଣା କରି ଦେଲା ଓ ଖଣ୍ଡେ ଲୁଗା ଘୋଡ଼ାଇ ହେବାପାଇଁ ଦେଲା । ସ୍ୱାମୀ ସ୍ତ୍ରୀ ଦୁହେଁ ଶୋଇବାକୁ ଗଲେ । ସ୍ତ୍ରୀ ସ୍ୱାମୀକୁ କହିଲା, ‘ଯାହା ଥିଲା, ଆଜି ତ ରାନ୍ଧିଛି, ଆଉ ଘରେ ଚାଉଳ ନାହିଁ । କାଲି କଣ କରିବି କିଛି ବୁଝି ପାରୁ ନାହିଁ ।’ ସ୍ୱାମୀ କହିଲା; ‘କାଲି ଯାହା ହେଉ କିଛି ଗୋଟାଏ ଉପାୟ ହେବ । ସ୍ତ୍ରୀ କହିଲା, ‘ଆଚ୍ଛା, ଆମେମାନେ ତ ଯାହା ପାରୁଁ, ଲୋକଙ୍କୁ ଦେଉଁ; କିନ୍ତୁ ଆମମାନଙ୍କୁ କାହିଁକି କେହି ଦିଅନ୍ତି ନାହିଁ !’ ଶ୍ରୀମନ୍ତ କିଛି ଉତ୍ତର ଦେଲା ନାହିଁ ।

 

ତହିଁ ଆରଦିନ ସକାଳେ ଉଠି ଶ୍ରୀମନ୍ତ ଦେଖିଲା, ସେ ଲୋକଟି ଉଠି ତୁନି ହୋଇ ବସିଛି-। ପୂର୍ବ ଦିନ ଅପେକ୍ଷା ତାହାର ମୂଖ ଉଜ୍ଜ୍ୱଳ ଦେଖା ଯାଉଛି । ଶ୍ରୀମନ୍ତ କହିଲା, ‘ଏବେ ତୁମେ କଣ କରିବ ବୋଲି ମନେ କରୁଛ ? ପେଟଟା ଅଛି, ଖାଇବାକୁ ତ ହେବ । ତୁମେ କି କାମ ଜାଣ-!’

 

‘ମୁଁ କିଛି ଜଣେ ନାହିଁ ।’

 

ଶ୍ରୀମନ୍ତ ଟିକିଏ ବିସ୍ମିତ ହୋଇ କହିଲା, ‘କିନ୍ତୁ ଶିଖିବାକୁ ଇଚ୍ଛା କଲେ ସମସ୍ତେ ଶିଖି ପାରନ୍ତି ।’ ‘ମୁଁ କାମ କରିବାକୁ ସଙ୍କୁଚିତ ନୁହେଁ । ‘ତୁମ ନାମ କ’ଣ ?’ ‘ମୋର ନାମ ମୋହନ ।’ ଶ୍ରୀମନ୍ତ କହିଲା, ‘ତୁମେ ନିଜ କଥା ତ କିଛି କହୁ ନାହଁ, କିନ୍ତୁ ତୁମକୁ ତ କିଛି ହେଲେ ରୋଜଗାର କରିଵାକୁ ହେବ । ମୋ ପାଖରେ ଯଦି କାମ କର, ତାହାହେଲେ ମୁଁ ତୁମକୁ ଖାଇବାକୁ ଓ ଏଠାରେ ରହିବାକୁ ଦେବି ।’ ମୋହନ କହିଲା, ‘ତୁମର ଏ ଦୟାପାଇଁ ଈଶ୍ୱର ତୁମକୁ ଅବଶ୍ୟ ପୁରସ୍କାର ଦେବେ । ମୁଁ କିଛି କାମ ଜାଣେ ନାହିଁ, ମତେ ଶିଖାଇ ଦିଅ, ମୁଁ କରିବାପାଇଁ ରାଜି ଅଛି ।’ ଶ୍ରୀମନ୍ତ ତାକୁ ମୋଚି କାମ ଶିଖାଇଲା । ମୋହନ ଖୁବ୍‍ ମନ ଦେଇ ଏତେ ଶୀଘ୍ର ସବୁ ଶିଖିଗଲା ଯେ, ଶ୍ରୀମନ୍ତ ତାହାର ବୁଦ୍ଧି ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲା । ଅଳ୍ପଦିନ ମଧ୍ୟରେ ସେ କାର୍ଯ୍ୟରେ ବେଶ୍‍ ଦକ୍ଷ ହୋଇ ଉଠିଲା । ସେ ଦିନଯାକ କାମରେ ଲାଗିଥାଏ, ବାହାରକୁ ପ୍ରାୟ ଯାଏ ନାହିଁ କିମ୍ବା କାହାରି ସଙ୍ଗରେ ବେଶି କଥାବାର୍ତ୍ତା କରେନାହିଁ । ଯେଉଁଦିନ ସନ୍ଧ୍ୟାବେଳେ ସେ ଶ୍ରୀମନ୍ତ ଘରକୁ ଆସିଲା, ସେ ଦିନ ଶ୍ରୀମନ୍ତର ସ୍ତ୍ରୀ ସେମାନଙ୍କୁ ଖାଇବାକୁ ଦେଲା ପରେ ମୋହନ ମୁହଁରେ ହସ ଦେଖା ଯାଇଥିଲା । ପରେ ସେ କେବେ ହସିବାର କେହି ଦେଖି ନାହାନ୍ତି ।

 

ଏହିପରି ମୋହନ ଦୋକାନରେ ରହି କାମ କରୁଥାଏ । ଦିନ ଦିନ ହୋଇ ବର୍ଷେ ଅତୀତ ହୋଇଗଲାଣି । କ୍ରମେ ମୋହନ କାମରେ ଏପରି ନିଖୁଣ ହୋଇ ଉଠିଲା ଯେ, ସମସ୍ତେ ଆଗ୍ରହ କରି ଶ୍ରୀମନ୍ତକୁ କାମ ଦେବାକୁ ଆରମ୍ଭ କଲେ ଏବଂ ଅବସ୍ଥା ଆଗ ଅପେକ୍ଷା କ୍ରମେ ଭଲ ହେବାକୁ ଲାଗିଲା । ଶୀତଦିନରେ ଦିନେ ଶ୍ରୀମନ୍ତ ଓ ମୋହନ ଦୋକାନରେ ବସି କାମ କରୁଛନ୍ତି, ଏପରି ସମୟରେ ଖଣ୍ଡେ ଗାଡ଼ି ଆସି ଦୋକାନ ଆଗରେ ରହିଲା । ସହିସ ଗାଡ଼ି ଦୁଆର ଫିଟାଇ ଦେଲା, ଜଣେ ଭଦ୍ରଲୋକ ଗାଡ଼ିରୁ ଓହ୍ଲାଇ ଧୀରେ ଧୀରେ ଶ୍ରୀମନ୍ତ ଦୋକାନ ଦୁଆରେ ଆସି ଠିଆ ହେଲେ । ଭଦ୍ରଲୋକଟି ଦୀର୍ଘାକୃତି ଓ ବଳିଷ୍ଠ । ସେ ଆସି ଖଣ୍ଡେ ମୂଲ୍ୟବାନ ଚମଡ଼ା ଶ୍ରୀକାନ୍ତକୁ ଦେଖାଇ କହିଲେ, ଏ ଚମଡ଼ା ଖଣ୍ଡିକ କିପରି ? ଶ୍ରୀମନ୍ତ କହିଲା, “ଆଜ୍ଞା, ଏ ଖୁବ୍‍ ଭଲ ଚମଡ଼ା । ‘ହଁ, ସୁନ୍ଦର ତ, ଏପରି ଚମଡ଼ା କେବେ ଦେଖିଛ ? ଏଥିରେ ମତେ ଯୋଡ଼ାଏ ଯୋତା କରିଦେବ । ଦେଖ ସାବଧାନ ! ମୋର ଏତେ ଦାମୀ ଚମଡ଼ା, ଯୋତା ଯେପରି ଖୁବ୍ ଶକ୍ତ ଓ ସୁନ୍ଦର ହୁଏ । ବର୍ଷକ ଭିତରେ ଯେବେ ଯୋତା ଛିଣ୍ଡିଯିବ, ତାହାହେଲେ ମୁଁ ତୁମକୁ ଜେଲରେ ଦେବି । ଆଉ ଯଦି ମନମାଫିକେ ଖୁବ୍ ମଜବୁତ ହେବ, ତାହାହେଲେ ଦାମ ଛଡ଼ା ପୁରସ୍କାର ପାଇବ । କରି ପାରିବ ? ଯେବେ ନ ପାରିବ, ସଫା କହ ।’ କଥା ଶୁଣି ଶ୍ରୀକାନ୍ତର ଛାତି ଥରିଲାଣି ।

 

ସେ ମୋହନ ଆଡ଼କୁ ଟିକିଏ ଅନାଇଲା, ଇସାରାରେ ପଚାରିଲା, ସେ କାମଟି ନେବ କି ନାହିଁ । ମୋହନ ହଁ କରିବାରୁ ସେ ଭଦ୍ରଲୋକର ଗୋଡ଼ରୁ ମାପ ନେଲା । ମାପ ନେଲାବେଳେ ଭଦ୍ରଲୋକଟି ତାକୁ ବାରମ୍ବାର ସାବଧାନ କରି ଦେଉଥାନ୍ତି । ଶେଷରେ ମୋହନକୁ ଦେଖାଇ ଭଦ୍ରଲୋକଟି ପଚାରିଲେ, ‘ଏ ଲୋକଟି କିଏ ?’ ଶ୍ରୀମନ୍ତ କହିଲା, ‘ସେ ମୋ ଦୋକାନରେ କାମ କରେ ।’ ଏହା କହି ସେ ତାହା ଆଡ଼କୁ ଦୃଷ୍ଟି ଫେରାଇ ଦେଖିଲା ଯେ; ମୋହନ ତା ଆଡ଼କୁ କିମ୍ବା ସେ ଭଦ୍ରଲୋକ ଆଡ଼କୁ ନ ଚାହିଁ ସେ ଭଦ୍ରଲୋକର ପଛଆଡ଼େ କାହା ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଛି । ସେ ଯେଉଁ ଆଡ଼କୁ ଚାହିଁଛି, ସେ ଆଡ଼କୁ ଚାହିଁ ଶ୍ରୀମନ୍ତ କିଛି ଦେଖିପାରିଲା ନାହିଁ । ସେ ଟିକିଏ ବିସ୍ମିତ ହେଲା । ପୁଣି ଚାହିଁ ଦେଖିଲା, ସେ ସେହିପରି ଚାହିଁ ରହିଛି ଓ ମଧୁର ହାସ୍ୟରେ ତାହାର ମୁଖ ଉଜ୍ଜ୍ଵଳ ହୋଇଉଠିଛି । ଶ୍ରୀମନ୍ତ ତାହାର ଏହି ହାସ୍ୟର କାରଣ କିଛି ବୁଝିପାରିଲା ନାହିଁ-

 

ଭଦ୍ରଲୋକଟି ଚାଲିଗଲାରୁ ଶ୍ରୀମନ୍ତ ମୋହନକୁ ଡାକି କହିଲା, ‘ତୁମେ କହିବାରୁ ମୁଁ ତ ସାହସ କରି କାମଟି ନେଲି, କିନ୍ତୁ ଯଦି ଟିକିଏ କିଛି ଖରାପ ହୁଏ, ତାହାହେଲେ ତ ମୁସ୍କିଲ ହେବ । ତୁମେ ଏ ଚମଡ଼ାଟା କାଟ ।’ ମୋହନ କହିଲା, ‘ସେ ଚମଡ଼ା କାଟିବାର କିଛି ଦରକାର ନାହିଁ, ରଖିଦିଅ ।’ ଶ୍ରୀମନ୍ତ ବିସ୍ମିତ ହୋଇ କହିଲା, ‘ଏ କିପରି କଥା ! ମୁଁ ଜବାବ ଦେଇଛି, ଠିକ ସମୟରେ କାମ ଦେବି, ‘ନ କଲେ କିପରି ହେବ ? ମୋହନ କହିଲା ‘ଆଚ୍ଛା, ଏହିକ୍ଷଣି ତ ଥାଉ, ପରେ ଦେଖାଯିବ ।’ ଶ୍ରୀମନ୍ତ ହଠାତ୍ ମୋହନର ଏପରି ଭାବାନ୍ତର ଓ କାର୍ଯ୍ୟରେ ଅବହେଳା ଦେଖି ଟିକିଏ ଦୁଃଖିତ ହେଲା; ମାତ୍ର ଆଉ କିଛି ନକହି ତୁନି ହୋଇ ରହିଲା । ତହିଁ ଆର ଦିନ ସେ ଯୋତାର କାମ ଆରମ୍ଭ କରିବ ବୋଲି ମନେ ମନେ ଠିକ୍ କରି ଚମଡ଼ା ଖଣ୍ଡକ ରଖିଦେଲା । ପରଦିନ ସକାଳେ ସେ କାମ ଆରମ୍ଭ କରିବ ବୋଲି ଭାବୁଛି, ଏପରି ସମୟରେ ସେ ଭଦ୍ରଲୋକଟିର ଭୃତ୍ୟ ଆସି ପହଞ୍ଚିଲା-। ହଠାତ୍ ସକଳେ ଆସିବାର କାରଣ ପଚାରିବାରୁ ସେ କହିଲା, ‘କାଲି ମୋର ପ୍ରଭୁ ଯେଉଁ ଯୋତା କରିବାକୁ ଦେଇ ଯାଇଥିଲେ, ତାହା ଦରକାର ହେବ ନାହିଁ, କାରଣ କାଲି ରାତ୍ରିରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି ।’ ଶ୍ରୀମନ୍ତ ଆଣ୍ଟର୍ଯ୍ୟାନ୍ୱିତ ହୋଇ ପଚାରିଲା, ‘ଏହା କଣ ସମ୍ଭବ ହୋଇ ପାରେ-? କିପରି ତାଙ୍କର ମୃତ୍ୟୁ ହେଲା ?’ ଭୃତ୍ୟ କହିଲା, ‘ଘରକୁ ଫେରି ଯାଉଁ ଯାଉଁ ବାଟରେ ଗାଡ଼ି ଭିତରେ ତାଙ୍କର ମୃତ୍ୟୁ ହୋଇଛି । ସୁତରାଂ ସେ ଯେଉଁ ବୁଟ୍ ଯୋତା ବରାଦ ଦେଇଥିଲେ, ତାହା ଆଉ ଲୋଡ଼ା ହେବ ନାହିଁ । ମୋର ମୁନିବଙ୍କ ସ୍ତ୍ରୀ କହିଛନ୍ତି, ତୁମେ ସେ ଚମଡ଼ାରେ ସାଧାରଣ ଚଟି ଯୋତା ଯୋଡ଼ାଏ ତିଆରି କରି ଦିଅ, ଏହା ତାଙ୍କର ଶ୍ରାଦ୍ଧରେ ଲୋଡ଼ା ହେବ ।’ ଶ୍ରୀମନ୍ତର ବିସ୍ମୟର ସୀମା ରହିଲା ନାହିଁ । ସେ ଟିକିଏ ପ୍ରକୃତିସ୍ଥ ହୋଇ ଭୃତ୍ୟର ଆଦେଶ ଅନୁସାରେ କାର୍ଯ୍ୟ କରିବାକୁ କହି ତାକୁ ବିଦାୟ କରିଦେଲା ।

 

ଅନେକ ଦିନ ଚାଲିଗଲାଣି, ମୋହନ ଶ୍ରୀମନ୍ତ ଦୋକାନରେ କାମ କରିବାର ଛବର୍ଷ ହୋଇ ଗଲାଣି । ସେ ସେହିପରି ଏକ ଭାବରେ ଥାଏ; ଦରକାର ନ ହେଲେ କାହାରି ସଙ୍ଗରେ କଥା କହେନାହିଁ, ନିଜର କାମରେ ଲାଗିଥାଏ । ପ୍ରଥମ ଯେଉଁ ଦିନ ଶ୍ରୀମନ୍ତ ଘରକୁ ଆସିଥିଲା ଓ ସେହି ଭଦ୍ରଲୋକଟି ଯେଉଁ ଦିନ ଯୋତା ବରାଦ ଦେବାକୁ ଆସିଥିଲେ, ଏହି ଦୁଇ ଦିନ ତା ମୁହଁରେ ହସ ଦେଖା ଯାଇଥିଲା । ତାହା ଛଡ଼ା ଆଉ କେବେ ସେ ହସିଥିବାର ଦେଖା ନାହିଁ । ଦିନେ ସେମାନେ ଦୋକାନରେ କାମ କରୁଛନ୍ତି ଏପରି ସମୟରେ ଶ୍ରୀମନ୍ତ ଦେଖିଲା, ଜଣେ ପ୍ରୌଢ଼ା ସ୍ତ୍ରୀ ଲୋକ ଦିଓଟି ବଡ଼ ବାଳିକାକୁ ସାଙ୍ଗରେ ନେଇ ସେଇଆଡ଼କୁ ଆସୁଛି । ପିଲା ଦିଓଟି ଦେଖିବାକୁ ସୁନ୍ଦର ଓ ଦୁହେଁଯାକ ଦେଖିବାକୁ ଏକାଭଳି, କେବଳ ତାଙ୍କ ମଧ୍ୟରୁ ଗୋଟିକର ଗୋଟିଏ ଗୋଡ଼ ବଙ୍କା । ସେ ଆସି ଶ୍ରୀମନ୍ତଙ୍କୁ କହିଲା, ‘ଏହି ପିଲା ଦୁହିଁଙ୍କର ଦୁଇ ଯୋଡ଼ା ଯୋତା କରିବାକୁ ହେବ, ଗୋଡ଼ର ମାପ ନିଅ ।’ ଶ୍ରୀମନ୍ତ ତାଙ୍କ ଗୋଡ଼ର ମାପ ନେବାକୁ ଗଲା । ସେ ମାପ ନେଉଁ ନେଉଁ ମୋହନ ଆଡ଼କୁ ଚାହିଁ ଦେଖିଲା ଯେ, ସେ ସେହି ପିଲା ଦିଓଟିଙ୍କ ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଛି । ଶ୍ରୀମନ୍ତ ଅବାକ୍ ହୋଇଗଲା । ପିଲା ଦିଓଟି ଦେଖିବାକୁ ସୁନ୍ଦର ହେଲେ ମଧ୍ୟ ତାଙ୍କ ଆଡ଼କୁ ଏପରି ଏକ ଦୃଷ୍ଟିରେ ଚାହିଁବାର କି କାରଣ ଅଛି ? ସେ କିଛି ନ କହି ସେହି ସ୍ତ୍ରୀ ଲୋକଟି ସଙ୍ଗରେ ଯୋତାର ଦାମ ଇତ୍ୟାଦି ବିଷୟରେ କଥା ଆରମ୍ଭ କରିଦେଲା । ମାପ ନେଉ ନେଉ ଗୋଟିଏ ପିଲାର ଗୋଡ଼ ବଙ୍କା ଦେଖି ପଚାରିଲା, ‘ଏହାର ଗୋଡ଼ ଏପରି କିମିତି ହେଲା ? ଏ କଣ ଜନ୍ମରୁ ଏହିପରି ?’ ସ୍ତ୍ରୀ ଲୋକଟି କହିଲା, ‘ନା, ତାହାର ମା’ ସେପରି କରିଛି ।’ ଶ୍ରୀମନ୍ତର ସ୍ତ୍ରୀ ସେଠାରେ ଥିଲା, ସେ କହିଲା, ତୁମେ କଣ ଏମାନଙ୍କର ମା’ ନୁହଁ ?’ ସ୍ତ୍ରୀ ଲୋକଟି କହିଲା, ‘ନା, ସେମାନଙ୍କର କେହି ନୁହେଁ, ତେବେ ପିଲାବେଳରୁ ତାଙ୍କୁ ପାଳିଛି ।’ ‘ତୁମେ ସେମାନଙ୍କର ମା’ ନୁହଁ, ଅଥଚ ସେମାନଙ୍କ ପ୍ରତି ତୁମର ଏଡ଼େ ସ୍ନେହ ?’ ‘ସେମାନଙ୍କୁ ସ୍ନେହ ନ କରି କିପରି ରହିବି ? ପିଲାବେଳରୁ ସେମାନଙ୍କୁ ପାଳିଛି । ମୋର ଗୋଟିଏ ପିଲା ଥିଲା, କିନ୍ତୁ ଈଶ୍ଵର ତାକୁ ଘେନିଗଲେ । ଏମାନେ ଏବେ ମୋର ନିଜ ପିଲାପରି ।’ ଶ୍ରୀମନ୍ତର ସ୍ତ୍ରୀ ପଚାରିଲା, ଏମାନେ କାହାର ପିଲା ?’ ସେ ସ୍ତ୍ରୀ କହିଲା, ପ୍ରାୟ ଛ ବର୍ଷ ପୂର୍ବେ ଏମାନଙ୍କର ବାପ ମା’ ଦୁଇଜଣ ଏକ ସପ୍ତାହ ମଧ୍ୟରେ ମରିଗଲେ । ତାଙ୍କ ଘର ଆମ ଘର ପାଖରେ ଥିଲା । ମୋର ସ୍ଵାମୀ ଚାଷବାସ କରୁଥିଲେ । ଏମାନଙ୍କ ବାପର ଅବସ୍ଥା ଭଲ ନ ଥିଲା । ବଣରୁ କାଠ କାଟି ଆଣି ବିକ୍ରି କରି ଯାହା ପାଉଥିଲା ସେଇଥିରେ ତାଙ୍କର ଚଳୁଥିଲା । ଦିନେ ବଣକୁ କାଠ କାଟିବାକୁ ଯାଇ ଗୋଟିଏ ଗଛ ଚାପା ପଡ଼ି ସେ ମରିଗଲା । ତାହାର ତିନି ଦିନ ପରେ ଏମାନେ ଜନ୍ମ ହେଲେ ଏବଂ ସେହି ରାତ୍ରିରେ ଏମାନଙ୍କର ମା’ର ମଧ୍ୟ ମୃତ୍ୟୁ ହେଲା । ଏମାନେ ଯେତେବେଳେ ଜନ୍ମହେଲେ ସେତେବେଳେ ସେଠାରେ କେହି ନ ଥିଲେ । ରାତିରେ ଏମାନଙ୍କ ମା’ ମଲାବେଳେ କିପରି ଏହି ପିଲାଟି ଗୋଡ଼ ଉପରକୁ ଗଡ଼ି ଆସିଥିଲା । ସେଇଥିରେ ତାହାର ଗୋଡ଼ଟି ବଙ୍କା ହୋଇ ଯାଇଛି । ତହିଁ ଆର ଦିନ ସକାଳେ ମୁଁ ତାଙ୍କ ଘରକୁ ଯାଇଁ ଏହିପରି ଅବସ୍ଥା ଦେଖି ପିଲା ଦିଓଟିଙ୍କୁ ମୋ ଘରକୁ ଘେନି ଆସିଲି-। ଗ୍ରାମର ଲୋକେ ମା’ର ସତ୍କାର ପରେ ପିଲା ଦିଓଟିଙ୍କର କି ବନ୍ଦୋବସ୍ତ କରାଯିବ, ତାହା ବିଚାର କରିବାକୁ ବସିଲେ । ଅନ୍ୟ ଉପାୟ ଦେଖା ନ ଯିବାରୁ କିଛିଦିନ ପାଇଁ ମୋ ପାଖରେ ରହିବାର ସ୍ଥିର ହେଲା । ମୋର ସେତେବେଳେ ଗୋଟିଏ ସାନ ପିଲା । ତିନିଜଣଙ୍କୁ ମୁଁ ଏକଭାବରେ ପାଳିଲି-। ପରେ ମୋ ପିଲାଟି ମୋ କୋଳ ଶୂନ୍ୟକରି ଚାଲିଗଲା । ପ୍ରଭୁ ଆଉ ମତେ ସନ୍ତାନାଦି ଦେଇନାହାନ୍ତି । ବର୍ତ୍ତମାନ ଆମମାନଙ୍କର ଅବସ୍ଥା ମଧ୍ୟ ପୂର୍ବାପେକ୍ଷା ସ୍ୱଚ୍ଛଳ ହୋଇଛି । କିନ୍ତୁ ଏ ଦିଓଟି ନ ଥିଲେ ମୁଁ କିପରି ଦିନ କଟାନ୍ତି, କହିପାରୁ ନାହିଁ ।’ ଏ କଥା କହୁ କହୁ ତାହାର ଆଖି ଛଳଛଳ ହୋଇଗଲା । ସେ ପ୍ରଗାଢ଼ ସ୍ନେହରେ ବାଳିକା ଦିଓଟିଙ୍କୁ କୋଳକୁଟାଣି ନେଇ ଚୁମ୍ବନ କଲା-

 

ଶ୍ରୀମନ୍ତର ସ୍ତ୍ରୀ ତାହା କଥା ଶୁଣି କହିଲା, ‘ଗୋଟିଏ ଯେ କଥା ଅଛି, ବାପ ମା’ ଛାଡ଼ିଲେ ମଣିଷ ବଞ୍ଚି ପାରେ; କିନ୍ତୁ ଈଶ୍ୱରଙ୍କୁ ଛାଡ଼ି କେହି ବଞ୍ଚି ପାରେ ନାହିଁ, ସେ କଥା ଖୁବ ସତ୍ୟ । ମାପ ଦିଆ ସରିଲାରୁ ସ୍ତ୍ରୀଲୋକଟି ପିଲାଙ୍କୁ ଘେନି ଚାଲିଗଲା । ସେମାନେ ଚାଲିଗଲା ପାରେ ସମସ୍ତଙ୍କର ମନେ ହେଲା, ଯେପରି ସେହି ସ୍ଥାନଟି ଆଲୋକିତ ହୋଇ ଉଠିଲା । ମୋହନ ଯେଉଁଠାରେ ବସିଥିଲା, ଆଲୋକଟି ସେହିଠାରୁ ଆସୁଛି ବୋଲି ମନେ ହେଲା । ସମସ୍ତେ ସେହିଆଡ଼କୁ ଚାହିଁ ଦେଖିଲେ, ସେ ଊର୍ଦ୍ଧ୍ଵକୁ ଚାହିଁ ବସିଛି, ତାହାର ମୁଖମଣ୍ଡଳ ହସ୍ୟରେ ଉଜ୍ଜ୍ୱଳ ହୋଇ ଉଠୁଛି । ମୋହନ ଉଠି ଶ୍ରୀମନ୍ତ ଓ ତାହାର ସ୍ତ୍ରୀକୁ ଅଭିବାଦନ କରି କହିଲା, ‘ମତେ ବିଦାୟ ଦିଅ । ଈଶ୍ୱର ମତେ କ୍ଷମା କରିଛନ୍ତି । ତୁମମାନଙ୍କ ନିକଟରେ ଯଦି କିଛି ଦୋଷ କରିଥାଏଁ, କ୍ଷମା କରିବ ।’ ସେମାନଙ୍କର ମନେ ହେଲା, ସେପରି ମୋହନ ଦେହରୁ ଗୋଟିଏ ଜ୍ୟୋତି ବାହାରୁଛି । ଶ୍ରୀମନ୍ତ ତାକୁ ନମସ୍କାର କରି କହିଲା ‘ମୋହନ, ମୁଁ ଦେଖୁଛି, ତୁମେ ସାମାନ୍ୟ ମନୁଷ୍ୟ ନୁହଁ, ମୁଁ ତୁମକୁ କାହୁଁ ରଖି ପାରିବି ? କିନ୍ତୁ ଦୟା କରି ମୋର ପ୍ରଶ୍ନର ଉତ୍ତର ଦିଅ । ମୁଁ ଯେତେବେଳେ ପ୍ରଥମେ ତୁମକୁ ଦେଖିଲି, ତୁମେ ଭାରି ବିଷଣ୍ଣ ଥିଲ, କିନ୍ତୁ ମୋର ସ୍ତ୍ରୀ ଯେତେବେଳେ ତୁମକୁ ଖାଦ୍ୟ ଦେଲା, ତୁମେ ପ୍ରଫୁଲ୍ଲ ହୋଇ ହସିଲ । ତାହା ପରେ ସେହି ଉଦ୍ରଲୋକଟି ଯେତେବେଳେ ଯୋତା ବରାଦ ଦେବାକୁ ଆସିଲେ, ସେତେବେଳେ ତୁମେ ଖୁବ୍‍ ଆନନ୍ଦିତ ହୋଇ ହସିଲ । ବର୍ତ୍ତମାନ ଏହି ସ୍ତ୍ରୀଲୋକ ଓ ପିଲା ଦିଓଟିଙ୍କୁ ଦେଖି ତୁମେ ପୁଣି ହସିଲ ଏବଂ ତୁମର ସମସ୍ତ ଶରୀର ଉଜ୍ଜ୍ୱଳ ହୋଇଉଠିଲା । ଏଥିର ରହସ୍ୟ ମୁଁ କିଛି ବୁଝି ପାରୁ ନାହିଁ । ତୁମେ ତ ଏବେ ଆମକୁ ଛାଡ଼ି ଚାଲିଲ । ଯିବା ପୂର୍ବରୁ ଦୟା କରି ମୋ ମନର ସନ୍ଦେହ ଦୂର କରିବ ନାହିଁ ?’

 

ମୋହନ ଉତ୍ତର କଲା, ‘ଈଶ୍ୱର ମତେ ଶାସ୍ତି ଦେଇଥିଲେ, ଏବେ କ୍ଷମା କରିଛନ୍ତି ବୋଲି ମୁଁ ଏପରି ଆନନ୍ଦିତ ହୋଇଛି । ଈଶ୍ୱର ମତେ ତିନୋଟି ସତ୍ୟ ଶିକ୍ଷା କରିବାକୁ ପଠାଇଥିଲେ । ମୁଁ ତାହା ଶିଖିଛି । ତୁମ ସ୍ତ୍ରୀ ଯେତେବେଳେ ମୋ ପ୍ରତି ଦୟା କଲେ, ସେତେବେଳେ ମୁଁ ଗୋଟିଏ ଶିକ୍ଷା ପାଇଲି, ସେଥିପାଇଁ ହସିଥିଲି । ସେ ଭଦ୍ରଲୋକଟି ଯୋତା ବରାଦ ଦେବାବେଳେ ଆଉ ଗୋଟିଏ ଶିକ୍ଷା ପାଇ ହସିଥିଲି । ବର୍ତ୍ତମାନ ଏହି ବାଳିକା ଦିଓଟିଙ୍କୁ ଦେଖି ମୁଁ ତୃତୀୟ ସତ୍ୟ ଶିଖିଲି ବୋଲି ହସିଛି ।’

 

ଶ୍ରୀମନ୍ତ କହିଲା, ‘ଭାଇ, ଈଶ୍ୱର ତୁମକୁ କାହିଁକି ଶାସ୍ତି ଦେଇଥିଲେ ଓ କି ଶିକ୍ଷାପାଇଁ ଏଠାକୁ ପଠାଇଥିଲେ, ମତେ କହିବ ନାହିଁ ?’

 

ମୋହନ କହିଲା, “ଅବାଧ୍ୟତା ଦୋଷରୁ ମୁଁ ଶାସ୍ତି ପାଇଥିଲି, ମୁଁ ଈଶ୍ୱରଙ୍କର ଜଣେ ଦୂତ-। ଜଣେ ସ୍ତ୍ରୀ ଲୋକର ଆତ୍ମାକୁ ନେବାକୁ ସେ ମତେ ପଠାଇଥିଲେ । ମୁଁ ପୃଥିବୀକୁ ଆସି ଦେଖିଲି ଅଳ୍ପକ୍ଷଣ ପୂର୍ଵରୁ ତାହାର ଦିଓଟି ଯମଜ ସନ୍ତାନ ହୋଇଛନ୍ତି, ତା ପାଖରେ କେହି ନାହିଁ, ସେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି । ମତେ ଦେଖି ସେ ବୁଝି ପାରିଲା ଯେ, ଈଶ୍ୱର ତାକୁ ନେବାକୁ ମତେ ପଠାଇଛନ୍ତି । ସେ କାନ୍ଦି କାନ୍ଦି କହିଲା, ‘ହେ ସ୍ୱର୍ଗଦୂତ ! ବର୍ତ୍ତମାନ ମୋର ପ୍ରାଣ ନିଅ ନାହିଁ, ଆଜିକି ତିନିଦିନ ହେଲା ମୋର ସ୍ୱାମୀ ମରିଛନ୍ତି । ମୁଁ ଗଲେ ମୋ ପିଲାମାନଙ୍କୁ କିଏ ଦେଖିବ ? ବାପା ମା’ ନ ଥିଲେ ପିଲା କିପରି ବଞ୍ଚିବେ ?’ ମୁଁ ତାହା କଥା ଶୁଣି ଫେରି ଯାଇ ଈଶ୍ୱରଙ୍କୁ ସବୁ କହିଲି-। ଈଶ୍ୱର ଆଦେଶ ଦେଲେ, ‘ଯାଅ, ସେହି ସ୍ତ୍ରୀଲୋକର ଆତ୍ମାକୁ ଘେନି ଆସ ଓ ତିନୋଟି ସତ୍ୟ ଶିକ୍ଷା କର । ମନୁଷ୍ୟ ଭିତରେ କି ସୁନ୍ଦର ପଦାର୍ଥ ଅଛି, ମନୁଷ୍ୟକୁ କଣ ଦିଆ ଯାଇ ନାହିଁ ଓ ମନୁଷ୍ୟ କିପରି ବଞ୍ଚିଛି, ଏହି ତିନୋଟି ସତ୍ୟ ଶିକ୍ଷା କଲେ ତୁମେ ସ୍ୱର୍ଗକୁ ଫେରି ଆସିପାରିବ ।’ ମୁଁ ସେହି ସ୍ତ୍ରୀ ଲୋକର ଆତ୍ମାକୁ ନେଲା ବେଳେ ସେ ଗଡ଼ିଯାଇ ଗୋଟିଏ ପିଲାର ଗୋଡ଼ ଉପରେ ପଡ଼ିବାରୁ ତାହାର ଗୋଡ଼ଟିଏ ବଙ୍କା ହୋଇଗଲା । ମୁଁ ସ୍ଵର୍ଗକୁ ଯାଇଛି । ଏପରି ସମୟରେ ମୋର ପକ୍ଷ ଦିଓଟି ଖସି ପଡ଼ିଲା ମୁଁ ତଳେ ପଡ଼ିଗଲି ।”

 

ଏହି କଥା ଶୁଣି ଶ୍ରୀମନ୍ତ ଓ ତାହାର ସ୍ତ୍ରୀ ବୁଝି ପାରିଲେ; ଏତେ ଦିନଯାଏ ଅଜ୍ଞାତ ଭାବରେ ତାଙ୍କ ଘରେ କିଏ ବାସ କରୁଥିଲେ । ଆନନ୍ଦ ଓ ଭୟରେ ସେମାନଙ୍କର ବାକ୍ୟ ସ୍ଫୁର୍ତ୍ତି ହେଉ ନାହିଁ । ମୋହନ କହିଲା, ‘ମୁଁ ଯେତେବେଳେ ଅସହାୟ ଅବସ୍ଥାରେ ପଡ଼ିଥିଲି, ତୁମେ ଦୟା କରି ମତେ ତୁମ ଘରେ ସ୍ଥାନ ଦେଲ । ତୁମେ ପ୍ରଥମେ ମତେ ଦେଖି ମଧ୍ୟ ଚାଲି ଆସୁଥିଲ; କିନ୍ତୁ ପରେ ପୁଣି ଫେରିଯାଇ ମତେ ତୁମ ଘରକୁ ଆଣିଲ । ତୁମର ସ୍ତ୍ରୀ ଅତ୍ୟନ୍ତ କୃଦ୍ଧ ହେଲେ, ସେ ମତେ ଦୂର କରି ଦେବାକୁ ଇଚ୍ଛା କରୁଥିଲେ; କିନ୍ତୁ ପରେ ମତେ ଦେଖି ତାଙ୍କ ମନରେ ଦୟା ହେଲା । ସେ ମତେ ଖାଦ୍ୟ ଦେଲେ । ଈଶ୍ୱର ମତେ ପ୍ରଥମେ ଯେଉଁ ସତ୍ୟଟି ଶିଖିବାକୁ କହିଥିଲେ, ଏହିଠାରେ ତାହାର ପରିଚୟ ପାଇଲି । ମୁଁ ଦେଖିଲି, ପ୍ରେମ ଏକା ମନୁଷ୍ୟ ମଧ୍ୟରେ ସୁନ୍ଦର ବସ୍ତୁ । ଏହା ଜାଣି ମୋ ମନରେ ଆନନ୍ଦ ଜାତ ହେବାରୁ ମୁଁ ହସିଲି । ତତ୍ପରେ ଯେତେବଳେ ସେହି ଭଦ୍ରଲୋକଟି ଆସି ଯୋତାର ବରାଦ ଦେଉଥିଲେ ଓ ଯୋତା କିପରି ଦୀର୍ଘକାଳ ସ୍ଥାୟୀ ହେବ ବୋଲି ବାରମ୍ବାର ତାକିତ୍ କରୁଥିଲେ, ସେତେବେଳେ ମୁଁ ହଠାତ୍ ତାଙ୍କ ଆଡ଼କୁ ଅନାଇ ମୋର ଜଣେ ସଙ୍ଗୀକୁ ଦେଖିଲି । ସେ ମୃତ୍ୟୁ ଦୂତ, ମୁଁ ବୁଝି ପାରିଲି । ସେହି ଦିନ ସେ ଭଦ୍ରଲୋକର ମୃତ୍ୟୁ ହେବ; ଅଥଚ ସେ ବର୍ଷକର ବନ୍ଦୋବସ୍ତ କରୁଛନ୍ତି ! ଦ୍ଵିତୀୟ ସତ୍ୟଟି କଥା ମୋର ମନେ ହେଲା । ମନୁଷ୍ୟ ନିଜର ଭବିଷ୍ୟତ ବିଷୟରେ ଅନ୍ଧ । ନିଜର କେତେବେଳେ କଣ ହେବ କିମ୍ବା କେତେବେଳେ କି ପ୍ରୟୋଜନ ହେବ, ତାହା ସେ ଜାଣେ ନାହିଁ । ଏ ଶିକ୍ଷା ପାଇ ଆନନ୍ଦିତ ହୋଇ ମୁଁ ଦ୍ଵିତୀୟଥର ହସିଲି । କିନ୍ତୁ ସେପର୍ଯ୍ୟନ୍ତ ମୋର ଶିକ୍ଷା ସମ୍ପୂର୍ଣ୍ଣ ହୋଇ ନଥିଲା । ମୁଁ ଅପେକ୍ଷା କରି ରହିଥିଲି । ଆଜି ସେ ସ୍ତ୍ରୀଲୋକ ବାଳିକା ଦିଓଟିଙ୍କୁ ଘେନି ଆସିଲା । ମୁଁ ସେମାନଙ୍କୁ ଦେଖି ଚିହ୍ନି ପାରିଲି । ପରେ ସେହି ସ୍ତ୍ରୀଲୋକଟିର କଥା ଶୁଣି ମୋର ମନେ ହେଲା, ଏମାନଙ୍କର ମା’ ପିଲାଙ୍କପାଇଁ ମୋ ପାଖରେ ଜୀବନ ଭିକ୍ଷା କରିଥିଲା, ମୁଁ ମଧ୍ୟ ତାହା କଥା ବିଶ୍ଵାସ କରିଥିଲି । ସେ କହିଥିଲା ପିତାମାତା ନ ଥିଲେ ସନ୍ତାନ ବଞ୍ଚିପାରେ ନାହିଁ । ଅଥଚ ଅନ୍ୟ ଜଣେ ସ୍ତ୍ରୀଲୋକ କେଡ଼େ ସ୍ନେହରେ ତାଙ୍କୁ ପାଳିଛି ! ତାହା ମଧ୍ୟରେ ମୁଁ ଈଶ୍ଵରଙ୍କ ପ୍ରତିମୂର୍ତ୍ତି ଦେଖିଲି ଓ ମନୁଷ୍ୟ କିପରି ବଞ୍ଚିଛି, ତାହା ବୁଝି ପାରିଲି । ଏବେ ଶେଷ ଶିକ୍ଷା ପାଇଲି ବୋଲି ଆନନ୍ଦରେ ମୁଁ ହସିଛି ।’ ଦେଖୁ ଦେଖୁ ସେହି ଦୂତର ସମସ୍ତ ଶରୀର ଉଜ୍ଜ୍ଵଳ ହୋଇଉଠିଲା । ସେ କହିଲା, ‘ମୁଁ ବୁଝି ପାରିଛି ଯେ, ମନୁଷ୍ୟ ମଧ୍ୟରେ ପ୍ରେମ ଅଛି ବୋଲି ସେ ବଞ୍ଚି ରହିଛି । ମନୁଷ୍ୟ ନିଜ ପାଇଁ କଣ ପ୍ରଯୋଜନ ହେବ, ତାହା ସେ ଜାଣି ପାରେ ନାହିଁ । ମୁଁ ଯେତେବେଳେ ଅସହାୟ ହୋଇ ପଡ଼ିଥିଲି; ସେତେବେଳେ ଅନ୍ୟ ହୃଦୟର ପ୍ରେମ ମତେ ବଞ୍ଚାଇଲା । ଅନ୍ୟ ଜଣକ ହୃଦୟରେ ପ୍ରେମ ଥିବାରୁ ସେହି ଅନାଥ ବାଳିକା ଦିଓଟି ବଞ୍ଚି ରହିଲେ । କେବଳ ନିଜର ସୁଖ କାମନା କରି, ନିଜକୁ ଘେନି ମନୁଷ୍ୟ ବଞ୍ଚି ପାରେ ନାହିଁ; କିନ୍ତୁ ପରସ୍ପର ପ୍ରତି ପ୍ରେମ ଥିବା ଯୋଗୁଁ ସେ ବଞ୍ଚି ରହିଛି । ଯାହା ଅନ୍ତରରେ ପ୍ରେମ ଅଛି, ଈଶ୍ଵର ତାହା ମଧ୍ୟରେ ଜୀବନ୍ତ ହୋଇ ରହିଛନ୍ତି; କାରଣ ଈଶ୍ଵର ପ୍ରେମମୟ ।’

 

ସମସ୍ତ କୁଟୀର ମୋହନର ଦେହଜ୍ୟୋତିରେ ଆଲୋକିତ ହୋଇ ଉଠିଲା । ଶ୍ରୀକାନ୍ତ, ତାହାର ସ୍ତ୍ରୀ ଓ ପିଲାମାନେ ତାକୁ ପ୍ରଣାମ କଲେ । ଆଲୋକ କ୍ରମେ ଉଜ୍ଜ୍ଵଳତର ହୋଇ ଊର୍ଦ୍ଧ୍ଵକୁ ଉଠିବାକୁ ଲାଗିଲା । ସେହି ଆଲୋକ ସହ୍ୟ କରି ନ ପାରି ସେମାନେ ଅଚେତନ ପ୍ରାୟ ହୋଇ ପଡ଼ିଲେ । କିଛିକ୍ଷଣ ପରେ ଶ୍ରୀମନ୍ତ ପ୍ରକୃତିସ୍ଥ ହୋଇ ଦେଖିଲା, କୁଟୀରରେ ସେ ଆଉ ତାହାର ପରିବାରବର୍ଗ ଛଡ଼ା ଅନ୍ୟ କେହି ନାହିଁ ।

Image

 

ସେକାଳ ଓ ଏକାଳ

 

ଦିନେ କେତେଗୁଡ଼ିଏ ପିଲା ଗୋଟିଏ ପାହାଡ଼ ପାଖରେ ବୁଲୁ ବୁଲୁ ସେହି ପାହାଡ଼ର ଗୋଟିଏ ସ୍ଥାନରେ ଠିକ୍ ଗହମ ଆକୃତିର ଗୋଟିଏ ଜିନିଷ ଦେଖିଲେ । ସେଇଟି ଦେଖିବାକୁ ଠିକ୍‍ ଗହମ ପରି; କିନ୍ତୁ ଗୋଟିଏ କୁକୁଡ଼ା ଅଣ୍ଡାପରି ବଡ଼ । ସେମାନେ ଜିନିଷଟି ନେଇ ଭାରି କୌତୁକରେ ଦେଖୁଅଛନ୍ତି, ଏପରି ସମୟରେ ଜଣେ ପଥିକ ସେ ବାଟେ ଯାଉଥିଲା, ସେ ତାହା ଦେଖି ଦିଓଟି ପଇସା ଦେଇ ପିଲାଙ୍କ ପାଖରୁ ସେଇଟି କିଣିନେଲା ଓ ନଗରକୁ ଯାଇ ରାଜାଙ୍କ ପାଖରେ ତାକୁ ବିକ୍ରୟ କଲା ।

 

ରାଜା ନିଜେ କିଛି ଠିକ୍ କରି ନ ପାରି ତାଙ୍କର ସବୁ ପଣ୍ଡିତଙ୍କୁ ଡାକି ସେ ଜିନିଷଟି କଣ, ତାହା ଠିକ୍ କରି ତାଙ୍କୁ କହିବାକୁ ଆଦେଶ ଦେଲେ । ପଣ୍ଡିତମାନେ ଅନେକ ଚିନ୍ତା କରି ତାଙ୍କୁ କହିବାକୁ ଆଦେଶ ଦେଲେ । ପଣ୍ଡିତମାନେ ଅନେକ ଚିନ୍ତା କରି କିଛି ଠିକ୍ କରି ପାରିଲେ ନାହିଁ । ଜିନିଷଟି ଗୋଟିଏ ପିଣ୍ଡା କଣରେ ରଖା ହୋଇଥାଏ, ଦିନେ ଗୋଟିଏ କୁକୁଡ଼ା ଆସି ତା ଉପରେ ବାରମ୍ବାର ଆଘାତ କରି ସେଥିରେ ଗୋଟିଏ ଗର୍ତ୍ତ କରିଦେଲା । ସେତେବେଳେ ପଣ୍ଡିତମାନେ ତାହା ଦେଖି ସେଇଟି ଗୋଟିଏ ଗହମ ବୋଲି ବୁଝିପାରି ରାଜାଙ୍କୁ ଜଣାଇଲେ । ରାଜା ତା ଶୁଣି ଅବାକ୍ ! ଗହମ ଏଡ଼େ ବଡ଼ ହୋଇପାରେ ? ସେ ପଣ୍ଡିତମାନଙ୍କୁ କହିଲେ, “କେବେ, କେଉଁଠାରେ ଏପରି ଶସ୍ୟ ହେଉଥିଲା, ତାହା ଅନୁସନ୍ଧାନ କରି ମତେ କହିବ ।” ପଣ୍ଡିତମାନେ ପୁଣି ବିଚାର କରି ବସିଲେ । କିନ୍ତୁ ବହୁ ବିଚାର ବିତର୍କ କରି, ତାଙ୍କ ପୋଥିପତ୍ର ସବୁ ଘାଣ୍ଟି କିଛି ଠିକ୍ କରି ନ ପାରି ରାଜାଙ୍କୁ ଯାଇ କହିଲେ, ଏ ବିଷୟରେ ଆମେମାନେ ଆପଣଙ୍କୁ କିଛି କହିପାରିବୁ ନାହିଁ । ଆମମାନଙ୍କ ଶାସ୍ତ୍ରରେ ଏ ବିଷୟରେ କିଛି ନାହିଁ । କୃଷକମାନଙ୍କୁ ପଚାରିଲେ ବୋଧହୁଏ ଆପଣ ଠିକ୍ ଉତ୍ତର ପାଇ ପାରିବେ । କେବେ କେଉଁଠାରେ ଏତେ ବଡ଼ ଶସ୍ୟ ହେଉଥିଲା, ତାହା ସେମାନେ ଶୁଣିଥାଇ ପାରନ୍ତି । ଏହି କଥା ଶୁଣି ଜଣେ ଅତି ବୃଦ୍ଧ କୃଷକକୁ ତାଙ୍କ ନିକଟକୁ ଆଣିବାକୁ ରାଜା ଆଦେଶ ଦେଲେ । ରାଜଭୃତ୍ୟମାନେ ସେହିପରି ଜଣେ ଲୋକ ଖୋଜି ଆଣିଲେ । ସେ ଲୋକଟି ଅତ୍ୟନ୍ତ ବୃଦ୍ଧ, ତାହାର ଅଣ୍ଟା ପିଠି ନଇଁ ଯାଇଛି, ସେ ଦୁଇଖଣ୍ଡ ବାଡ଼ି ଧରି ଅତି କଷ୍ଟରେ ଚାଲି ଚାଲି ରାଜାଙ୍କ ନିକଟକୁ ଆସିଲା । ରାଜା ତାହା ହାତରେ ସେହି ଗହମଟି ଦେଲେ । ତାହାର ଦୃଷ୍ଟିଶକ୍ତି ଅତ୍ୟନ୍ତ କମି ଯାଇଥିଲା । ଗହମଟି ନେଇ ସେ ତାକୁ ହାତରେ ଭଲ କରି ଚିପି ଓ ଆଖି ପାଖକୁ ନେଇ ଦେଖିଲା । ରାଜା ପଚାରିଲେ, ‘କେବେ ଶସ୍ୟ ଏଡ଼େ ବଡ଼ ହେଉଥିଲା, ତୁମେ କହି ପାରିବ ? ତୁମେ ନିଜେ କଣ କେବେ ଏପରି ଶସ୍ୟ ଅମଳ କରିଛ ?’ ଲୋକଟି କାନରେ ମଧ୍ୟ ଭଲ ଶୁଣିପାରେନାହିଁ । ଅନେକ କଷ୍ଟରେ ତାକୁ ବୁଝାଇ ଦେଲାରୁ ସେ କହିଲା, ‘ନା ମୁଁ କେବେ ଏପରି ଶସ୍ୟ ଦେଖି ନାହିଁ । ଆଜିକାଲି ଯେପରି ଶସ୍ୟ ହୁଏ, ଆମମାନଙ୍କ ସମୟରେ ମଧ୍ୟ ସେହିପରି ହେଉଥିଲା । ଏଡ଼େ ବଡ଼ ଗହମ ମୁଁ କେବେ ଦେଖିନାହିଁ । ଆପଣ ମୋ ପିତାଙ୍କୁ ଡାକି ପଚାରନ୍ତୁ, ସେ କେଜାଣି ଏ ବିଷୟରେ କିଛି କହି ପାରନ୍ତି ।’ ରାଜା ସେହି ବୃଦ୍ଧର ପିତାକୁ ଆଣିବାକୁ ଲୋକ ପଠାଇଲେ । ରାଜାଙ୍କର ଲୋକମାନେ ତାକୁ ଖୋଜି ଆଣିଲେ । ସେ ଖଣ୍ଡିଏ ବାଡ଼ି ଧରି ବେଶ୍ ସହଜରେ ଚାଲିଆସିଲା । ରାଜା ତାକୁ ସେହି ଗହମଟି ଦେଖାଇଲେ । ସେ ସେପର୍ଯ୍ୟନ୍ତ ଆଖିରେ ବେଶ୍ ଭଲ ଦେଖିପାରୁଥିଲା । ଗହମଟି ହାତରେ ନେଇ ଭଲ କରି ଦେଖିଲା । କେଉଁଠାରେ, କେବେ ଏଡ଼େ ବଡ଼ ଗହମ ହେଉଥିଲା, ରାଜା ତାକୁ ପଚାରିଲେ । ତା ପୁଅ ଅପେକ୍ଷା ସେ ଭଲ ଶୁଣି ପାରୁଥିଲା । ସେ କହିଲା, ‘ନା, ମୁଁ କେବେ ଏପରି ଶସ୍ୟ ଦେଖିନାହିଁ କି ନିଜେ କେବେ ବୁଣିନାହିଁ; କିମ୍ବା କେବେ କେଉଁଠାରୁ କିଣି ନାହିଁ । ଆମମାନଙ୍କ ସମୟରେ ଟଙ୍କା ପଇସାର ବ୍ୟବହାର ନ ଥିଲା । ଆମମାନଙ୍କର ଯାହା ପ୍ରଯୋଜନ ହେଉଥିଲା, ତାହା ପ୍ରାୟ ଆମେମାନେ ନିଜେ କରୁଥିଲୁଁ । କାହାର କିଛି ଅଭାବ ହେଲେ, ତାହା ପରସ୍ପର ପୂରଣ କରୁଥିଲୁଁ । ଏପରି ଶସ୍ୟ କେଉଁଠାରେ ହେଉଥିଲା, ତାହା ମୁଁ ଜାଣେ ନାହିଁ । ଆମମାନଙ୍କ ସମୟରେ ଯେଉଁ ଶସ୍ୟ ହେଉଥିଲା, ତାହା ବର୍ତ୍ତମାନ ଶସ୍ୟ ଅପେକ୍ଷା ବଡ଼ ହେଉଥିଲା ସତ୍ୟ; ମାତ୍ର ଏଡ଼େ ବଡ଼ ଗହମ ମୁଁ କେଉଁଠାରେ ଦେଖିନାହିଁ । ମୁଁ ମୋ ପିତାଙ୍କଠାରୁ ଶୁଣିଛି, ତାଙ୍କ ଅମଳରେ ଶସ୍ୟ ଆହୁରି ବଡ଼ ହେଉଥିଲା । ଆପଣ ତାଙ୍କୁ ପଚାରିଲେ ସେ ବୋଧହୁଏ ଆପଣଙ୍କୁ ଏ ବିଷୟରେ ଠିକ୍ ଉତ୍ତର ଦେଇ ପାରିବେ ।’ ସୁତରାଂ ରାଜା ପୁଣି ସେହି ବୃଦ୍ଧର ପିତାକୁ ଆଣିବାକୁ ଲୋକ ପଠେଇଲେ । ସେମାନେ ତାକୁ ଖୋଜି ରାଜାଙ୍କ ପାଖକୁ ଆଣିଲେ । ସେ କୌଣସି ଜିନିଷ ଉପରେ ଭରା ନ ଦେଇ ବେଶ୍ ସହଜଭାବରେ ଚାଲିଥିଲା । ତାହାର ଦୃଷ୍ଟିଶକ୍ତି ବେଶ୍ ଉଜ୍ଜ୍ଵଳ ଓ କଥା ଖୁବ୍ ସ୍ପଷ୍ଟ । ରାଜା ତାକୁ ସେହି ଗହମଟି ଦେଖାଇବାରୁ ସେ ତାକୁ ହାତରେ ନେଇ ଭଲ କରି ଦେଖି କହିଲା, ‘ମୁଁ ଅନେକ ଦିନ ହେଲା ଏପରି ଶସ୍ୟ ଦେଖି ନାହିଁ ।’ ରାଜା କହିଲେ, ‘ତୁମେ ଯଦି ଜାଣ, ତାହାହେଲେ କେବେ କେଉଁଠାରେ ଏପରି ଶସ୍ୟ ହେଉଥିଲା ? ବୃଦ୍ଧ କହିଲା, ‘ଆମ ଅମଳରେ ସବୁଠାରେ ଏପରି ଶସ୍ୟ ହେଉଥିଲା । ଆମେମାନେ ଏହି ଶସ୍ୟ ଖାଉଥିଲୁ । ରାଜା ପଚାରିଲେ, ‘ତୁମେ ଏହି ଶସ୍ୟ କିଣୁଥିଲ, ନା ନିଜ ଜମିରୁ ଅମଳ କରୁଥିଲ ?’ ସେ କହିଲା, ‘ଆମ ସମୟରେ କୌଣସି ଜିନିଷ ବିକାକିଣା କରିବା କଥା କାହାରି ମନରେ ମଧ୍ୟ ଉଦୟ ହୋଇ ନଥିଲା । ଆମେମାନେ ଟଙ୍କା ପଇସା କଥା କିଛି ଜାଣି ନ ଥିଲୁଁ । ପ୍ରତ୍ୟେକଙ୍କର ନିଜ ପ୍ରୟୋଜନ ଭଳି ଶସ୍ୟ ଥିଲା ।’ ରାଜା ପୁଣି ପଚାରିଲେ, ‘ଆଚ୍ଛା, ତୁମର ଯେଉଁ ଜମିରୁ ଏପରି ଶସ୍ୟ ପାଉଥିଲ, ସେ ଜମି କେଉଁଠାରେ ଥିଲା ? ସେହି ଲୋକଟି କହିଲା ‘ଈଶ୍ୱରଙ୍କର ପୃଥିବୀଟା ମୋର ଜମି । ଯେଉଁଠାରେ ମୁଁ ଚାଷ କରୁଥିଲି, ସେ ମୋର ଜମି । ସେତେବେଳେ ଜମି କାହାର ବିଶେଷ ସମ୍ପତ୍ତି ନଥିଲା । ପରିଶ୍ରମ ମନୁଷ୍ୟର ନିଜର, ଜମି ସମସ୍ତଙ୍କର ।’ ରାଜା କହିଲେ, ‘ମୋର ଆଉ ଦିଓଟି ପ୍ରଶ୍ନର ଉତ୍ତର ଦିଅ । ସେ ସମୟରେ କାହିଁକି ଏପରି ଶସ୍ୟ ହେଉଥିଲା, ବର୍ତ୍ତମାନ କାହିଁକି ଏପରି ହେଉନାହିଁ ? ତୁମ ନାତି କାହିଁକି ଦୁଇଖଣ୍ଡ ବାଡ଼ି ଧରି ଚାଲୁଛି, ତୁମ ପୁଅ ଖଣ୍ଡିଏ ବାଡ଼ି ଉପରେ ଭରା ଦେଇ ଚାଲେ ଓ ତୁମେ କୌଣସି ଜିନିଷ ଉପରେ ଭରା ନ ଦେଇ ଚାଲି ପାରୁଛ ? ତୁମେ ଆଖିରେ ଭଲରୂପେ ଦେଖି ପାରୁଛ, ତୁମର ଗୋଟାଏ ସୁଦ୍ଧା ଦାନ୍ତ ପଡ଼ିନାହିଁ, ବେଶ ସ୍ପଷ୍ଟ କରି କଥା କହୁଛ ଏହାର ଅର୍ଥ କଣ-?’ ବୃଦ୍ଧ କହିଲା, ‘ମଣିମା ! ଆଗେ ଲୋକମାନେ ନିଜ ପରିଶ୍ରମ ଉପରେ ନିର୍ଭର କରୁଥିଲେ; କିନ୍ତୁ ବର୍ତ୍ତମାନ ଲୋକମାନେ ଅନ୍ୟ ଉପରେ ନିର୍ଭର କରୁଛନ୍ତି, ସେଥିଯୋଗୁଁ କ୍ରମେ ଏପରି ହୀନବଳ ହେଉଛନ୍ତି । ପୂର୍ବେ ଲୋକମାନେ ଈଶ୍ୱରଙ୍କର ନିୟମ ମାନି ଚାଲୁଥିଲେ, ସେମାନଙ୍କର ନିଜର ଯାହାଥିଲା ସେଥିରେ ସନ୍ତୁଷ୍ଟ ହେଉଥିଲେ, ଅନ୍ୟର ଦ୍ରବ୍ୟ ପ୍ରତି କେବେ ଲୋଭ କରୁ ନଥିଲେ-। ଏଣିକି ଦିନକୁ ବିପରୀତ ହେଉଛି । ତେଣୁ ଏହି ଦଶା ।’

 

ରାଜା ବୃଦ୍ଧକୁ ବିଦାୟ ଦେଇ ଗଭୀର ଚିନ୍ତାରେ ମଗ୍ନ ହେଲେ ।

Image

 

ପ୍ରସାଦ

ଭାଗ୍ୟ ବିପର୍ଯ୍ୟୟ

 

କୌଣସି ଗୋଟିଏ କ୍ଷୁଦ୍ର ଗ୍ରାମରେ ପଞ୍ଚୁ ନାମରେ ଜଣେ କୃଷକ ବାସ କରୁଥିଲା । ତାହାର ପିତା ମୃତ୍ୟୁ ସମୟକୁ ତାହାର ବିବାହ ଦେଇ ଯାଇଥିଲା; କିନ୍ତୁ ପୈତୃକ ସମ୍ପତ୍ତି ବେଶି କିନ୍ତୁ ସେ ପାଇ ପାରି ନଥିଲା । ମାତ୍ର ପଞ୍ଚୁ ଅତ୍ୟନ୍ତ ପରିଶ୍ରମୀ ଥିଲା । ବାପ ସାମାନ୍ୟ ଯାହା ରଖି ଯାଇଥିଲା, ତାହାକୁ ଜଗିରଖି ଚଳିବା ଦ୍ଵାରା ଓ ନିଜର ପରିଶ୍ରମଦ୍ଵାରା ଅବଶେଷରେ ତାହାର ଅବସ୍ଥା ବେଶ୍ ସ୍ଵଚ୍ଛଳ ହୋଇଉଠିଲା । ସ୍ଵାମୀ ସ୍ତ୍ରୀ ଦୁଇଜଣ ଯଥାସାଧ୍ୟ ପରିଶ୍ରମ କରନ୍ତି, ସୁତରାଂ ବର୍ଷକୁ ବର୍ଷ ତାଙ୍କର ଅବସ୍ଥା ଭଲ ହେବାକୁ ଲାଗିଲା । ଚାଷ ଜମି ବେଶି ହେବାରୁ ପଞ୍ଚୁ ଏକା ସବୁ ଦେଖି ନ ପାରି ଚାକର ରଖିଲା । ଗାଈ ବଳଦ ମଧ୍ୟ ଅନେକ ଗୁଡ଼ିଏ ହେଲେ । ସେମାନଙ୍କୁ ଦେଖିବାପାଇଁ ଲୋକ ନିଯୁକ୍ତି କଲା । ଏହିପରି କ୍ରମେ କ୍ରମେ ତାହାର ଅବସ୍ଥା ଏତେ ଭଲ ହୋଇଉଠିଲା ଯେ, ଅନେକେ ତାହାର ଅବସ୍ଥା ଦେଖି ହିଂସା କରିବାକୁ ଲାଗିଲେ । ଲୋକେ କହନ୍ତି, ‘ଏହି ପଞ୍ଚୁକୁ ଦେଖ, ଆଜିକାଲି ସେ କେଡ଼େ ବଡ଼ଲୋକ ହୋଇଗଲାଣି । କେଡ଼େ ସୁନ୍ଦର ତାର ସଂସାର ଚଳୁଛି, ତାର କିଛି ଅଭାବ ନାହିଁ ।’

 

ଅନେକ ଲୋକଙ୍କ ସଙ୍ଗରେ ପଞ୍ଚୁର ଆଳାପ ହେଲା, ବନ୍ଧୁତା ହେଲା । ତା ଘରକୁ ଅନେକ ଅତିଥି ଅଭ୍ୟାଗତ ଆସିବାକୁ ଲାଗିଲେ । ଅତିଥି ଗୃହକୁ ଆସିଲେ ସେ ସର୍ବଦା ଖୁବ୍ ଯତ୍ନ କରେ, ଯେ କେହି ଆସୁ କାହାରି ପ୍ରତି ଅବଜ୍ଞା ବା ଅନାଦର ନାହିଁ । ତାହାର ଆଦର ଯତ୍ନରେ ସମସ୍ତେ ସନ୍ତୁଷ୍ଟ ହୋଇ ଯାଉଥିଲେ ।

 

ସନ୍ତାନ ଭିତରେ ପଞ୍ଚୁର ଦୁଇ ପୁଅ ଓ ଗୋଟିଏ ଝିଅ । ସାମାନ୍ୟ ଅବସ୍ଥାବେଳେ ପୁଅମାନେ ତାହା ସଙ୍ଗରେ କାର୍ଯ୍ୟ କରୁଥିଲେ; କିନ୍ତୁ ଅବସ୍ଥା ଭଲ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ସ୍ଵଭାବ ମଧ୍ୟ ବଦଳି ଗଲା । ବଡ଼ଟି ମଦ ଖାଇବା ଆରମ୍ଭ କଲା, ଅବଶେଷରେ ଦିନେ ମଦ ଖାଇ ଗୋଳମାଳ କରୁଥିବାବେଳେ ଆହତ ହୋଇ ମୃତ୍ୟୁମୁଖରେ ପତିତ ହେଲା । ସାନ ପୁଅଟି ସ୍ତ୍ରୀ କଥାରେ ପଡ଼ି ବାପ ସଙ୍ଗରେ କଳିକରି ଭିନ୍ନ ହୋଇଗଲା । ପଞ୍ଚୁ ତାକୁ ଖଣ୍ଡେ ଘର କରିଦେଲା, କିନ୍ତୁ ଜମି ଓ ଗାଈ ବଳଦ ମଧ୍ୟ ଦେଲା । ଏଥିରେ ତାର ସମ୍ପତ୍ତିରେ ପ୍ରଥମେ ହାତ ଲାଗିଲା । ଏଣେ ପୁଅଟି କିଛି ଦିନ ସେଠାରେ ରହି ସବୁ ବିକି ଦେଇ ଦୂର ଦେଶକୁ ଚାଲିଗଲା । କିଛିଦିନ ପରେ ଗୋରୁମାନଙ୍କ ମଧ୍ୟରେ ମଡ଼କ ଉପସ୍ଥିତ ହେଲା, ସେଥିରେ ତାହାର ସବୁ ଗୋରୁଗୁଡ଼ିକ ମରିଗଲେ-। ଏହିପରି ପଞ୍ଚୁର ସମ୍ପତ୍ତି କମିବାକୁ ଆରମ୍ଭ ହେଲା । ସେ ନିଜେ ମଧ୍ୟ ବୁଢ଼ା ହୋଇଯିବାରୁ ଆଉ ପୂର୍ବ ପରି ପରିଶ୍ରମ କରି ପାରୁ ନ ଥିଲା । ଏହିପରି ସମୟରେ ଉପର୍ଯ୍ୟୁ ପରି ୩।୪ ବର୍ଷ ଠିକ୍ ସମୟରେ ବୃଷ୍ଟି ନ ହେବାରୁ ଫସଲ ହେଲା ନାହିଁ । ପଞ୍ଚୁର ଅନ୍ନାଭାବ ଉପସ୍ଥିତ ହେଲା-। ଘରେ ଚିଜବସ୍ତୁ ଯାହା ବାକି ଥିଲା, ସେ ସବୁ ବିକିବାକୁ ହେଲା । ପୁଅଟି ତ ଦୂର ଦେଶକୁ ଚାଲି ଯାଇଥିଲା, ଝିଅଟି ମଧ୍ୟ କାଳଗ୍ରାସରେ ପଡ଼ିଅଛି । ସୁତରାଂ ବୁଢ଼ା ବୟସରେ ପଞ୍ଚୁ ଓ ତାହାର ସ୍ତ୍ରୀକୁ ଅସହାୟ ଅବସ୍ଥାରେ ଦାଣ୍ଡରେ ଠିଆ ହେବାକୁ ହେଲା । ଉଭୟେ ନାନା ଦୁଆରେ କାମ କରି କୌଣସିମତେ କେତେ ଦିନ ଚଳିଲେ । ପଞ୍ଚୁର କଷ୍ଟ ଦେଖି ତାହାର ପ୍ରତିବେଶୀ ମଦନ ମନରେ ବଡ଼ କଷ୍ଟ ହେଲା । ସେ ମଧ୍ୟବିତ୍ତ ଅବସ୍ଥାର ଲୋକ । ପଞ୍ଚୁର କିପରି ସ୍ଵଚ୍ଛଳ ଅବସ୍ଥା ଥିଲା, ସେ ଦେଖିଅଛି । ଦିନେ ସେ ପଞ୍ଚୁକୁ ଡାକି କହିଲା, ତୁମେ ଓ ତୁମର ସ୍ତ୍ରୀ ଦୁଇଜଣ ମୋ ଘରେ ଆସି ରହ-। ତୁମେ ମୋର ଜମିବାଡ଼ିର ଖବର ବୁଝିବ । ଚାକରବାକରଗୁଡ଼ାକ ବଡ଼ ଠକନ୍ତି, ତୁମେ ସେମାନଙ୍କ କାମ ଦାମ ଦେଖିବ । ତୁମର ସ୍ତ୍ରୀ ମଧ୍ୟ ଘର କାମ ବୁଝା ଶୁଝା କରିବେ । ତୁମେ ଦୁଇ ପ୍ରାଣୀ ମୋ ଘରେ ଖାଇବ, ଆଉ ତୁମର ଯେତେବେଳେ ଯାହା ଦରକାର ହେବ, ମତେ କହିବ । ପଞ୍ଚୁ ମଦନକୁ ଧନ୍ୟବାଦ ଦେଇ ସ୍ତ୍ରୀକୁ ଘେନି ତା ଘରେ ରହିଲା । ପ୍ରଥମେ ପର ଘରେ ଏ ଅବସ୍ଥାରେ ତାଙ୍କର ବଡ଼ କଷ୍ଟ ହେଉଥିଲା; କିନ୍ତୁ ଶେଷକୁ ଅଭ୍ୟାସ ହୋଇଗଲା । ଦୁଇଜଣଯାକ ନିଜ ନିଜ ଶକ୍ତି ଅନୁସାରେ ସବୁବେଳେ କାମ କରୁଥାନ୍ତି । ମଦନ ଦେଖିଲା ଯେ, ଏମାନଙ୍କୁ ଘରକୁ ଆଣି ତାହାର ଅନେକ ସୁବିଧା ହୋଇଅଛି । ସେମାନେ ଦିନେ ଅନେକଗୁଡ଼ିଏ ଚାକର ନେଇ ଘର କରୁଥିଲେ, ସୁତରାଂ ସେମାନଙ୍କୁ କିପରି ଚଳାଇବାକୁ ହୁଏ, ତାହା ଜାଣନ୍ତି । ସେମାନେ ନିଜେ ମଧ୍ୟ କେତେବେଳେ ବୃଥା ସମୟ ନଷ୍ଟ କରନ୍ତି ନାହିଁ, ଯେତେଦୂର ପାରନ୍ତି, ଦୁଇଜଣଯାକ କାମ କରନ୍ତି-। କିନ୍ତୁ କିଛିଦିନ ପୂର୍ବେ ଯେଉଁମାନେ ସେହି ଗ୍ରାମରେ ପରମସୁଖରେ ବାସ କରୁଥିଲେ, ଆଜି ସେମାନଙ୍କର ଏପରି ହୀନାବସ୍ଥା ଦେଖି ମଦନ ମନରେ ସମୟ ସମୟରେ ବଡ଼ କଷ୍ଟ ହୁଏ-

 

ଦିନେ ମଦନ ଘରକୁ କେତେଜଣ ଅତିଥି ଆସିଲେ, ସେମାନଙ୍କ ମଧ୍ୟରେ ଜଣେ ସନ୍ନ୍ୟାସୀ ମଧ୍ୟ ଥିଲେ । ସନ୍ଧ୍ୟା ସମୟରେ ଯେତେବଳେ ଗୃହକର୍ତ୍ତା ଓ ଅତିଥିମାନେ ସମସ୍ତେ ବସି କଥାବାର୍ତ୍ତା ହେଉଅଛନ୍ତି, ଏପରି ସମୟରେ ସମ୍ମୁଖ ଦେଇ ପଞ୍ଚୁ ଚାଲିଗଲା । ତାକୁ ଦେଖାଇ ମଦନ କହିଲା, ‘ଏହି ଯେ ବୃଦ୍ଧଟି ଏ ବାଟେ ଗଲା ବେଳେ ତାକୁ ଦେଖିଲ ତ ? ଏକ ସମୟରେ ସେ ଆମମାନଙ୍କ ମଧ୍ୟରେ ସର୍ବାପେକ୍ଷା ଧନୀ ଥିଲା । ତାହାର ନାମ ପଞ୍ଚୁ–’ଅତିଥି ମଧ୍ୟରୁ ଜଣେ କହିଲେ, ‘ହଁ, ମୁଁ ତାହାର ନାମ ଶୁଣିଛି; କିନ୍ତୁ ତାକୁ କେବେ ଦେଖିନଥିଲି ।’ ମଦନ କହିଲା, ‘ବର୍ତ୍ତମାନ ତାହାର କିଛି ନାହିଁ । ସେ ମୋ ଘରେ କାମ କରି ଖାଏ, ତାହାର ସ୍ତ୍ରୀ ମଧ୍ୟ ଏହିଠାରେ ଥାଏ । ୟ’

 

ସେ ବ୍ୟକ୍ତି ଟିକିଏ ବିସ୍ମିତ ହୋଇ କହିଲେ, ‘ବାସ୍ତବିକ ଭାଗ୍ୟ କଥା କିଛି କୁହାଯାଇପାରେ ନାହିଁ । କେତେବେଳେ କାହାକୁ ଉପରକୁ ଉଠାଏ, କାହାକୁ ବା ତଳକୁ ଓହ୍ଲାଇ ଦିଏ-। ଆହା ! ବୃଦ୍ଧଟି ନିଶ୍ଚୟ ଖୁବ୍ ଦୁଃଖ ଅନୁଭବ କରୁଥିବ ?’ ମଦନ କହିଲା, ‘କିଏ କହିପାରେ-? ସେ ତ ଚୁପଚାପ ହୋଇ ନିଜ କାମରେ ଲାଗିଥାଏ ।’ ଅତିଥି କହିଲେ, ‘ତାହାର ଜୀବନ କଥା ଶୁଣିବାକୁ ମୋର ବଡ଼ ଇଚ୍ଛା ହେଉଛି ।’ ମଦନ ପଞ୍ଚୁକୁ ପାଖକୁ ଡାକି କହିଲା, ‘ତୁମେ କିଛିକ୍ଷଣ ପାଇଁ ଟିକିଏ ଏଠାକୁ ଆସିବ ? ଏମାନେ ତୁମ ସଙ୍ଗରେ ଆଳାପ କରିବାକୁ ଚାହାଁନ୍ତି । ତୁମ ସ୍ତ୍ରୀକୁ ମଧ୍ୟ ଡାକି ଆଣ ।’ ପଞ୍ଚୁ ଓ ତାହାର ସ୍ତ୍ରୀ ଦୁଇ ଜଣଯାକ ଆସିଲେ । ଅତିଥି ଆରମ୍ଭରେ ଏଣୁତେଣୁ ଦୁଇ ଚାରି କଥା କହି ଶେଷରେ ପଞ୍ଚୁକୁ ପଚାରିଲେ, ‘ଆଚ୍ଛା, ଆମମାନଙ୍କୁ ଦେଖି ତୁମମନରେ କଷ୍ଟ ହେଉ ନାହିଁ-? ନିଶ୍ଚୟ ତୁମର ପୂର୍ବର ସ୍ଵଚ୍ଛଳ ଅବସ୍ଥା ଓ ବର୍ତ୍ତମାନ କଷ୍ଟ କଥା ମନେ ହେଉଥିବ-।’ ପଞ୍ଚୁ କହିଲା, ‘କାହାକୁ ସୁଖ କହନ୍ତି, ମୁଁ ଯଦି ତୁମମାନଙ୍କୁ କହେ, ତୁମେମାନେ ମୋ କଥା ବିଶ୍ଵାସ କରିବ ନାହିଁ । ତୁମେମାନେ ମୋ ସ୍ତ୍ରୀକୁ ପଚାର, ସେ ସରଳା ସ୍ତ୍ରୀଲୋକ, ଛଳ କପଟ ଜାଣେ ନାହିଁ, ସେ ଭଲକରି ତୁମମାନଙ୍କୁ ବୁଝାଇ ଦେଇ ପାରିବ ।’ ତହୁଁ ସେ ପଞ୍ଚୁର ସ୍ତ୍ରୀକୁ ପଚାରିଲେ, ‘ଆଚ୍ଛା ମା, ତୁମର ପୂର୍ବର ସୁଖ ଓ ବର୍ତ୍ତମାନର ଦୁଃଖ ତୁଳନା କରି ତୁମର କ’ଣ ମନେ ହୁଏ ?’ ବୃଦ୍ଧା ଅମ୍ଳାନବଦନରେ କହିବାକୁ ଲାଗିଲା, ‘ମୁଁ ଏବଂ ମୋର ସ୍ଵାମୀ ପ୍ରାୟ ପଞ୍ଚାଶ ବର୍ଷ ପର୍ଯ୍ୟନ୍ତ ସୁଖର ଅନ୍ଵେଷଣ କରିଛୁଁ, କିନ୍ତୁ ପାଇ ନାହୁଁ । ମୋର ମନେ ହୁଏ, ସବୁ ହରାଇ ଏହି ଦୁଇବର୍ଷ ହେଲା ପ୍ରକୃତ ସୁଖ କାହାକୁ କହନ୍ତି; ଆମେମାନେ ଜାଣି ପାରିଛୁଁ ।’ ଏହି କଥା ଶୁଣି ଅତିଥି ଓ ଗୃହକର୍ତ୍ତା ସମସ୍ତେ ଆଶ୍ଚର୍ଯ୍ୟାନ୍ଵିତ ହୋଇ ତାହା ଆଡ଼କୁ ଚାହିଁଲେ । ବୃଦ୍ଧା କହିଲା, ‘ମୁଁ ଯାହା ଅନୁଭବ କରିଛି, ତାହା ସତ୍ୟ କରି କହୁଛି-। ଯେତେବେଳେ ଧନୀ ଥିଲୁ, ସୁଖ ଖୋଜି ଖୋଜି ପାଇ ନାହୁଁ, କିନ୍ତୁ ବର୍ତ୍ତମାନ ଦରିଦ୍ର ହୋଇ ଆମେମାନେ ସୁଖୀ ହୋଇଛୁଁ, ଆଉ ଆମମାନଙ୍କର କିଛି ଅଭାବ ନାହିଁ ।’ ଅତିଥି ପଚାରିଲେ, ‘ବର୍ତ୍ତମାନ କାହିଁକି ତୁମେ ସୁଖୀ ହୋଇଛ ?’ ବୃଦ୍ଧା କହିଲା, ‘ଆମମାନଙ୍କର ଯେତେବେଳେ ଧନ ଥିଲା, ଆମେ ଦୁଇଜଣ ସର୍ବଦା ନାନା କାର୍ଯ୍ୟରେ ଏତେ ବ୍ୟସ୍ତ ଥିଲୁଁ ଯେ, ଆପଣା ଭିତରେ କଥା କହିବାକୁ ପ୍ରାୟ ସମୟ ନ ଥିଲା । ଅତିଥି ଅଭ୍ୟାଗତ ପ୍ରାୟ ଆସୁଥିଲେ, ତାଙ୍କପାଇଁ ବ୍ୟସ୍ତ ରହିବାକୁ ହେଉଥିଲା, କାଳେ ଯତ୍ନରେ ତ୍ରୁଟି ହେବ, ସେମାନେ ନିନ୍ଦା କରିବେ, ସର୍ବଦା ଏହି ଭାବନା-। ତା ପରେ ଚାକରମାନଙ୍କର ଗୋଳମାଳ, ସେମାନେ ସର୍ବଦା ଠକିବାକୁ ଚାହାଁନ୍ତି, ତାଙ୍କୁ ଜଗିବାକୁ ହୁଏ-। ଆଉ ମଧ୍ୟ ଘରେ ଟଙ୍କା ସୁନା ଥିବାରୁ ମନରେ ଭୟ, କାଳେ ଚୋର ଆସିବେ, ସେଥିପାଇଁ ରାତିରେ ଭଲକରି ନିଦ ହୁଏ ନାହିଁ । ଅନେକ ସମୟରେ ଅନେକ ବିଷୟରେ ମୋର ସ୍ଵାମୀ ସଙ୍ଗରେ ମତ ନ ମିଳିବାରୁ ଆମମାନଙ୍କ ମଧ୍ୟରେ କଳହ ବିବାଦ ହେଉଥିଲା । ଏଥିରୁ ବୁଝି ପାରୁଛ, ସୁଖର ଦିନଟା ଆମେମାନେ କିପରି କଟାଇଛୁଁ ଏବଂ କିପରି ଶାନ୍ତି ଭୋଗ କରିଛୁଁ ।

 

‘ଆଚ୍ଛା, ବର୍ତ୍ତମାନ ତୁମମାନଙ୍କ ମନର ଅବସ୍ଥା କିପରି ?’

 

‘ବର୍ତ୍ତମାନ ଆମେମାନେ ଯେତେବେଳେ ସକାଳେ ଉଠୁଁ, ମନରେ କିଛି ଭାବନା ନ ଥାଏ-। ମୋର ସ୍ୱାମୀ ସହିତ ମତର ଅମେଳ ହେବାର କୌଣସି କାରଣ ନାହିଁ; ସୁତରାଂ ଆମମାନଙ୍କ ମନରେ କୌଣସି ଅଶାନ୍ତି ନାହିଁ । ବର୍ତ୍ତମାନ ଯେ ଆମମାନଙ୍କୁ ଦୟା କରି ରଖିଛନ୍ତି, ତାଙ୍କର କାର୍ଯ୍ୟ କିପରି କରିବୁଁ, ତେତିକି ଆମମାନଙ୍କର ଚିନ୍ତା । ଆମମାନଙ୍କର ଯେତେଦୂର ସାଧ୍ୟ, କାର୍ଯ୍ୟକରୁଁ-। କାର୍ଯ୍ୟ ପରେ ଆମେମାନେ ଦେଖୁଁ ଯେ, ଖାଦ୍ୟ ପ୍ରସ୍ତୁତ ରହିଛି । ସମସ୍ତ କାର୍ଯ୍ୟ ଶେଷ ହେଲେ ପରସ୍ପର ସଙ୍ଗରେ କଥା କହିବାକୁ, ନିଜ ଆତ୍ମା ବିଷୟ ଚିନ୍ତା କରିବାକୁ ଓ ଭଗବାନଙ୍କୁ ଡାକିବାକୁ ଯଥେଷ୍ଟ ସମୟ ଥାଏ । ଏହିପରି ଆମେମାନେ ଏତେଦିନ ପର୍ଯ୍ୟନ୍ତ ବୃଥା ସୁଖର ଅନ୍ୱେଷଣ କରି ବର୍ତ୍ତମାନ ଦୁଃଖ ମଧ୍ୟରେ ସୁଖ ପାଇଛୁଁ ।’

 

ଅତିଥିମାନେ ଏହି କଥା ଶୁଣି ସମସ୍ତେ ହସିଉଠିଲେ । ପଞ୍ଚୁ କହିଲା, ‘ତୁମେମାନେ ହସୁଛ, କିନ୍ତୁ ହସିବାର କାରଣ କିଛି ନାହିଁ । ଏହା ଆମମାନଙ୍କ ଜୀବନର ଅନୁଭବ । ପ୍ରଥମେ ଆମେମାନେ ଏହି ଅବସ୍ଥାର ପରିବର୍ତ୍ତନ ଯୋଗୁ ଅନେକ ଦୁଃଖ କରିଥିଲୁଁ, କିନ୍ତୁ ବର୍ତ୍ତମାନ ଈଶ୍ଵର ଆମମାନଙ୍କୁ ସତ୍ୟ ଦେଖାଇ ଦେଇଛନ୍ତି, ମୋର ସ୍ତ୍ରୀ ସେହି ସତ୍ୟଟି ତୁମମାନଙ୍କୁ କହିଛି ।’

 

ଅତିଥି ମଧ୍ୟରେ ଯେଉଁ ସନ୍ନ୍ୟାସୀ ଜଣକ ଥିଲେ, ସେ ନୀରବରେ ବସି ସବୁ ଶୁଣୁଥିଲେ-। ସେ ବର୍ତ୍ତମାନ କହିଲେ, ‘ବାସ୍ତବିକ ଏମାନେ ସତ୍ୟ କଥା କହିଛନ୍ତି । ଏହାହିଁ ସବୁ ଶାସ୍ତ୍ରର ସାର କଥା ।

 

ଏହି କଥା ଶୁଣି ଅତିଥିମାନେ ଗମ୍ଭୀରଭାବରେ ଚିନ୍ତା କରିବାକୁ ଲାଗିଲେ ।

Image

 

ଧୂପଦାନି

 

ପୂର୍ବେ ଜମିଦାର ଓ ପ୍ରଜାମାନଙ୍କ ମଧ୍ୟରେ ସମ୍ବନ୍ଧଟା ଆଜିକାଲିଠାରୁ ଭିନ୍ନ ଥିଲା । ଜମିଦାରମାନେ ସର୍ବେସର୍ବା, ସେମାନଙ୍କ ପ୍ରଭୃତ୍ଵରେ ବାଧା ଦେବାକୁ କେହି ନ ଥିଲେ, ପ୍ରଜାମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣରୂପେ ତାଙ୍କରି ଉପରେ ନିର୍ଭର କରୁଥିଲା । ଯେତେ ଅତ୍ୟାଚାର କଲେ ମଧ୍ୟ ତାଙ୍କୁ ପଦେ କଥା କହିବାକୁ କେହି ନ ଥିଲା । ସେମାନଙ୍କ ମଧ୍ୟରେ ଯେ ଭଲଲୋକ କେହି ନ ଥିଲେ, ତାହା ନୁହେ, ମାତ୍ର ସେପରି ଲୋକଙ୍କ ସଂଖ୍ୟା ଅଳ୍ପ । ଯେଉଁମାନେ ସାମାନ୍ୟ ସାମାନ୍ୟ ଅବସ୍ଥାରୁ ବଡ଼ ହେଉଥିଲେ, ସେହିମାନେ ପ୍ରାୟ ବେଶି ଅତ୍ୟାଚାରୀ ହେଉଥିଲେ । ଅନେକ ସ୍ଥଳରେ ଜମିଦାରମାନେ ଦୂରର ଜମିଦାରୀ ନିଜେ ଦେଖି ନ ପାରିବାରୁ ଜଣେ ଜଣେ କର୍ମଚାରୀ ନିଯୁକ୍ତ କରି ସେଠାକୁ ପଠାଉଥିଲେ । ଏହି କର୍ମଚାରୀମାନେ କ୍ଷମତା ପାଇ ଅନେକ ସମୟରେ ପ୍ରଜାପୀଡ଼ନରେ ପ୍ରଭୁଙ୍କୁ ମଧ୍ୟ ବଳି ଯାଉଥିଲେ । ଏହିପରି ଜଣେ ଜମିଦାର ଦୂରର ଗୋଟିଏ ଜମିଦାରୀର କାର୍ଯ୍ୟ ଦେଖିବାକୁ ଜଣେ ଲୋକକୁ ନିଯୁକ୍ତ କରି ପଠାଇଲେ । ସେ ଲୋକଟାର ଅବସ୍ଥା ପୂର୍ବେ ଅତି ଖରାପ ଥିଲା; ନିଜର ଚେଷ୍ଟାରୁ ଓ ପ୍ରଭୁର ସୁ ନଜରରେ ପଡ଼ିବାରୁ କ୍ରମେ କ୍ରମେ ତାହାର ଅବସ୍ଥାର ଯଥେଷ୍ଟ ଉନ୍ନତି ହେଲା; ତାହାର ପ୍ରକୃତି କିନ୍ତୁ ଅତ୍ୟନ୍ତ ନିଷ୍ଠୁର ଥିଲା । ଯେଉଁ ସମ୍ପତ୍ତି ଦେଖିବାର ଭାର ତାହା ଉପରେ ଦିଆଗଲା, ସେଇଟି ଖୁବ୍ ବଡ଼ ଏବଂ ସେଥିରେ ପ୍ରଜା ମଧ୍ୟ ଅନେକ ଥିଲେ । ଯେ କୌଣସି ଉପାୟରେ ହେଉ ଟଙ୍କା ଜମାଇବା ଏହି ଲୋକଟାର ପ୍ରଧାନ ଉଦ୍ଦେଶ୍ୟ । ସେ ସେହି ଗ୍ରାମକୁ ଆସି ଅଳ୍ପଦିନ ମଧ୍ୟରେ ପ୍ରଜାମାନଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲା । ନିଜର ଜମି ଚାଷ କରିବାକୁ କିମ୍ଵା ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ସେମାନେ ଆଉ ସମୟ ପା’ନ୍ତିନାହିଁ, ମାନେଜରଙ୍କ ଫରମାସ ଯୋଗାଇବାରେ ତାଙ୍କର ଅଧିକାଂଶ ସମୟ କଟିଯାଏ । କିଛିଦିନ ପରେ ସେ ଗୋଟାଏ ଇଟାଭାଟି ଆରମ୍ଭ କଲା । ଗ୍ରାମର ସ୍ତ୍ରୀ ପୁରୁଷ ସମସ୍ତେ ଆସି ଇଟା ତିଆରି କରିବାକୁ ଲାଗିଲେ, ନ ଆସିବାକୁ ସେମାନଙ୍କର ଉପାୟ ନାହିଁ । କାରଣ ହୁକୁମ ନ ମାନିଲେ ଚାବୁକ୍ ଖାଇବାକୁ ହେବ । ଏହିପରି ଅତ୍ୟାଚାରରେ ପୀଡ଼ିତ ହୋଇ କେତେଜଣ ପ୍ରଜା ଜମିଦାରଙ୍କର ପାଖକୁ ଯାଇଁ ଗୁହାରି କଲେ; କିନ୍ତୁ ଜମିଦାର ତାଙ୍କ କଥା ବିଶ୍ୱାସ ନ କରି ତାଙ୍କୁ ଧମକ ଦେଇ ଫେରାଇଦେଲେ । ତାହା ନାମରେ ଗୁହାରି କରିବାକୁ ଯାଇଥିବା କଥାଟା ଶୁଣି ଲୋକଟା ଆହୁରି ବେଶି ଅତ୍ୟାଚାର ଆରମ୍ଭ କଲା । ଗ୍ରାମରେ କେତେଟା ଦୁଷ୍ଟ ଲୋକ ମଧ୍ୟ ଆସି ଯାହା ତାହା ନାମରେ ନାନା କଥା ଲଗାଇ ତାହା ଆଗରେ କହନ୍ତି; ତହିଁରେ ସେମାନଙ୍କ ଉପରେ ଅତ୍ୟାଚାର ବଢ଼ିଯାଏ । ଶେଷକୁ ଏପରି ହେଲା ଯେ, ଅତ୍ୟାଚାର ଭୟରେ ଗ୍ରାମର ଲୋକମାନେ କେବଳ ଲୁଚି ଲୁଚି ବୁଲିଲେ, ଭୟରେ କେହି ଆଉ ମାନେଜର ଆଖି ଆଗକୁ ଆସନ୍ତି ନାହିଁ । ମାନେଜର ହାତର ଚାବୁକଟି ଅକାରଣରେ କିମ୍ଵା ସାମାନ୍ୟ କାରଣରେ ସର୍ବଦା ତାଙ୍କ ପିଠିରେ ପଡ଼ୁଥିଲା । ପ୍ରଜାମାନେ ଏହିପରି ଲୁଚି ବୁଲିବାରୁ ତାହାର କୋପ ଆହୁରି ବଢ଼ିବାକୁ ଲାଗିଲା ।

 

ଶେଷରେ ଅତ୍ୟାଚାର ଏପରି ଅସହ୍ୟ ହୋଇ ଉଠିଲା ଯେ, କୃଷକମାନେ ଏହାର ପ୍ରତିକାରର ଉପାୟ ସ୍ଥିର କରିବାକୁ ଗୋପନରେ ମିଳିତ ହେବାକୁ ଲାଗିଲେ । ଅଧିକାଂଶ କୃଷକଙ୍କ ମତ ଯେ, ଲୋକଟାକୁ ହତ୍ୟା କରି ଅତ୍ୟାଚାରର ହାତ ଏଡ଼ାଇବାକୁ ହେବ; ଏପରି ପାପୀକୁ ହତ୍ୟା କଲେ କିଛି ପାପ ହେବ ନାହିଁ ।

 

ଏହିପରି ବିଚାର ଅନେକ ସମୟରେ ହୁଏ; କିନ୍ତୁ ଯେତେବେଳେ କୌଣସି କଥାରେ ବିନା କାରଣରେ ମାନେଜର ଚାବୁକ ମାରି ପ୍ରଜାଙ୍କ ପିଠିରୁ ରକ୍ତ ବାହାର କରିଦିଏ, ସେମାନେ ତୁନି ହୋଇ ରହନ୍ତି ।

 

ଥରେ ମାନେଜର କେତେଜଣ କୃଷକଙ୍କୁ ଗୋଟାଏ ଜଙ୍ଗଲ ସଫା କରିବାକୁ ହୁକୁମ ଦେଲା । ସେମାନେ କାମ କରୁଅଛନ୍ତି, ମାନେଜର ନିଜେ ଦେଖିବାକୁ ଆସି ତାଙ୍କ ମଧ୍ୟରୁ ଜଣକର କାମ ମନୋମତ ହୋଇନାହିଁ ବୋଲି ତାକୁ ଆଚ୍ଛାକରି ଗୋଟାକେତେ ପ୍ରହାର ଦେଇ ଚାଲିଗଲା । ସେ ଚାଲିଗଲା ପରେ ଜଣେ କୃଷକ କହିଲା, “ଆମମାନଙ୍କର ଏହିପରି ବୃଥା କଳ୍ପନାରେ କି ଫଳ ? କେବଳ ବାରମ୍ଵାର ଏକତ୍ର ହୋଇ ଏପରି କରିବା, ସେପରି କରିବା ବୋଲି ଆସ୍ଫାଳନ କରୁଥାଇଁ, ଅଥଚ କାର୍ଯ୍ୟବେଳେ କିଛି ନାହିଁ । ଏଣିକି କିଛି ନ କଲେ ଚଳିବ ନାହିଁ ।” କେତେଦିନ ପର୍ଯ୍ୟନ୍ତ ସେମାନେ ନିଜ ଭିତରେ ପରାମର୍ଶ କରି ସ୍ଥିର କଲେ, ଯେ କୌଣସି ଉପାୟରେ ହେଉ ଲୋକଟାକୁ ମାରିବାକୁ ହେବ ।

 

ସେହି ଗ୍ରାମରେ ଦୁର୍ଗାପୂଜା ସମୟରେ ଖୁବ୍ ଧୁମ୍‌ଧାମ୍ ହୁଏ, ଗ୍ରାମବାସୀମାନେ ଉତ୍ସବର କେତେଟା ଦିନ ପ୍ରାୟ କାର୍ଯ୍ୟ କରନ୍ତି ନାହିଁ । ସେହି ବର୍ଷ ପୂଜାର ଠିକ୍ ପୂର୍ବରୁ ମାନେଜର ଅନେକଗୁଡ଼ିଏ ଜମି ଦେଖାଇ ଦେଇ କେତେ ଜଣ ପ୍ରଜାଙ୍କୁ ଡାକି ହୁକୁମ ଦେଲା, ଏକ ସପ୍ତାହ ମଧ୍ୟରେ ସେହି ଜମିରେ ହଳ ବୁଲାଇ ଜମି ପ୍ରସ୍ତୁତ କରି ରଖିବାକୁ ହେବ । ଯେଉଁମାନଙ୍କୁ ଏହି ହୁକୁମ ଦିଆ ଯାଇଥିଲା, ସେମାନେ କିଛି ଗୋଟାଏ ଉପାୟ ସ୍ଥିର କରିବାକୁ ପୁଣି ମିଳିତ ହେଲେ । ସେମାନେ ସମସ୍ତେ ଏକ ବାକ୍ୟରେ କହିଲେ, “ମାନେଜରର ଧର୍ମଜ୍ଞାନ ନାହିଁ ବୋଲି ଆମେମାନେ କଣ ଧର୍ମ ଛାଡ଼ିବୁଁ ? ତାକୁ ମାରି ପକାଇବା ଛଡ଼ା ଆଉ କିଛି ଉପାୟ ନାହିଁ, ଏଥିରେ କଦାପି ପାପ ହେବ ନାହିଁ ।”

 

ସେମାନେ ଏହିପରି ବିଚାର କରୁଅଛନ୍ତି, ସେହି ସମୟରେ ପ୍ରବୋଧ ନାମରେ ଜଣେ କୃଷକ ସେଠାରେ ଆସି ପହଞ୍ଚିଲା । ଲୋକଟିର ପ୍ରକୃତି ଅତି ଶାନ୍ତ, ଧୀର ଏବଂ ଏତେଦିନଯାଏ ଏମାନଙ୍କର ଏହି ସବୁ ମନ୍ତ୍ରଣାରେ ସେ ଯୋଗ ଦେଇ ନ ଥିଲା । ବର୍ତ୍ତମାନ ସେ ସେମାନଙ୍କ କଥା ଶୁଣି କହିଲା, “ଦେଖ, ତୁମେମାନେ ଯାହା କରିବ ବୋଲି ଭାବୁଛ ତାହା ଘୋଗ ପାପ କାର୍ଯ୍ୟ । ସେ ଅବଶ୍ୟ ପାଇବ, ତୁମେ ବିଚାର କରିବାର କିଏ ? ତୁମେମାନେ ଧୈର୍ଯ୍ୟ ଧରି ଅପେକ୍ଷା କର ।”

 

ଏହି କଥା ଶୁଣି ପରାମର୍ଶକାରୀ ମଧ୍ୟରୁ ଜଣେ କହିଲା, “ତୁମର କେବଳ ସେହି ଏକ କଥା, ମନୁଷ୍ୟକୁ ହତ୍ୟା କରିବା ପାପ । ମୁଁ ସ୍ଵୀକାର କରୁଛି, ଜଣେ ଭଲଲୋକକୁ ମାରିବା ଅନ୍ୟାୟ; କିନ୍ତୁ ଏପରି ଗୋଟାଏ ପାଷାଣ୍ଡକୁ ମାରିଲେ ସେଥିରେ କିଛି ପାପ ନାହିଁ । ମୋ ମତରେ ତାକୁ ହତ୍ୟା କରିବା ଅପେକ୍ଷା ତାକୁ ବଞ୍ଚିବାକୁ ଦେବାଟା ଆମମାନଙ୍କ ପକ୍ଷରେ ଅଧିକ ପାପ । ତୁମେ କଣ କହୁଛ,ଏହି ଉତ୍ସବ ବେଳେ ଆମେମାନେ ତା ହୁକୁମରେ ଯାଇ କାମ କରିବୁଁ ?”

 

ପ୍ରବୋଧ ଉତ୍ତର କଲା, “ଯଦି ମୋତେ ଯିବାକୁ ହୁକୁମ ଦିଆ ହୁଏ, ତାହାହେଲେ ମୁଁ ନିଶ୍ଚୟ ଯିବି, ଅନ୍ୟ ଉପାୟ କଣ ଅଛି ? ଈଶ୍ୱର ନିଜେ ମାନେଜରର ପାପ ଦେଖୁଛନ୍ତି, ସେ ଏହାର ବିଚାର କରିବେ । ମନ୍ଦ କାର୍ଯ୍ୟଦ୍ଵାରା କେବେ ମନ୍ଦ କାର୍ଯ୍ୟର ପ୍ରତିକାର କରାଯାଇ ପାରେ ନାହିଁ । ତୁମେମାନେ ମୋର ଅନୁରୋଧ ରଖ, ଏହି ଅନ୍ୟାୟ କରନାହିଁ । ଧୈର୍ଯ୍ୟ ଧରି ରହ, ଈଶ୍ଵର ନିଶ୍ଚୟ ପାପିକୁ ଶାସ୍ତି ଦେବେ ।” କୃଷକମାନଙ୍କ ମଧ୍ୟରୁ କେତେ ଜଣ ସପକ୍ଷରେ ଓ କେତେ ଜଣ ବିପକ୍ଷରେ ମତ ଦେଲେ, କିଛି ସ୍ଥିର ହେଲା ନାହିଁ । ସୁତରାଂ ସେମାନେ କାମ କରିବାକୁ ଗଲେ ।

 

ଉତ୍ସବର ଆମୋଦରେ ଚାରିଆଡ଼େ ଲୋକେ ମତ୍ତ; କିନ୍ତୁ ସେହି ହତଭାଗ୍ୟ କୃଷକମାନେ ସାରାଦିନ କାର୍ଯ୍ୟରେ ଲାଗିଅଛନ୍ତି । ଏହିପରି ତିନି ଦିନ ଗଲା, ଦଶମୀ ଦିନ ସକାଳେ ଉଠି ମାନେଜର ତାହାର ପିଆଦାକୁ ଡାକି ପଚାରିଲା, “ଲୋକମାନେ କାମ କରୁଛନ୍ତି ତ ? “ସେ ଉତ୍ତର କଲା, “ଆଜ୍ଞା ହଁ, ମୁଁ ସେମାନଙ୍କୁ ଜମି ବାଣ୍ଟି ଦେଇଛି, ସେମାନେ କାମ କରୁଛନ୍ତି ।” ମାନେଜର କହିଲା, “ତୁ ତ ଠିକ୍ କରି ଦେଇ ଆସିଛୁ; କିନ୍ତୁ ସେମାନେ ଯେପରି ଅଳସୁଆ କ’ଣ କରୁଥିବେ, ତାହାରି ଠିକଣା ନାହିଁ । ତୁ ନିଜେ ଯାଇ ଦେଖିଆ, ଆଉ ସେମାନଙ୍କୁ କହିଦେବୁ ଯେ; ଭଲ କରି କାମ ନ କଲେ ସେମାନଙ୍କ କପାଳରେ ଅନେକ କଷ୍ଟ ଅଛି ।” ପିଆଦା ଚାଲି ଯାଉଥିଲା, ମାନେଜର ତାକୁ ପୁଣି ଡାକି କହିଲା, “ଦେଖ, ସେମାନେ ମୋ ନାମରେ କଣ କହୁଛନ୍ତି; ଶୁଣି ଆସି ସବୁ ମୋତେ କହିବୁ ।” ପିଆଦା ଚାଲିଗଲା । ମାନେଜରର ସ୍ତ୍ରୀ ଏହି ସବୁ କଥା ଶୁଣୁଥିଲା । ତାହାର ପ୍ରକୃତି ବଡ଼ ଶାନ୍ତ ଏବଂ ମନଟା ମଧ୍ୟ ବଡ଼ କୋମଳ । ସେ ସ୍ଵାମୀକୁ ଏହି ସବୁ ଅତ୍ୟାଚାରରୁ ବିରତ କରିବାକୁ ଚେଷ୍ଟା କରି ଅନେକ ଲାଞ୍ଛନା ଭୋଗ କରିଥିଲା । ସେଦିନ ମଧ୍ୟ ତାହାର କଥା ଶୁଣି କହିଲା, “ଦେଖ, ଉତ୍ସବ ସମୟଟାରେ ଏପରି ଅନ୍ୟାୟ କର ନାହିଁ । ଆଜି ସେମାନଙ୍କୁ ଦୟା କରି ଛାଡ଼ିଦିଅ ।” ମାନେଜର ଅତ୍ୟନ୍ତ ବିରକ୍ତ ହୋଇ କହିଲା, “ମୁଁ କେତେ ଥର ତୁମକୁ ମନା କରିଛି, ଏ ସବୁ ବିଷୟରେ ତୁମେ ପାଟି ଫିଟାଇବ ନାହିଁ । ଦେଖୁଛି ଅନେକ ଦିନ ହେଲା ପିଠିରେ ଚାବୁକ ପଡ଼ି ନାହିଁ ବୋଲି ସାହସ ବଢ଼ି ଯାଇଛି !” ସ୍ତ୍ରୀ କହିଲା, “ତୁମ ସମ୍ବନ୍ଧରେ ମୁଁ ଗୋଟାଏ ବଡ଼ ଦୁଃସ୍ୱପ୍ନ ଦେଖିଛି, ଏହି ଥରକ ମୋ କଥା ରଖ ।” ମାନେଜର ସ୍ତ୍ରୀକୁ ସେ ଘରୁ ତଡ଼ି ଦେଇ ସୁରାପାନ କରିବାକୁ ଆରମ୍ଭ କଲା । ଏହିପରି କିଛିକ୍ଷଣ ଗଲା ପରେ ଯେ ଯେଉଁ ପିଆଦାକୁ କାମ ଦେଖିବାକୁ ପଠାଇଥିଲା, ସେ ଫେରି ଆସିଲା । ମାନେଜର ତାକୁ ଦେଖି ଭାରି ଉତ୍ସାହିତ ହୋଇ ପଚାରିଲା, “କାମ କିପରି ଚାଲିଛି ? ସମସ୍ତେ କାମ କରୁଛନ୍ତି ତ ?” ସେ କହିଲା, “ହଁ କାମ ବେଶ୍ ହେଉଛି, ସମସ୍ତେ ବେଶ୍ କାମ କରୁଛନ୍ତି ।” ମାନେଜର ପଚାରିଲା, “ମାଟି ବେଶ୍ ନରମ ହେଉଛି ତ;” “ଆଜ୍ଞା ହଁ ।” ତହୁଁ ମାନେଜର ପଚାରିଲା “ଆଚ୍ଛା, ଏବେ ମୋ ନାମରେ ସେମାନେ କଣ କହୁଛନ୍ତି କହ ।” ପିଆଦା ପ୍ରଥମରେ ଟିକିଏ ଇତସ୍ତତଃ ହେଲାରୁ ମାନେଜର କହିଲା, “ସେମାନେ କଣ କହୁଛନ୍ତି, ମତେ ଠିକ୍ କରି କହ; ମୁଁ ତତେ ପୁରସ୍କାର ଦେବି, ନ କହିଲେ ଚାବୁକ ।”

 

ଏହି କଥା ଶୁଣି ପିଆଦା ଭାବିଲା, ସେମାନେ ତ ତାହାର ନିନ୍ଦା କରୁଛନ୍ତି, ମୁଁ ଆଉ କଣ କରିବି ? ମତେ ଯେତେବେଳେ କହିବାକୁ କହୁଛି, ମୁଁ କହିବାକୁ ବାଧ୍ୟ । ସେ କହିଲା, “ସେମାନେ ସମସ୍ତେ ଭାରି ରାଗିଛନ୍ତି ।” ମାନେଜର କହିଲା, “କିନ୍ତୁ ସେମାନେ ମୋ ନାମରେ କଣ କହୁଛନ୍ତି, ମୁଁ ସେହି କଥା ଶୁଣିବାକୁ ଚାହେଁ ।” ପିଆଦା କହିଲା, “ସେମାନେ ସମସ୍ତେ କହୁଛନ୍ତି, ତୁମର ଧର୍ମ ବୋଲି କିଛି ନାହିଁ ।” “କିଏ ଏ କଥା କହୁଛି !” “ସମସ୍ତେ । “ମାନେଜର କହିଲା, “ଆଚ୍ଛା, ବର୍ତ୍ତମାନ ପ୍ରତ୍ୟେକେ କଣ କହୁଛନ୍ତି କହ । ସେ ପାଜି ପ୍ରଧାନଟା କଣ କହୁଥିଲା ?” “ସେ ସମସ୍ତଙ୍କ ଅପେକ୍ଷା ତୁମକୁ ବେଶି ଅଭିଶାପ ଦେଉଛି । ସେ କହୁଛି ଯେ, ତୁମ କପାଳରେ ଅନେକ ଦୁର୍ଦ୍ଦଶା ଭୋଗ ଅଛି-।”

 

ଏହି କଥା ଶୁଣି ମାନେଜର କହିଲା, “କାହା କପାଳରେ ଦୁର୍ଦ୍ଦଶାଭୋଗ ଅଛି, ଦେଖାଯିବ-। ଆଉ କିଏ କଣ କହୁଥିଲା ?” କେହି ଜଣେ ହେଲେ ଭଲ କହୁ ନାହାନ୍ତି, ସମସ୍ତେ ତ ଅଭିଶାପ ଦେଉଛନ୍ତି ।” “ଆଚ୍ଛା ପ୍ରବୋଧ କଣ କହୁଥିଲା ? ସେ ନିଶ୍ଚୟ ସେମାନଙ୍କ ଭିତରେ ଜଣେ-।” ପିଆଦା କହିଲା, “ନା, ସେ ସେମାନଙ୍କ ଭିତରେ ନାହିଁ ।” “ତାହାହେଲେ ସେ କଣ କହୁଥିଲା-?” “ତାଙ୍କ ମଧ୍ୟରେ ଏକମାତ୍ର ସେହିଁ କିଛି କହି ନାହିଁ । ସାମାନ୍ୟ ଚଷା ହେଲେ କଣ ହେବ, ସେ ଜଣେ ପ୍ରକୃତ ଜ୍ଞାନୀ ଲୋକ, ଆଜି ମୁଁ ତାକୁ ଦେଖି ଅବାକ୍ ହୋଇଗଲି ।”

 

ମାନେଜର ପଚାରିଲା ‘କାହିଁକି ?” “ତା କାର୍ଯ୍ୟ ଦେଖି ଅନ୍ୟମାନେ ମଧ୍ୟ ଅବାକ୍ ହୋଇ ଯାଇଛନ୍ତି । ସେ ହଳ ବୁଲାଉଥିଲା, ମୁଁ ତା ପାଖକୁ ଗଲି । ଗଲାବେଳେ ଶୁଣିଲି, କିଏ ଜଣେ ଆସ୍ତେ ଆସ୍ତେ ଗୀତ ଗାଉଛି । ମୁଁ ପାଖକୁ ଯାଇ ଦେଖିଲି, ସେ ତାର ଲଙ୍ଗଳ ମଝିରେ ଗୋଟିଏ ଧୂପଦାନି ରଖିଛି, ଆଉ ଗୀତ ଗାଇ କାମ କରୁଛି ।”

 

ମାନେଜର ପଚାରିଲା, “ସେ କଣ କହିଲା ?” “ମତେ ଦେଖି ହାସ୍ୟ ମୁଖରେ ଉତ୍ସବର ଅଭିବାଦନ ଜଣାଇଲା, ପୁଣି ଗୀତ ଗାଇ କାମ କରିବାକୁ ଲାଗିଲା । ଦେଖିଲି ସେ ଧୀରେ ଧୀରେ ଲଙ୍ଗଳ ଚଳାଉଛି, ସେ ଲଙ୍ଗଳରୁ ମାଟି ଝାଡ଼ିଦେଲା, ଅଥଚ ଧୂପଦାନିଟି ଖସିପଡ଼ିଲା ନାହିଁ ।”

 

ମାନେଜର ପଚାରିଲା, “ତୁ ତାକୁ କଣ କହିଲୁ ?” “ମୁଁ କିଛି କହି ନାହିଁ, କିନ୍ତୁ ଅନ୍ୟ କୃଷକମାନେ ଆସି ତାକୁ ଉପହାସ କରିବାକୁ ଲାଗିଲେ । ସେ ସେମାନଙ୍କ କଥା ଶୁଣି କହିଲା, “ଆଜି ବିଜୟା ଦଶମୀରେ କାହା ପ୍ରତି ଅସଭାବ ରଖନାହିଁ, ସମସ୍ତଙ୍କ ମଙ୍ଗଳପାଇଁ ପ୍ରାର୍ଥନା କର ।” ଏହା କହି ସେ ପୁଣି ଗୀତ ଗାଇ ଗାଇ ନିଜ କାମରେ ମନ ଦେଲା ।

 

ସବୁକଥା ଶୁଣି ମାନେଜର ଆଉ କିଛି କହିଲା ନାହିଁ । ସେ ମଦ ବୋତଲ ଘୁଞ୍ଚାଇ ରଖି କିଛିକ୍ଷଣ ବସି ଭାବିଲା । ପରେ ଯାଇଁ ବିଛଣାରେ ଶୋଇ କେବଳ ଛଟପଟ ହେବାକୁ ଲାଗିଲା । ତାହାର ସ୍ତ୍ରୀ ଆସି ତାକୁ ଅନେକ ଅନୁରୋଧ କରି ଖାଇବାକୁ ଡାକିଲା, କିନ୍ତୁ ସେ ଉଠିଲା ନାହିଁ । କେବଳ ମଝିରେ ମଝିରେ କହୁଥାଏ, “ଏହି ଲୋକଟା ମତେ ଜିଟିଗଲା !” ସ୍ତ୍ରୀ କହିଲା, “ତୁମେ ଯାଇ ସେ ଲୋକମାନଙ୍କୁ ଛୁଟି ଦେଇ ଆସ, ତୁମେ ତ କୌଣସି କାମ କରିବାକୁ ଡର ନାହିଁ, ଆଜି ଏହି ଭଲ କାମ କରିବାକୁ କାହିଁକି ଡରୁଛ ?” କିନ୍ତୁ ମାନେଜର କେବଳ କହୁଥାଏ, “ଏହି ଲୋକଟା ମତେ ଜିତିଗଲା ! ତୁମେ ଏଠାରୁ ଚାଲିଯାଅ । ତୁମେ ଏ ସବୁ କିଛି ବୁଝି ପାରିବ ନାହିଁ ।” ସେଦିନ ସେ ସେହିପରି ଅନାହାରରେ ଶୋଇ ରହିଲା ।

 

ତହୁଁ ଆରଦିନ ସକାଳୁ ଉଠି ମାନେଜର ତାହାର ନିତ୍ୟକର୍ମରେ ଲାଗିଲା; କିନ୍ତୁ ତାଙ୍କୁ ଦେଖି ସେହି ପୂର୍ବ ମାନେଜର ବୋଲି ଆଉ ମନେ ହେଲା ନାହିଁ, ସେ ଯେପରି ଗୋଟାଏ ଭୟଙ୍କର ଆଘାତ ପାଇଅଛି । ଅନେକ ସମୟରେ ତୁନି ହୋଇ ବସି କଣ ଗୋଟାଏ ଭାବୁଥାଏ । ତାହାର ପ୍ରଭୃତ୍ୱ ମଧ୍ୟ ବେଶୀ ଦିନ ରହିଲା ନାହିଁ । କିଛିଦିନ ପରେ ଜମିଦାର ନିଜେ ସେଠାକୁ ଆସିଲେ, ମାନେଜର ତାଙ୍କ ସଙ୍ଗରେ ଦେଖା କଲା ନାହିଁ । କହି ପଠାଇଲା ଯେ ସେ ଅସୁସ୍ଥ । ପ୍ରଭୁ ଜାଣି ପାରିଲେ ଯେ ସେ, ଅତ୍ୟନ୍ତ ମଦ୍ୟପାନ କରୁଅଛି । ସବୁ ଦେଖି ଶୁଣି ଜମିଦାର ତାକୁ କାମରୁ ବରଖାସ୍ତ କରିଦେଲେ । ସେ ସେହି ଗ୍ରାମରେ ରହିଲା । ଯାହା କିଛି ଅର୍ଥ ସଞ୍ଚୟ କରିଥିଲା, ଅଳ୍ପଦିନ ଭିତରେ ମଦରେ ଉଡ଼ାଇଦେଲା । ସେ ଆଉ କାହାରି ସଙ୍ଗରେ ମିଶେ ନାହିଁ, କାହାକୁ କିଛି କହେ ନାହିଁ । ତାହର ଦୁରବସ୍ଥା ଦେଖି କୃଷକମାନଙ୍କର ମଧ୍ୟ ତାହା ପ୍ରତି ଅତ୍ୟନ୍ତ ଦୟା ହେଲା । ଶେଷରେ ସ୍ତ୍ରୀ ପୁତ୍ରଙ୍କୁ ଦାଣ୍ଡରେ ବସାଇ ବର୍ଷକ ମଧ୍ୟରେ ଅତିରିକ୍ତ ମଦ୍ୟପାନରେ ପ୍ରାଣ ହରାଇଲା ।

Image

 

ଭ୍ରାନ୍ତି

 

ଅତି ପ୍ରାଚୀନ କାଳରେ କୌଣସି ଏକ ଦେଶରେ କ୍ରିସସ୍ ନାମରେ ଜଣେ ରାଜା ଥିଲେ-। ତାଙ୍କର ରାଜକୋଷ ବହୁ ଧନରତ୍ନରେ, ରାଜପ୍ରାସାଦ ଅସଂଖ୍ୟ ଦାସଦାସୀରେ ଓ ରାଜ୍ୟ ଅଗଣିତ ସୈନ୍ୟରେ ପରିପୂର୍ଣ୍ଣ ଥିଲା । ସେ ମନେ କରୁଥିଲେ ଯେ, ତାଙ୍କ ପରି ସୁଖୀ ପୃଥିବୀରେ ଆଉ କେହି ନାହାନ୍ତି ।

 

ଦିନେ ସୋଲନ ନାମରେ ଜଣେ ଦାର୍ଶନିକ ପଣ୍ଡିତ ତାଙ୍କ ରାଜ୍ୟକୁ ଆସିଲେ । ସୋଲନ ଜ୍ଞାନୀ ଓ ନ୍ୟାୟବାନ୍ ବୋଲି ଖୁବ୍ ବିଖ୍ୟାତ ଥିଲେ । କ୍ରିସସ୍ ମଧ୍ୟ ତାଙ୍କ ଖ୍ୟାତି ଶୁଣିଥିଲେ । ବର୍ତ୍ତମାନ ସୋଲନ ତାଙ୍କ ରାଜ୍ୟକୁ ଆସିଥିବା ଖବର ଶୁଣି ସେ ତାଙ୍କୁ ରାଜସଭାକୁ ଆଣିବାକୁ କହିଲେ ।

 

ରାଜାଙ୍କର ଇଚ୍ଛା, ତାଙ୍କର ବିପୁଳ ଐଶ୍ଵର୍ଯ୍ୟ ଦେଖାଇ ସୋଲନଙ୍କୁ ଅବାକ୍ କରିଦେବେ । ସୁନ୍ଦର ପୋଷାକ ପିନ୍ଧି, ସିଂହାସନରେ ବସି ସେ ସୋଲନଙ୍କୁ ପଚାରିଲେ, “ତୁମେ କଣ ଏହା ଅପେକ୍ଷା ସୁନ୍ଦର କିଛି ଦେଖିଛ ?”

 

ସୋଲନ ଉତ୍ତର ଦେଲେ, “ନିଶ୍ଚୟ ଦେଖିଛି । ମୟୂରାଦି ପକ୍ଷୀମାନଙ୍କୁ ଈଶ୍ଵର ଯେଉଁ ବିଚିତ୍ର ଓ ଭଜ୍ଜ୍ଵଳ ବର୍ଣ୍ଣ ଦେଇ ଅଛନ୍ତି, ତାହା ସହିତ କେଉଁ ଶିଳ୍ପୀର କୌଶଳ ତୁଳନା ହୋଇ ପାରେ-?”

 

ଏହି ଉତ୍ତର ଶୁଣି କ୍ରିସସ୍ ଭାବିଲେ, “ଏଥିରେ ତ କିଛି ହେଲା ନାହିଁ, ଏହାଙ୍କୁ ଆହୁରି କିଛି ବେଶି ଦେଖାଇବାକୁ ହେବ ।” ତହୁଁ ସେ ତାଙ୍କର ସମସ୍ତ ଧନରତ୍ନ ସୋଲନଙ୍କୁ ଦେଖାଇଲେ ଏବଂ ସେ କେତେ ଶତ୍ରୁ ପରାଜିତ କରିଅଛନ୍ତି, କେତେ ରାଜ୍ୟ ଜୟ କରି ଅଛନ୍ତି, ସେ ସମସ୍ତ ବର୍ଣ୍ଣନା କରି ତାଙ୍କୁ ପଚାରିଲେ, “ତୁମେ ବୃଦ୍ଧ ହୋଇଛ, ଅନେକ ଦେଶ ମଧ୍ୟ ଭ୍ରମଣ କରିଛ । ଯେତେ ଲୋକଙ୍କୁ ତୁମେ ଦେଖିଛ, ସେମାନଙ୍କ ମଧ୍ୟରେ କିଏ ସର୍ବାପେକ୍ଷା ସୁଖୀ ?” ସୋଲନ କହିଲେ, “ମୁଁ ଏଥେନସ୍‌ରେ ଜଣେ ଦରିଦ୍ର ଲୋକ ଦେଖିଛି; ମୋ ମତରେ ସେହି ସର୍ବାପେକ୍ଷା ସୁଖୀ-।” ଏହି ଉତ୍ତର ଶୁଣି ରାଜା ଭାରି ଆଶ୍ଚାର୍ଯ୍ୟାନ୍ୱିତ ହେଲେ, କାରଣ ସେ ମନେ କରିଥିଲେ, ନିଶ୍ଚୟ ସୋଲନ ତାଙ୍କୁ ସର୍ବାପେକ୍ଷା ସୁଖୀ ବୋଲି କହିବେ; କିନ୍ତୁ ସେ ଜଣେ ସାମାନ୍ୟ ଲୋକର ନାମ କହିଲେ । ‘କାହିଁକି ତୁମେ ତାକୁ ସର୍ବାପେକ୍ଷା ସୁଖୀ କହିଲ ?”

ସୋଲନ କହିଲେ, “ସେ ବ୍ୟକ୍ତି ତାହାର ସମସ୍ତ ଜୀବନ କଠିନ ପରିଶ୍ରମ କରିଅଛି । ସେ ସାମାନ୍ୟ ଯାହା ଉପାର୍ଜନ କରେ, ସେଥିରେ ସନ୍ତୁଷ୍ଟ ଥାଏ, କେବେ ବେଶି ଲୋଭ କରେ ନାହିଁ-। ତାହାର ସନ୍ତାନଗୁଡ଼ିକ ସତ୍, କାରଣ ସେ ତାଙ୍କୁ ସର୍ବଦା ସୁଶିକ୍ଷା ଦେଇଅଛି । ସେ ତାହାର ସାଧ୍ୟ ଅନୁସାରେ ଦେଶର କାର୍ଯ୍ୟ ମଧ୍ୟ କରିଅଛି, ଏଣୁ ଲୋକମାନେ ତାକୁ ଖୁବ୍ ସ୍ନେହ କରନ୍ତି ।”

ଏହି କଥା ଶୁଣି କ୍ରିସସ୍ କହିଉଠିଲେ, “ତୁମେ କଣ ମନେ କର ଯେ, ଏହି ଯେଉଁ ଲୋକ କଥା କହୁଛ, ତା ସଙ୍ଗରେ ତୁଳନାରେ ମୋର ସୁଖ କିଛି ନୁହେଁ ?”

ସୋଲନ ଉତ୍ତର କଲେ, “ଅନେକ ସମୟରେ ଏପରି ଦେଖାଯାଏ ଯେ, ଜଣେ ଗରିବ ଲୋକ ଧନୀ ଲୋକ ଅପେକ୍ଷା ଅଧିକ ସୁଖୀ । କୌଣସି ଲୋକର ମୃତ୍ୟୁ ନ ହେବା ପର୍ଯ୍ୟନ୍ତ ସେ ସୁଖୀ କି ଦୁଃଖୀ, କୁହାଯାଇ ପାରେ ନାହିଁ ।”

 

ସୋଲନଙ୍କ ମୁଖରୁ ଏହିପରି କଥା ଶୁଣି ରାଜା ଭାରି ଅସନ୍ତୁଷ୍ଟ ହୋଇ ତାଙ୍କୁ ସଭାରୁ ବିଦାୟ ଦେଲେ । ତାଙ୍କ କଥାରେ ମଧ୍ୟ ସେ ବିଶ୍ୱାସ କଲେ ନାହିଁ । ସେ ମନେ ମନେ କହିଲେ, “ଯେତେଦିନ ମନୁଷ୍ୟ ବଞ୍ଚିବ, ସେତେଦିନ ଆମୋଦ ପ୍ରମୋଦରେ କଟାଇବ, ଏତେ କଥା ଭାବିବାର କିଛି ପ୍ରୟୋଜନ ନାହିଁ ।” ସୋଲନଙ୍କ କଥା ସେ ଏକାବେଳକେ ଭୁଲିଗଲେ ।

 

ଏହାର ଅଳ୍ପକେତେଦିନ ପରେ ରାଜାଙ୍କ ପୁତ୍ର ଶିକାର କରିବାକୁ ଯାଇ ଆହତ ହେଲେ ଏବଂ ସେଥିରେ ତାଙ୍କର ମୃତ୍ୟୁ ହେଲା । ଏହି ଦୁର୍ଘଟନା ପରେ ସେ ଶୁଣିଲେ ଯେ, ସାଇରସ୍ ନାମରେ ଜଣେ କ୍ଷମତାଶାଳୀ ରାଜା ତାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଅଛନ୍ତି ।

 

କ୍ରିସସ୍ ଅନେକ ସୈନ୍ୟ ନେଇ ତାଙ୍କ ସହିତ ଯୁଦ୍ଧ କରିବାକୁ ଗଲେ; କିନ୍ତୁ ଶତ୍ରୁ ଦ୍ଵାରା ପରାସ୍ତ ହେଲେ । ଯୁଦ୍ଧରେ ଜୟ ଲାଭ କରି ସାଇରସ୍ ତାଙ୍କ ରାଜଧାନୀରେ ପ୍ରବେଶ କଲେ । ସେଠାରେ ତାଙ୍କ ସୈନ୍ୟମାନେ ସମସ୍ତ ଧନ ରତ୍ନ ଲୁଣ୍ଠନ କରିବାକୁ ଆରମ୍ଭ କଲେ । ଶେଷରେ ସେମାନେ ନଗରର ଲୋକମାନଙ୍କୁ ହତ୍ୟା କରି ଘରେ ନିଆଁ ଲଗାଇଦେଲେ । ଜଣେ ସୈନ୍ୟ କ୍ରିସସ୍‌ଙ୍କୁ ଧରି ତାଙ୍କୁ ହତ୍ୟା କରିବାକୁ ଯାଉଥିଲା । ଏପରି ସମୟରେ ତାଙ୍କ ପୁତ୍ର କହିଲେ, “ତାଙ୍କୁ ଆଘାତ କର ନାହିଁ । କାରଣ ସେ ରାଜା କ୍ରିସସ୍ ।” ଏହି କଥା ଶୁଣି ସୈନ୍ୟ କ୍ରିସସ୍‍ଙ୍କୁ ବନ୍ଦୀ କରି ସାଇରସଙ୍କ ନିକଟକୁ ଘେନିଗଲେ । ଯୁଦ୍ଧରେ ଜୟ ଲାଭ କରି ସାଇରସ୍ ସେତେବେଳେ ଆମୋଦ ପ୍ରମୋଦରେ ମତ୍ତ, ବନ୍ଦୀ ସଙ୍ଗରେ କୌଣସି କଥା କହିବାକୁ ତାଙ୍କର ସମୟ ନ ଥିଲା । ସେ କ୍ରିସସଙ୍କର ପ୍ରାଣଦଣ୍ଡ ଆଦେଶ ଦେଇ ତାଙ୍କୁ ସେଠାରୁ ବିଦାୟ କରିଦେଲେ । ବଣଭୂମିରେ ଗୋଟିଏ ଚିତା ପ୍ରସ୍ତୁତ କରି ସେଥିରେ କ୍ରିସସଙ୍କୁ ବସାଇ ସୈନ୍ୟମାନେ ନିଆଁ ଲଗାଇ ଦେଲେ । କ୍ରିସସ୍‍ ତାଙ୍କର ପ୍ରିୟ ପ୍ରସାଦ ଓ ନଗର ଆଡ଼କୁ ଚାହିଁ ଦେଖିଲେ । ସେତେବେଳେ ତାଙ୍କର ସୋଲନଙ୍କର କଥା ମନେ ପଡ଼ିଗଲା । ସେ ଉଚ୍ଚସ୍ଵରରେ କ୍ରନ୍ଦନ କରି କହିଲେ, “ହା ସୋଲନ, ସୋଲନ !”

 

ଠିକ୍ ସେହି ସମୟରେ ସମ୍ରାଟ ସାଇରସ୍ ପ୍ରାଣଦଣ୍ଡ ଦେଖିବାକୁ ସେଠାରେ ଆସି ଉପସ୍ଥିତ ହେଲେ । କ୍ରିସସ୍‌ଙ୍କ କଥା ତାଙ୍କ କର୍ଣ୍ଣରେ ପ୍ରବେଶ କଲା । କିନ୍ତୁ ସେ ତାହାର ଅର୍ଥ କିଛି ବୁଝିପାରିଲେ ନାହିଁ । ସୁତରାଂ କ୍ରିସସଙ୍କୁ ଚିତାରୁ ଓହ୍ଲାଇ ତାଙ୍କ ପାଖକୁ ଆଣିବାକୁ ଆଦେଶ ଦେଲେ-। ସୈନ୍ୟମାନେ ତାଙ୍କୁ ସାଇରସଙ୍କ ନିକଟରେ ଉପସ୍ଥିତ କରିବାରୁ ତାଙ୍କୁ ଉକ୍ତ କଥାର ଅର୍ଥ ପଚାରିଲେ । କ୍ରିସସ୍ କହିଲେ, “ମୁଁ କେବଳ ଜଣେ ଜ୍ଞାନୀ ଲୋକଙ୍କ ନାମ ଉଚ୍ଚାରଣ କରିଅଛି-। ସେ ଥରେ ମତେ ଗୋଟିଏ କଥା କହୁଥିଲେ, ମୋର ମନେହୁଏ, ପୃଥିବୀର ସମସ୍ତ ଧନ, ରାଜଗୌରବ ଅପେକ୍ଷା ତାହା ମୂଲ୍ୟବାନ୍ ।” ଏହା କହି ସୋଲନଙ୍କ ସଙ୍ଗରେ ତାଙ୍କର ଯାହା କଥା ହୋଇଥିଲା, ତାହା ସବୁ ପ୍ରକାଶ କଲେ । କଥାଟା ସାଇରସ୍‌ଙ୍କ ପ୍ରାଣକୁ ସ୍ପର୍ଶ କଲା । ତାଙ୍କର ମନେ ହେଲା, ମନୁଷ୍ୟ ମାତ୍ରକେ ସମସ୍ତଙ୍କର ଭାଗ୍ୟବିପର୍ଯ୍ୟୟ ଘଟେ । ସେ ମଧ୍ୟ ମନୁଷ୍ୟ, ତାଙ୍କ ଭାଗ୍ୟରେ କଣ ଅଛି କେହି କହିପାରିବେ ନାହିଁ । ଏହିସବୁ କଥା ଭାବି କ୍ରିସସଙ୍କ ପ୍ରତି ତାଙ୍କ ଦୟା ହେଲା; ସେ ତାଙ୍କୁ ମୁକ୍ତି ଦେଇ ତାଙ୍କ ସଙ୍ଗେ ସଙ୍ଗେ ସଂଖ୍ୟା ସ୍ଥାପନ କରି ସ୍ଵରାଜ୍ୟକୁ ଫେରିଗଲେ ।

Image

 

ଶାନ୍ତି

 

ଗୋଟିଏ ଗ୍ରାମରେ ଜଗୁ ବୋଲି ଜଣେ କୃଷକ ଥିଲା । ତାହାର ଅବସ୍ଥା ବେଶ୍ ସ୍ଵଚ୍ଛଳ, ତିନି ପୁଅ, ବଡ଼ଟି ବିଭା ହୋଇଥିଲା । ପୁଅ ତିନିହେଁ ବାପ ସଙ୍ଗରେ କ୍ଷେତରେ କାମ କରନ୍ତି । ଜଗୁର ବାପା ବଞ୍ଚିଥିଲା, କିନ୍ତୁ ସେ ବୁଢ଼ା ବୟସ ଓ ରୋଗ ଯୋଗୁଁ ପ୍ରାୟ ଚଲାବୁଲା କରିପାରୁ ନ ଥିଲା, ଗୋଟିଏ ଜାଗାରେ ବସିଥାଏ କିମ୍ବା ଶୋଇଥାଏ, ଅନ୍ୟମାନେ ତାକୁ ଧରାଧରି କରି ନବା ଆଣିବା କରନ୍ତି । ଜଗୁର ଅଭାବ କିଛି ନ ଥିଲା, ବେଶ୍ ସୁଖରେ ଏକ ପ୍ରକାର ଦିନ କଟି ଯାଉଥାଏ-। କିନ୍ତୁ ତାହାର ପ୍ରତିବେଶୀ ଗଦେଇ ସଙ୍ଗରେ ପ୍ରାୟ ସର୍ବଦା କଳି ଲାଗିବାରୁ ଉଭୟଙ୍କୁ ନାନା ଅଶାନ୍ତି ଭୋଗ କରିବାକୁ ହେଉଥିଲା । ଗଦେଇର ବାପ ଯେତେବେଳ ବଞ୍ଚିଥିଲା ଓ ଜଗୁର ବାପ ଯେତେବେଳେ କାମ କରି ପାରୁଥିଲା, ସେତେବେଳେ ଦୁଇ ପରିବାର ମଧ୍ୟରେ ବେଶ୍ ସଦ୍ଭାବ ଥିଲା-। ସମୟ ପଡ଼ିଲେ ପରସ୍ପର ପରସ୍ପରକୁ ସାହାଯ୍ୟ କରୁଥିଲେ । କାହାରି କୌଣସି ଜିନିଷ ଦରକାର ହେଲେ ଅନ୍ୟ ଜଣକ ପାଖରେ ଥିଲେ ସେ ଦବାକୁ କେବେ ମନା କରୁ ନ ଥିଲା । କାହାରି ଗାଈ ବାଛୁରୀ ଅନ୍ୟର ବାଡ଼ିରେ ପଶିଗଲେ ତାକୁ ବାହାର କରିଦେଇ କେବଳ ପ୍ରତିବେଶିକୁ ଡାକି ସାବଧାନ କରି ଦେଉଥିଲେ । କିନ୍ତୁ ଯେତେବେଳେ ପୁଅମାନେ ଘରେ କର୍ତ୍ତା ହେଲେ, ସେତେବେଳେ ଏ ସବୁ ବଦଳି ଗଲା । ପ୍ରଥମେ ଗୋଟିଏ ସାମାନ୍ୟ ବିଷୟରୁ କଳି ଆରମ୍ଭ ହେଲା-

 

ଦିନେ ଜଗୁର ଗୋଟିଏ ଛେଳିଛୁଆ ହଜିଯାଇଥିଲା । ଜଗୁର ବୋହୂ ତାକୁ ଖୋଜିଲାବେଳେ ଜଣେ ପିଲା କହିଲା, ଛେଳି ଛୁଆଟି ଗଦେଇ ଘର ଆଡ଼କୁ ଯିବାର ସେ ଦେଖିଛି । ଜଗୁର ବୋହୂ ଯାଇ ଗଦେଇର ସ୍ତ୍ରୀକୁ ଛେଳିଛୁଆ କଥା ପଚାରିବାରୁ ସେ କହିଲା, “ମୁଁ କିଛି ଦେଖିନାହିଁ । ଆମର ତ ଆଉ କାମ ନାହିଁ, କାହାର ଗାଈ ବାଛୁରୀ, ଛେଳିମେଣ୍ଢା କୁଆଡ଼େ ଗଲେ, ଆମେ ଜଗି ବସିଛୁଁ !’’ ଜଗୁର ବୋହୂ ଟିକିଏ ବିରକ୍ତ ହୋଇ ତା କଥାରେ ଉତ୍ତର ଦେଲା । ଏହିପରି ହେଉଁ ହେଉଁ ଦୁହିଙ୍କ ଭିତରେ କଳି ଲାଗିଲା, ଦୁଇ ଘରର ଅନ୍ୟାନ୍ୟ ସ୍ତ୍ରୀମାନେ କ୍ରମେ କ୍ରମେ ସେ କଳିରେ ଯୋଗ ଦେଲେ । ଏହିପରି ଯେତେବେଳେ ଖୁବ୍ ପାଟିଗୋଳ ଲାଗିଛି, ଠିକ୍ ସେହି ସମୟରେ ଗଦେଇ କାମରୁ ଫେରିଆସି ତା ଘର ଲୋକଙ୍କ ପକ୍ଷ ନେଇ ସେଥିରେ ଯୋଗ ଦେଲା । ଜଗୁ ଏବଂ ତାହାର ପୁଅମାନେ ମଧ୍ୟ ଆସି ଯୋଗ ଦେଲେ । ଅବଶେଷରେ ମାଡ଼ ମରାମରି ପର୍ଯ୍ୟନ୍ତ ଗଡ଼ିଲା । ଗୋଳମାଳ ଶୁଣି ସାଇ ଲୋକ ସବୁ ଜମା ହୋଇଗଲେ । ସେମାନେ ଅତି କଷ୍ଟରେ ଦୁଇ ଦଳକୁ ଛଡ଼ାଇ ଦେଇ ଯେଝା ଘରକୁ ପଠାଇଦେଲେ ।

 

ଏହିପରି ଦୁଇ ପରିବାର ମଧ୍ୟରେ ବିବାଦ ଆରମ୍ଭ ହେଲା । ମାଡ଼ ମରାମରି ହେଲାବେଳେ ଗଦେଇ ଦେହରୁ ଟିକିଏ ଛିଣ୍ଡିଯାଇ ଟିକିଏ ରକ୍ତ ବାହାରିଥିଲା । ସେ କହିଲା, “ଆଚ୍ଛା, ଜଗୁ କେମିତି ମତେ ମାରିଛି, ମୁଁ ମଧ୍ୟ ତାକୁ ଶିକ୍ଷା ଦେବି । ତା ନାମରେ କଚିରିରେ ମକଦମା କରିବି-।” ଘରର ସ୍ତ୍ରୀମାନେ ମଧ୍ୟ ସମସ୍ତଙ୍କ ଆଗରେ କହି ବୁଲିଲେ ଯେ, ସେମାନେ ଜଗୁ ନାମରେ ନାଲିସ୍ କରି ତାକୁ ଜେଲଖାନାକୁ ପଠାଇବେ । ଏହିପରି ଦିନକୁ ଦିନ କଳି ବଢ଼ିବାକୁ ଲାଗିଲା ।

 

ଜଗୁର ବୁଢ଼ାବାପ ବିଚରା ବିଛଣାରେ ପଡ଼ି ପଡ଼ି କଳି ଭାଙ୍ଗି ଦେବାପାଇଁ ଅନେକ ଚେଷ୍ଟା କଲା; କିନ୍ତୁ ତାହା କଥା କେହି ଶୁଣିଲେ ନାହିଁ । ବୁଢ଼ା ସେମାନଙ୍କୁ ଡାକି କହିଲା, “ଦେଖ, କାହିଁକି ସାମାନ୍ୟ କଥାରେ ନିଜ ଭିତରେ ବିବାଦ କରି ଅଶାନ୍ତି ଡାକି ଆଣୁଛ ? କି ସାମାନ୍ୟ ବିଷୟ ନେଇ ତୁମେମାନେ ଏତେ ଗୋଳମାଳ କରୁଛ, ତାହା ଥରେ ଭାବି ଦେଖ ତ ? ଯଦି ତୁମର ପଡ଼ୋଶୀ ତୁମକୁ ଗୋଟାଏ କଡ଼ା କଥା କହିଥାଏ, ତାହାହେଲେ ସେ କଥା ଭୁଲି ଯାଆ । ଅଳ୍ପ ବେଶି ଦୋଷ ସମସ୍ତଙ୍କର ତ ଥାଏ, କେବଳ ଅନ୍ୟର ଦୋଷକୁ ବେଶି କରି ଦେଖି ମନରେ ରାଗ ରଖି ଏହିପରି ଯଦି କଳି କର, ତାହାହେଲେ ତୁମେମାନେ ନିଜେ ନିଜର ସର୍ବନାଶ କରିବ ।” କିନ୍ତୁ ଯେତେ କହିଲେ ବୁଢ଼ା କଥାରେ କେହି କାନ ଦେଲେ ନାହିଁ । ଜଗୁ ତ ତାର ପ୍ରତିବେଶୀ ପାଖରେ ନିଜର ଦୋଷ ସ୍ଵୀକାର କରିବାକୁ କୌଣସିମତେ ରାଜି ହେଲା ନାହିଁ । ସେ କହିଲା, “ମୁଁ ତାକୁ ମାରି ନାହିଁ, ସେ ମିଛରେ ମୋ ନାମରେ କହୁଛି; କିନ୍ତୁ ତା ପୁଅ ମୋର ଲୁଗା କିପରି ଛିଣ୍ଡାଇ ଦେଇଛି ଦେଖ ।’’ ଦୁଇଜଣ ଯାଇ କଚିରିରେ ନାଲିସ୍ କଲେ । ବିଚାର ଚାଲିଛି, ଏପରି ସମୟରେ ଦେଖାଗଲା ଯେ, କିଏ ରାତିରେ ଗଦେଇ ଶଗଡ଼ର ଚକ ଇତ୍ୟାଦି ଫିଟାଇ ଖଣ୍ଡ ଖଣ୍ଡ କରି ପକାଇ ଦେଇଛି । ଗଦେଇ ଘରର ସ୍ତ୍ରୀମାନେ କହିଲେ, ସେହିଦିନ ସନ୍ଧ୍ୟାବେଳେ ଜଗୁର ପୁଅ ମଧ୍ୟ ତାଙ୍କ ଗୁହାଳ ଆଡ଼କୁ ଯାଉଥିବାର ସେମାନେ ଦେଖିଛନ୍ତି । ସେହି ନିଶ୍ଚୟ ଏହା କରିଛି । ଏହି କଥାନେଇ କଳି ଲାଗେ । ଶେଷରେ ଏପରି ହେଲା ଯେ, ଦୁଇ ଘର ପିଲାମାନେ ପରସ୍ପରକୁ ଦେଖିଲେ ଗାଳିଦେବାକୁ ଆରମ୍ଭ କଲେ । ଦୁଇ ଘରର ସ୍ତ୍ରୀମାନେ ବାସନ ମାଜିବାକୁ କିମ୍ବା ଲୁଗା କାଚିବାକୁ ଏକ ସମୟରେ ପୋଖରୀକୂଳକୁ ଗଲେ ସେମାନଙ୍କ ହାତ ଅପେକ୍ଷା ମୁହଁ ବେଶି ଚାଲୁଥିଲା ।

 

ପ୍ରଥମେ ସେମାନେ କେବଳ ପରସ୍ପରକୁ ଗାଳି ଦେଉଥିଲେ, କିନ୍ତୁ ପରେ ଏପରି ହେଲା ଯେ, ଯେତେବେଳେ ଯେ ସୁବିଧା ପାଇଲେ, ଅନ୍ୟର ଜିନିଷପତ୍ର ଉଠାଇ ନେଇ ଯିବାକୁ ଲାଗିଲେ । ଏହି ସବୁ ସାମାନ୍ୟ ସାମାନ୍ୟ ବିଷୟ ନେଇ ମଧ୍ୟ ନାଲିସ୍ ଚାଲୁଥାଏ । ସେମାନଙ୍କ ନାଲିସ୍ ଶୁଣି ଶେଷରେ ବିଚାରକମାନେ ମଧ୍ୟ ବିରକ୍ତ ହୋଇ ଉଠିଲେ । କେତେବେଳେ ଜାଗୁର କିଛି ଜରିମାନା କିମ୍ବା କେତେଦିନ ଜେଲ ହୁଏ, କେତେବେଳେ ଅବା ଗଦେଇ ଶାସ୍ତି ପାଏ । ଯେ ଶାସ୍ତି ପାଏ, ସେ ଆହୁରି ବେଶି ରାଗିଯାଏ, ଏହିପରି ଅନବରତ ଚାଲିଥାଏ । ଦୁଇଟା କୁକୁର କଳି କଲାବେଳେ ଯଦି ପଛଆଡ଼ୁ ଗୋଟାଏ କୁକୁରକୁ କିଏ ଟେକାଟାଏ ମାରିଦିଏ; ତାହାହେଲେ ଅନ୍ୟ କୁକୁର ଏପରି କରିଛି ଭାବି ସେ ଯେପରି ରାଗି ଉଠେ, ଏମାନଙ୍କ ମନର ଅବସ୍ଥା ମଧ୍ୟ ସେହିପରି ହୋଇଥିଲା । ଅନ୍ୟ ଯେ ଯାହା କରୁ, ସେମାନେ କେବଳ ପରସ୍ପରକୁ ଦୋଷୀ କରି ବେଶି କଳି କରୁଥିଲେ । ଜଗୁର ବୁଢ଼ାବାପ ବିଛଣାରେ ପଡ଼ି ପଡ଼ି ସର୍ବଦା ତାହାର ପରିବାରର ଲୋକଙ୍କୁ ଡାକି କହେ, “ତୁମ୍ଭେମାନେ ଏ କ’ଣ କରୁଛ ? ଏପରି କଳିର କଣ ଶେଷ ଅଛି ? ଯେ ଯାହାର କାର୍ଯ୍ୟ କରିଯାଅ, ପରସ୍ପର ପ୍ରତି ରାଗ ନିଜର ଏପରି ସର୍ବନାଶ କରନାହିଁ ।” କିନ୍ତୁ କେହି କଥା ଶୁଣନ୍ତି ନାହିଁ ।

 

ଥରେ ଗ୍ରାମର ଗୋଟିଏ ବିଭାଘରରେ ଜଗୁର ବୋହୂ ସମସ୍ତଙ୍କ ଆଗରେ କହିଲା, ଗଦେଇ ଗୋରୁ ଚୋରି କରୁଥିଲା, ଅନେକ ଲୋକ ଦେଖିଛନ୍ତି । ଝିଅମାନଙ୍କ ମଧ୍ୟରେ ଏହି କଥା ନେଇ ବେଶ୍ ଆଲୋଚନା ହେଲା । ଗଦେଇ ଘରର ଜଣେ ସ୍ତ୍ରୀ ତାହା ଭିତରେ ଗଦେଇକୁ ଖୋଜି ତାକୁ ଯାଇଁ ଏ କଥା କହିଦେଲା । ଗଦେଇର ମେଜାଜ ସେତେବେଳେ ଟିକିଏ ଖରାପ ଥିଲା । ଏକଥା ଶୁଣି ସେ ହଠାତ୍ ରାଗି ଉଠି ଜଗୁର ବୋହୂକୁ ଏପରି ମାଡ଼ ଦେଲା ଯେ, ସେ ସାତଦିନ ବିଛଣାରୁ ଉଠି ପାରିଲା ନାହିଁ । ଏଥିପାଇଁ ଜଗୁ ନାଲିସ୍ କରିଦେଲା । ବିଚାରବେଳକୁ ଜଗୁର ବୋହୂ ବେଶ୍ ଭଲ ହୋଇ ଉଠିଥିଲା । ତେବେ ସାକ୍ଷୀମାନଙ୍କ କଥାରେ ଗଦେଇର ଦୋଷ ପ୍ରମାଣିତ ହେବାରୁ ବିଚାରକ ତାକୁ ୨୦ ବେତ ହୁକୁମ ଦେଲେ । ଏହି ଦଣ୍ଡ କଥା ଶୁଣି ଗଦେଇର ମୁହଁ ଶୁଖିଗଲା । ତାକୁ ଯେତେବେଳେ ବିଚାରାଳୟରୁ ନେଇ ଯାଉଥିଲେ, ସେତେବେଳେ ଜଗୁ କିଛିଦୂର ତା ସଙ୍ଗରେ ଗଲା । ଯାଉ ଯାଉ ଶୁଣିଲା, ଗଦେଇ କହୁଛି, “ଆଚ୍ଛା ସେ ମତେ ବେତ ମରାଇଲା, ବେତ ଖାଇଲେ ମୋର ପିଠି ତ ପୋଡ଼ିବ, ତାର ମଧ୍ୟ ଆହୁରି କିଛି ବେଶି ପୋଡ଼ିପାରେ ।”

 

ଏହିକଥା ଶୁଣି ଜଗୁ ଫେରିଆସି ବିଚାରକଙ୍କୁ କହିଲା, “ହଜୁର, ଗଦେଇ ମୋର ଘରଦ୍ଵାର ପୋଡ଼ିଦେବ ବୋଲି ଧମକାଉଛି । ଆହୁରି ଅନେକ ଲୋକ ତା କଥା ଶୁଣିଛନ୍ତି, ଆପଣ ସେମାନଙ୍କର ସାକ୍ଷ ନେଉନ୍ତୁ ।” ଗଦେଇକୁ ପୁଣି ଡାକି ଏହି କଥା ପଚାରିବାରୁ ସେ କହିଲା, “ମୁଁ କିଛି କହି ନାହିଁ । ତୁମର କ୍ଷମତା ଅଛି, ମୋତେ ବେତ ମାର । ମୁଁ ଦେଖୁଛି, ମୁହିଁ ଏକା ଶାସ୍ତି ପାଇବି, କିନ୍ତୁ ଜଗୁ ଯାହା ଇଚ୍ଛା କରୁଥିବ ।” ସେ ଆହୁରି କିଛି କହିବାକୁ ଇଚ୍ଛା କରୁଥିଲା, କିନ୍ତୁ ରାଗରେ ଆଉ ବେଶି କିଛି କହି ପାରିଲାନାହିଁ । ତାହାର ଅବସ୍ଥା ଦେଖି ବିଚାରକ ମଧ୍ୟ ଭାବିଲେ ଯେ, ସେ ନିଜର କିମ୍ବା ଜଗୁର କିଛି ଅନିଷ୍ଟ କରିବ । ବିଚାରକ ତାକୁ କହିଲେ, “ଦେଖ, କାହିଁକି ମିଛରେ କଳିଗୋଳ କରି କଷ୍ଟ ପାଉଛ, ଦୁଇଜଣଯାକ ମିଳିଯାଅ । ତୁମର କଣ ଜଣେ ସ୍ତ୍ରୀ ଦେହରେ ହାତ ଦେବା ଉଚିତ ହୋଇଛି ? ତୁମେ ଜଗୁ ପାଖରେ କ୍ଷମା ମାଗି କଳି ଭାଙ୍ଗି ଦିଅ ।” ଗଦେଇ କିନ୍ତୁ ଶୁଣିଲା ନାହିଁ । ସେ କହିଲା, “ମୋତେ ପଚାଶ ବର୍ଷ ବୟସ ହେଲାଣି, ଏ ପର୍ଯ୍ୟନ୍ତ ମୁଁ କେବେ ବେତ ଖାଇନାହିଁ, ଯାହାପାଇଁ ମୁଁ ବେତ ଖାଇବି, ପୁଣି ତା ପାଖରେ କ୍ଷମା ମାଗିବି ? ମୁଁ ଅନେକ ସହ୍ୟ କଲିଣି, ସେ କଥା ମୋ ମନରେ ରହିବ । ଜଗୁ ମଧ୍ୟ ମୋ କଥା ମନେ କରୁଥିବ ।”

 

ତା ପରେ ତାକୁ ସେଠାରୁ ଘେନିଗଲେ । ଜଗୁ ମଧ୍ୟ ଘରକୁ ଫେରି ଆସିଲା । ଘରକୁ ଫେରି ଆସି ଦେଖିଲା ଯେ, ସ୍ତ୍ରୀମାନେ କେହି ଘରେ ନାହାନ୍ତି, ତାର ପୁଅମାନେ ମଧ୍ୟ କ୍ଷେତରୁ ଫେରିନାହାନ୍ତି । ଜଗୁ ଏକା ଘରେ ବସି ବସି ସେଦିନର ବିଚାର କଥା ଭାବିଲା । ବେତ କଥା ଶୁଣି ଗଦେଇର ମୁହଁ କିପରି ଶୁଖି ଯାଇଥିଲା, ସେ କଥା ତାହାର ମନେ ପଡ଼ିଲା, ତାହା ମନରେ ଟିକିଏ ଦୁଃଖର ମଧ୍ୟ ହେଲା । ଏହି ସମୟରେ ସେ ଦେଖିଲା ଯେ, ତାହାର ବୁଢ଼ା ବାପ ଅତି କଷ୍ଟରେ ବାଡ଼ି ଖଣ୍ଡେ ଧରି ସେ ଘରକୁ ଆସି ବସିପଡ଼ି ପଚାରିଲା, “ଗଦେଇର କି ଶାସ୍ତି ହେଲା ?” ଜଗୁ ଉତ୍ତର ଦେଲାରୁ ବୁଢ଼ା କହିଲା, “ଏଇଟା କିନ୍ତୁ କିଛି ଭଲ ହେଲା ନାହିଁ । ସେମାନେ ତ ତାକୁ ବେତ ମାରିବେ, ତୁମର ସେଥିରେ କଣ ଲାଭ ହେବ ?”

 

ଜଗୁ କହିଲା, “ସେ ଆଉ ଏପରି କରିବ ନାହିଁ ।” ଏହା କହି ଗଦେଇ ତା ପ୍ରତି କିପରି କୁବ୍ୟବହାର କରିଛି, ସବୁ କହିବାକୁ ଲାଗିଲା ।

 

ବୁଢ଼ା ସବୁ କଥା ଶୁଣି କହିଲା, “ତୁମେ ଚାରିଆଡ଼େ ବୁଲୁଛ ବୋଲି ତୁମେ କଣ ଭାବୁଛ ଯେ, ତୁମେ ସବୁ ଦେଖୁଛ ଓ ବୁଝୁଛ, ଆଉ ମୁଁ ଘରେ ପଡ଼ିଲି ବୋଲି କିଛି ଦେଖୁନାହିଁ କି ବୁଝୁନାହିଁ-? କିନ୍ତୁ ତାହା ନୁହେଁ । ଅନ୍ୟର ଦୋଷ ସର୍ବଦା ତୁମ ଆଖି ଆଗରେ ରହିଛି, କିନ୍ତୁ ନିଜ ଦୋଷଗୁଡ଼ିକ ତୁମେ ପଛଆଡ଼େ ରଖୁଛ । ତୁମେ ତ ସବୁବେଳେ କହୁଛ, ‘ସେ ଅନ୍ୟାୟ କଲା’ ଜଣେ ଯଦି ଅନ୍ୟାୟ କରେ, ଆଉ ଜଣେ ଯଦି ଭଲ ହୁଏ, ତାହାହେଲେ କଳି କିପରି ଲାଗିବ ? ତୁମେ ତ ତାହା ପ୍ରତି ଅନେକ ଅନ୍ୟାୟ କରିଛ । ଗଦେଇ ବାପ ଯେତେବେଳେ ବଞ୍ଚିଥିଲା, ଆମ ଭିତରେ କିପରି ସଦ୍‍ଭାବ ଥିଲା । ମୋର କିଛି ଅଭାବ ହେଲେ, ତାହାର ଥିଲେ ସେ କେବେ ମୋତେ ସାହାଯ୍ୟ କରିବାକୁ ନାରାଜ ହେଉ ନ ଥିଲା । ମୋର ସାଧ୍ୟ ଥିଲେ ତାର ଦରକାର ବେଳେ ମୁଁ ମଧ୍ୟ ସର୍ବଦା ସାହାଯ୍ୟ କରୁଥିଲି । କିନ୍ତୁ ତୁମେମାନେ କଣ କରୁଛ ? ତୁମେ ନିଜେ ତ ଅନ୍ୟାୟ କରୁଛ, ତା ଉପରେ ପୁଣି ତୁମମାନଙ୍କର ଏସବୁ ଦେଖି ପିଲାମାନେ ଶିଖୁଛନ୍ତି । ଏଥିପାଇଁ କିଏ ଦାୟୀ-? ସେ ତୁମକୁ ଗୋଟାଏ କଥା କହିଲେ ତୁମେ ଦୁଇଟା କହୁଛ, ଗୋଟାଏ ମାରିଲେ ଦୁଇଟା ମାରୁଛ-। ଆଚ୍ଛା, ସେ ତୁମକୁ ଗାଳି ଦେଉ, ତୁମେ ତୁନି ହୋଇ ରହ, ଦେଖିବ, ଆପଣା ମନକୁ ସେ ନରମ ହୋଇଯିବ-।’’ ଜଗୁ କିଛି ଉତ୍ତର ଦେଲା ନାହିଁ । ବୁଢ଼ାବାପ ତାକୁ ଅନେକ ବୁଝାଇ ଗଦେଇ ସାଙ୍ଗରେ ମିଶିବାକୁ କହିଲା । ଜଗୁର ମନଟା ଟିକିଏ ଆଗରୁ ଖରାପ ଥିଲା, ବାପ କଥା ଶୁଣି ମଧ୍ୟ ଆହୁରି ଟିକିଏ ନରମ ହେଲା । ସେ କଣ କରିବ ବୋଲି ଭାବୁଛି; ଏପରି ସମୟରେ ତା ଘର ସ୍ତ୍ରୀମାନେ ପୋଖରୀକୂଳରୁ ଫେରି ଆସି କହିଲେ, ଗଦେଇ ଘର ସ୍ତ୍ରୀମାନେ କହୁଛନ୍ତି, ଜଗୁ ବିରୁଦ୍ଧରେ ପୁଣି କଣ ଗୋଟିଏ ନାଲିସ କରି ତାକୁ ଉଚିତ ଶିକ୍ଷା ଦେବେ । ଏହିସବୁ କଥା ଶୁଣି ତା ମନ ପୁଣି କଠିନ ହୋଇ ଉଠିଲା-। ସେ ସେଠାରୁ ଉଠି ଅନ୍ୟ କାମରେ ବାହାରିଗଲା । ପ୍ରାୟ ସନ୍ଧ୍ୟାବେଳେ କାମ ସାରି ଘରକୁ ଯିବାବେଳେ ଶୁଣିଲା, ବାଡ଼ ଆରପାଖରେ ଗଦେଇ ତାକୁ ଖୁବ୍‍ ଗାଳି ଦେଉଛି । ସେ କିଛିକ୍ଷଣ ଛିଡ଼ାହୋଇ ପୁଣି ଘର ଭିତରକୁ ଚାଲିଗଲା, ଯେ ଯାହା କାମରେ ଲାଗିଛନ୍ତି । ତାହାର ମନେ ହେଲା, ଯଦି ଗଦେଇ ସେଠାରେ ନ ଥାନ୍ତା ତାହାହେଲେ କି ଶାନ୍ତିରେ ତାର ସମୟ କଟନ୍ତା-

 

ଗଦେଇ ଯେ କହିଲା ଜଗୁର କିଛି ହେଲେ ପୋଡ଼ିପାରେ, ସେହି କଥା ସମସ୍ତକ୍ଷଣ ତା ମନକୁ ଘାଣ୍ଟି ପକାଇଲା । ସେ ଭାବିଲା, ଗଦେଇ ଯେପରି ରାଗିଛି, ହୁଏତ ହଠାତ୍‍ କିଛି କରିପାରେ-। କିଛିକ୍ଷଣ ପରେ ସେ ଆଉ ସ୍ଥିର ହୋଇ ରହିପାରିଲା ନାହିଁ; ଥରେ ଚାରିଆଡ଼ ଦେଖି ଆସିବ ବୋଲି ବାହାରକୁ ଗଲା । ଚାରିଆଡ଼ ଅନ୍ଧାର ହୋଇଛି, କିଛିକ୍ଷଣ ବୁଲି ବୁଲି ଜଗୁ କିଛି ଦେଖି ପାରିଲା ନାହିଁ । ଯେତେବେଳେ ଘରକୁ ଫେରିବ ବୋଲି ଭାବୁଛି, ଏପରି ସମୟରେ ତାର ଠିକ୍ ସାମନାରେ କିଛି ଦୂରରେ ତା ଘର ଚାଳ ପାଖରେ କଣ ଗୋଟାଏ ହଲିଲା ପରି ମନେ ହେଲା-। ଜଗୁ ଟିକିଏ ସ୍ଥିର ହୋଇ ଛିଡ଼ା ହେଲା, କିନ୍ତୁ ଆଉ କିଛି ଦେଖାଗଲା ନାହିଁ । ତାହାର ଦେଖିବାର ଭୁଲ ହୋଇଛି ଭାବି ସେ ଫେରିବାକୁ ଯାଉଛି; ଏପରି ସମୟରେ ଠିକ୍ ସେହି ଜାଗାରେ କଣ ଗୋଟାଏ ଜଳି ଉଠି ନିଭିଗଲା । ସେହି ଆଲୁଆର ସେ ଦେଖିଲା, ଜଣେ ମନୁଷ୍ୟ ସେଠାରେ ଲୁଚି ରହିଲା ପରି ଦେଖା ଯାଉଛି । ଜଗୁ ଠିକ୍ ବୁଝି ପାରିଲା ଯେ, ସେ ଗଦେଇ, ଆଉ ମଧ୍ୟ ସେ ଭାବିଲା ଯେ, ଠିକ୍ ଏହି ସମୟରେ ଯଦି ସେ ତାକୁ ଧରିପାରେ, ତାହା ହେଲେ ନିଶ୍ଚୟ ତାକୁ ଜେଲକୁ ପଠାଇବ । ଏହା ଭାବି ସେ ଖୁବ୍ ଶୀଘ୍ର ଶୀଘ୍ର ସେହି ଆଡ଼କୁ ଯିବାକୁ ଲାଗିଲା । ସେ ଅଳ୍ପଦୂର ଯାଇଛି, ଏପରି ସମୟରେ ଆଉ ଥରେ ନିଆଁ ଉଠିଲା । ଏଥର ହଠାତ୍ ନିଭିଲା ନାହିଁ-। ଜଗୁ ସ୍ପଷ୍ଟ ରୂପେ ଦେଖିଲେ, ତାହା ଆଡ଼କୁ ପଛକରି ଜଣେ ଲୋକ ଜଳନ୍ତା ନଡ଼ା ବିଡ଼ାଏ ହାତରେ ଧରି ଠିଆ ହୋଇଛି । ସେ ଖୁବ୍ ଜୋରରେ ଦୌଡ଼ିବାକୁ ଲାଗିଲେ, ସେ ଲୋକଟା ତାହାର ଗୋଡ଼ ଶବ୍ଦ ଶୁଣି ଫେରି ଚାହିଁ, ସେ ନିଆଁକୁ ଚାଳ ଉପରକୁ ପକାଇ ଦେଇ ଦୌଡ଼ି ପକାଇଲା । ଜଗୁ ମଧ୍ୟ ‘ଧର, ଧର’ ବୋଲି ଚିତ୍‌କାର କରି ତା ପଛେ ପଛେ ଦୌଡ଼ିଲା । ପ୍ରାଣପଣେ ଦୌଡ଼ି ଜଗୁ ତାହାର ଖୁବ୍ ପାଖରେ ପହଞ୍ଚି ତା ଲୁଗାକୁ ଧରି ପକାଇଲା, କିନ୍ତୁ ଗଦେଇ ଏପରି ଜୋରରେ ତା ହାତରୁ ଲୁଗା ଝିଙ୍କି ନେଲା ଯେ, ଜଗୁ ହଠାତ୍ ତଳେ ପଡ଼ିଗଲା; ମାତ୍ର ପୁଣି ହଠାତ୍ ଉଠି ତା ପଛରେ ଧାଇଁଲା-। ଗଦେଇ ଦୌଡ଼ି ଦୌଡ଼ି ତା ଘର ଦୁଆର ପାଖରେ ପହଞ୍ଚିଲା ବେଳକୁ ଜଗୁ ପୁଣି ତା ପାଖରେ ଆସି ପହଞ୍ଚିଲା । ପୁଣି ତାକୁ ଧରିବାକୁ ଯାଉଛି, ଏପରି ସମୟରେ ଗଦେଇ ଖଣ୍ଡେ କାଠ ଉଠାଇ ତାକୁ ଏପରି ଜୋରରେ ପିଟିଲା ଯେ, ସେ ଚାରିଆଡ଼ ଅନ୍ଧାର ଦେଖି ସେହିଠାରେ ବସିପଡ଼ିଲା-। ଗଦେଇ ଇତିମଧ୍ୟରେ ଘର ଭିତରକୁ ପଳାଇଗଲା । ଜଗୁ କିଛିକ୍ଷଣ ଅଚେତନ ପରି ହୋଇ ବସି ରହିଲା; ଯେତେବେଳେ ତାହାର ଜ୍ଞାନ ହେଲା, ଦେଖିଲା ଯେ, ଗଦେଇ ସେଠାରେ ନାହିଁ ଚାରିଆଡ଼ ଦିନ ପରି ଆଲୁଅ ହୋଇଛି । ତା ଘରଆଡ଼କୁ ଚାହିଁ ଦେଖିଲା ଯେ ଘର ଜଳୁଛି । ଜଗୁ ଉଠି ନିଜ ଘର ଆଡ଼କୁ ଯିବାକୁ ବାହାରିଲା, କିନ୍ତୁ ତାହାର ଦେହ ଯେପରି ଅବଶ ହୋଇ ଯାଇଥାଏ, ଟିକିଏ ଯାଏ, ଟିକିଏ ଠିଆ ହୁଏ । ଏହିପରି କରି ସେ ଘର ପଖରେ ପହଞ୍ଚି ଦେଖିଲା ଯେ; ସେଠାରେ ଅନେକ ଲୋକ ଜମା ହୋଇଛନ୍ତି । ଘରର ଲୋକମାନେ ଯେ ଯାହା ପିନ୍ଧିଥିଲେ, ସେହି ଲୁଗାରେ ବାହାରି ଆସିଛନ୍ତି; ଅତି କଷ୍ଟରେ ଜଗୁର ବୁଢ଼ା ବାପକୁ ନିଆଁରୁ ରକ୍ଷା କରିଛନ୍ତି । କେବଳ ଗାଈଗୁଡ଼ିକୁ ଫିଟାଇ ଦିଆ ହୋଇଥିଲା, ତାହା ଛଡ଼ା ସେ ନିଆଁ ଭିତରୁ ଆଉ କିଛି ରକ୍ଷା କରିବା ଅସମ୍ଭବ । ଜଗୁ ହତବୁଦ୍ଧି ପରି ଠିଆ ହୋଇ କେବଳ ଚାହିଁ ରହିଥାଏ । ମଝିରେ ମଝିରେ କେବଳ କହୁଥାଏ, “ଏ କଣ ହେଲା ? ତେଣେ ନ ଯାଇ ଚାଳରୁ ନଡ଼ା କାଢ଼ି ପକାଇଥିଲେ ତ କିଛି ହୋଇ ନ ଥାନ୍ତା-।” କେହି ତା କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ । ପାଖରେ ଥିବା ଅନ୍ୟାନ୍ୟ ଲୋକମାନେ ସବୁ ଘରୁ ଜିନିଷପତ୍ର ଜିନିଷପତ୍ର ବାହାର କରି ପକାଇଲା । ନିଆଁ କ୍ରମେ ଡେଇଁ ଗଦେଇ ଘରେ ଲାଗିଲା, ଏହିପରି ସେ ଦିନ ରାତିରେ ପ୍ରାୟ ଅଧେ ଗ୍ରାମ ପୋଡ଼ିଗଲା । ଜଗୁ ସେହିପରି ଠିଆ ହୋଇ ଚାହିଁ ରହିଥାଏ ।

 

ସକାଳେ ଗୋଟିଏ ପିଲା ଆସି ଜଗୁକୁ କହିଲା, “ତୁମ ବାପର ଆଉ ବଞ୍ଚିବାର ଆଶା ନାହିଁ । ସେ ଆମ ଘରେ ଅଛନ୍ତି, ତୁମକୁ ଦେଖିବାକୁ ଡାକୁଛନ୍ତି, ଚାଲ ।” ତାଙ୍କ ଘର ଟିକିଏ ଦୂରରେ ଥିବାରୁ ନିଆଁରୁ ରକ୍ଷା ପାଇଥିଲା । ଜଗୁ ଏପରି ହତବୁଦ୍ଧି ହୋଇ ଯାଇଥିଲା ଯେ, ସେ ପ୍ରଥମେ ତା କଥା କିଛି ବୁଝି ପାରିଲା ନାହିଁ । ଭଲକରି ବୁଝାଇ ଦେଲାରୁ ସେ ତାହା ସାଙ୍ଗରେ ଗଲା । ବୁଢ଼ାକୁ ଘରୁ ବାହାର କାରି ଆଣିବାବେଳେ ତା ଦେହରେ ନିଆଁ ପଡ଼ି କେତେଠା ପୋଡ଼ି ଯାଇଥିଲା । ଜଗୁ ଯାଇ ଦେଖିଲା, ବୁଢ଼ାର ଜୀବନ ପ୍ରାୟ ଶେଷ ହୋଇ ଆସିଲାଣି । ସେ ଅତି କଷ୍ଟରେ କଥା କହୁଛି । ଯେଉଁମାନେ ସେଠାରେ ଥିଲେ, ସେମାନେ ଚାଲିଗଲାରୁ ସେ ଜଗୁକୁ ପାଖକୁ ଡାକି ପଚାରିଲା, “ବାବା ଜଗୁ; ଘର କିଏ ପୋଡ଼ିଲା ? ମୁଁ କଣ କହିଥିଲି ?” ଜଗୁ କହିଲା, “ଗଦେଇ ଘର ପୋଡ଼ିଛି, ମୁଁ ଦେଖିଛି । ମୁଁ ଜଳନ୍ତା ନଡ଼ା କାଢ଼ି ପକାଇଥିଲେ କିଛି ହୋଇ ନ ଥାନ୍ତା ।” ବୁଢ଼ା କହିଲା, “ଦେଖ ଜଗୁ, ମୁଁ ମରିବାକୁ ବସିଛି, ତତେ ମଧ୍ୟ ଦିନେ ଯିବାକୁ ହେବ । ଭଲ କରି ଭାବି ଦେଖ, କାହାର ଦୋଷ ।” ଜଗୁ କିଛି ଉତ୍ତର ନ ଦେଇ ଚାହିଁ ରହିଲା । ବୁଢ଼ା କହିଲା, “ତୁ କଣ ଠିକ୍ ବୁଝି ପାରୁଛୁ, ତୋହର କିଛି ଦୋଷ ନାହିଁ ? ତୁ ଈଶ୍ୱରଙ୍କୁ ସାକ୍ଷୀ କରି ଏ କଥା କହି ପାରିବୁ ?” ସେତେବେଳେ ଜଗୁ ସବୁ ବୁଝି ପାରିଲା । ସେ ବାପ ଗୋଡ଼ତଳେ ପଡ଼ି କହିଲା, “ମୁଁ ବେଶ୍ ବୁଝି ପାରିଛି । ମୋର ମଧ୍ୟ ଯଥେଷ୍ଟ ଦୋଷ ରହିଛି । ମୁଁ ତୁମ କଥାରେ କାନ ଦେଇ ନାହିଁ, ମତେ କ୍ଷମା କର ।” ଏହି କଥା ଶୁଣି ତା ବାପ ଖୁବ୍ ଖୁସି ହୋଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ପୁଣି ତାକୁ ପଚାରିଲା, “ଏବେ ତୁ କଣ କରିବୁ ?”

 

ଜଗୁ କହିଲା “ଆମେମାନେ କେଉଁଠାରେ ରହିବୁଁ, କ’ଣ କରିବୁଁ, ମୁଁ କିଛି ବୁଝି ପାରୁ ନାହିଁ ।” ସେତେବେଳକୁ ବୁଢ଼ାର କଥା କହିବାର ଶକ୍ତି ପ୍ରାୟ ଚାଲିଗଲାଣି । ସେ ଅତି କଷ୍ଟରେ କହିଲା, “ତୁମେ ଯଦି ଠିକ୍ ବାଟରେ ଚାଲ, ତାହାହେଲେ ପୁଣି ତୁମର ସବୁ ହେବ । ସେଥିପାଇଁ ତୁମେ ଭାବ ନାହିଁ । କିନ୍ତୁ ମୋର ଶେଷ ଅନୁରୋଧ ଏତିକି–କିଏ ଘରେ ନିଆଁ ଲଗାଇଛି, ସେ କଥା ତୁ କାହାକୁ କହିବୁ ନାହିଁ ।” ଆଉ କିଛି ସେ କହି ପାରିଲା ନାହିଁ । ଅଳ୍ପକ୍ଷଣ ପରେ ତାହାର ଜୀବନ ଶେଷ ହୋଇଗଲା ।

 

କିଏ ଘରେ ନିଆଁ ଲଗାଇଛି, ସେ କଥା ଜଗୁ କାହାରି ଆଗରେ କହିଲା ନାହିଁ; ସୁତରାଂ କେମିତି ନିଆଁ ଲାଗିଲା, ତାହା କେହି ଜାଣି ପାରିଲେ ନାହିଁ । ଜଗୁ ମନରେ ଆଉ କ୍ରୋଧ ନାହିଁ, ଅଶାନ୍ତି ନାହିଁ । ଜଗୁ ଘରେ ନିଆଁ ଲାଗିବା କଥା କାହାକୁ କିଛି ନ କହିବାର ଦେଖି ଗଦେଇ ଖୁବ୍ ଆଶ୍ଚର୍ଯ୍ୟ ବୋଧକଲା । ଅଳ୍ପକାଳ ମଧ୍ୟରେ ଗଦେଇର ମନରୁ ମଧ୍ୟ ସବୁ ଭୟ ଓ ସନ୍ଦେହ ଦୂର ହୋଇଗଲା । ସେ ନିଜେ ଲଜ୍ଜିତ ହୋଇ ଜଗୁ ସଙ୍ଗେ ସଦ୍‍ଭାବ ସ୍ଥାପନ କଲା । ଏବେ ଆଉ ସେମାନେ କଳି କରନ୍ତି ନାହିଁ ଘରର ସ୍ତ୍ରୀମାନେ ମଧ୍ୟ କଳି ଛାଡ଼ି ପରସ୍ପର ମିଳାମିଶା କରିବାକୁ ଲାଗିଲେ । ପୁଣି ସେମାନେ ନୂଆ ଘର କରି ପଡ଼ୋଶୀ ହୋଇ ରହିଲେ । ଆଗ ପରି ଏବେ ଆଉ ଅଶାନ୍ତିରେ ସେମାନଙ୍କର ଦିନ କଟେ ନାହିଁ । ଜଗୁ ତାହାର ବାପର ଅନୁରୋଧ ମନେ ରଖି ସର୍ବଦା ସେହିପରି ଚାଲୁଥାଏ । କେହି ତାହାର କିଛି କ୍ଷତି କଲେ ସେ ତାହାର ପ୍ରତିଶୋଧ ନ ନେଇ ବରଂ ତାହାର ଭୁଲ ବୁଝାଇଦେବାକୁ ଚେଷ୍ଟା କରେ । ପରିବାରର ସମସ୍ତଙ୍କୁ ମଧ୍ୟ ସେ ସେହି ଶିକ୍ଷା ଦିଏ । ଏହିପରି ଶାନ୍ତିରେ ବାସ କରି ଓ ନିଜର କାର୍ଯ୍ୟ କରି ତାହାର ଅବସ୍ଥା ଆଗଠାରୁ ଅଧିକ ସ୍ୱଚ୍ଛଳ ହୋଇଉଠିଲା ଏବଂ ତାହାର ଅବଶିଷ୍ଟ ଜୀବନ ଅତି ସୁଖରେ କଟିଗଲା ।

Image

 

କୁହୁକ

 

ଦିନେ ଜଣେ ଗରିବ ଚଷା ହଳ କରିବାକୁ ଯାଇଥିଲା । କାମ ଛାଡ଼ି ଘରକୁ ଖାଇବାକୁ ଆସିଲେ ବିଳମ୍ବ ହୋଇଯିବ ବୋଲି ସେ ଭାତ ମୁଠାଏ ସଙ୍ଗରେ ନେଇ ଯାଇଥାଏ । ଜମି ପାଖକୁ ଯାଇ ଭାତ ପୁଟୁଳାଟି ଗୋଟିଏ ଗଛ ମୂଳରେ ରଖି ତା ଉପରେ ଗାମୁଛାଖଣ୍ଡି ଘୋଡ଼ାଇଦେଇ ସେ ହଳ କରିବାକୁ ଗଲା । ଅନେକ କ୍ଷଣ କାମ କଲା ପରେ ତାକୁ ଭାରି ଭୋକ ହେଲା, ତାର ବଳଦ ମଧ୍ୟ କ୍ଳାନ୍ତ ହୋଇପଡ଼ିଲେ । ତହୁଁ ସେ ହଳ ଫିଟାଇ ବଳଦକୁ ଚରିବାକୁ ଛାଡ଼ିଦେଇ ଗୋଡ଼ହାତ ଧୋଇ ଯେଉଁଠାରେ ଭାତ ରଖିଥିଲା, ସେଠାକୁ ଖାଇବାକୁ ଗଲା । ଗାମୁଛା ଉଠାଇ ଦେଖିଲା ଯେ ଭାତ ନାହିଁ । ସେ ତ ଏହା ଦେଖି ଅବାକ୍ ହୋଇଗଲା । ସେ ତ କାହାକୁ ସେଠାରେ ଦେଖି ନାହିଁ ତାହାହେଲେ ଭାତ କିଏ ନେଲା ? ସେ ଦେଖି ପାରି ନ ଥିଲା; କିନ୍ତୁ ପାପପୁରୁଷର ଜଣେ ଚର ତାକୁ ବିରକ୍ତ କରି ପାପ ଆଡ଼କୁ ଟାଣି ନେବାପାଇଁ ତା ଭାତ ପୁଟୁଳାଟି ଲୁଚାଇଦେଇ ରଙ୍ଗ ଦେଖିବା ପାଇଁ ଗୋଟିଏ ଗଛ ଉଢ଼ାଳରେ ଜଗି ବସିଥାଏ । ଚଷା ବିଚରା ଭାରି ନିରାଶ ହେଲା, କିନ୍ତୁ ସେ ରାଗିଲା ନାହିଁ, କେବଳ କହିଲା, “ଆହା ! ଯେ ଭାତ ନେଇଛି ତାକୁ ନିଶ୍ଚୟ ଭାରି ଭୋକ କରୁଥିଲା-। ମୁଁ ତ ଆଉ ଭୋକରେ ମରିଯିବି ନାହିଁ ? ଯେ ନେଇଛି, ସେ ବିଚରା ଭଲରେ ଖାଉ ।” ଏହା କହି ସେ ଟିକିଏ ପାଣି ପିଇ କିଛିକ୍ଷଣ ବିଶ୍ରାମ କରି ପୁଣି ଯାଇଁ ବଳଦଙ୍କୁ ଆଣି ଜମିରେ ହଳ ବୁଲେଇବାକୁ ଆରମ୍ଭ କଲା । ଯେଉଁ ପାପଦୂତ ତା ଭାତ ଲୁଚାଇ ରଖିଥିଲା, ସେ ଏହା ଦେଖି ଭାରି ଦୁଃଖିତ ହେଲା । ସେ ଭାବିଥିଲା ଯେ, ଚଷା ଭୋକବେଳେ ଭାତ ନ ପାଇ ଭାରି ରାଗିଯିବ, ଯେ ଭାତ ନେଇଛି, ତାକୁ ଖୁବ୍ ଅଭିଶାପ ଦେବ । କିନ୍ତୁ ତାହା ତ ହେଲା ନାହିଁ । ସେ ପାପପୁରୁଷ ପାଖକୁ ଯାଇଁ ସବୁ କଥା କହିଲା । ପାପପୁରୁଷ ଏ କଥା ଶୁଣି ଦୂତ ଉପରେ ଭାରି ବିରକ୍ତ ହୋଇ କହିଲା; “ତୁମେମାନେ ଯଦି ଏହିପରି କାର୍ଯ୍ୟ କରିବ, ତାହା ହେଲେ ତ ଆମମାନଙ୍କ ବ୍ୟବସାୟ ଚଳିବା ଦୁଷ୍କର ହୋଇଉଠିବ । ଗୋଟଏ ସାମାନ୍ୟ ଚଷାକୁ ତୁ ଭୁଲାଇ ପାରିଲୁ ନାହିଁ ? ଆଚ୍ଛା, ମୁଁ ତୋତେ ତିନି ବର୍ଷ ସମୟ ଦେଲି, ତୁ ଯଦି ଏହା ଭିତରେ କିଛି କାର୍ଯ୍ୟ ନ କରି ପାରୁ, ତାହା ହେଲେ ତତେ ଧରି ନରକ କୁଣ୍ଡରେ ପକାଇବି !”

 

ଏହି କଥା ଶୁଣି ଦୂତ ମନରେ ଭାରି ଭୟ ହେଲା । ସେ ପୃଥିବୀକୁ ଫେରି ଆସି ନାନା ଉପାୟ କଳ୍ପନା କରିବାକୁ ଲାଗିଲା । ଅନେକ ଭାବି ଭାବି ଶେଷରେ ମନୁଷ୍ୟ ବେଶ ଧରି ସେହି ଚଷା ଘରେ ଯାଇଁ ରହିଲା । ତାହାର ମୂଲିଆ ହୋଇ ସବୁ କାମ କରୁଥାଏ । ସେ ବର୍ଷ ଧାନ ବୁଣିବା ସମୟରେ ସେ ଛଦ୍ମବେଶୀ ପାପଦୂତ ଚଷାକୁ କହିଲା, “ଦେଖ, ଏଥର ତୁମେ ଖାଲ ଜମିରେ ଧାନ ବୁଣ ।” ତା କଥା ଶୁଣି ଚଷା ଖାଲ ଜମିରେ ଧାନ ବୁଣିଲା । ସେ ବର୍ଷ ବର୍ଷା ଆଦୌ ନ ହେବାରୁ କାହାରି ପ୍ରାୟ ଧାନ ହେଲା ନାହିଁ; କିନ୍ତୁ ସେହି ଚଷାର ଧାନ ଖୁବ୍ ଭଲ ହେଲା । ସେଥିରେ ତାର ବର୍ଷକ ଚଳି ଅନେକ ଧାନ ବଳିଲା । ପୁଣି ପର ବର୍ଷ ଧାନ ବୁଣିଲା ବେଳେ ପାପଦୂତ ଚଷାକୁ କହିଲା “ଦେଖ, ଗତ ବର୍ଷ ମୋ କଥା ଶୁଣିଥିଲ ବୋଲି ତୁମର କିପରି ଲାଭ ହେଲା, ଏ ବର୍ଷ ଆଉ ଖାଲ ଜମିରେ ଧାନ ବୁଣ ନାହିଁ । ଏ ବର୍ଷ ଖୁବ୍ ଉଚ୍ଚ ଜମିରେ ଧାନ ବୁଣ ।” ଚଷା ସେହିପରି କଲା-। ସେ ବର୍ଷ ଭାରି ବର୍ଷା ହେଲା । ଅନ୍ୟାନ୍ୟ ଲୋକଙ୍କର ଧାନ ସବୁ ଧୋଇ ପଚି ନଷ୍ଟ ହୋଇଗଲା; କିନ୍ତୁ ପାହାଡ଼ିଆ ଜମିରେ ଧାନ ବୁଣି ଥିବାରୁ ସେହି ଚଷାର ଧାନ ଖୁବ୍ ଭଲ ହେଲା । ଏହିପରି ଦୁଇ ବର୍ଷ ଖୁବ୍ ଭଲ ଲାଭ ହେଲା । ଲାଗଲାଗ ଦୁଇ ବର୍ଷ ଖୁବ୍ ଭଲ ଧାନ ହେବାରୁ ଚଷା ହାତରେ କିଛି ପଇସା ଜମିଲା । ସେତେବେଳେ ସେହି ଛଦ୍ମବେଶୀ ପାପଦୂତ ତାକୁ ମଦ ଖାଇବାକୁ ଶିଖାଇଲା-। କ୍ରମେ ଅଭ୍ୟାସ ବଢ଼ିଯିବାରୁ ଚଷା ଏକାଏକା ମଦ ଖାଇ ସନ୍ତୁଷ୍ଟ ନ ହୋଇ ଆଉ ପାଞ୍ଚଜଣକୁ ସଙ୍ଗୀ କଲା । ଏଥିରେ ତାହାର ମତି ଗତି ଦିନକୁ ଦିନ ବଦଳିଗଲା ।

 

ଏଣେ ପାପଦୂତ ତାହାର ଏହି ତିନି ବର୍ଷର କାର୍ଯ୍ୟ ଦେଖାଇବା ପାଇଁ ନିଜ ପ୍ରଭୁକୁ ସଙ୍ଗରେ ଘେନି ଦିନେ ସନ୍ଧ୍ୟା ସମୟରେ ଚଷା ଘରେ ଉପସ୍ଥିତ ହେଲା । ସେମାନେ ଚଷାଘରେ ପହଞ୍ଚି ଦେଖିଲେ ଯେ, ସେ ଏବଂ ତାହାର କେତେଜଣ ସଙ୍ଗୀ ମିଳି ଭୋଜିରେ ମାତିଅଛନ୍ତି । ଚଷା ତାହାର ସ୍ତ୍ରୀକୁ ଗୋଟାଏ ଜିନିଷ ଆଣିବାକୁ କହିଲା, ସେ ବ୍ୟସ୍ତ ହୋଇ ଆସୁ ଆସୁ ପଡ଼ିଗଲା । ଚଷା ତାହା ଦେଖି ଅତ୍ୟନ୍ତ ବିରକ୍ତ ହୋଇ ତାକୁ ଖୁବ୍ ଗାଳି ଦେଲା । ସେମାନେ ଯେତେବେଳେ ଖିଆପିଆରେ ଲାଗିଛନ୍ତି, ସେତେବେଳେ ଗୋଟିଏ ଅତ୍ୟନ୍ତ ଗରିବ କ୍ଷୁଧାର୍ତ୍ତ ଲୋକ ଆସି କିଛି ଖାଦ୍ୟ ମାଗିଲା । କିନ୍ତୁ କେହି ତାହା ପ୍ରତି ଭ୍ରୂକ୍ଷେପ କଲେ ନାହିଁ । ପାପପୁରୁଷ ଏହି ସବୁ ଦେଖି ଭାରି ଖୁସି ହେଲା । ମାତ୍ର ସେ ଦୂତ ତାକୁ କହିଲା, “ଟିକିଏ ଅପେକ୍ଷା କରି ଦେଖ, ଆଉ କଣ ହେବ-।”

 

ସେମାନେ ସମସ୍ତେ ପ୍ରଥମେ ଏକ ଗ୍ଳାସ ଲେଖାଏଁ ମଦ ଖାଇଲେ, ମଦ ଖାଇ ମନରେ ସ୍ଫୁର୍ତ୍ତି ହେବାରୁ ପରସ୍ପର ପରସ୍ପରଙ୍କର ପ୍ରଶଂସା ଗାଇବାକୁ ଲାଗିଲେ । ପାପପୁରୁଷ ତାହା ଦେଖି ଭାରି ଖୁସି ହୋଇ କହିଲା, “ତୋର ବାହାଦୁରିରେ ମୁଁ ସନ୍ତୁଷ୍ଟ ହୋଇଛି । ମନ ଭିତରେ କିଛି ନାହିଁ, କିନ୍ତୁ ଉପରେ ଉପରେ ସେମାନେ ପରସ୍ପରକୁ କେତେ ସ୍ନେହ ଦେଖାଉଛନ୍ତି !” ଛଦ୍ମବେଶୀ ଦୂତ କହିଲା, “ଆଉ ଟିକିଏ ଅପକ୍ଷା କର, ସେମାନେ ଆଉ ଗ୍ଲାସେ ଲେଖାଏଁ ମଦ ଖାନ୍ତୁ, ତାହାର ଫଳ କଣ ହେବ ଦେଖିବ ।” ସମସ୍ତେ ଆଉ ଗ୍ଲାସେ ଲେଖାଏଁ ମଦ ଖାଇଲେ । ସେତେବେଳେ ସେମାନଙ୍କ ମୁଣ୍ଡ ବେଶ୍ ଗରମ ହୋଇ ଉଠିଲାଣି । ପରସ୍ପର ଗାଳି ଦିଆଦେଇହୋଇ ଶେଷକୁ ମରାମରି ହେବାକୁ ବସିଲେ । ପାପପୁରୁଷ ତ ଆନନ୍ଦରେ ଆଧାର ହୋଇଗଲା, କିନ୍ତୁ ଦୂତ କହିଲା, “ଆଚ୍ଛା, ଆଉ ଟିକିଏ ଅପେକ୍ଷା କରି ଦେଖ ।” ଆଉ ଗ୍ଲାସେ ମଦ ଖାଇଲା ପରେ ସେମାନଙ୍କର ଆଉ ସିଧା ହୋଇ ବସିବାର କିମ୍ବା ଛିଡ଼ାହୋଇ ରହିବାର ଶକ୍ତି ରହିଲା ନାହିଁ । ଘୁଷୁରି ପରି ସମସ୍ତେ ମାଟିରେ ପଡ଼ି ଗଡ଼ିବାକୁ ଲାଗିଲେ । ଏହା ଦେଖି ପାପପୁରୁଷ ତାହାର ଅନୁଚରକୁ କହିଲା, “ଏହି ଅଦ୍ଭୁତ ପରିବର୍ତ୍ତନ ତୁ କିପରି କଲୁ, ମତେ କହ ।” ସେ କହିଲା, “ମତେ ବିଶେଷ କିଛି କରିବାକୁ ହୋଇ ନାହିଁ । ମୁଁ କେବଳ ଏପରି ପରାମର୍ଶ ଦେଲି ଯେ, ସେଥିରେ ତାହାର ଧାନ ଖୁବ୍ ବେଶି ହେଲା । ତାହା ଭିତରେ ଏହିପରି ପଶୁ ପ୍ରକୃତି ଆଗରୁ ଥିଲା, କେବଳ ତାହା ପ୍ରକାଶିତ ହେବାର କୌଣସି ସୁଯୋଗ ମିଳି ନ ଥିଲା । ସେ ଆପଣା ଅବସ୍ଥାରେ ସନ୍ତୁଷ୍ଟ ଥାଇ ସର୍ବଦା ପରିଶ୍ରମ କରି ସାଧୁ ଭାବରେ ଦିନ କଟାଉଥିଲା । ମାତ୍ର ହାତରେ କିଛି ଟଙ୍କା ହେବାରୁ ମନ ଟିକିଏ ଭୋଳ ହୋଇଗଲା । ଏତିକିବେଳେ ମୁଁ ତାକୁ ମଦ ଖାଇବାକୁ ଶିଖାଇ ଦେଲି । ବର୍ତ୍ତମାନ ଯାହା ତୁମେ ଦେଖିଛ; ତାହା ମଦରେ ସ୍ଵାଭାବିକ ଫଳ । ବର୍ତ୍ତମାନ ସେ ଥରେ ମଦ ଅଭ୍ୟାସ କଲାଣି, ଆଉ ସହଜରେ ତାହା ଛାଡ଼ି ପାରିବ ନାହିଁ । ଏବେ ସେ ତୁମ ରାଜ୍ୟର ବନ୍ଧା ପ୍ରଜା !”

 

ପାପ ପୁରୁଷ ଅତ୍ୟନ୍ତ ଖୁସି ହୋଇ ଅନୁଚରକୁ ତାହାର ପୂର୍ବ ଅପରାଧପାଇଁ କ୍ଷମା କରି ବର୍ତ୍ତମାନ କାର୍ଯ୍ୟପାଇଁ ପ୍ରଚୁର ପୁରସ୍କାର ଦେଲା ।

Image

 

ତୃଷ୍ଣା

 

ବଡ଼ ଭଉଣୀ ସାନ ଭଉଣୀ ଘରକୁ ତା ସାଙ୍ଗରେ ଦେଖା କରିବାକୁ ଆସିଲା । ବଡ଼ ଭଉଣୀର ସହରରେ ଜଣେ ବ୍ୟବସାୟୀ ସାଙ୍ଗରେ ଏବଂ ସାନଟିର ଗୋଟିଏ ଗ୍ରାମରେ ସାମାନ୍ୟ ଜଣେ କୃଷକ ସଙ୍ଗରେ ବିବାହ ହୋଇଥିଲା । ଦୁଇ ଭଉଣୀ ବସିଲାବେଳେ ବଡ଼ ଭଉଣୀ ସହରରେ ସେମାନେ କିପରି ସୁଖରେ ଥା’ନ୍ତି, ତାର ପିଲାମାନେ କିପରି ସୁନ୍ଦର ଲୁଗା ପିନ୍ଧନ୍ତି ସେମାନେ କ’ଣ ଖା’ନ୍ତି, କିପରି ଥା’ନ୍ତି ଓ କେତେ ଜିନିଷ ଦେଖନ୍ତି, ଏହି ସବୁ ବର୍ଣ୍ଣନା କରିବାକୁ ଆରମ୍ଭକଲା । ତା କଥା ଶୁଣି ସାନ ଭଉଣୀ କହିଲା, “ମୋ ବିଚାରରେ ଆମମାନଙ୍କ ଗ୍ରାମ୍ୟ ଜୀବନ ଭଲ । ଆମେମାନେ ସାମାନ୍ୟ ଭାବରେ କିନ୍ତୁ ବେଶ ଶାନ୍ତିରେ ବାସ କରୁଁ । ତୁମେମାନେ ଆମମାନଙ୍କ ଅପେକ୍ଷା ବେଶି ଉପାର୍ଜନ କରି ପାରୁ ନାହୁଁ; କିନ୍ତୁ ଜମିରୁ ଯାହା ପାଉଁ, ସେଥିରେ ଆମମାନଙ୍କର ଯଥେଷ୍ଟ ହୁଏ, ପରିଶ୍ରମ କରି ପାରିଲେ ଅଭାବ ହେବାର କିଛି ଆଶଙ୍କା ନାହିଁ ।”

 

ବଡ଼ ଭଉଣୀ ତା କଥା ଶୁଣି କହିଲା, “ଏହାକୁ ତୁମେ ଯଥେଷ୍ଟ କହୁଛ ? ଏପରି ବାସ କରିବା ତ ପଶୁ ପରି ବାସ କରିବା ! ତୁମ ସ୍ୱାମୀ ଯେତେ ପରିଶ୍ରମ କରୁ କେବେ ତୁମର ଅବସ୍ଥାର ବିଶେଷ କିଛି ଉନ୍ନତି ହେବ ନାହିଁ । ଏବେ ଯେପରି ଅଛ, ଶେଷ ପର୍ଯ୍ୟନ୍ତ ସେହିପରି ରହିବ ।”

 

ସାନ ଭଉଣୀ କହିଲା “ସେଥିପାଇଁ ଭାବନା କଣ ? ଆମମାନଙ୍କୁ ଖୁବ୍‍ ପରିଶ୍ରମ କରିବାକୁ ହୁଏ ସତ; କିନ୍ତୁ ଫଳ ସମ୍ବନ୍ଧରେ ଆମେମାନେ ନିଶ୍ଚିନ୍ତ । ତାହା ଛଡ଼ା କାହାରି ପାଖରେ ଆମମାନଙ୍କୁ ମୁଣ୍ଡ ନଇଁବାକୁ ହୁଏ ନାହିଁ । ସହରରେ ଅନେକ ପ୍ରଲୋଭନ । ଆଚ୍ଛା, ତୁମ ସ୍ୱାମୀ ହୁଏ ତ ବେଶ୍ ପରିଶ୍ରମ ଓ ଉପାର୍ଜନ କରୁଛନ୍ତି, କିନ୍ତୁ ଜୁଆଖେଳ, ମଦ୍ୟପାନ, ଏହି ସବୁ ପ୍ରଲୋଭନରେ ଯଦି ସେ ପଡ଼ନ୍ତି, ତାହା ହେଲେ ତୁମର ସର୍ବନାଶ ହେବ । ଆମେମାନେ ସେ ସବୁରୁ ଦୂରରେ ଅଛୁଁ-।”

 

ସାନ ଭଉଣୀର ସ୍ୱାମୀ ପାଖ ଘରେ ଥାଇ ଦୁଇ ଭଉଣୀଙ୍କ କଥାବାର୍ତ୍ତା ସବୁ ଶୁଣୁଥିଲା । ସେ ମନେ ମନେ କହିଲା, “ବାସ୍ତବିକ ଏ କଥା ଖୁବ୍ ସତ୍ୟ । ଆମେମାନେ ପିଲାବେଳରୁ ଚାଷବାସ ନେଇ ଏତେ ବ୍ୟସ୍ତ ଥାଉଁ ଯେ, ସହଜରେ କୌଣସି ପ୍ରଲୋଭନରେ ପଡ଼ିପାରୁ ନାହିଁ । ତେବେ ମୋର ଏତିକି ମାତ୍ର ଦୁଃଖ ଯେ, ମୋର ବେଶି ଜମି ନାହିଁ । ମୁଁ ଯଦି କୌଣସି ଉପାୟରେ କିଛି ବେଶି ଜମି ପାଆନ୍ତି, ତାହାହେଲେ ମୋର ଆଉ କିଛି ଭାବନା ରହନ୍ତା ନାହିଁ । “ଭଉଣୀ ଦୁହେଁ ଆହୁରି କିଛକ୍ଷଣ କଥାବାର୍ତ୍ତା ହୋଇ ଖାଇ ସାରି ଉଠିଗଲେ; କିନ୍ତୁ କିପରି ବେଶି ଜମି ମିଳିବ; ଫକୁ (ସାନ ଭଉଣୀ ସ୍ୱାମୀ) ବସି ବସି ସେହି କଥା ଅନେକ କ୍ଷଣ ଭାବିଲା ।

 

ସେହି ଗ୍ରାମ ନିକଟରେ ଜଣେ ସ୍ତ୍ରୀଲୋକ ବାସ କରୁଥିଲା; ତାହାର ପ୍ରାୟ ୩୦୦ ମାଣ ଜମି ଥିଲା । ପ୍ରଥମେ ସେହି ଗ୍ରାମର କୃଷକମାନଙ୍କ ସଙ୍ଗରେ ମିଳି ମିଶି ସେ ବେଶ୍ ସଦ୍‍ଭାବରେ ବାସ କରୁଥିଲା; କିନ୍ତୁ କିଛିଦିନ ପରେ ଚାଷବାସ କଥା ବୁଝିବାପାଇଁ ସେ ଜଣେ କର୍ମଚାରୀ ରଖିଲା-। ସେ କର୍ମଚାରୀ ସାମାନ୍ୟ ବିଷୟ ନେଇ କୃଷକମାନଙ୍କ ଉପରେ ଅତ୍ୟାଚାର କରିବାକୁ ଆରମ୍ଭ କଲା । ଫକୁ ଯେତେ ସାବଧାନ ହେଲେ ମଧ୍ୟ ମଝିରେ ମଝିରେ ତାହାର ଗାଈ ବଳଦ ପାଇଁ ତାଙ୍କ ଜମିରେ ପଶୁଥିଲେ, ଆଉ ସେଥିପାଇଁ ତାକୁ ତଣ୍ଡ ଦେବାକୁ ହେଉଥିଲା । ଏହିପରି ସମସ୍ତେ ଯେତେବେଳେ ଖୁବ୍ ବିରକ୍ତ ହୋଇ ଉଠିଥିଲେ, ସେମାନେ ଶୁଣି ପାରିଲେ ଯେ, ସେହି ସ୍ତ୍ରୀ ଲୋକ ତାହାର ଜମିରୁ ଅଧିକାଂଶ ବିକ୍ରୀ କରିଦେବ । ସମସ୍ତେ ସାଧ୍ୟାନୁସାରେ କିଛି କିଛି ଜମି କିଣିବେ ବୋଲି ସ୍ଥିର କଲେ । କାରଣ ତାହା ନ ହେଲେ ଅନ୍ୟ ଗ୍ରାମର କେହି ଆସି ହୁଏତ ସେହି ଜମି ସବୁ କିଣିନେଇ ସେମାନଙ୍କ ଉପରେ ଅଧିକ ଅତ୍ୟାଚାର କରିବ । ଫକୁ ଶୁଣିଲା, ତାହାର ଜଣେ ପ୍ରତିବେଶୀ କିଛି ଜମି କିଣିବ, ଅଧେ ମୂଲ୍ୟ ବର୍ତ୍ତମାନ ଦେବ ଏବଂ ବାକି ଆସ୍ତେ ଆସ୍ତେ ପରେ ଦେବ । ଏହା ଶୁଣି ସେ ତାହାର ସ୍ତ୍ରୀକୁ କହିଲା, “ଦେଖ, ସମସ୍ତେ କିଛି କିଛି ଜମି କିଣୁଛନ୍ତି, ଆମର ତ ଏବେ ଅଳ୍ପ ଜମିରେ ଚଳିବା ମୁସ୍କିଲ ହୋଇଉଠିଲାଣି, ମୁଁ ଚେଷ୍ଟା କରି ଦେଖେଁ, ଯଦି କୌଣସି-ପ୍ରକାରେ ୨୦ ମାଣ ଜମି କିଣି ପାରେ ।” ସେମାନେ କିଛି ଟଙ୍କା ଜମାଇଥିଲେ, କେତୋଟି ଗାଈ ବିକି ଦେଇ ମଧ୍ୟ କିଛି ଟଙ୍କା ପାଇଲେ, ବାକି ଟଙ୍କା ଫକୁ ଜଣେ ପ୍ରତିବେଶୀ ପାଖରୁ ଋଣ କଲା-। ଏହିପରି ଟଙ୍କା ଯୋଗାଡ଼ କରି ସେ ସେହି ସ୍ତ୍ରୀଲୋକ ପାଖକୁ ଯାଇ କହିଲା, ସେ ୪୦ ମାଣ ଜମି କିଣିବ, ଅଧେ ଦାମ ବର୍ତ୍ତମାନ ଦେବ, ବାକି ଦାମ ପରେ ଦେବ । ସେ ରାଜି ହେବାରୁ ସେହିପରି ଲେଖାପଢ଼ା କରାଇ ଫକୁ ଜମି କିଣିଲା ।

 

ସେଥର ଫସଲ ଖୁବ୍ ଭଲ ହେବାରୁ ବର୍ଷକ ଭିତରେ ସେ ଜମିର ବାକି ଦାମ ଓ ଋଣ ଟଙ୍କା ପରିଶୋଧ କରିଦେଲା । ଜମି ବେଶି ହେବାରୁ ଓ ପରିଶ୍ରମ କରିବାରୁ ଫକୁର ଅବସ୍ଥା ବେଶ ସ୍ଵଚ୍ଛଳ ହୋଇ ଉଠିଲା ଏବଂ କିଛିକାଳ ପର୍ଯ୍ୟନ୍ତ ସେ ବେଶ୍‍ ଆନନ୍ଦରେ ଓ ସନ୍ତୋଷରେ ଦିନ କଟାଇଲା । କିନ୍ତୁ ତାହାର ପ୍ରତିବେଶୀମାନଙ୍କ ଗାଈ ବଳଦ ସବୁ ଆସି ତାହା ଜମି ଭିତରେ ପଶି ଶସ୍ୟ ଖାଇଯିବାରୁ ମଝିରେ ଟିକିଏ ଗୋଳମାଳ କରୁଥିଲା । ପହିଲି ପହିଲି ଫୁକୁ ବେଶ୍ ଭଲଭାବରେ ସେମାନଙ୍କୁ ସାବଧାନ କରାଇ ଦେଉଥିଲା, କିନ୍ତୁ ସେମାନେ ଶୁଣିଲେ ନାହିଁ । ବାରମ୍ବାର ଏହିପରି ହେବାରୁ ଫକୁ ଶେଷରେ ଅତ୍ୟନ୍ତ ବିରକ୍ତ ହୋଇ ସେମାନଙ୍କ ନାମରେ ଅଭିଯୋଗ କଲା । ସେ ବେଶ୍ ଭଲକରି ଜାଣିଥିଲା ଯେ, ତାହାର ପ୍ରତିବେଶୀମାନେ ତାହା ପ୍ରତି ହିଂସା କରି ଯେ ଏପରି କରୁଛନ୍ତି ତାହା ନୁହେଁ; କିନ୍ତୁ ସେମାନଙ୍କ ଅବସ୍ଥା ଭଲ ନ ଥିବାରୁ ଗାଈ ବଳଦଙ୍କୁ ଖାଇବାକୁ ଦେଇ ନ ପାରି ସେମାନଙ୍କୁ ଛାଡ଼ି ଦିଅନ୍ତୁ । କିନ୍ତୁ ସେ ମନରେ ପାଞ୍ଚିଲା, “ମୁଁ କଣ କରିବି ? ସେମାନଙ୍କ ପାଇଁ ତ ମୁଁ ନିଜର କ୍ଷତି କରିପାରିବି ନାହିଁ; ତାଙ୍କୁ ଟିକିଏ ଭଲକରି ଶିକ୍ଷା ଦେବାକୁ ହେବ !” ସେମାନଙ୍କ ନାମରେ ଅଭିଯୋଗ କରି କେତେଥର ସେମାନଙ୍କୁ ଜରିମାନା କରାଗଲା । କ୍ରମେ କ୍ରମେ ତାହାର ପ୍ରତିବେଶୀମାନେ ତାହା ପ୍ରତି ଅଧିକ ବିରକ୍ତ ହୋଇ ଇଚ୍ଛା କରି ତାହା ଜମିରେ ଗୋରୁ ପୂରାଇଦେଲେ । ଦିନେ ରାତିରେ କେହି ତାହା ଜମିରେ ପଶି କେତେଗୁଡ଼ିଏ ଗଛ କାଟି ପକାଇଲା । ଫକୁ ଜଣକ ଉପରେ ସନ୍ଦେହ କରି ତାହା ନାମରେ ନାଲିସ୍ କଲା; କିନ୍ତୁ ପ୍ରମାଣ ଅଭାବରେ ତାହାର କିଛି ଶାସ୍ତି ହେଲା ନାହିଁ । ଏହିପରି ଅବସ୍ଥା ସ୍ଵଚ୍ଛଳ ହେବା ସଙ୍ଗେ ସଙ୍ଗେ ଫକୁର ଅଶାନ୍ତି ମଧ୍ୟ ବଢ଼ିଲା । ଆଗେ ପ୍ରତିବେଶୀମାନଙ୍କ ସଙ୍ଗରେ ତାହାର ବେଶ୍ ସଦ୍‍ଭାବ ଥିଲା; କିନ୍ତୁ ବର୍ତ୍ତମାନ ସର୍ବଦା କିଛି ହେଲେ ଗୋଟାଏ ଗୋଳମାଳ ଲାଗିରହିଥାଏ । ଏହିପରି କିଛିଦିନ କଟିଗଲା ପରେ ଫକୁ ଶୁଣିଲା ଯେ; ସେହି ଗ୍ରାମର କେହି କେହି ଅନ୍ୟ ସ୍ଥାନକୁ ଚାଲି ଯାଉଅଛନ୍ତି । ଏ କଥା ଶୁଣି ଫକୁ ସେମାନଙ୍କ ଜମି କିଣିବାକୁ ପାଇବ ଭାବି ଭାରି ଖୁସି ହେଲା । ସେ ଭାବିଲା, “ଏତିକି ଜମିରେ ମୋର ବେଶ୍ ଚଳି ଯାଉଅଛି ସତ୍ୟ; କିନ୍ତୁ ଆହୁରି ବେଶି ଜମି ନ ହେଲେ ମୁଁ ସୁଖରେ ରହିପାରିବି ନାହିଁ ।” ସେ ଯେଉଁ ସମୟରେ ମନେ ମନେ ଏହିପରି କଳ୍ପନା କରୁଅଛି, ସେହି ସମୟରେ ଦିନେ ଜଣେ ବିଦେଶୀ ତାଙ୍କ ଗ୍ରାମକୁ ଆସିଲା । ତାହା ସଙ୍ଗରେ ଆଳାପ କରି ଫକୁ ଜାଣି ପାରିଲା ଯେ, ସେ ବ୍ୟକ୍ତି କୌଣସି ଗଡ଼ାଜାତ ଅଞ୍ଚଳରେ ବାସକରେ । ସେ କହିଲା, ସେଠାରେ ତାହାର କିଛି ଜମି ବାଡ଼ି ଅଛି । ସେହି ପ୍ରଦେଶର ଲୋକସଂଖ୍ୟା ଅତ୍ୟନ୍ତ କମ୍; ସୁତରାଂ ଜମି ଖୁବ ଶସ୍ତା । ଆହୁରି ମଧ୍ୟ ଜାଣି ପାରିଲା ଯେ, ଫକୁର ନିଜ ଗ୍ରାମରୁ କେହି କେହି ଯାଇ ସେଠାରେ ବାସ କରୁଅଛନ୍ତି । ଏହି କଥା ଶୁଣି ଫକୁ ମନେ ମନେ ଭାବିଲା, “ମୁଁ ଯଦି ସେଠାକୁ ଯାଇ ବାସ କରେ, ଅଳ୍ପ ମୂଲ୍ୟରେ ଅନେକ ଜମି ପାଇବି । ଏଠି ରହି ମୋର ଲାଭ ଜଣ ? କିନ୍ତୁ ଆଗ ସେଠାକୁ ଯାଇ ଅବସ୍ଥା ଭଲ କରି ବୁଝିବା ଉଚିତ ।”

 

ଅଳ୍ପଦିନ ଭିତରେ ସବୁ ବନ୍ଦୋବସ୍ତ କରି ଫକୁ ବାହାରି ପଡ଼ିଲା ! ସେଠାକୁ ଯାଇ ସେ ଦେଖିଲା, ସେ ଯାହା ଶୁଣିଥିଲା, ବାସ୍ତବିକ ତାହା ସତ୍ୟ । ଜମି ଖୁବ୍‍ ଶସ୍ତା ଏବଂ ଖୁବ୍‍ ଉର୍ବର । ଆଉ ତାହାର ଯେତେ ଇଚ୍ଛା ସେତେ ଜମି ସେ କିଣିପାରେ । ଏହିସବୁ ଦେଖି ସେ ଘରକୁ ଫେରି ଆସି ଆସ୍ତେ ଆସ୍ତେ ତାହାର ଜମି ଆଉ ଜିନିଷପତ୍ର ସବୁ ବିକ୍ରି କରିବାକୁ ଆରମ୍ଭ କଲା । ସବୁ ବିକ୍ରି କରି ଟଙ୍କା ଆଉ ତାହାର ପରିବାରକୁ ସଙ୍ଗରେ ନେଇ ସେ ଗ୍ରାମରୁ ବାହାରିଗଲା ।

 

ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ନଦୀ ନିକଟ ଦେଖି ଶସ୍ତାରେ ସେ ୧୨୫ ମାଣ ଜମି କିଣିଲା । ପ୍ରଥମରେ ଘର କରିବା, ଜମି ଚଷିବା ଇତ୍ୟାଦିରେ କିଛିଦିନ କଟିଗଲା । ଏହିସବୁ ଗୋଳମାଳ କମିଯିବାରୁ ତାହାର ମନେ ହେଲା; ଏଠାରେ ମଧ୍ୟ ସେ ଯଥେଷ୍ଟ ଜମି ପାଇଲା ନାହିଁ । ସେ ଜମି ଭାଗ ନେଇ ଚାଷ କରିବାକୁ ଆରମ୍ଭ କଲା । ଏହିପରି ତିନିବର୍ଷ କଟିଗଲା । ଏହି ତିନି ବର୍ଷ ବେଶ୍ ଭଲ ଫସଲ ହେବାରୁ ତାହାର ନିଜ ଜମିରୁ ଏବଂ ଭାଗ ଜମିରୁ ଯଥେଷ୍ଟ ଲାଭ ହେଲା । ଖରଚ ବାଦ ସେ କିଛି ଟଙ୍କା ସଞ୍ଚୟ କଲା । ତୃତୀୟ ବର୍ଷରେ ସେ ଏବଂ ଆଉ ଜଣେ କୃଷକ ଦୁଇଜଣ ଏକା ସାଙ୍ଗରେ ଗୋଟାଏ ଜମି ଭାଗନେଲେ । ସେ ଜମି ନେଇ ଦୁଇଜଣଙ୍କ ଭିତରେ ବିବାଦ ହୋଇ ଶେଷରେ ଏପରି ହେଲା ଯେ, ସେଥିରେ ଯେଉଁ ପରିଶ୍ରମ କରିଥିଲେ, ତାହା ବୃଥା ହୋଇଗଲା । ଫକୁ ଭାବିଲା, “ଏହି ଜମି ଯଦି ମୋର ନିଜର ହୋଇଥାନ୍ତା; ତାହା ହେଲେ ତ ଆଉ ଏପରି ହୋଇ ନଥାନ୍ତା । ସୁତରାଂ ସେ ସୁବିଧାରେ ପାଇଲେ ଆହୁରି କିଛି ବେଶି କିଣିବ ବୋଲି ଭାବି ଖୋଜିବାକୁ ଆରମ୍ଭ କଲା । ଜଣେ ଲୋକ ୧୩୦୦ ମାଣ ଜମି ବିକ୍ରି କରିବ ବୋଲି ଶୁଣି ପାରି ତା ସଙ୍ଗରେ ଦେଖା କରି ଜମି କିଣିବାର ସବୁ ଠିକ୍ କଲା ପରେ ଆଉ ଜଣେ ଲୋକ ସଙ୍ଗରେ ତାହାର ଦେଖା ହେଲା । ସେହି ଲୋକଟି କହିଲା, ସେ ଆସାମ ଅଞ୍ଚଳରୁ ଆସିଅଛି । ସେଠାରେ ସେ ନାମ ମାତ୍ର ମୂଲ୍ୟ ଦେଇ ୧୩୦୦ ମାଣ ଜମି କିଣିଅଛି ଏବଂ ସେ ଜମି ମଧ୍ୟ ଖୁବ୍ ଭଲ । ସେ ଆହୁରି କହିଲା, ସେଠାରେ ଜମି କିଣିବାକୁ ହେଲେ ଜମିର ମାଲିକ ସରଦାରମାନଙ୍କୁ କିଛି ଦ୍ରବ୍ୟ ଭେଟି ଦେଇ ସନ୍ତୁଷ୍ଟ କରିପାରିଲେ ଯେତେ ଇଚ୍ଛା ଜମି ପ୍ରାୟ ବିନାମୂଲ୍ୟରେ ମିଳିପାରେ । ଏହି ସବୁ କଥା ଶୁଣି ସେ ଭାବିଲା, ମୁଁ ଏଠାରେ ଯେଉଁ ଟଙ୍କାରେ ଜମି କିଣିବାକୁ ଯାଉଅଛି, ସେହି ଟଙ୍କାରେ ସେଠାରେ ଜମି କିଣିଲେ ତ ଏହାର ଦଶଗୁଣ ଜମି ପାଇବି; ସୁତରାଂ ଟଙ୍କା ନେଇ ଥରେ ସେଠାରେ ଚେଷ୍ଟା କରିବା ଭଲ ।”

 

ସ୍ତ୍ରୀ ଉପରେ ସମସ୍ତ ଭାର ଦେଇ ଚାକରକୁ ସଙ୍ଗରେ ନେଇ ଫକୁ ଆସାମ ପ୍ରଦେଶକୁ ଯାତ୍ରା କଲା । ସରଦାରମାନଙ୍କୁ ଭେଟି ଦେବାପାଇଁ କିଛି ପଦାର୍ଥ ମଧ୍ୟ ସଙ୍ଗରେ ନେଲା । ଦଶ ପନ୍ଦର ଦିନ ଅବିଶ୍ରାନ୍ତ ଚାଲି ଚାଲି ସେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲା । ସେ ଅଞ୍ଚଳର ଜଣେ ସରଦାର ସଙ୍ଗରେ ଯାଇଁ ଦେଖାକଲା । କିନ୍ତୁ ଫକୁ ବା ସେ ସରଦାର କେହି କାହାରି କଥା ବୁଝି ପାରିଲେ ନାହିଁ । ଅନେକ କଷ୍ଟରେ ଜଣେ ଦୋଭାଷୀ ସାହାଯ୍ୟରେ ଫକୁ ସରଦାରକୁ ଜଣାଇଲା ଯେ, ସେ କିଛି ଜମି କିଣିବାକୁ ଆସିଅଛି । ସରଦାର ତାହାପାଇଁ ବସା ଓ ଖାଦ୍ୟାଦି ବ୍ୟବସ୍ଥା କରିଦେଲେ । ଫକୁ ଯେଉଁ ପଦାର୍ଥ ସବୁ ଆଣିଥିଲା, ତାହା ବାହାରକରି ସରଦାରକୁ ଭେଟି ଦେଲା । ସରଦାର ଖୁବ୍ ଖୁସି ହୋଇ ଫକୁ ତାଙ୍କ ଦେଶର ଜିନିଷ ମଧ୍ୟରୁ କିଛି ନେବାକୁ ଇଚ୍ଛା କରେ କି ନାହିଁ, ପଚାରିଲେ । ଫକୁ ଦୋଭାଷୀ ସାହାଯ୍ୟରେ କହିଲା ଯେ, ଜମି ଛଡ଼ା ଆଉ କିଛି ତାର ଲୋଡ଼ା ନାହିଁ, କିଛି ଜମି ପାଇଲେ ସେ ଖୁସି ହେବ । ସରଦାର ନିଜ ସଙ୍ଗୀମାନଙ୍କ ସଙ୍ଗେ କିଛିକ୍ଷଣ କଥାବାର୍ତ୍ତା ହୋଇ କହିଲେ ଯେ, ଫକୁ ତାକୁ ଯେଉଁସବୁ ଉପହାର ଦେଇଅଛି, ତାହା ବଦଳରେ ସେ ଯେତେ ଜମି ଇଚ୍ଛା କରେ ସେ ତାକୁ ଦେବେ । ତା ପରେ ସେମାନେ ନିଜ ଭିତରେ କିଛିକ୍ଷଣ କଥାବାର୍ତ୍ତା ହେଲେ । ଫକୁ ଦୋଭାଷୀକୁ ପଚାରି ବୁଝିଲା ଯେ, ସେମାନଙ୍କ ମଧ୍ୟରେ କେହି କେହି କହୁଅଛନ୍ତି ଯେ, ଜମି ଦେବାକୁ ହେଲେ ପ୍ରଧାନ ସରଦାରଙ୍କୁ କହିବା ଉଚିତ; କିନ୍ତୁ ଅନ୍ୟ କେତେଜଣ କହୁଅଛନ୍ତି, ସରଦାର ଯେତେବଳେ ସେଠାରେ ନାହାନ୍ତି, ତାଙ୍କ ନିମନ୍ତେ ଅପେକ୍ଷା କରିବା କିଛି ଆବଶ୍ୟକ ନାହିଁ ।

 

ସେମାନେ ଯେତେବେଳେ ନିଜ ଭିତରେ ଏହିପରି ତର୍କବିତର୍କ କରୁଅଛନ୍ତି; ଏହିପରି ସମୟରେ ଅନ୍ୟ ଜଣେ ଲୋକ ଆସି ସେଠାରେ ଉପସ୍ଥିତ ହେଲେ । ତାଙ୍କୁ ଦେଖି ସମସ୍ତେ ତୁନି ହୋଇ ଆସନରୁ ଉଠି ଠିଆ ହେଲେ । ଦୋଭାଷୀ ଫକୁକୁ କହିଲା, “ଏ ଆମ୍ଭମାନଙ୍କର ପ୍ରଧାନ ସରଦାର ।” ଫକୁ ପାଖରେ ବାକି ଯାହା ଜିନିଷ ଥିଲା, ସବୁ ଆଣି ସରଦାରଙ୍କୁ ଦେଲା । ଅନ୍ୟମାନେ ସରଦାରଙ୍କୁ ତାଙ୍କ ଭାଷାରେ କ’ଣ କହିଲେ, ସରଦାର ସବୁକଥା ଜାଣି ଫକୁକୁ କହିଲେ, “ତୁମେ ଯଦି ଜମିନେବାକୁ ଇଚ୍ଛାକର, ତୁମର ନେବାକୁ ଯେଉଁ ଜମି ଇଚ୍ଛା କର ଅନାୟାସରେ ନେଇ ପାର; କାରଣ ଆମର ଯଥେଷ୍ଟ ଜମି ଅଛି ।” ଫକୁ ଭାବିଲା, “ଏମାନେ ତ କହୁଛନ୍ତି, ତୁମର ଯେତେ ଇଚ୍ଛା ଜମି ନିଅ, କିନ୍ତୁ ଗୋଟାଏ ଲେଖାପଢ଼ା କରାଇ ନେବା ତ ଆବଶ୍ୟକ । ତାହା ନ ହେଲେ ପରେ ହୁଏ ତ ଜମି ମୋ’ଠାରୁ ଛଡ଼ାଇ ନେବେ ।” ଏହା ଭାବି ସେ ସରଦାରକୁ କହିଲା, “ତୁମର ଅନେକ ଅଛି । ମୁଁ ଅଳ୍ପ ଜମି ମାଗୁଛି, ତୁମେ ମୋତେ ଜମି ଦେବ, କିନ୍ତୁ ତୁମ ପିଲାମାନେ ତ ତାହା ଅସ୍ୱୀକାର କରି ପାରନ୍ତି; ସୁତରାଂ ମୋ ବିବେଚନାରେ ଲେଖାପଢ଼ା କରିନେବା ଉଚିତ୍ ।” ସରଦାର କହିଲେ, ‘‘ତୁମେ ଯାହା କହୁଛ ଠିକ୍ । ଆଚ୍ଛା ରୀତିମତେ ଲେଖାପଢ଼ା କରି ଆମେମାନେ ତୁମକୁ ଜମି ଦେବୁଁ ।” ଫକୁ ଜମିର ଦର ପଚାରିବାରୁ ସରଦାର କହିଲେ, ‘‘ଆମର ଏକ ଦାମ, ‘‘ଦିନକୁ ୫୦୦ ଟଙ୍କା ।” ଫକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଚାରିଲା, ଦିନକୁ ପାଞ୍ଚଶତ ଟଙ୍କା ? ଏ କିପରି ମାପ ?” ସରଦାର ଏହି କଥା ଶୁଣି କହିଲେ, ‘ଆମର ଏହି ନିୟମ–ଦିନକ ଭିତରେ ତୁମେ ଚାଲିକରି ଯେତେ ଜମି ବୁଲି ଆସି ପାରିବ, ସେ ତକ ଆମେମାନେ ତୁମକୁ ୫୦୦ ଟଙ୍କାରେ ଦେବୁଁ ।” ଫକୁ କହିଲା, ‘‘ଦିନକରେ ତ ଜଣେ ଲୋକ ଅନେକ ଜମି ବୁଲି ଆସିପାରେ ।” ସରଦାର କହିଲେ, ‘‘ସେ ସବୁ ତୁମେ ପାଇବ; କିନ୍ତୁ ଗୋଟିଏ ସର୍ତ୍ତ ଅଛି–ତୁମେ ଯେଉଁଠାରେ ଆରମ୍ଭ କରିଥିବ, ଠିକ୍ ସୂର୍ଯ୍ୟାସ୍ତ ପୂର୍ବରୁ ତୁମକୁ ସେହିଠାକୁ ଫେରି ଆସିବାକୁ ହେବ, ତାହା ନ ହେଲେ ତୁମେ କିଛି ପାଇବ ନାହିଁ ।” ଫକୁ କହିଲା,’ “କିନ୍ତୁ ମୁଁ କେଉଁଠାରୁ ଯିବି, କିପରି ପୁଣି ଚିହ୍ନିପାରିବି ?” ସରଦାର କହିଲେ, ‘‘ଆମେମାନେ ତୁମ ସାଙ୍ଗରେ ଯିବୁ । ତୁମେ ଯେଉଁଠାରୁ କହିବ, ଆମେମାନେ ସେହିଠାରେ ରହିବୁଁ, ତୁମେ ଚାଲିବାକୁ ଆରମ୍ଭ କରିବ । ତୁମେ ସଙ୍ଗରେ ଗୋଟିଏ କୋଡ଼ି ନେଇ ଯିବ ଏବଂ ତୁମ ଜମିର ସୀମାରେ କୋଡ଼ି ମାରି ଗୋଟିଏ ଗୋଟିଏ ଚିହ୍ନ କରି ଦେଇଯିବ । ଏହିପରି କରି ତୁମର ଯେତେ ଜମି ଦରକାର, ତୁମେ ନେଇ ପାର; କିନ୍ତୁ ତୁମେ ଯେଉଁଠାରୁ ଯାତ୍ରା କରିଥିଲ, ସୂର୍ଯ୍ୟସ୍ତ ପୂର୍ବରୁ ଠିକ୍ ସେହି ସ୍ଥାନକୁ ଫେରି ଆସିବାକୁ ହେବ ।”

 

ଫକୁ ଏହା ଶୁଣି ଭାରି ଆନନ୍ଦିତ ହେଲା । ତହିଁ ଆରଦିନ ସକାଳୁ ସେମାନେ ଯିବେ ବୋଲି ସ୍ଥିର ହେଲା ଏବଂ ସମସ୍ତେ ଶୋଇବାକୁ ଗଲେ । ଫକୁ ବିଛଣାରେ ଯାଇ ଶୋଇଲା, କିନ୍ତୁ ତାକୁ ନିଦ ନାହିଁ, କେବଳ ଜମି କଥା ତାହାର ମନେ ପଡ଼ୁଥାଏ । ସେ ମନେ ମନେ ପାଞ୍ଚିଲା, “କାଲି ମୁଁ ନିଶ୍ଚୟ ଅନେକ ଜମି ପାଇବି । ମୁଁ ତ ଦିନକେ ୩୦।୩୫ ମାଇଲ ଅନାୟାସରେ ବୁଲି ଆସିପାରିବି । ତା ଭିତରେ ଅନୁର୍ବର ଜମି ଯଦି କିଛି ଥିବ, ତାହା ବିକ୍ରି କରିଦେବି, ଭଲ ଜମି ଯାକ ମୁଁ ଚଷିବି । ଏହିଥର ମୁଁ ବେଶ୍ ବଡ଼ଲୋକ ହୋଇ ଉଠିବି ।” ପ୍ରାୟ ସମସ୍ତ ରାତ୍ରି ଉନ୍ନିଦ୍ର ରହି ସକାଳ ଆଡ଼କୁ ଫକୁ ଟିକିଏ ଶୋଇପଡ଼ିଲା । ଶୋଇଲାମାତ୍ରକେ ଗୋଟିଏ ସ୍ଵପ୍ନ ଦେଖିଲା । ତାହାର ମନେହେଲା, ସେ ଯେପରି ଗୋଟିଏ ତମ୍ୱୁରେ ଶୋଇଛି, ବାହାରେ ଠିଆ ହୋଇ କିଏ ଭାରି ହସୁଛି-। ସେ ଉଠି ଆସି ଦେଖିଲା ଯେ, ପ୍ରଧାନ ସରଦାର ତମ୍ୱୁ ବାହାରେ ବସି ଭାରି ହସୁଛି । ସେ ପାଖକୁ ଯାଇ ପଚାରିଲା, ତୁମେ କାହିଁକି ହସୁଛ ? କିନ୍ତୁ ଏ କଥା ପଚାରିବାର ପର ମୁହୂର୍ତ୍ତରୁ ଦେଖିଲା, ଯେ ହସୁଛି; ସେ ସରଦାର ନୁହେଁ, କିନ୍ତୁ ଯେ ତାକୁ ଏହି ଜମିର ସମ୍ବାଦ ଦେଇଥିଲା, ସେହି ଲୋକ-। ପୁଣି ପର ମୁହୂର୍ତ୍ତରେ ସେ ଦେଖିଲା, ଯେଉଁ ଲୋକ ତାକୁ ଗଡ଼ଜାତର ଶସ୍ତା ଜମିର ଖବର ଦେଇଥିଲା, ସେହି ଲୋକ । ସମ୍ମୁଖରେ ଅନ୍ୟ ଗୋଟିଏ ଲୋକ ପଡ଼ି ରହିଛି । ତାକୁ ଭଲକରି ଦେଖିବାକୁ ଯାଇଁ ଦେଖିଲା ଯେ, ସେ ତାହରି ମୃତଦେହ ! ଅତ୍ୟନ୍ତ ଭୟରେ ଫକୁର ନିଦ ଭାଙ୍ଗିଗଲା । ସେ ଦେଖିଲା ଯେ, ସକାଳ ହୋଇ ଆସିଲାଣି; ତହୁଁ ସେ ଯାଇଁ ସରଦାରମାନଙ୍କୁ ଉଠାଇଲା ଓ ସମସ୍ତେ ଏକ ସଙ୍ଗରେ ଯାତ୍ରା କଲେ ।

 

କିଛି ଦୂର ଯାଇ ଗୋଟିଏ ମୁଣ୍ଡିଆ ପାହାଡ଼ ଦେଖି ସମସ୍ତେ ସେହି ପାହାଡ଼ ଉପରକୁ ଉଠିଲେ । ପ୍ରଧାନ ସରଦାର ଫକୁକୁ କହିଲେ, “ଏହି ଦେଖ, ଯେତେଦୂର ପର୍ଯ୍ୟନ୍ତ ଦେଖାଯାଉଛି, ସମସ୍ତ ଜମି ଆମର, ଏଥିରୁ ତୁମର ଯେଉଁ ଅଂଶ ଇଚ୍ଛା ତୁମେ ନେଇ ପାର ।” ଫକୁ ଜମି ଦେଖି ଭାରି ଖୁସି ହେଲା । ସରଦାର ତାଙ୍କ ପଗଡ଼ି ନେଇ ସେହି ପାହାଡ଼ ଉପରେ ରଖି କହିଲେ, “ଏହିଠାରେ ତୁମେ ଯାତ୍ରା କରି ପୁଣି ଏହିଠାକୁ ଫେରିଆସିବ । ଯେତେ ଜମିର ଚାରିପାଖ ତୁମେ ବୁଲି ଆସି ପାରିବ, ସବୁ ତୁମର ।” ଫକୁ ଟଙ୍କା ବାହାର କରି ସେହି ପଗଡ଼ି ପାଖରେ ରଖିଦେଲା ଏବଂ କିଛି ଖାଦ୍ୟ ଓ ଗୋଟିଏ କୋଡ଼ି ଘେନି ବାହାରିଲା । କେଉଁଆଡ଼କୁ ସେ ଯିବ, ପ୍ରଥମରେ କିଛି ଠିକ୍ କରିପାରିଲା ନାହିଁ । କାରଣ ସେ ଯେଉଁଆଡ଼କୁ ଚାହେଁ, ସମାନ ଲୋଭ ହୁଏ । ଅବଶେଷରେ ପୂର୍ବଆଡ଼କୁ ଯିବାକୁ ଆରମ୍ଭ କଲା । ଅତି ଜୋରରେ ନୁହେଁ କିମ୍ବା ଅତି ଆସ୍ତେ ଆସ୍ତେ ନୁହେଁ, ଏହିପରି କିଛିକ୍ଷଣ ଚାଲି ଫକୁ ଫେରି ଦେଖିଲା ଯେ, ସେହି ଛୋଟ ପାହାଡ଼ ଓ ତା ଉପରେ ସରଦାରମାନେ ଦେଖାଯାଉଅଛନ୍ତି । ଏ ଅନ୍ଦାଜରେ ବୁଝିଲା ସେ ପ୍ରାୟ ତିନି ମାଇଲ ଚାଲିଅଛି । ସେତେବେଳକୁ ସୂର୍ଯ୍ୟର ତେଜ ମଧ୍ୟ ଖୁବ୍‍ ପ୍ରଖର ହେଲାଣି । ସେ ପୁଣି ଚାଲିବାକୁ ଆରମ୍ଭ କଲା ଜମିର ସୀମା ନିର୍ଦ୍ଦେଶ କରିବା ପାଇଁ କୋଡ଼ିରେ ମଝିରେ ମଝିରେ ଚିହ୍ନ ଦେଇ ଯାଉଥାଏ । ଏହିପରି ଆହୁରି କିଛିକ୍ଷଣ ଯାଇ ସେ ଟିକିଏ ବିଶ୍ରାମ କରିବା ପାଇଁ ବସିଲା । ସାମାନ୍ୟ କିଛି ଆହାର କରି ସେ ଭାବିଲା; “ବର୍ତ୍ତମାନ ତ ସମୟ ଅଛି, ମୁଁ ଏହି ଆଡ଼େ ଆହୁରି ତିନି ମାଇଲ ପର୍ଯ୍ୟନ୍ତ ଯାଇ ବାଁ ଆଡ଼କୁ ଫେରିବି । ଏ ଜମି ଏତେ ଭଲ ଯେ, ଛାଡ଼ିବାକୁ ମନ ହେଉ ନାହିଁ ।” ଏହିପରି ସେ ସିଧା ଆହୁରି କିଛି ଦୂର ଯାଇ ଫେରି ଦେଖିଲା ଯେ, ସେହି ପାହାଡ଼ ପ୍ରାୟ ଦେଖାଯାଉ ନାହିଁ । ସେ ଭାବିଲା; ମୁଁ ଏହିଆଡ଼େ ଅନେକଦୂର ଆସିଲିଣି, ଅନ୍ୟଆଡ଼େ ଯିବା ଉଚିତ-। ସେ ସେଠାରେ ଗୋଟିଏ ବଡ଼ ଗାତ ଖୋଳି ଚିହ୍ନ ଦେଇ ବାଁ ଆଡ଼କୁ ବଢ଼ିଲା । ସେତେବେଳକୁ ସେ କ୍ଳାନ୍ତି ବୋଧ କଲାଣି । କିଛି ଦୂର ଯାଇ ସେ ଆକାଶ ଆଡ଼କୁ ଚାହିଁ ଦେଖିଲା ଯେ, ଠିକ୍‍ ମଧ୍ୟାହ୍ନ ସମୟ । ସେ ପୁଣି ଟିକିଏ ବିଶ୍ରାମ କରିବାକୁ ବସିଲା, ଅଳ୍ପ କିଛି ଖାଇ ଟିକିଏ ପାଣି ପିଇଲା, କିଛିକ୍ଷଣ ବିଶ୍ରାମ କରି ପୁଣି ଚାଲିଲା । ପ୍ରଥମେ କିଛିଦୂର ବେଶ୍ ଚାଲିଲା, କିନ୍ତୁ ଖରାରେ ପରିଶ୍ରମରେ ସେତେବେଳକୁ ତାକୁ ଭାରି କଷ୍ଟ ହେଲାଣି, ସେ ମନେ ମନେ ଭବିଲା, “ହେଉ, ବର୍ତ୍ତମାନ ଟିକିଏ କଷ୍ଟ କରେ, ସମସ୍ତ ଜୀବନଟା ତ ସୁଖରେ କଟାଇ ପାରିବି ।” ସେହିଆଡ଼େ ଅନେକଦୂର ଯାଇ ସେ ଯେତେବେଳେ ପୁଣି ବାଁ ଆଡ଼କୁ ଫେରିବାକୁ ଯାଉଛି, ସେତେବେଳେ ଆଗକୁ ଚାହିଁ କହିଲା, “ଆହା’ ! ସେ ଜମି ବଡ଼ ସୁନ୍ଦର, ସେଥିରୁ କିଛି ମଧ୍ୟ ନିଏଁ ।” ଏହା କହି ପୁଣି ସେହି ଆଡ଼େ କିଛିଦୂର ଯାଇ ପୁଣି ବାଁ ଆଡ଼କୁ ଫେରିଲା । ପାହାଡ଼ ପ୍ରାୟ ଦେଖା ଯାଉ ନାହିଁ-। ସୂର୍ଯ୍ୟ ଆଡ଼କୁ ଚାହିଁ ଦେଖିଲା, ପ୍ରାୟ ଅପରାହ୍ନ ହୋଇଗଲାଣି, କିନ୍ତୁ ତୃତୀୟ ପାଖରେ ଦୁଇ ମାଇଲ ସେ ଯାଇଛି, ଲକ୍ଷ୍ୟ ସ୍ଥାନରୁ ସେ ପର୍ଯ୍ୟନ୍ତ ସେ ପ୍ରାୟ ୧୦ ମାଇଲ ଦୂରରେ ଅଛି । ସେ ଭବିଲା “ନା, ମୁଁ ଆଉ କେଉଁ ଆଡ଼କୁ ଚାହିଁବି ନାହିଁ । ଅନେକ ଜମି ନେଲିଣି, ଶେଷକୁ ବେଶି ଦୂରକୁ ଚାଲି ଯାଇ ସବୁ ହରାଇବି ।” ଏହା କହି ସେ ସେହିଠାରେ ଗୋଟିଏ ଚିହ୍ନ ଦେଇ ପାହାଡ଼ ଆଡ଼କୁ ଫେରିଲା । ସେ ପାହାଡ଼ ଆଡ଼କୁ ଯିବାକୁ ଆରମ୍ଭ କଲା ସତ; କିନ୍ତୁ ସେତେବେଳେ ତାହାର ଚାଲିବାକୁ ଭାରି କଷ୍ଟ ହେଉଥାଏ, ସୂର୍ଯ୍ୟର ଉତ୍ତାପରେ ପ୍ରାୟ ପ୍ରାଣାନ୍ତ ହେଲାଣି । ଚାଲି ଚାଲି ଗୋଡ଼ ମଧ୍ୟ ଥକି ଗଲାଣି । ଟିକିଏ ବିଶ୍ରାମ କରିବାକୁ ଭାରି ଇଚ୍ଛା ହେଉଥାଏ, କିନ୍ତୁ ବିଶ୍ରାମ କଲେ ସୂର୍ଯ୍ୟାସ୍ତ ପୂର୍ବରୁ ପାହାଡ଼ ଉପରେ ପହଞ୍ଚି ପାରିବ ନାହିଁ । ସୂର୍ଯ୍ୟ ତ ଆଉ କାହାରିପାଇଁ ଅପେକ୍ଷା କରିବ ନାହିଁ ? ସେତେବେଳେ ତାହାର ମନେ ହେଲା, “ଆହା ! ମୁଁ ଯଦି ଅତି ବେଶି ଲୋଭ ନ କରିଥାନ୍ତି ! ଯଦି ବିଳମ୍ବ ହୋଇଯାଏ, ତାହାହେଲେ କ’ଣ ହେବ !” ପାହାଡ଼ ଆଡ଼କୁ ଓ ସୂର୍ଯ୍ୟ ଆଡ଼କୁ ଚାହିଁଲା, ପାହାଡ଼ ଅନେକ ଦୂରରେ ଅଛି, ସୂର୍ଯ୍ୟ ତଳକୁ ଖସି ପଡ଼ିଲାଣି । ଫକୁ ପ୍ରାଣପଣେ ଚାଲିବାକୁ ଆରମ୍ଭ କଲା–ଅବଶେଷରେ ଦୌଡ଼ିବାକୁ ଲାଗିଲା । ଦୌଡ଼ୁ ଦୌଡ଼ୁ ସେ ଭବିଲା, “ମୁଁ କ’ଣ କରିବି ? ଅତି ଲୋଭ କରି ଏବେ ସବୁ ହରାଇ ବସିଲି ! ସୂର୍ଯ୍ୟାସ୍ତ ପୂର୍ବରୁ ତ ସେଠାରେ ପହଞ୍ଚି ପାରିବି ନାହିଁ ।” ଆହା ଭାବି ସେ ପ୍ରାଣପଣେ ଦୌଡ଼ୁଥାଏ, କିନ୍ତୁ ସେତେବେଳକୁ ତା ଦେହରେ କିମ୍ବା ଗୋଡ଼ରେ ଆଉ ଶକ୍ତି ନାହିଁ, ତୋଟି ପାଟି ସବୁ ଶୁଖିଗଲାଣି । ମନରେ ଭୟ ହେଲା, ସେ ଯଦି ମରିଯାଏ ! ଏହି ଚିନ୍ତାରେ ତାହାର ମନ ଅତ୍ୟନ୍ତ ଅସ୍ଥିର ହୋଇ ଉଠିଲା; କିନ୍ତୁ ସେ କ୍ଷାନ୍ତ ନ ହୋଇ କ୍ରମାଗତ ଦୌଡ଼ୁଥାଏ । ଦୌଡ଼ି ଦୌଡ଼ି ସେ ପାହାଡ଼ ପାଖକୁ ଆସି ଦେଖିଲା ଯେ, ସରଦାରମାନେ ଚିତ୍କାର କରି ତାକୁ ଶୀଘ୍ର ଆସିବାକୁ କହୁଅଛନ୍ତି । ସେ ଶେଷଥର ଚେଷ୍ଟା କରି ଦେଖିବା ପାଇଁ ଦୌଡ଼ିଲା । ସେତେବେଳକୁ ସୂର୍ଯ୍ୟ ଅସ୍ତ ଯିବା ଖୁବ୍‍ ଅଳ୍ପ ସମୟ ଅଛି, କିନ୍ତୁ ସେ ମଧ୍ୟ ତାହାର ଲକ୍ଷ୍ୟ ପାଖକୁ ଆସିଲାଣି । ପାହାଡ଼ ଉପରେ ସେହି ପଗଡ଼ି ସେ ଦେଖି ପାରିଲା ଏବଂ ଦେଖିଲା ଯେ, ପ୍ରଧାନ ସରଦାର ସେଠାରେ ବସି ଖୁବ୍ ହସୁଛି । ତାହାର ସ୍ଵପ୍ନକଥା ମନେ ପଡ଼ିଲା-। ସେ ଭବିଲା, “ଜମି ତ ଅନେକ ନେଲି, କିନ୍ତୁ ସେହି ଜମି ଭୋଗ କରିବାକୁ ମୁଁ କଣ ବଞ୍ଚି ରହିବି-? ମୁଁ ସେଠାରେ କେବେ ପହଞ୍ଚି ପାରିବି ନାହିଁ ।” ସୂର୍ଯ୍ୟ ଆଡ଼କୁ ଚାହିଁ ଦେଖିଲା ଯେ ପ୍ରାୟ ବୁଡ଼ିଲା ପରି ! ତାହାର ଶକ୍ତି ଟିକକ ସଂଗ୍ରହ କରି ସେ ଦୌଡ଼ିଲା । ଠିକ୍ ପାହଡ଼ ପାଖରେ ପହଞ୍ଚିଲା ବେଳକୁ ସେ ସୂର୍ଯ୍ୟଙ୍କୁ ଦେଖିପାରିଲା ନାହିଁ । ତାହାର ସମସ୍ତ ପରିଶ୍ରମ ବ୍ୟର୍ଥ ହେଲା ଭାବି ସେ ସେହିଠାରେ ଅଟକି ଯାଇଥିଲା; କିନ୍ତୁ ସମ୍ମୁଖକୁ ଚାହିଁ ଦେଖିଲା ଯେ ସରଦାରମାନେ ତାକୁ ଉପରୁ ଡାକୁଅଛନ୍ତି । ତା’ର ମନେ ହେଲା, ସେ ତଳେ ଅଛି ବୋଲି ସୂର୍ଯ୍ୟ ଦେଖି ପାରୁ ନାହିଁ, କିନ୍ତୁ ଉପରୁ ସେମାନେ ସେପର୍ଯ୍ୟନ୍ତ ସୂର୍ଯ୍ୟ ଦେଖି ପାରୁଅଛନ୍ତି । ସେ ପୁଣି ଦୌଡ଼ିବାକୁ ଆରମ୍ଭ କରି ପାହାଡ଼ ଉପରକୁ ଉଠିଲା । ସେଠାରେ ସେପର୍ଯ୍ୟନ୍ତ ଅଳ୍ପ ଆଲୁଅ ଅଛି । ଫକୁ ଦେଖିଲା, ସେ ପଗଡ଼ି ରହିଅଛି ଏବଂ ତା ପାଖରେ ସର୍ଦାର ବସି ହସୁଅଛି । ସ୍ଵପ୍ନ କଥା ମନେ ପଡ଼ିବାରୁ ସେ ଚିତ୍‌କାର କରି ଉଠିଲା । ଆଉ ଠିଆ ହୋଇ ନ ପାରି ସେ ପଡ଼ି ଗଲା ତାହାର ହାତ ଯାଇଁ ପଗଡ଼ିରେ ଲାଗିଲା-

 

ସର୍ଦାର କହିଲେ, ସାବାସ୍ । ତୁମେ ଅନେକ ଜମି ପାଇଛ ।

 

ଫକୁର ଚାକର ଦୌଡ଼ି ଆସି ତାକୁ ଉଠାଇବାକୁ ଚେଷ୍ଟା କଲା; କିନ୍ତୁ ଦେଖିଲା, ତା ମୁହଁରୁ ରକ୍ତ ବାହାରୁଛି, ଦେହରେ ଜୀବନ ନାହିଁ ! ସରଦାରମାନେ ଟିକିଏ ଦୁଃଖ ପ୍ରକାଶ କରିଥିଲେ-। ଫକୁର ଚାକର ସେହିଠାରେ କୋଡ଼ିଏ ଗର୍ତ୍ତ ଖୋଳି ତାର ଦେହକୁ ସମାଧିସ୍ଥ କଲା । ସମାଧିପାଇଁ ତାହାର କେବଳ ୬ ଫୁଟ ମାତ୍ର ଜମି ଲୋଡ଼ା ହୋଇଥିଲା ।

Image

 

ଦଣ୍ଡବିଧାନ

 

ମହେଶପୁର ଗୋଟିଏ କ୍ଷୁଦ୍ର ରାଜ୍ୟ । ଅନେକ ଛୋଟ ସହରର ଅଧିବାସୀସଂଖ୍ୟା ମଧ୍ୟ ଏହି ରାଜ୍ୟର ଅଧିବାସୀସଂଖ୍ୟା ଅପେକ୍ଷା ବେଶି ହେବ । ସର୍ବସୁଦ୍ଧା ଏହି ରାଜ୍ୟର ଅଧିବାସୀସଂଖ୍ୟା ସାତ ହଜାର । ରାଜ୍ୟର ସମସ୍ତ ଜମି ଯଦି ସମାନ ଭାବରେ ସମସ୍ତଙ୍କ ମଧ୍ୟରେ ଭାଗ କରି ଦିଆଯାଏ; ତାହାହେଲେ ପ୍ରତ୍ୟେକ ବ୍ୟକ୍ତିର ଭାଗରେ ମାଣେ ଜମି ମଧ୍ୟ ପଡ଼ିବ ନାହିଁ । ରାଜ୍ୟଟି ଏଡ଼େ କ୍ଷୁଦ୍ର ହେଲେ ମଧ୍ୟ ଏହି ରାଜ୍ୟରେ ଜଣେ ରାଜା ଅଛନ୍ତି ଏବଂ ଯଥାରୀତି ତାଙ୍କର ରାଜପ୍ରାସାଦ, ସଭାସଦ୍, ମନ୍ତ୍ରୀ, ପୁରୋହିତ, ସେନାପତି, ସୈନ୍ୟ, ସବୁ ଅଛନ୍ତି ।

 

ରାଜ୍ୟର ସୈନ୍ୟସଂଖ୍ୟା ଅଧିକ ନୁହେଁ, କେବଳ ୬୦ ଜଣ ମାତ୍ର । ଅନ୍ୟ ରାଜ୍ୟରେ ଯେପରି କର ଆଦାୟ ହୁଏ, ଏହି କ୍ଷୁଦ୍ର ରାଜ୍ୟରେ ମଧ୍ୟ ସେହିପରି କର ଆଦାୟ କରାହୁଏ । କିନ୍ତୁ ତାହା ଅତି ସାମାନ୍ୟ । ରାଜାଙ୍କର ଯଦି ଗୋଟିଏ ବିଶେଷ ଆୟର ପନ୍ଥା ନ ଥାନ୍ତା, ତାହାହେଲେ ସେ ଚଳି ପାରନ୍ତେ ନାହିଁ, କି ରାଜ୍ୟ ଶାସନ ଚଳନ୍ତା ନାହିଁ । ରାଜ୍ୟ ମଧ୍ୟରେ ଗୋଟିଏ ଜୁଆଖେଳ ଆଡ଼୍‌ଡ଼ା ଅଛି, ସେଥିରେ ବେଶ୍ ଆୟ ହୁଏ । ସେଠାକୁ ଯେଉଁମାନେ ଖେଳିବାକୁ ଆସନ୍ତି, ହାରନ୍ତୁ ବା ଜିତନ୍ତୁ, କିଛି କର ସମସ୍ତଙ୍କୁ ଦେବାକୁ ହୁଏ । ରାଜା ବେଶ ବୁଝି ପାରନ୍ତି, ଏପରି କୁକର୍ମକୁ ପ୍ରଶ୍ରୟ ଦେବା ଅନ୍ୟାୟ; କିନ୍ତୁ କଣ କରିବେ ? ତାଙ୍କୁ ତ ଚଳିବାକୁ ହେବ ! ଅନ୍ୟାନ୍ୟ ରାଜ୍ୟରେ ଜୁଆଖେଳ କ୍ରମେ କ୍ରମେ ଉଠି ଯାଉଥିଲା; କାରଣ ସେଥିରେ ଲୋକମାନଙ୍କର ଅତ୍ୟନ୍ତ କ୍ଷତି ହୁଏ । ଲୋକମାନେ ବାଜି ରଖି ଖେଳରେ ମାତି ସର୍ବସ୍ଵ ହରାଇ ଆତ୍ମହତ୍ୟା ପର୍ଯ୍ୟନ୍ତ କରନ୍ତି ।

 

ମହେଶପୁର ରାଜ୍ୟ ଅତ୍ୟନ୍ତ କ୍ଷୁଦ୍ର ହେଲେ କଣ ହେବ, ସେଥିରେ ତ ଜଣେ ରଜା ଅଛନ୍ତି, ତାଙ୍କୁ ରାଜା ପରି ଚାଲିବାକୁ ହେବ । ଅନ୍ୟ କୌଣସି ଉପାୟରେ ତାଙ୍କର ବିଶେଷ କିଛି ଆୟ ହୁଏ ନାହିଁ; ସୁତରାଂ ସେ ତାଙ୍କ ରାଜ୍ୟରୁ ଜୁଆ ଖେଳ ଉଠାଇ ଦେଇପାରୁ ନଥିଲେ । ସୁବିଧା ପାଇ ଅନ୍ୟ ନିକଟବର୍ତ୍ତୀ ରାଜ୍ୟର ଲୋକେ ଏଠାରେ ଜୁଆ ଖେଳନ୍ତି ଏବଂ ରାଜାଙ୍କୁ କର ଦିଅନ୍ତି ।

ଅନ୍ୟାନ୍ୟ ରାଜ୍ୟ ପରି ଏହି ରାଜ୍ୟରେ ମଧ୍ୟ ଅଭିଷେକ ଉତ୍ସବ ଇତ୍ୟାଦି ହୁଏ । ଲୋକମାନେ ଅନ୍ୟାୟ କଲେ ଦଣ୍ଡ ପାଆନ୍ତି, ବେଳେ ବେଳେ ଦୋଷୀକୁ ରାଜା କ୍ଷମା ମଧ୍ୟ କରନ୍ତି । ଛୋଟ ହେଲେ ମଧ୍ୟ ଏଠାରେ ରଜସଭା, ବିଚାରାଳୟ, ଆଇନ ଇତ୍ୟାଦି ସମସ୍ତ ଅଛି ।

ଘଟନାକ୍ରମେ ଥରେ ଏହି କ୍ଷୁଦ୍ର ରାଜ୍ୟରେ ଗୋଟିଏ ନରହତ୍ୟା ହେଲା । ମହେଶପୁରର ପ୍ରଜାମାନେ ଶାନ୍ତିପ୍ରିୟ । ଏପରି ଘଟଣା ସେଠାରେ ପୂର୍ବେ କେବେ ହୋଇ ନ ଥିଲା । ଅପରାଧୀ ଧୃତ ହୋଇ ବିଚାରାଳୟକୁ ଆସିଲାରୁ ତାହାର ବିଚାର ଆରମ୍ଭ ହେଲା । ଯଥାରୀତି ବିଚାରପତି ଅପରାଧୀକୁ ପ୍ରାଣଦଣ୍ଡ ଦେଲେ । ରାଜାଙ୍କ ମତ ପଚରା ହେଲାରୁ ରାଜା କହିଲେ ‘‘ଯଦି ଆଇନରେ ଏହି ଅପରାଧ ପାଇଁ ପ୍ରାଣଦଣ୍ଡ ବିଧାନ ଥାଏ, ତାହା ହେଲେ ପ୍ରାଣଦଣ୍ଡ ଦିଅ ।”

ଏହିପରି ସବୁ ତ ଯଥାରୀତି ଠିକ୍ ହେଲା; କିନ୍ତୁ ଶେଷରେ ଗୋଟିଏ ସମସ୍ୟା ଆସି ପଡ଼ିଲା । ରାଜ୍ୟରେ ଶିରଚ୍ଛେଦନର ଯନ୍ତ୍ର ନାହିଁ କିମ୍ବା ଘାତକ ମଧ୍ୟ ନାହିଁ । ଏହଘେନି ମନ୍ତ୍ରୀମାନେ ଅନେକ ବିଚାର କଲେ, ଶେଷରେ ସ୍ଥିର ହେଲା, ପାର୍ଶ୍ୱବର୍ତ୍ତୀ କୌଣସି ରାଜ୍ୟର ରାଜାଙ୍କ ନିକଟରୁ କିଛିଦିନ ପାଇଁ ଗୋଟିଏ ଶିରଚ୍ଛେଦନର ଯନ୍ତ୍ର ଓ ଜଣେ ଘାତକ ପଠାଇବାକୁ ଅନୁରୋଧପତ୍ର ଲେଖାଯିବ ଏବଂ ସେଥିପାଇଁ କେତେ ଖରଚ ପଡ଼ିବ, ତାହା ମଧ୍ୟ ଜଣାଇବାକୁ ଅନୁରୋଧ କରାଯିବ । ସେହିପରି ଏକ ରାଜ୍ୟକୁ ପତ୍ର ଲେଖାହେଲା ଏବଂ ଯଥା ସମୟରେ ତାହାର ଉତ୍ତର ମଧ୍ୟ ଆସିଲା । ସେମାନେ ଲେଖିଲେ, ରାଜା ଯାହା ମାଗିଅଛନ୍ତି, କିଛିଦିନପାଇଁ ତାହା ସେମାନେ ଦେଇପାରିବେ ଏବଂ ତାହାର ଖରଚ ସର୍ବସୁଦ୍ଧା ୫୦୦୦ ଟଙ୍କା ପଡ଼ିବ । ରାଜାଙ୍କୁ ଏ ବିଷୟ ଜଣାଇବାରୁ ସେ କହିଲେ “୫୦୦୦ ଟଙ୍କା ! ଜଣେ ଲୋକକୁ ପ୍ରାଣଦଣ୍ଡ ଦେବାପାଇଁ ଏତେ ଟଙ୍କା ଖରଚ କରିବା ଅନ୍ୟାୟ । ପ୍ରଜାମାନଙ୍କଠାରୁ ଏତେ ଟଙ୍କା ଆଦାୟ କରିବାକୁ ଗଲେ ସେମାନେ ଅସନ୍ତୁଷ୍ଟ ହେବେ ।”

 

ଏ ବିଷୟରେ କର୍ତ୍ତବ୍ୟ ସ୍ଥିର କରିବା ପାଇଁ ଆଉ ଥରେ ମନ୍ତ୍ରୀମାନେ ଏକତ୍ର ହେଲେ । ଅବଶେଷରେ ଠିକ୍ ହେଲା, ଅନ୍ୟ ଗୋଟିଏ ରାଜ୍ୟର ରାଜାଙ୍କ ପାଖକୁ ଲେଖି ଦେଖାଯାଉ, ସେ କ’ଣ କହୁଅଛନ୍ତି । ଚିଠି ଲେଖାଗଲା, ଯଥାସମୟରେ ଉତ୍ତର ମଧ୍ୟ ଆସିଲା । ସେମାନେ ଲେଖିଲେ, ଗୋଟିଏ ଶିରଚ୍ଛେଦନ ଯନ୍ତ୍ର ଓ ଜଣେ ଘାତକ ଯଦି ସେମାନେ ଦିଅନ୍ତି, ତାହାହେଲେ ସର୍ବସୁଦ୍ଧା ପ୍ରାୟ ୩୦୦୦ ଟଙ୍କା ଖରଚ ପଡ଼ିବ । ଆଉଥରେ ଏ ବିଷୟରେ ବିଚାର କରିବାକୁ ସମସ୍ତେ ମିଳିତ ହେଲେ । ସମସ୍ତେ ସ୍ଥିରକଲେ, ଯଦିବା ଏହା ଅପେକ୍ଷାକୃତ ଅଳ୍ପ, ତାହାହେଲେ ମଧ୍ୟ ଜଣେ ଲୋକର ଶିରଚ୍ଛେଦନ ପକ୍ଷରେ ଅତ୍ୟଧିକ । ସମସ୍ତେ ମିଳି ସ୍ଥିର କଲେ, ତାଙ୍କ ରାଜ୍ୟର ଜଣେ ସୈନ୍ୟ ତ ଏହା କରିପାରେ, ସେମାନେ ଯୁଦ୍ଧରେ ତ ନରହତ୍ୟା କରନ୍ତି, ଏହା କରି ନ ପାରିବେ କାହିଁକି ? ସେନାପତିଙ୍କୁ ଡାକି ସୈନ୍ୟମାନଙ୍କୁ ପଚାରିବାକୁ ଆଦେଶ ଦିଆଗଲା । ସୈନ୍ୟମାନଙ୍କୁ ପଚାରିବାରୁ ସେମାନେ କହିଲେ “ଆମ୍ଭେମାନେ ଏହା କରିପାରିବୁଁ ନାହିଁ, ଆମ୍ଭେମାନେ ଯୁଦ୍ଧବିଦ୍ୟା ଶିଖିଅଛୁଁ, ଏପରି କାର୍ଯ୍ୟ ଶିଖି ନାହୁଁ ।” କ’ଣ କରାଯିବ, ତାହାଘେନି ଅନେକ ବିଚାର ତର୍କବିତର୍କ ହେଲା । ଅବଶେଷରେ କଥାହେଲା ଯେ, ପ୍ରାଣଦଣ୍ଡ ପରିବର୍ତ୍ତନ କରି ଯାବଜ୍ଜୀବନ କାରାବାସ ଦଣ୍ତ ଦେଲେ ସର୍ବାପେକ୍ଷା ଭଲ ହେବ, ଏଥିରେ ଖରଚ ଊଣା ହେବ ଏବଂ ରାଜାଙ୍କର ଦୟା ମଧ୍ୟ ପ୍ରକାଶ ପାଇବ ।

 

ରାଜା ଏଥିରେ ମତ ଦେବାରୁ ଏହା ସ୍ଥିର ହୋଇଗଲା । କିନ୍ତୁ ଯାବଜ୍ଜୀବନ କାରାବାସ କରିବା ପକ୍ଷରେ ଉପଯୁକ୍ତ କାରାଗୃହ ନାହିଁ । ସମୟ ସମୟରେ ଅଳ୍ପଦିନପାଇଁ କୌଣସି ଲୋକକୁ ବନ୍ଦ କରି ରଖା ହେଉଥିଲା, ସେଥିପାଇଁ କେବଳ ଉପଯୁକ୍ତ ବନ୍ଦୋବସ୍ତ ଥିଲା । ଯାହାହେଉ, ସେମାନେ ଗୋଟିଏ ସ୍ଥାନ ସ୍ଥିର କରି ସେଠାରେ ଲୋକଟିକୁ ରଖି ତାକୁ ଜଗିବାପାଇଁ ଜଣେ ପ୍ରହରୀ ନିଯୁକ୍ତ କଲେ । ସେହି ପ୍ରହରୀ ବନ୍ଦୀକୁ ଜଗେ ଏବଂ ରାଜପ୍ରାସାଦରୁ ତାହାପାଇଁ ଯଥାସମୟରେ ଖାଦ୍ୟ ଆଣି ଦିଏ ।

 

ଏହିପରି ବର୍ଷେ କଟିଗଲା, ଦିନେ ରାଜା ତାଙ୍କର ଆୟବ୍ୟୟ ହିସାବ ପରୀକ୍ଷା କରୁ କରୁ ଦେଖିଲେ ଯେ, ଖରଚ ବାବଦରେ ଗୋଟିଏ ନୂଆ ଖରଚ ଲେଖା ହୋଇଅଛି । ବର୍ଷକ ମଧ୍ୟରେ ସେହି ବନ୍ଦୀପାଇଁ ଯାହା ଖରଚ ହୋଇଅଛି, ତାହା ନିତାନ୍ତ ସାମାନ୍ୟ ନୁହେଁ । ତାହାପାଇଁ ଜଣେ ପ୍ରହରୀ ରଖା ହୋଇଅଛି, ତହିଁ ଉପରେ ତାହାର ଖାଇବା ଖରଚ । ସର୍ବସୁଦ୍ଧା ପ୍ରାୟ ୫୦୦ ଟଙ୍କା ପର୍ଯ୍ୟନ୍ତ ଖରଚ ହୋଇଅଛି । ଲୋକଟାର ବୟସ ମଧ୍ୟ ଅଳ୍ପ, ସୁସ୍ଥ ଶରୀର, ଆହୁରି ପ୍ରାୟ ୫୦ ବର୍ଷ ସେ ବଞ୍ଚିପାରେ । ଏପରି ହେଲେ ତ ଚଳିବ ନାହିଁ ! ରାଜା ପୁଣି ଏ ବିଷୟ ବିଚାର କରିବାକୁ ମନ୍ତ୍ରୀମାନଙ୍କୁ ଡାକିଲେ । ପୁଣି ସଭା ବସିଲା, ଅନେକ ତର୍କବିତର୍କ ଚାଲିଲା । ଜଣେ ମନ୍ତ୍ରୀ କହିଲେ, “ମୋର ମନେହୁଏ, ପ୍ରହରୀ ନ ରଖିଲେ ଭଲ ।” ଆଉ ଜଣେ କହିଲେ, ‘‘ପ୍ରହରୀ ନ ଥିଲେ ବନ୍ଦୀ ଯେ ପଳାଇଯିବ ।’’ ପ୍ରଥମ ବକ୍ତା କହିଲେ, “ପଳାଇ ଯାଉ, ତାହାହେଲେ ଭଲ ହେବ ।” ଏହି କଥା ରାଜାଙ୍କୁ ଜଣାଇବାରେ ରାଜା ମଧ୍ୟ ଏଥିରେ ସମ୍ମତ ହେଲେ । ପ୍ରହରୀକୁ ବାହାର କରିଦେଲେ । ପ୍ରହରୀକୁ ବାହାର କରିଦେଲେ କଣ ହେବ, ଦେଖିବାପାଇଁ ସମସ୍ତେ ଅପେକ୍ଷାକରି ରହିଲେ । ସେମାନେ ଦେଖିଲେ ଯେ, ବନ୍ଦୀର ପଳାଇଯିବାର କୌଣସି ଲକ୍ଷଣ ନାହିଁ । ଖାଇବା ସମୟରେ ସେ ଦେଖିଲା ଯେ, କେହି ତାହାର ଖାଦ୍ୟ ଆଣିଦେଲେ ନାହିଁ, ତହୁଁ ସେ ନିଜେ ରାଜପ୍ରାସାଦକୁ ଯାଇ ତାହାର ଖାଦ୍ୟ ଘେନି ଆସି କାରାଗାର ଭିତରକୁ ଯାଇ ନିଜେ ଦ୍ୱାର ବନ୍ଦ କରିଦେଲା । ଏହିପରି କେତେଦିନ ଚାଲିଗଲା । ମନ୍ତ୍ରୀମାନେ ଦେଖିଲେ, ଏ ତ ବଡ଼ ମୁଷ୍କିଲ କଥା ! କ’ଣ କରାଯିବ ? ତାକୁ ବନ୍ଦୀ କରି ରଖିବାକୁ ରାଜା ବା ରାଜକର୍ମଚାରୀମାନଙ୍କର ଯେ ଆଦୌ ଇଚ୍ଛା ନାହିଁ, ଏ କଥା ସ୍ପଷ୍ଟ କରି କହିଦେବାର ସ୍ଥିର ହେଲା ।

 

ଦିନେ ପ୍ରଧାନମନ୍ତ୍ରୀ ତାକୁ ଡାକି ପଚାରିଲେ, “ତୁମର କାରାଗାରରେ ତ ପ୍ରହରୀ ନାହିଁ, ତୁମେ କାହିଁକି ପଳାଇ ଯାଉ ନାହଁ ? ତୁମର ଯେଉଁଠାକୁ ଇଚ୍ଛା ଚାଲିଯାଇ ପାର, ରାଜା ତୁମକୁ ସେଥିପାଇଁ ଶାସ୍ତି ଦେବେ ନାହିଁ ।”

 

ବନ୍ଦୀ ଏ କଥା ଶୁଣି କହିଲା, “ରାଜା ତ କିଛି ଶାସ୍ତି ଦେବେ ନାହିଁ; କିନ୍ତୁ ମୁଁ କେଉଁଠାକୁ ଯିବି ? ଆପଣମାନେ ଶାସ୍ତି ଦେବାରୁ ମୋ ନାମରେ ଗୋଟିଏ କଳଙ୍କ ଚାରିଆଡ଼େ ରଟିଯାଇଛି, କୌଣସି ଲୋକ ମୋ ସଙ୍ଗରେ କୌଣସି ପ୍ରକାର ବ୍ୟବହାର କରିବେ ନାହିଁ । ତାହା ଛଡ଼ା ମୋର କାର୍ଯ୍ୟ କରିବା ଅଭ୍ୟାସ ଏକାବେଳକେ ଚାଲିଯାଇଛି । ଯେତେବେଳେ ପ୍ରଥମରେ ଆପଣମାନେ ମୋର ପ୍ରାଣଦଣ୍ଡ ଆଦେଶ କରିଥିଲେ, ସେହି ସମୟରେ ମତେ ଶାସ୍ତି ଦେବା ଉଚିତ ଥିଲା; କିନ୍ତୁ ତାହା କଲେ ନାହିଁ । ପରେ ଆପଣମାନେ ମତେ ଯାବଜ୍ଜୀବନ କାରାବାସ ଦଣ୍ଡ ଦେଲେ, ଜଣେ ପ୍ରହରୀ ରଖିଲେ, ସେ ପ୍ରତିଦିନ ମୋର ଖାଦ୍ୟ ଆଣି ଦେଉଥିଲା, କିଛି ଦିନ ପରେ ସେ ମଧ୍ୟ ଚାଲିଗଲା, ମୁଁ ନିଜେ ଯାଇ ମୋର ଖାଦ୍ୟ ନେଇ ଆସୁଥିଲି, ଏଥିରେ ମଧ୍ୟ ମୁଁ କିଛି ଅଭିଯୋଗ କରି ନାହିଁ । ବର୍ତ୍ତମାନ ଆପଣମାନେ ମତେ ଚାଲିଯିବାକୁ କହୁଛନ୍ତି, କିନ୍ତୁ ମୁଁ ତାହା କରିପାରିବି ନାହିଁ । ଆପଣମାନଙ୍କର ଯାହା ଇଚ୍ଛା କରନ୍ତୁ, କିନ୍ତୁ ମୁଁ ଯିବି ନାହିଁ ।”

 

କର୍ତ୍ତବ୍ୟ ସ୍ଥିର କରିବାପାଇଁ ପୁଣି ଥରେ ସଭା ଡକାହେଲା । ସେ ଲୋକ ତ ଯିବ ନାହିଁ, ବର୍ତ୍ତମାନ କଣ କରାଯିବ ? ଏ ବିଷୟରେ ଅନେକ ଭାବି ଚିନ୍ତି ମନ୍ତ୍ରୀମାନେ ଠିକ୍ କଲେ ଯେ, ସେ ଲୋକଟାକୁ ବିଦାୟ କରିବାର କେବଳ ଗୋଟିଏ ମାତ୍ର ଉପାୟ ଅଛି । ତାକୁ ବାର୍ଷିକ କିଛି ବୃତ୍ତି ଦେଲେ କେଜାଣି ଯଦି ସେ ଚାଲି ଯାଇପାରେ ! ମନ୍ତ୍ରୀମାନେ ଯାଇଁ ରାଜାଙ୍କୁ ସେହି କଥା ଜଣାଇଲେ । ବାର୍ଷିକ ଟ ୩୦୦ ଟଙ୍କା ବୃତ୍ତି ଦିଆଯିବାର ସ୍ଥିର ହେଲା ।

 

ସେ ଲୋଟି କହିଲା, ନିୟମିତ ରୂପ ମତେ ଯଦି ବୃତ୍ତି ଦିଆଯାଏ, ତାହାହେଲେ ମୋର ଯିବାର କୌଣସି ଆପତ୍ତି ନାହିଁ । କେବଳ ଏହି ସର୍ତ୍ତରେ ମୁଁ ଯିବି । ଏହିପରି ସବୁ ବନ୍ଦୋବସ୍ତ ହେଲା । ସେହି ଲୋକଟିକୁ ତାହାର ବାର୍ଷିକ ବୃତ୍ତିର ଏକ ତୃତୀୟାଂଶ ଦିଆଗଲା । ତାହା ନେଇ ସେ ମହେଶପୁର ରାଜ୍ୟ ଛାଡ଼ି ଚାଲିଗଲା । ମହେଶପୁର ରାଜ୍ୟର ସୀମାର ଠିକ୍ ବାହାରେ ସେ ଖଣ୍ଡିଏ ଜମି କିଣି ସେହିଠାରେ ରହି ଚାଷ କରିବାକୁ ଆରମ୍ଭ କଲା । ଠିକ୍ ସମୟରେ ସେ ତାହାର ବୃତ୍ତି ଟଙ୍କା ଆଣିବାକୁ ରାଜଦରବାରକୁ ଯାଏ, ଟଙ୍କା ଘେନି ଘରକୁ ଫେରିଆସେ । କ୍ରମେ ତାହା ସମ୍ବନ୍ଧରେ ଲୋକଙ୍କ ମନର ଭାବ ବଦଳିଗଲା, ସେ ଦଶ ଜଣଙ୍କ ମଧ୍ୟରେ ଜଣେ ହୋଇ ସଂସାରରେ ସୁଖରେ ବାସ କରିବାକୁ ଲାଗିଲା ।

 

ତାହାର ବହୁ ଭାଗ୍ୟ ଯେ, ଏପରି କୌଣସି ରାଜ୍ୟରେ ସେ ଦୋଷ କରି ନାହିଁ, ଯେଉଁଠାରେ ରାଜା, ରାଜମନ୍ତ୍ରୀ ଓ ରାଜକର୍ମଚାରୀମାନେ ମନୁଷ୍ୟର ପ୍ରାଣଦଣ୍ଡ ବା ଯାବଜ୍ଜୀବନ କାରାବାସରେ ଯଥେଷ୍ଟ ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ନୁହନ୍ତି !

Image

 

ବନ୍ଦୀ

 

ଜଗତ୍ ସିଂହ ନାମରେ ଜଣେ ଲୋକ ସୀମାନ୍ତ ପ୍ରଦେଶରେ ଗୋଟିଏ ସୈନ୍ୟଦଳରେ ସୈନିକ କାର୍ଯ୍ୟ କରୁଥିଲା । ଦିନେ ସେ ଘରୁ ଖଣ୍ଡିଏ ପତ୍ର ପାଇଲା, ତାହାର ମା’ ଲେଖିଛି, “ମୋର ବୟସ ଅନେକ ହେଲାଣି, ଆଉ ବୋଧ ହୁଏ ବେଶି ଦିନ ବଞ୍ଚିବି ନାହିଁ । ମୃତ୍ୟୁ ଆଗରୁ ଥରେ ତୁମକୁ ଦେଖିବାକୁ ବଡ଼ ଇଚ୍ଛା ହେଉଛି । ତୁମେ ଛୁଟି ନେଇ ଆସ, କିଛିଦିନ ଏଠାରେ ରହି ଫେରିଯିବ । ତୁମର ଯଦି ଇଚ୍ଛା ହୁଏ, ତାହା ହେଲେ ବିବାହ କରି ଏଠାରେ ରହିବ, ଆଉ ସୈନିକ କାର୍ଯ୍ୟ କରିବାକୁ ଯିବ ନାହିଁ ।” ଏହି ପତ୍ର ପାଇ ଜଗତ୍ ସିଂହ ଭାବିଲା, ମା’ର ତ ବାସ୍ତବିକ ବୟସ ହେଲାଣି, ଆଉ ବେଶି ଦିନ ବଞ୍ଚିବ ନାହିଁ; ସୁତରାଂ ଥରେ ଯାଇ ମା’କୁ ଦେଖି ଆସିବା ଉଚିତ । ଏହା ଭାବି ସେ କିଛିଦିନ ପାଇଁ ଛୁଟି ନେଇ ଘରକୁ ଯିବାକୁ ପ୍ରସ୍ତୁତ ହେଲା । ଯୁଦ୍ଧ ବରାବର ଲାଗି ରହିଥିବାରୁ ପଥ ନିରାପଦ ନ ଥିଲା । କେବେ କୌଣସି ଇଂରାଜ ସେନା ଦୁର୍ଗରୁ ବାହାରି କିଛି ଦୂରକୁ ଗଲେ ପଠାଣମାନେ ତାକୁ ଦେଖିବାମାତ୍ରକେ ମାରି ପକାଉଥିଲେ, ନଚେତ୍ ବନ୍ଦୀ କରି ନେଇ ଯାଉଥିଲେ । ତେଣୁ ଲୋକମାନେ ଯେପରି ନିରାପଦରେ ଯାଇ ପାରିବେ, ସେଥିପାଇଁ ସପ୍ତାହରେ ଦୁଇଥର ଏକଦଳ ସୈନ୍ୟ ପଥିକ ଓ ଭ୍ରମଣକାରୀମାନଙ୍କୁ ସଙ୍ଗରେ ନେଇ ଗୋଟିଏ ଦୁର୍ଗରୁ ଆଉ ଗୋଟିଏ ଦୁର୍ଗରେ ପହଞ୍ଚାଇ ଦେଇ ଆସୁଥିଲେ ।

 

ସେତେବେଳେ ଗ୍ରୀଷ୍ମକାଳ, ସକାଳେ ଏହିପରି ଦଳେ ସୈନ୍ୟ, କେତେକ ପଥିକ ଓ ସେମାନଙ୍କ ଦ୍ରବ୍ୟାଦି ବୋଝାଇ କେତେଗୁଡ଼ିଏ ଗାଡ଼ି ଅନ୍ୟ ଗୋଟିଏ ଦୁର୍ଗରେ ପହଞ୍ଚାଇ ଦେବାକୁ ବାହାରିଲେ । ଜଗତ୍ ସିଂହ ତାଙ୍କ ସଙ୍ଗରେ ଯିବାକୁ ବାହାରିଲା । ଖଣ୍ଡିଏ ଗାଡ଼ିରେ ତାହାର ଜିନିଷଗୁଡ଼ିକ ଦେଇ ନିଜେ ଗୋଟିଏ ଘୋଡ଼ାରେ ଚଢ଼ି ତାଙ୍କ ସଙ୍ଗରେ ଯାତ୍ରା କଲା; କିନ୍ତୁ ଗାଡ଼ିଗୁଡ଼ିକ ଅତ୍ୟନ୍ତ ଧୀରେ ଧୀରେ ଚାଲୁଥିଲା ଏବଂ ମଧ୍ୟେ ମଧ୍ୟେ ବାଟରେ କିଛିକ୍ଷଣ ଅଟକି ଯାଉଥିଲା; ସୁତରାଂ ସମସ୍ତଙ୍କୁ ବାଟ ମଝିରେ ବନ୍ଦ ହେବାକୁ ପଡ଼ୁଥିଲା । ଏହିପରି କରି କରି ପ୍ରାୟ ଉପରଓଳି ହେଲା, କିନ୍ତୁ ସେମାନେ ସେତେବେଳ ପର୍ଯ୍ୟନ୍ତ ଅଧେ ବାଟ ମଧ୍ୟ ଯାଇ ପାରିଲେ ନାହିଁ-। ଏହା ଦେଖି ଜଗତ୍ ସିଂହ ଭାବିଲା, ସେ ଯଦି ଆଗଭର ହୋଇ ବାହାରିଯାଏ, ତାହାହେଲେ ଭଲ ହେବ । ତାର ଘୋଡ଼ା ବେଶ ଦୌଡ଼ିପାରେ, ଯଦି ପଠାଣମାନେ ଆସନ୍ତି, ତାହାହେଲେ ସେ ପଳାଇଯାଇ ପାରିବ । ସେ ଏହିପରି ଭାବୁଛି, କରିମ ଖାଁ ନାମରେ ଆଉ ଜଣେ ସୈନିକ ଘୋଡ଼ାରେ ଚଢ଼ି ତା ପାଖକୁ ଆସି କହିଲା, “ଗରମ ଓ କ୍ଷୁଧାରେ ବଡ଼ କଷ୍ଟ ହେଉଛି, ଚାଲ ଆମ୍ଭେମାନେ ଆଗକୁ ବାହାରିଯିବା ।” ଜଗତ୍ ସିଂହ ତାକୁ ପଚାରିଲା, “ତୁମ ବନ୍ଧୁକରେ ଗୁଳି ଅଛି-?” “ହଁ ଅଛି !” ଜଗତ୍ ସିଂହ କହିଲା, “ତେବେ ଚାଲ, ଆମେ ଦୁହେଁ ବାହାରି ଯିବା; କିନ୍ତୁ ଦେଖ, ବରାବର ଏକ ସଙ୍ଗରେ ଯିବାକୁ ହେବ ।” ସେମାନେ ସାବଧାନ ହୋଇ ଚାରିଆଡ଼େ ଦେଖି ଦେଖି ଯିବାକୁ ଲାଗିଲେ । କିଛି ଦୂର ଗଲାପରେ ସେମାନେ ଦୁଇ ପର୍ବତ ମଝିରେ ଗୋଟିଏ ସଂକୀର୍ଣ୍ଣ ପଥରେ ଆସି ପହଞ୍ଚିଲେ । ଜଗତ୍ ସିଂହ କହିଲା, “ଦେଖ, ଏଠାରେ ଆମ୍ଭେମାନେ ତ ଚାରିଆଡ଼ ଦେଖିପାରୁ ନାହୁଁ । ଚାଲ ଗୋଟିଏ ପାହାଡ଼ ଉପରକୁ ଉଠି ଦେଖି ଆସିବା, ପଠାଣମାନେ ପାଖରେ ଅଛନ୍ତି କି ନାହିଁ ।” କରିମ୍‍ ଖାଁ କହିଲା, “କିଛି ପ୍ରୟୋଜନ ନାହିଁ, ଚାଲ ବାହାରିଯିବା ।” କିନ୍ତୁ ଜଗତ୍ ସିଂହ ତାହା କଥା ନ ଶୁଣି ତାକୁ ସେଠାରେ ଅପେକ୍ଷା କରିବାକୁ କହି ନିଜେ ପାହାଡ଼ ଉପରକୁ ଉଠିଲା । ପାହାଡ଼ ଉପରକୁ ଉଠି ଦେଖିଲା, ପ୍ରାୟ ୩୦ ଜଣ ପଠାଣ ତାହା ସମ୍ମୁଖରେ-। ସେମାନଙ୍କୁ ଦେଖିଲା କ୍ଷଣି ସେ ଫେରି ପଳାଇ ଆସିଲା; କିନ୍ତୁ ପଠାଣମାନେ ମଧ୍ୟ ତାକୁ ଦେଖି ପାରିଥିଲେ, ସେମାନେ ଚିତ୍କାର କରି ତା ପଛେ ପଛେ ଆସିଲେ । କରିମ୍ ସେମାନଙ୍କୁ ଦେଖି ଘୋଡ଼ା ଦଉଡ଼ାଇ ଦେଲା । କିନ୍ତ ଜଗତ୍ ସିଂହ ପଳାଇ ପାରିଲା ନାହିଁ । ପଠାଣମାନଙ୍କର ଗୋଟିଏ ଗୁଳି ଆସି ତା ଘୋଡ଼ାକୁ ଆଘାତ କଲା, ତତ୍‌କ୍ଷଣାତ୍ ଘୋଡ଼ାଟି ପଡ଼ିଗଲା ଏବଂ ସେ ମଧ୍ୟ ଘୋଡ଼ାରୁ ତଳେ ପଡ଼ି ଯାଇ ଆହତ ହେଲା । ପଠାଣମାନେ ଆସି ତାକୁ ଧରିଲେ । ତାହାର ବାଧା ଦେବାର ଶକ୍ତି ନ ଥିଲା । ସେମାନେ ତାକୁ ଧରି ସେମାନଙ୍କ ମଧ୍ୟରେ ଯାହାକୁ ସର୍ଦ୍ଦାର ବୋଲି ମନେ ହେଉଥିଲା, ତାହ ଘୋଡ଼ା ସଙ୍ଗରେ ବାନ୍ଧି ଦେଇ ସଙ୍ଗରେ ଘେନି ଚାଲିଗଲେ । ଏହିପରି ଅବସ୍ଥାରେ ଅନେକ ଦୂର ଯାଇ ଅବଶେଷରେ ସନ୍ଧ୍ୟା ପରେ ସେମାନେ ଗୋଟିଏ ଗ୍ରାମରେ ଆସି ପହଞ୍ଚିଲେ-। ସେହି ଗ୍ରାମଟି ଦେଖି ତାହ ଗୋଟିଏ ପଠାଣ ଗ୍ରାମ ବୋଲି ଜଗତ୍ ସିଂହ ବୁଝି ପାରିଲା । ସେମାନଙ୍କୁ ଦେଖି ଅନେକ ଲୋକ ସେଠାରେ ଆସି ଠିଆ ହୋଇ ଜଗତ୍ ସିଂହକୁ ଦେଖିବାକୁ ଲାଗିଲେ-। ତାକୁ ଘୋଡ଼ାରୁ ଫିଟାଇ ସେହିପରି ହାତଗୋଡ଼ ବନ୍ଧା ଅବସ୍ଥାରେ ଗୋଟିଏ ଅପରିଷ୍କୃତ ଛୋଟଘରେ ବନ୍ଦ କରିଦେଲେ । ସେହି ଘରେ ତାହାର ସମସ୍ତ ରାତ୍ରି କଟିଗଲା ।

 

ଜଗତ୍‍ସିଂହ ଅନେକ କ୍ଷଣ ତାହାର ଭାଗ୍ୟବିପର୍ଯ୍ୟୟ କଥା ଭାବିଥିଲେ । ଅନେକ ଦିନ ପରେ ସେ କେତେ ଆନନ୍ଦରେ ଘରକୁ ଯାଉଥିଲା, ବାଟରେ ଏହି ବିପଦ । କିପରି ଯେ ସେ ଏହି ଦୁର୍ଦ୍ଦାନ୍ତ ପଠାଣମାନଙ୍କ ହାତରୁ ରକ୍ଷା ପାଇବ, ତାହା ଅନେକ ଭାବି ମଧ୍ୟ କିଛି ସ୍ଥିର କରିପାରିଲା ନାହିଁ । ଏହିପରି ଭାବୁଭାବୁ ସେ ଶୋଇ ପଡ଼ିଲା । ତହିଁ ଆରଦିନ ସକାଳୁ ଉଠି ଦେଖିଲା ଯେ, ସେ ପର୍ଯ୍ୟନ୍ତ ଘର ଅନ୍ଧକାର । ସେ ଅତ୍ୟନ୍ତ ପିପାସା ବୋଧ କରିଥିଲା, କିନ୍ତୁ କିଏ ପାଣି ଦେବ ? ଅନେକ କ୍ଷଣ ପରେ କବାଟ ଫିଟାଇ ପୂର୍ବଦିନର ସେହି ସର୍ଦ୍ଦାର ସଙ୍ଗରେ ଆଉ ଗୋଟିଏ ଲୋକ ସେହି ଘରେ ପ୍ରବେଶ କଲେ । ସେ ଲୋକଟି ଖୁବ୍ ଭଲ ପୋଷାକ ପିନ୍ଧିଥିଲା ଓ ତାହାର ଅଣ୍ଟାରେ ଖଣ୍ଡେ ରୁପାର ଛୁରି ବନ୍ଧା ହୋଇଥିଲା । ସେମାନେ ନିଜ ମଧ୍ୟରେ ତାଙ୍କ ଭାଷାରେ କ’ଣ କଥା କହିଲେ ଜଗତ୍ ସିଂହ କିଛି ବୁଝିପାରିଲା ନାହିଁ । ସେ ଅନେକ କଷ୍ଟରେ ଇଙ୍ଗିତରେ ତାଙ୍କୁ ତା ପିପାସା କଥା ବୁଝାଇଲା । ତାହାର ଅଭିପ୍ରାୟ ବୁଝିପାରି ସେହି ନବାଗତ ବ୍ୟକ୍ତି ‘ମେହେର’ ବୋଲି କାହାକୁ ଡାକିଲା । ତାହାର ଡାକି ଶୁଣି ୧୩।୧୪ ବର୍ଷର ଗୋଟିଏ ବାଳିକା ଆସିବାରୁ ତାକୁ ସେ ନିଜ ଭାଷାରେ କ’ଣ କହିଲା । ବାଳିକାଟି ଚାଲିଗଲା, ଅଳ୍ପକ୍ଷଣ ପରେ ସାମାନ୍ୟ ଖାଦ୍ୟ ଓ ଗୋଟିଏ ପାତ୍ରରେ ପାଣି ଆଣି ଜଗତ୍ ସିଂହକୁ ଦେଲା । ଜଗତ୍ ସିଂହ ସେତକ ଶେଷ କଲାରୁ ସେ ପାତ୍ର ଘେନି ଚାଲିଗଲା । ସେ ଦୁଇ ବ୍ୟକ୍ତି ମଧ୍ୟ ଘରର କବାଟ ବନ୍ଦ କରି ଦେଇ ଚାଲିଗଲେ । କିଛିକ୍ଷଣ ପରେ ଜଣେ ଚାକର ଆସି ଜଗତ୍ ସିଂହକୁ ସଙ୍ଗରେ ଡାକି ଘେନିଗଲା । ବନ୍ଧା ହୋଇଥିବାରୁ ତାହାର ଚାଲିବାକୁ ଅତ୍ୟନ୍ତ କଷ୍ଟ ହେଉଥିଲା, କିନ୍ତୁ ଉପାୟ ନଥିବାରୁ ତାକୁ ଯିବାକୁ ହୋଇଥିଲା । ସେ ତାକୁ ଗୋଟିଏ ଘରକୁ ଘେନିଗଲା । ସେ ଘରେ ସକାଳର ସେହି ଦୁଇଜଣ ଲୋକ ଓ ଅନ୍ୟ କେତେ ଜଣ ଲୋକ ବସିଥିଲେ । ତାଙ୍କ ମଧ୍ୟରୁ ଜଣେ ହିନ୍ଦୀଭାଷା ଜାଣିଥିଲା । ସେ ଜଗତ୍ ସିଂହକୁ ସକାଳର ସେହି ନୂତନ ଲୋକଟିକୁ ଦେଖାଇଦେଇ କହିଲା, ସେ ବର୍ତ୍ତମାନ ତାହା ହାତରେ ବନ୍ଦୀ, ସେମାନେ କାଗଜ କଲମ ଆଣି ଦେବେ, ତାକୁ ଘରକୁ ଟଙ୍କା ପାଇଁ ଚିଠି ଦେବାକୁ ହେବ, ଟଙ୍କା ଆସିଲେ ସେମାନେ ସେହି ଟଙ୍କା ନେଇ ତାକୁ ଛାଡ଼ିଦେବେ । କେତେ ଟଙ୍କା ସେମାନେ ଚାହାନ୍ତି, ଜଗତ୍ ସିଂହ ପଚାରିବାରୁ ସେମାନେ କହିଲେ ଦୁଇ ହଜାର ଟଙ୍କା ପାଇଲେ ତାକୁ ଛାଡ଼ିଦେବେ । ଜଗତ୍ ସିଂହ କହିଲା ଏତେ ଟଙ୍କା ସେ ଦେଇ ପାରିବ ନାହିଁ । ପାଞ୍ଚ ଶତ ଟଙ୍କା ପାଇଁ ସେ ଚିଠି ଲେଖିଦେବ । ଏହି କଥା ବୁଝାଇ ଦେବାରୁ ସେହି ନୂତନ ଲୋକଟି ଅତ୍ୟନ୍ତ ଉତ୍ତେଜିତ ହୋଇ କଣ କହିଲା । ଯେଉଁ ଚାକରଟି ଜଗତ୍ ସିଂହକୁ ସେଠାକୁ ଆଣିଥିଲା, ସେ ସେଠାରୁ ଉଠିଗଲା । ସମସ୍ତେ କିଛିକ୍ଷଣ ଅପେକ୍ଷା କରି ରହିଲେ । କିଛିକ୍ଷଣ ପରେ ଲୋକଟି ଆଉଜଣେ ବନ୍ଦୀକୁ ଘେନି ସେଠାକୁ ଆସିଲା । ଜଗତ୍ ସିଂହ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ଵିତ ହୋଇ ଦେଖିଲା ଯେ, ସେ ତାହାର ସଙ୍ଗୀ କରିମ୍ ଖାଁ । ତାହାହେଲେ କାଲି ସ୍ଵାର୍ଥପର ପରି ଜଗତ୍ ସିଂହକୁ ଛାଡ଼ି ପଳାଇ ଆସିବାରେ କରିମର କିଛି ଲାଭ ହୋଇ ନାହିଁ । କରିମକୁ ଦେଖାଇ ପୂର୍ବୋକ୍ତ ବ୍ୟକ୍ତି କହିଲା, “ତୁମକୁ ଟଙ୍କା ଦେବାକୁ କହିବାରୁ ତୁମେ ରାଜି ହେଉ ନାହଁ, କିନ୍ତୁ ତୁମ ସଙ୍ଗୀ ଦୁଇହଜାର ଟଙ୍କା ପାଇଁ ଲେଖିଅଛି । ତାକୁ ଆମେମାନେ ଭଲ ଖାଦ୍ୟ ଦେବୁଁ ଓ ଟଙ୍କା ପାଇଲେ ଛାଡ଼ିଦେବୁଁ ।” ଜଗତ୍ ସିଂହ କହିଲା, “ମୋହର ସଙ୍ଗୀ ଯାହା ଇଚ୍ଛା ତାହା କରିପାରେ, କିନ୍ତୁ ମୁଁ ପାଞ୍ଚ ଶତରୁ ବେଶି ଦେଇପାରିବି ନାହିଁ । ତୁମେମାନେ ଯଦି ରାଜି ନ ହୁଅ, ତାହାହେଲେ କିଛି ପାଇବ ନାହିଁ ।” ସେମାନେ ନିଜ ମଧ୍ୟରେ କିଛିକ୍ଷଣ ପରାମର୍ଶ କଲେ, ଅନ୍ୟ ଉପାୟ ନ ଦେଖି ଜଗତ୍ ସିଂହର ପ୍ରସ୍ତାବରେ ରାଜିହେଲେ । ଜଗତ୍ ସିଂହ କହିଲା, ‘ଆମମାନଙ୍କୁ ଭଲ ଖାଦ୍ୟ ଦେବାକୁ ହେବ ।” ସେହି ଲୋକଟି କହିଲା, “ତୁମମାନଙ୍କୁ ଯଥେଷ୍ଟ ଖାଦ୍ୟ ଦିଆଯିବ, ତୁମେମାନେ ଇଚ୍ଛା କଲେ ଏକ ସଙ୍ଗରେ ରହିପାର; କିନ୍ତୁଜ ବନ୍ଧନ ଫିଟାଯିବ ନାହିଁ-। କାରଣ ତାହାହେଲେ ତୁମେ ପଳାଇବ ।” ତହୁଁ ଜଗତ୍ ସିଂହ ତା ଘରକୁ ଚିଠି ଲେଖିଲା, କିନ୍ତୁ ଉପରେ ଭୁଲ ଠିକଣା ଲେଖଦେଲା; କାରଣ ସେ ପଳାଇଯିବ ବୋଲି ଠିକ୍ କରିଥିଲା । ତତ୍‌ପରେ ଜଗତ୍ ସିଂହ ଯେଉଁ ଘରେ ବନ୍ଦୀ ହୋଇଥିଲା, ସେହିଠାକୁ ପୁଣି ସେମାନଙ୍କୁ ଘେନିଗଲେ ଏବଂ ଦୁହିଙ୍କୁ କିଛି ଖାଦ୍ୟ ଓ ଗୋଟିଏ ଲେଖାଏଁ ପୁରୁଣା ପୋଷାକ ଦେଲେ । ରାତ୍ରରେ ସେମାନଙ୍କ ବନ୍ଧନ ଫିଟାଇ ଦିଆ ଯାଇଥିଲା; କିନ୍ତୁ ଘରର ଦ୍ଵାର ବନ୍ଦ କରି ଦିଆହେଲା ।

 

ଏହିପରି ମାସେ କଟିଗଲା । ଜଗତ୍ ସିଂହ ଓ କରିମ୍ ସେହି ଘରେ ଥା’ନ୍ତି । କରିମ୍ ପ୍ରାୟ ସମସ୍ତ କ୍ଷଣ ବସି ବସି ଭାବୁଥାଏ । ତାହାର ଘରୁ ଚିଠିର କିଛି ଉତ୍ତର ଆସିଲା ନାହିଁ । ଜଗତ୍ ସିଂହ ଜାଣେ, ଘରେ କେହି ତାହାର ପତ୍ର ପାଇ ନ ଥିବେ । ସେ ଆଉ ମଧ୍ୟ ଚିଠି ଲେଖିଲା ନାହିଁ; କାରଣ ସେ ଭବିଲା, “ମୋର ମା’ କେଉଁଠାରୁ ପାଞ୍ଚଶ ଟଙ୍କା ପାଇବେ ଯେ, ପଠାଇବ ? ମୁଁ ଯାହା ପଠାଉଥିଲି, ସେଥିରେ ତ କୌଣସିମତେ ତାହାର ଖରଚ ଚଳୁଥିଲା । ମୁଁ ଲେଖିଲେ ସେ ହୁଏତ କୌଣସିରୂପେ ଟଙ୍କା ଧାର କରି ପଠାଇବ, କିନ୍ତୁ ସେ ଟଙ୍କା ଶୁଝିବ କିପରି ? ସେତେବେଳକୁ ପଠାଣମାନେ ଦିନବେଳେ ସେମାନଙ୍କୁ ଚାରିଆଡ଼େ ବୁଲିବାକୁ ଛାଡ଼ି ଦେଉଥିଲେ, ରାତିରେ ସେହି ଘରେ ବନ୍ଦ କରି ରଖୁଥିଲେ । ଜଗତ୍ ସିଂହ ବେଶ୍ ସୁନ୍ଦର ଖେଳନା ତିଆରି କରି ପାରୁଥିଲା, ଅନେକ ସମୟରେ ସେ ଖେଳନା ତିଆରି କରି ତାହାର ପ୍ରଭୁକନ୍ୟା ମେହେରକୁ ଦିଏ, ତାହା ପାଇଁ ମେହେରେ ତାହା ପ୍ରତି ଅତ୍ୟନ୍ତ ସନ୍ତୁଷ୍ଟ ହୋଇଥିଲା । ସେ ମଝିରେ ମଝିରେ ଗୋପନରେ ଜଗତ୍ ସିଂହକୁ ଦୁଧ କିମ୍ବା ଅନ୍ୟ କିଛି ସୁଖାଦ୍ୟ ଆଣି ଦେଉଥିଲା । ତାହାର ପ୍ରଭୁର ଗୋଟିଏ ଘଡ଼ି ଥିଲା, ସେଇଟି ଖରାପ ହୋଇ ଯାଇଥିଲା । ଜଗତ୍ ସିଂହ ଘଡ଼ିଟି ମରାମତି କରି ଦେବାରୁ ତାହାର ପ୍ରଭୁ ମଧ୍ୟ ଅତ୍ୟନ୍ତ ଖୁସି ହୋଇଥିଲା । କ୍ରମେ କ୍ରମେ ଜଗତ୍ ସିଂହ ପଠାଣମାନଙ୍କ କଥା କିଛି କିଛି ଶିଖିଲା ଓ ଅନେକଙ୍କ ସଙ୍ଗରେ ତାହାର ଭାବ ହୋଇଗଲା; କିନ୍ତୁ ଦୁଇଜଣ ଲୋକ ତାକୁ ସୁଖ ପାଉ ନ ଥିଲେ । ପ୍ରଥମ ଦିନ ଯାହା ଘୋଡ଼ାରେ ବାନ୍ଧି ଜଗତ୍ ସିଂହକୁ ଆଣିଥିଲେ, ସେ ତାକୁ ଦେଖିଲାକ୍ଷଣି ଅତ୍ୟନ୍ତ ରାଗ ଓ ଘୃଣାରେ ତା ଆଡ଼କୁ ଚାହିଁ । ଆଉ ଗୋଟିଏ ଅତ୍ୟନ୍ତ ବୃଦ୍ଧ ଲୋକ ଜଗତ୍ ସିଂହକୁ ଦେଖିଲେ ଅତ୍ୟନ୍ତ ରାଗିଯାଏ । ଦିନେ ଜଗତ୍ ସିଂହ ବୁଲୁବୁଲୁ ସେହି ବୃଦ୍ଧ ଘର ପର୍ଯ୍ୟନ୍ତ ଗଲା, ବୃଦ୍ଧ ତାକୁ ଦେଖି ପାରି ଅତ୍ୟନ୍ତ ରାଗି ତାହାର ପ୍ରଭୁ ନିକଟରେ ଆସି ତାହା ନାମରେ ଅଭିଯୋଗ କଲା । ପ୍ରଭୁ ତାକୁ ପଚାରିବାରେ ସେ କହିଲା, “ବୃଦ୍ଧ କ’ଣ କରେ, ଦେଖିବାକୁ ଯାଇଥିଲି । ମୋର ଅନ୍ୟ କିନ୍ତୁ କିଛି ଉଦ୍ଦେଶ୍ୟ ନ ଥିଲା । ସେ କିଏ ଏବଂ ମୋ ପ୍ରତି ତାହାର ଏପରି ଭାବ କାହିଁକି ?” ତାହାର ପ୍ରଭୁ କହିଲା, “ସେ ଆମମାନଙ୍କ ମଧ୍ୟରେ ଖୁବ୍ ବିଖ୍ୟାତ ଲୋକ । ସେ ଅନେକ ବିଦେଶୀଙ୍କୁ ଚିହ୍ନି ହତ୍ୟା କରିଅଛି । ପୂର୍ବେ ସେ ଖୁବ୍ ବଡ଼ଲୋକ ଥିଲା, ଥରେ ବିଦେଶୀମାନେ ତାର ଗ୍ରାମ ଆକ୍ରମଣ କରି ତାହାର ପରିବାରର ଲୋକମାନଙ୍କୁ ମାରି ପକାଇଲେ । ସେହିଦିନଠାରୁ ବିଦେଶୀମାନଙ୍କ ଉପରେ ତାହାର ଭାରି ରାଗ । ସେ ମକ୍‌କା ଯାଇଥିଲା, ସେଥିପାଇଁ ତାକୁ ସମସ୍ତେ ‘ହାଜି’ କହନ୍ତି । ସେ ତୁମକୁ ମାରି ପକାଇବାକୁ ମତେ କହୁଥିଲା, କିନ୍ତୁ ମୁଁ ଶୁଣିଲି ନାହିଁ । ମୁଁ ତୁମକୁ ଆଜିକାଲି ବେଶ୍ ସେହ୍ନ କରେ । ମୁଁ ଯଦି ପ୍ରତିଜ୍ଞା ନ କରିଥାନ୍ତି, ତାହାହେଲେ ଟଙ୍କା ପାଇଲେ ମଧ୍ୟ ତୁମକୁ ଛାଡ଼ନ୍ତି ନାହିଁ ?”

 

ଏହିପରି ଭାବରେ ଆଉ ମାସେ କଟିଗଲା । ଜଗତ୍‌ସିଂହ ଦିନଯାକ ଗ୍ରାମ ଭିତରେ ବୁଲି କାମ କରେ ଏବଂ ରାତିରେ ତାଙ୍କ ଘରର କାନ୍ଥତଳୁ ଗୋଟିଏ ଗାତ ଖୋଳିବାକୁ ଚେଷ୍ଟା କରେ । କିନ୍ତୁ ସେହି ସ୍ଥାନରେ ଅତ୍ୟନ୍ତ ପଥର ଥିବାରୁ ଖୋଳିବା କଷ୍ଟକର ହୋଇଥିଲା, ତଥାପି ପ୍ରତିଦିନ ରାତିରେ ଚେଷ୍ଟା କରି ଅବଶେଷରେ ସେ ଠିକ୍ କାନ୍ଥ ସେପଟକୁ ଯାଇ ପାରିବା ପରି ଗୋଟିଏ ଗାତ ଖୋଳି ପାରିଥିଲା ।

 

ଦିନେ ତାହାର ପ୍ରଭୁ ଘରେ ନ ଥିଲା । ସେଦିନ ସେ ଗ୍ରାମର ପ୍ରାନ୍ତରେ ଯେଉଁ ପାହାଡ଼ ଥିଲା, ସେହି ପାହାଡ଼ ଉପରେ ଚଢ଼ି ଚାରିଆଡ଼ ଦେଖିବ ବୋଲି ବାହାରିଲା । କିନ୍ତୁ ତାହାର ପ୍ରଭୁ କୌଣସିଠାକୁ ଗଲେ ସର୍ବଦା ତା ପୁଅ ହାତରେ ଜଗତ୍ ସିଂହକୁ ଜଗିବାର ଭାର ଦେଇଯାଏ । ସୁତରାଂ ସେ ଯେତେବେଳେ ବାହାରିଲା ସେତେବେଳେ ତାହାର ପ୍ରଭୁର ପୁଅ ଆସି କହିଲା, “ବାବା ନିଷେଧ କରି ଯାଇଛନ୍ତି, ତୁମେ କେଉଁଠାକୁ ଯିବ ନାହିଁ, ତୁମେ ଯଦି ଫେରି ନ ଆସ, ତାହାହେଲେ ମୁଁ ଲୋକ ଡାକିବି ।” ଜଗତ୍ ସିଂହ କହିଲା “ମୁଁ ପଳାଇ ଯାଉ ନାହିଁ, ମୁଁ କେବଳ ସେହି ପାହାଡ଼ ଉପରକୁ ଏକପ୍ରକାର ଚେର ଖୋଜିବାକୁ ଯାଉଛି, ତୁମେ ମୋ ସଙ୍ଗରେ ଆସିପାର ।” ତତ୍ପରେ ସେ ସେହି ପାହାଡ଼ ଉପରକୁ ଉଠି ଚାରିଆଡ଼ ଦେଖିବାକୁ ଲାଗିଲା । ସେଦିନ ଗ୍ରାମରେ ବେଶୀ ଲୋକ ନଥିବାରୁ ବନ୍ଦୀମାନଙ୍କ ଗୋଡ଼ ବନ୍ଧା ହୋଇଥିଲା, କିନ୍ତୁ ଏପରିଭାବରେ ବନ୍ଧା ହୋଇଥିଲା, ଯେପରି ସେମାନେ ଆସ୍ତେ ଆସ୍ତେ ଚାଲି ପାରିବେ । ତେଣୁ ପାହାଡ଼ ଉପରକୁ ଉଠିବାକୁ ଜଗତ୍ ସିଂହର ଖୁବ୍ କଷ୍ଟ ହୋଇଥିଲା । ଗ୍ରାମର ଦକ୍ଷିଣରେ କେତେକ ଦୂରରେ ସେ କେତେଗୁଡ଼ିଏ ଘୋଡ଼ା ଚରୁଥିବାର ଦେଖିଲା ଏବଂ ତା ପରେ ଆଉ ଗୋଟିଏ ପଠାଣ ଗ୍ରାମ ଥିବା ପରି ବୋଧ ହେଲା । ତହିଁ ଉତ୍ତାରେ ପରସ୍ପର ଠାରୁ କିଛି ଦୂରରେ ଦିଓଟି ପାହାଡ଼ ଦେଖା ଯାଇଥିଲା । ପାହାଡ଼ ମଝିରେ ଜଙ୍ଗଲ ତା ପରେ ଖୁବ୍ ବଡ଼ ବଡ଼ ପର୍ବତ । ପୂର୍ବ ଓ ପଶ୍ଚିମରେ ମଧ୍ୟ ସେହିପରି ପାହାଡ଼ ସବୁ ଦେଖା ଯାଉଥିଲା ଏବଂ ମଝିରେ ଧୂଆଁ ଉଠୁଥିବାର ଦେଖି ଜଗତ୍ ସିଂହ ବୁଝି ପାରିଥିଲା ଯେ, ସେ ସବୁ ପଠାଣମାନଙ୍କ ଦେଶ । ତହୁଁ ସେ ଅନ୍ୟ ପାଖକୁ ଫେରି ଅନାଇଲା-। ଠିକ୍ ପାହାଡ଼ ତଳେ ଗୋଟିଏ ନଦୀ ଥିଲା । ତା ପରେ ଦକ୍ଷିଣରେ ଥିବା ପାହାଡ଼ ଅପେକ୍ଷା କମ୍ ଉଚ୍ଚ ଗୋଟିଏ ପାହାଡ଼ ଦେଖିଲା । ତା ପରେ ଆଉ ଦିଓଟି ପାହାଡ଼ ଏବଂ ସେହି ପାହାଡ଼ ପରେ ଅନେକ ଦୂରରେ ଗୋଟିଏ ସ୍ଥାନରୁ ଅନେକ ଧୂଆଁ ଉଠୁଥିବାର ଜଣାଗଲା । ଜଗତ୍ ସିଂହ ମନେ କଲା, ସେ ଯେଉଁ ଦୁର୍ଗରେ ଥିଲା, ସେହି ଦୁର୍ଗ ନିଶ୍ଚୟ ସେହି ଆଡ଼େ ଥିବ । ପଳାଇବାକୁ ହେଲେ ସେହି ଆଡ଼କୁ ପଳାଇ ଯିବା ନିରାପଦ । ଭଲକରି ସେହି ଆଡ଼ ଦେଖି ପ୍ରାୟ ସନ୍ଧ୍ୟା ସମୟରେ ସେ ପାହାଡ଼ରୁ ଓହ୍ଲାଇ ଗ୍ରାମକୁ ଆସିଲା ।

 

ସେହିଦିନ ରାତିରେ ପଳାଇବ ବୋଲି ସେ ସ୍ଥିର କରିଥିଲା କିନ୍ତୁ ତାହାର ପ୍ରଭୁ ଓ ଅନ୍ୟାନ ପଠାଣମାନେ ସେହିଦିନ ଫେରି ଆସିଲେ । ସେଦିନ ସେମାନେ ସଙ୍ଗରେ ଗୋଟିଏ ମୃତ ଦେହ ବହନ କରି ଆଣିଥିଲେ । ଜଗତ୍ ସିଂହ ଯେଉଁ ପଠାଣ ସଙ୍ଗରେ ସେହି ଗ୍ରାମକୁ ଆସିଥିଲା, ସେ ଦିନ ତାହାର ଭାଇ ହତ ହୋଇଥିଲା । ସୁତରାଂ ସେଦିନ ରାତ୍ରିରେ ସେ ଆଉ ପଳାଇ ପାରିଲା ନାହିଁ । ତତ୍ପରଦିନ ଜଣେ ମୋଲ୍ଲା ଆସିଲା ଓ ତାଙ୍କ ପ୍ରଥାନୁସାରେ ପଠାଣମାନେ ସେହି ମୃତ ବ୍ୟକ୍ତିକୁ କବର ଦେଲେ । ଦୁଇ ତିନି ଦିନ ସେମାନେ ଆଉ ଘରୁ ବାହାରିଲେ ନାହିଁ । ତା’ ପରେ ସେମାନେ ପୁଣି ଦଳଦଳ ଘେନି ବାହାରିଲେ; କିନ୍ତୁ ସେଥର ଜଗତ୍ ସିଂହର ପ୍ରଭୁ ଘରେ ରହିଲା । ସେହି ଦିନ ପଳାଇବ ବୋଲି ସ୍ଥିର କରି ସେ କରିମକୁ କହିଲା । କିନ୍ତୁ କରିମର ସାହସ ହେଲା ନାହିଁ-। ସେ କହିଲା, “କିପରି ଆମେମାନେ ପଳାଇବା ? ଆମେମାନେ ତ ବାଟ ଜାଣୁ ନାହିଁ-।” ଜଗତ୍ ସିଂହ କହିଲା, ସେ ବାଟ ଜାଣିଲେ ମଧ୍ୟ କଣ ହେବ, ଆମେମାନେ ତ ଆଉ ଏକ ରାତ୍ରିରେ ଦୁର୍ଗରେ ପହଞ୍ଚିପାରିବା ନାହିଁ !” ଜଗତ୍ ସିଂହ କହିଲା, “ନ ପାରିଲେ ବଣରେ ଲୁଚି ରହିବା । ଏହି ଦେଖ, ମୁଁ କିଛି ଖାଦ୍ୟ ସଞ୍ଚୟ କରିଅଛି । ଏଠାରେ ରହି ଫଳ କଣ ? ଘରୁ ଯଦି ତୁମର ଟଙ୍କା ଆସେ, ତାହା ହେଲେ ଭଲ; କିନ୍ତୁ ଯଦି ସେମାନେ ଟଙ୍କା ପଠାଇ ନ ପାରନ୍ତି; ତାହାହେଲେ ତୁମେ କ’ଣ କରିବ-? ଇଂରାଜମାନେ ତାଙ୍କର ଜଣେ ଲୋକକୁ ମାରିଅଛନ୍ତି ବୋଲି ପଠାଣମାନେ ଅତ୍ୟନ୍ତ ରାଗି ଅଛନ୍ତି-। ଆମମାନଙ୍କୁ ହତ୍ୟା କରିବେ ବୋଲି ସେମାନେ କଥାବାର୍ତ୍ତା ହେଉଥିଲେ ।” କରିମ କିଛିକ୍ଷଣ ଭାବି ଶେଷରେ ପଳାଇବାପାଇଁ ସମ୍ମତି ହେଲା । ଜଗତ୍ ସିଂହ ଗାତ ପାଖକୁ ଯାଇ ତାକୁ ଆଉ ଟିକିଏ ବଡ଼ କରିଦେଲା । କାରଣ କରିମ୍ ଟିକିଏ ମୋଟା ଥିଲା । ଜଗତ୍ ସିଂହ ଆଗ ବାହାରକୁ ବାହାରି ଆସିଲା, ତା ପରେ କରିମ୍ ଆସିଲା, ସେ ଆସିଲାବେଳକୁ ଗୋଟାଏ ପଥର ଉପରୁ ପଡ଼ିଯିବାରୁ ଶବ୍ଦ ହେଲା, ସେହି ଶବ୍ଦ ଶୁଣି ସେମାନଙ୍କ ପ୍ରଭୁର କୁକୁର ଚିତ୍କାର କରିଉଠିଲା । ଜଗତ୍ ସିଂହ କେତେଦିନ ପୂର୍ବରୁ ସେହି କୁକୁରକୁ ଖାଇବାକୁ ଦେଇ ବଶ କରିଥିଲା । ବର୍ତ୍ତମାନ ତା ପାଖକୁ ଯାଇ ତା ଦେହରେ ହାତ ଦେବାରୁ ସେ ତାକୁ ଚିହ୍ନି ପାରି ତୁନି ହେଲା । ପରେ ସେମାନେ ବାହାରି ସେହି ପାହାଡ଼ ପାଖ ଦେଇ ନଦୀକୂଳକୁ ଗଲେ । ନଦୀ ପାର ହୋଇ ଯେଉ ଆଡ଼େ ଦୁର୍ଗ ଅଛି ବୋଲି ଜଗତ୍ ସିଂହ ସ୍ଥିର କରିଥିଲା, ସେମାନେ ସେହି ଆଡ଼କୁ ଚାଲିଲେ । ଗୋଡ଼ର ବୁଟ ଯୋତା ଅତ୍ୟନ୍ତ ଭାରି ଥିବାରୁ ଚାଲିବାକୁ କଷ୍ଟ ହେଉଥିଲା । ଜଗତ୍ ସିଂହ ତାହାର ବୁଟ ବାହାର କରି ପକାଇଦେଲା-। କରିମ କିନ୍ତୁ ତାହା ସାଙ୍ଗରେ ଚାଲି ପାରୁ ନ ଥାଏ, ସେ ଜଗତ୍ ସିଂହକୁ ଆସ୍ତେ ଆସ୍ତେ ଚାଲିବାକୁ କହିଲା; କିନ୍ତୁ ଯୋତା କାଢ଼ି ମଧ୍ୟ କରିମ୍ ଜଗତ୍ ସିଂହ ସାଙ୍ଗରେ ଚାଲି ପାରିଲା ନାହିଁ । ପଥରରେ ତା ଗୋଡ଼ ଖଣ୍ଡିଆ ହୋଇଯିବାରୁ ସେ ପୁଣି ପଛରେ ପଡ଼ିଗଲା । ଜଗତ୍ ସିଂହ କହିଲା, “ଶୀଘ୍ର ଚାଲି ଆସ, ପଥରରେ ଗୋଡ଼ ଖଣ୍ଡିଆ ହେଲେ ଗୋଡ଼ ଭଲ ହୋଇଯିବ, କିନ୍ତୁ ପଠାଣମାନେ ଯଦି ଆମମାନଙ୍କୁ ଧରନ୍ତି, ତାହାହେଲେ ଏକାବେଳକେ ମାରି ପକାଇବେ ।” କରିମ୍ କିଛି ଉତ୍ତର ନ ଦେଇ ଜଗତ୍ ସିଂହ ସଙ୍ଗରେ ଚାଲିବାକୁ ଯଥାସାଧ୍ୟ ଚେଷ୍ଟା କଲା ।

 

ଅନେକ କ୍ଷଣ ଯାଏ ସେମାନଙ୍କୁ ଗୋଟିଏ ଉପତ୍ୟକା ଦେଇ ଯିବାକୁ ହୋଇଥିଲା । ହଠାତ୍ ସେମାନେ ଡାହାଣ ଆଡ଼ୁ କୁକୁର ଭୁକିବାର ଶବ୍ଦ ଶୁଣିଲେ । ଜଗତ୍ ସିଂହ ଅତି କଷ୍ଟରେ ପାଖରେ ଥିବା ପାହାଡ଼ ଉପରକୁ ଉଠି ଦେଖି କହିଲା, “ଆମେମାନେ ଭୁଲ କରି ବେଶି ଡାହାଣକୁ ଚାଲି ଆସିଅଛୁଁ । ଏଠାରେ ଆଉ ଗୋଟିଏ ପଠାଣ ଗ୍ରାମ ଅଛି । ବର୍ତ୍ତମାନ ଫେରି ବାଁ ଆଡ଼କୁ ଯିବାକୁ ହେବ । ପର୍ବତ ସେ ପାଖରେ ନିଶ୍ଚୟ ଗୋଟିଏ ଜଙ୍ଗଲ ଅଛି । କରିମ କହିଲା, “ଏଠାରେ ଟିକିଏ ବିଶ୍ରାମ କରିବା, ମୋର ଗୋଡ଼ ଫାଟି ରକ୍ତ ବହୁଅଛି ।” କିନ୍ତୁ ସେଠାରେ ବିଳମ୍ବ ନ କରି ଶୀଘ୍ର ବାହାରି ଯିବାକୁ କହି ଜଗତ୍ ସିଂହ ନିଜେ ଆଗଭର ହୋଇ ଚାଲିଲା । କରିମ ଅତି କଷ୍ଟରେ ତା ପଛେ ପଛେ ଯାଉଥିଲା । ସେହି ପାହାଡ଼ ପାଖକୁ ଆସି ଜଗତ୍ ସିଂହର ଅନୁମାନ ଅନସାରେ ଗୋଟିଏ ଜଙ୍ଗଲ ଦେଖି ସେମାନେ ତା ଭିତରେ ପଶିଲେ । କିଛି ଦୂର ଅତିକଷ୍ଟରେ ଗଛ ପତ୍ର, କଣ୍ଟାବୁଦା ଭିତର ଦେଇ ଯାଇ ସେମାନେ ଜଙ୍ଗଲ ଭିତରେ ଗୋଟିଏ ସରୁ ରାସ୍ତା ଦେଖି ସେହି ରାସ୍ତାରେ ଚାଲିଲେ । ଜଗତ୍ ସିଂହର ମନେହେଲା, ସେହି ରାସ୍ତାରେ ପଠାଣମାନେ ତାକୁ ଆଣିଥିଲେ; କିନ୍ତୁ ସେ ନିଶ୍ଚିତରୂପେ କିଛି ଜାଣି ପାରୁ ନ ଥିଲା । ତାର ମନେ ହେଲା, ଦୁର୍ଗ ଆଉ ୭।୮ ମାଇଲ ଦୂରରେ ଅଛି । ଏହିପରି କିଛି ଦୂର ଯିବା ପରେ କରିମ୍ ଗୋଟିଏ ଜାଗାରେ ବସିପଡ଼ି କହିଲା, ‘ତୁମର ଯାହା ଇଚ୍ଛା କର, ମୁଁ ଆଉ ଯାଇପାରିବି ନାହିଁ । “ଜଗତ୍ ସିଂହ ତାକୁ ଅନେକ ବୁଝାଇଲା, କିନ୍ତୁ କରିମ୍ କୌଣସି ମତେ ଯିବାକୁ ରାଜି ହେଲା ନାହିଁ । ତହୁଁ ଜଗତ୍ ସିଂହ ବିରକ୍ତ ହୋଇ କହିଲା, “ଆଚ୍ଛା, ତୁମେ ନ ଯାଅ ମୁଁ ଏକା ଯିବି ।” ଜଗତ୍ ସିଂହ ବାହାରିବାରୁ କରିମ୍ ମଧ୍ୟ ଭୀତ ହୋଇ ତାହା ସଙ୍ଗରେ ଚାଲିଲା ।

 

ହଠାତ୍ ସେମାନେ ସମ୍ମୁଖରେ ଘୋଡ଼ାର ଟାପୁ ଶବ୍ଦ ଶୁଣି ପାରିଲେ । ଦୌଡ଼ିଯାଇ ସେମାନେ ଗୋଟିଏ ବୁଦା ଭିତରେ ଲୁଚି ରହି ଦେଖିଲେ, ତାଙ୍କଠାରୁ କିଛି ଦୂରରେ ଜଣେ ପଠାଣ ଘୋଡ଼ାରେ ଚଢ଼ି ଚାଲିଗଲା । ତହୁଁ ଜଗତ୍ ସିଂହ କହିଲା, “ସେ ଚାଲି ଗଲାଣି, ଚାଲ ଯିବା ।’ କରିମ୍ ଉଠିବାକୁ ଚେଷ୍ଟା କଲା କିନ୍ତୁ ଉଠି ନ ପାରି କହିଲା, “ମୋର ଆଉ ଶକ୍ତି ନାହିଁ, ମୁଁ ପାରିବି ନାହିଁ । “ଜଗତ୍ ସିଂହ ତାକୁ ଉଠାଇବାକୁ ଚେଷ୍ଟା କରିବାକୁ ସେ ଚିତ୍କାର କରି ଉଠିଲା । ଜଗତ୍ ସିଂହ ଅତ୍ୟନ୍ତ ଭୀତ ହୋଇ କହିଲା, “ତୁମେ କାହିଁ ଏପରି ଚିତ୍କାର କରୁଛ ? ସେ ପଠାଣ ବେଶି, ଦୂର ଯାଇ ନାହିଁ, ସେ ନିଶ୍ଚୟ ତୁମ ଚିତ୍କାର ଶୁଣିଥିବ ! ତାହାପରେ ସେ ଭାବିଲା, ଏ ତ ଯାଇପାରିବ ନାହିଁ, ମୁଁ କଣ କରିବି ? ସଙ୍ଗୀକି ଛାଡ଼ି ମୁଁ କେବେ ଯିବି ନାହିଁ ! ତହୁଁ ସେ କରିମକୁ କହିଲା ? ତୁମେ ମୋ କାନ୍ଧରେ ବସ, ମୁଁ ତୁମକୁ ନେଇଯିବି ! କରି୍ମ ତା କାଦ୍ଧରେ ବସିଲା, କିନ୍ତୁ ତାକୁ ନେଇଯିବା ଜଗତ୍ ସିଂହ ପକ୍ଷରେ ଅତ୍ୟନ୍ତ କଷ୍ଟକର ହୋଇଥିଲା କାରଣ ସେ ନିଜେ କ୍ଳାନ୍ତ ହେଇ ପଡ଼ିଥିଲା, ଏଣେ କରିମ୍‍ ମଧ୍ୟ ମୋଟା ଓ ଭାରି ଥିଲା ସେହି ପଠାଣ କରିମର ଚିତ୍କାର ଶୁଣି ଫେରି ଆସୁଥିଲା । ପଛରେ ଘୋଡ଼ାରେ ଟାପୁଶବ୍ଦ ଶୁଣି ଜଗତ୍ ସିଂହ ଗୋଟିଏ ବୁଦା ପଛରେ ଲୁଚିବାକୁ ଚେଷ୍ଟା କରିଥିଲା, କିନ୍ତୁ ପଠାଣ ତାଙ୍କୁ ଦେଖିପାରି ଗୁଳି କଲା । ସୌଭାଗ୍ୟକ୍ରମେ ସେମାନଙ୍କ ଦେହରେ ନ ଲାଗି ପାଖ ଦେଇ ଚାଲି ଗଲା । ସେ ପଠାଣ ଚିତ୍କାର କରି, କ’ଣ କହି କହି ଚାଲିଗଲା-। ଜଗତ୍ ସିଂହ କହିଲା; ଏଥର ଆଉ ଆମମାନଙ୍କର ରକ୍ଷା ନାହିଁ-। ସେ ତାହାର ସଙ୍ଗୀମାନଙ୍କୁ ଡାକିବାକୁ ଯାଇଅଛି । ଏହା ଭିତରେ ୨ । ୩ ମାଇଲ ଚାଲି ଯାଇ ନ ପାରିଲେ ଆଉ ରକ୍ଷା ନାହିଁ । “ତାହାପରେ ସେ ମନେମନେ ଭାବିଲା, ‘ଏହି ବୋଝ ନେଇ ମୁଁ କିପରି ଯିବି ? ଏ ନ ଥିଲେ ମୁଁ ଅନେକ ଦୂର ଚାଲି ଯାଇଥାନ୍ତି । ‘କରିମ୍ କହିଲା, “ମୋ ପାଇଁ ତୁମେ କାହିଁକି ମରିବ ତୁମେ ଏକା ଚାଲିଯାଅ ।” ଜଗତ୍ ସିଂହ କିନ୍ତୁ ତାକୁ ଛାଡ଼ି ଏକା ଯିବାକୁ ରାଜି ହେଲାନାହିଁ । ପୁଣି କରିମକୁ କାନ୍ଧରେ ବସାଇ ସେ ଚାଲିବାକୁ ଲାଗିଲା । ଏହିପରି ସେମାନେ ପ୍ରାୟ ଅଧମାଇଲ ଯାଇଥିଲେ; କିନ୍ତୁ ସେ ପର୍ଯ୍ୟନ୍ତ ମଧ୍ୟ ଜଙ୍ଗଲରୁ ବାହାରି ପାରି ନ ଥିଲେ । ଜଗତ୍ ସିଂହ ଆଉ କୌଣସି ମତେ ଯାଇ ପାରୁ ନ ଥିଲା । ଅବଶେଷରେ ସେମାନେ ଗୋଟିଏ ଝରଣା ପାଖରେ ପହଞ୍ଚିଲେ-। ସେଠାରେ ଜଗତ୍ ସିଂହ କରିମକୁ ଓହ୍ଲେଇ ଦେଇ କହିଲା, “ଏଠାରେ ଟିକିଏ ବିଶ୍ରାମ କରି କିଛି ଖାଇବା । ବର୍ତ୍ତମାନ ବୋଧହୁଏ ଆମେମାନେ ଦୁର୍ଗ ପାଖକୁ ଆସିଅଛୁ, ଆଉ ବେଶି ଦୂର ଯିବାକୁ ହେବ ନାହିଁ । ସେତେବେଳକୁ ଭୋର ହେବାକୁ ତ ଆରମ୍ଭ ହେଲାଣି । ସେମାନେ ସେଠାରେ ବସିବା ମାତ୍ରକେ ପଛରେ ଘୋଡ଼ାର ଟାପୁଶବ୍ଦ ଶୁଣି ପାରିଲେ ଏବଂ ଲୁଚିବାକୁ ଚେଷ୍ଟା କଲେ; କିନ୍ତୁ ପାରିଲେ ନାହିଁ । ପଠାଣମାନେ ହଠାତ୍ ପହଞ୍ଚି ତାଙ୍କୁ ଧରି ବାନ୍ଧି ପକାଇଲେ ଏବଂ ସାଙ୍ଗରେ ଘେନି ଚାଲିଲେ । ଏମାନଙ୍କୁ ଜଗତ୍ ସିଂହ ଓ କରିମ୍‍ ଚିହ୍ନି ନ ଥିଲେ । କିଛିଦୂର ଯିବାପରେ ସେମାନେ ଦେଖିଲେ ଯେ ଜଗତ୍ ସିଂହର ପ୍ରଭୁ କେତେଜଣ ଲୋକ ନେଇ ତାଙ୍କ ପାଖକୁ ଆସୁଅଛି-। ସେ ସେମାନଙ୍କୁ ଦେଖିବାକୁ ଆସୁଥିଲା । କିଛିକ୍ଷଣ କଥାବାର୍ତ୍ତା ହେବାପରେ ସେ ବନ୍ଦୀ ଦୁହିଙ୍କୁ ଘେନି ତାହା ଗ୍ରାମ ଆଡ଼କୁ ଯାଇଥିଲା । ସେଠାରେ ପହଞ୍ଚି ସେମାନଙ୍କୁ କ’ଣ କରାଯିବ, ସେ ବିଷୟରେ ଅନେକ କ୍ଷଣ ସେମାନେ ନିଜ ଭିତରେ ପରାମର୍ଶ କରିଥିଲେ । ଅଧିକାଂଶଙ୍କ ମତରେ ସେମାନଙ୍କୁ ହତ୍ୟା କରିବାର ସ୍ଥିର କରାହେଲା; କିନ୍ତୁ ଜଗତ୍ ସିଂହର ପ୍ରଭୁ କହିଲା,. “ମୁଁ ସେମାନଙ୍କ ପାଇଁ ଟଙ୍କା ଦେଇଅଛି, ତାଙ୍କୁ ମାରିପକାଇଲେ ମୋର କ୍ଷତି ହେବ । ସେମାନଙ୍କ ଘରୁ ଟଙ୍କା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା । “ତତ୍ପରେ ସେ ଜଗତ୍ ସିଂହ ଓ କରିମକୁ କହିଲା “ଯଦି ୧୫ ଦିନ ଭିତରେ ତୁମର ଟଙ୍କା ନ ଆସେ, ତାହା ହେଲେ ମୁଁ ତୁମମାନଙ୍କୁ ପ୍ରହାର କରିବି । ଏହା ଭିତରେ ଯଦି ତୁମେମାନେ ପଳାଇବାକୁ ଚେଷ୍ଟା କର, ତାହାହେଲେ ତୁମମାନଙ୍କୁ ହତ୍ୟା କରାଯିବ-।” ସେହି ଗ୍ରାମର ମସଜିଦ୍‍ ପଛଆଡ଼େ ଗୋଟିଏ ଖୁବ୍ ବଡ଼ ଗର୍ତ୍ତ ଥିଲା-। ତାହା ଭିତରେ ସେମାନଙ୍କୁ ବନ୍ଦ କରାଗଲା ।

 

ସେଠାରେ ସେମାନଙ୍କର ସମୟ ଅତି କଷ୍ଟରେ କଟିଥିଲା; କାରଣ ତାହା ଭିତରେ ବାୟୁ ଅତ୍ୟନ୍ତ ଦୁଷିତ ଓ ପଠାଣମାନେ ସେମାନଙ୍କୁ ଆଉ ଯଥେଷ୍ଟ ଖାଦ୍ୟ ଦେଉ ନଥିଲେ । ଅଳ୍ପ ଦିନ ମଧ୍ୟରେ କରିମ ଅସୁସ୍ଥ ହୋଇ ପଡ଼ିଲା । ଦିନେ ସେ ତାହା ଭିତରେ ବସିଅଛି, ଏପରି ସମୟରେ ଉପରୁ କିଛି ଖାଦ୍ୟ ତାହା କୋଳରେ କିଏ ପକାଇ ଦେଲା । ସେ ଚାହିଁ ଦେଖିଲା ଯେ, ମେହେର ଦୌଡ଼ି ପଳାଇ ଯାଉଅଛି । ତହୁଁ ଜଗତ୍ ସିଂହର ମନେ ହେଲା, ହୁଏତ ମେହେର ତାଙ୍କୁ ସାହାଯ୍ୟ କରିପାରେ । ପରଦିନ ମେହେର ଆସିଲା ନାହିଁ । ସେ ଦିନ ମସ୍‌ଜିଦ ପାଖରେ ଅନେକ ପଠାଣ ଉତ୍ତେଜିତ ହୋଇ କଥାବାର୍ତ୍ତା ହେଉଥିବାର ଶୁଣିଲା । ସେମାନଙ୍କ କଥା ସେ ଭଲ ଭାବରେ ବୁଝି ପାରି ନ ଥିଲା, ତେବେ ତାଙ୍କ କଥାରୁ ତାର ମନେ ହୋଇଥିଲା ଯେ; ଇଂରାଜମାନେ ସେହି ଗ୍ରାମ ପାଖକୁ ଆସିଅଛନ୍ତି, ଏବେ ସେମାନେ ବନ୍ଦୀମାନଙ୍କୁ କଣ କରିବେ, ସେହି ପରାମର୍ଶ କରୁଅଛନ୍ତି । କିଛିକ୍ଷଣ କଥା କହି ସେମାନେ ଚାଲିଗଲେ । କିଛିକ୍ଷଣ ପରେ ସେ ଉପରେ ଗୋଟଏ ଶବ୍ଦ ଶୁଣି ଚାହିଁ ଦେଖିଲା ଯେ, ମେହେର ଉପରେ ଠିଆ ହୋଇଅଛି । ସେ ଭିତରକୁ କିଛି ଖାଦ୍ୟ ପକାଇ ଦେଲା, ପରେ ଆସ୍ତେ ଆସ୍ତେ କହିଲା, “ଜଗତ୍ ସିଂହ ସେମାନେ ତୁମକୁ ହତ୍ୟା କରିବାକୁ ବସିଛନ୍ତି-।” ଜଗତ୍ ସିଂହ ପଚାରିଲା, “କିଏ ମତେ ହତ୍ୟା କରିବ ?” ଉତ୍ତର––“ଏହି ଗ୍ରାମର ଲୋକମାନେ-। ମୋର ତୁମପାଇଁ ବଡ଼ ଦୁଃଖ ହେଉଛି ।” ଜଗତ୍ ସିଂହ କହିଲା “ଯଦି ତୁମର ଦୁଃଖ ହେଉଥାଏ, ତୁମେ ମତେ ଖଣ୍ଡେ ଲମ୍ବା ବାଉଁଶ ଆଣି ଦିଅ ।” ମେହେର ଏ କଥା ଶୁଣି କହିଲା, “ନା, ନା, ସେମାନେ ଦେଖିପାରିବେ, ମୁଁ ପାରିବି ନାହିଁ ।” ଜଗତ୍‍ସିଂହ ତାକୁ ଅନେକ ଅନୁରୋଧ କଲା; କିନ୍ତୁ ମେହେର କିଛି ନ କହି ଚାଲିଗଲା । ସନ୍ଧ୍ୟା ହେଲା, ଜଗତ୍ ସିଂହ ନା, ନା, କଥା ଭାବୁଛନ୍ତି, ହଠାତ୍ ତା ଉପରକୁ କିଏ ଉପରୁ ମାଟି ପକାଇଲା । ସେ ଚାହିଁ ଦେଖିଲା–ଖଣ୍ଡେ ଖୁବ୍ ଲମ୍ବା ବାଉଁଶ ମେହେର ଉପରୁ ଧରିଅଛି । ଜଗତ୍ ସିଂହ ଆସ୍ତେ ଆସ୍ତେ ସେ ଖଣ୍ଡ ତଳକୁ ନେଲା । ମେହେର ତଳକୁ ଚାହିଁ କହିଲା, “ଦୁଇ ଜଣ ଛଡ଼ା ଗ୍ରାମର ସମସ୍ତେ କୁଆଡ଼େ ଚାଲି ଯାଇଛନ୍ତି ।” ଜଗତ୍ ସିଂହ କରିମକୁ କହିଲା, “ଚାଲ, ଆଉଥରେ ଚେଷ୍ଟା କରିବା । ମୁଁ ତୁମକୁ ସାହାଯ୍ୟ କରିବି ।” କିନ୍ତୁ କରିମ୍‍ ତା କଥା ଶୁଣିଲା ନାହିଁ । ସେ କହିଲା, “କାହିଁକି ବୃଥା ଚେଷ୍ଟା କରିବି ? ମୋର ଶକ୍ତି ନାହିଁ, ମୁଁ ପାରିବି ନାହିଁ ।” ଜଗତ୍ ସିଂହ କହିଲା, “ଆଚ୍ଛା, ତାହାହେଲେ ମତେ ବିଦାୟ ଦିଅ । ମତେ ଦୋଷ ଦେବ ନାହିଁ ।” କରିମ୍‍ ପାଖରୁ ବିଦାୟ ନେଇ ସେ ବାଉଁଶ ସାହାଯ୍ୟରେ ଉପରକୁ ଉଠିଲା-। ସେ ଉପରକୁ ଉଠି ଜଗତ୍ ସିଂହ ବାଉଁଶ ଖଣ୍ଡିକ ମେହେର ହାତରେ ଦେଇ ତାହା ଯେଉଁଠାରେ ଥିଲା, ସେହିଠାରେ ରଖି ଆସିବାକୁ କହିଲା । ତା’ପରେ ସେ ଗ୍ରାମର ପ୍ରାନ୍ତଭାଗସ୍ଥ ପାହାଡ଼ ଉପରକୁ ଯାଇ ପାଦର ବନ୍ଧନ ଫିଟାଇବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ । ଏହି ସମୟରେ ମେହେର ଆସି ସେଠାରେ ପହଞ୍ଚିଲା । ସେ ମଧ୍ୟ ଅନେକ ଚେଷ୍ଟା କଲା; କିନ୍ତୁ ବିଫଳ ହେଲା ।

 

ଯେତେ ବେଳେ ଜଗତ୍ ସିଂହ ଦେଖିଲା, ଜହ୍ନ ଉଠୁଅଛି । ସେ ବୁଝି ପାରିଲା, ସେ ଯଦି ଶୀଘ୍ର ଜଙ୍ଗଲ ଭିତରକୁ ନ ଯାଏ, ତାହାହେଲେ ଜହ୍ନ ଆଲୁଅରେ ଲୋକେ ତାକୁ ଦେଖି ପାରିବେ । ସୁତରାଂ ସେ ଆଉ ଫିଟାଇବାକୁ ବୃଥା ଚେଷ୍ଟା ନ କରି ମେହେର ପାଖରୁ ବିଦାୟ ନେଇ ଯାତ୍ରା ଆରମ୍ଭ କଲା । ନଦୀ ପାର ହୋଇ ସେହି ଅବସ୍ଥାରେ ଯେତେ ଶୀଘ୍ର ପାରେ ଚାଲିବାକୁ ଲାଗିଲା । ଜଙ୍ଗଲ ପ୍ରାୟ ଚାରି ପାଞ୍ଚ ମାଇଲ ଦୂରରେ, ଜହ୍ନ ନିର୍ମଳ ହୋଇ ଉଠିବା ଆଗରୁ ସେ ସେଠାରେ । ପହଞ୍ଚିବାକୁ ପ୍ରାଣପଣେ ଚେଷ୍ଟା କଲା, ପ୍ରତି ମୁହୂର୍ତ୍ତରେ ତାକୁ କେହି ଦେଖିବେ ବୋଲି ତାହାର ଭୟ ହେଉଥିଲା । କାରଣ ସେତେବେଳକୁ ଚାରିଆଡ଼ ଅନେକ ପରିଷ୍କାର ହୋଇଗଲାଣି । ଯାହାହେଉ, ଛାଇ ତଳେ ତଳେ ଯାଇ ସେ ଜଙ୍ଗଲ ପାଖରେ ପହଞ୍ଚିଲା । ସେତେବେଳକୁ ଖୁବ୍ ସଫା ଜହ୍ନ ପଡ଼ିଗଲାଣି । ସେ ଗୋଟିଏ ଛାଇ ଦେଖି ବିଶ୍ରାମ କରିବାକୁ ବସିଲା । ସେଠାରେ ବସି ସେ କିଛି ଖାଇ ପୁଣି ବନ୍ଧନ ଫିଟାଇବାକୁ ଚେଷ୍ଟା କଲା, କିନ୍ତୁ ଯଥାସାଧ୍ୟ ଚେଷ୍ଟା କରି ମଧ୍ୟ ତାହା ଫିଟାଇ ପାରିଲା ନାହିଁ । ପୁଣି ଉଠି ସେ ଚାଲିବାକୁ ଆରମ୍ଭ କଲା । ପ୍ରାୟ ଏକ ମାଇଲ ଯାଇ ସେ ଅତ୍ୟନ୍ତ କ୍ଳାନ୍ତ ହୋଇପଡ଼ିଲା । ଅଳ୍ପ ଚାଲି ଠିଆ ହୋଇ ଟିକିଏ ବିଶ୍ରାମ କଲା । ସେ ଭାବିଲା ଆଉ ତ କିଛି ଉପାୟ ଦିଶୁନାହିଁ । ଯେତେକ୍ଷଣ ଶକ୍ତି ଅଛି ଏହିପରି ଚାଲୁଥାଏ । ବର୍ତ୍ତମାନ ଯଦି ମୁଁ ବସେ ତାହାହେଲେ ଆଉ ଉଠି ପାରିବି ନାହିଁ । ରାତିରେ ଯେତେ ଦୂର ଯାଇ ପାରେଁ ଯିବି । ସକାଳ ହେଲେ ଏହି ବଣଭିତରେ ଶୋଇରହିବି, ପୁଣି ରାତିରେ ଚାଲିବି । ରାତିଯାକ ସେ ଏହିପରି ଚାଲିଲା ମଝିରେ ଦୁଇଜଣ ପଠାଣ ତାହା ପାଖଦେଇ ଚାଲିଗଲେ, କିନ୍ତୁ ସେ ସେ ଅନେକ ଦୂରରୁ ସେମାନଙ୍କ ଘୋଡ଼ାଟାପୁ ଶଦ୍ଦ ଶୁଣି ପାରି ଲୁଚି ଯାଇଥିଲା । ସେମାନେ ତାକୁ ଦେଖି ପାରିଲେ ନାହିଁ-। ପ୍ରାୟ ଭୋର ହେବାକୁ ବସିଲା, ଅଥଚ ସେ ପର୍ଯ୍ୟନ୍ତ ବଣ ପାର ହୋଇ ପାରିଲା ନାହିଁ-। ସେତେବେଳେ ସେ ଭାବିଲା, ଆଉ କିଛି ଦୂର ଯାଇ ଗୋଟିଏ ଗଛତଳେ ବସି ବିଶ୍ରାମ କରିବି-। ଅଳ୍ପ ଦୂର ଯାଇ ଦେଖିଲା, ସେ ପ୍ରାୟ ବଣ ଶେଷକୁ ଆସିଅଛି । ପ୍ରନ୍ତଭାଗକୁ ଯାଇ ଦେଖିଲା, କିଛି ଦୂରରେ ଇଂରାଜମାନଙ୍କ ଦୁର୍ଗ ଦେଖା ଯାଉଅଛି । ବାଁ ପାଖରେ କିଛି ଦୂରରେ ନିଆଁ ଚାରିପାଖରେ କେତେ ଜଣ ଲୋକ ବସିଥିବାର ଦେଖି ବୁଝି ପାରିଲା ଯେ, ସେମାନେ ଇଂରାଜମାନଙ୍କ ପକ୍ଷର ଲୋକ । ତାହା ମନରେ ଅତ୍ୟନ୍ତ ଆନନ୍ଦ ହେଲା, ମହା ଉତ୍ସାହରେ ସେ ତାହାର ଅବଶିଷ୍ଟ ସମସ୍ତ ଶକ୍ତି ସଞ୍ଚୟ କରି ତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କଲା । ଏଣେ ମନରେ ଭୟ ହେଉଥାଏ, କାଳେ କୌଣସି ପଠାଣ ତାକୁ ଦେଖି ପକାଇବ । ତାହାହେଲେ ସେ ଆଉ ନିଜ ଦଳ ପାଖରେ ପହଞ୍ଚି ପାରିବ ନାହିଁ । ସେ ଏହି କଥା ଭାବୁଛି; ଏପରି ସମୟରେ ତା’ଠାରୁ ପ୍ରାୟ ୪୦୦ ହାତ ଦୂରରେ ବାଁ ପାଖରେ ତିନିଜଣ ପଠାଣଙ୍କୁ ଦେଖିପାରିଲା । ସେମାନେ ମଧ୍ୟ ତାକୁ ଦେଖି ପାରି ତାହା ଆଡ଼କୁ ଦୌଡ଼ି ଆସିଥିଲେ । ସେ ଖୁବ୍ ଜୋରରେ ‘ଭାଇମାନେ, ମତେ ରକ୍ଷା କର’ ବୋଲି ଚିତ୍କାର କଲା । ଇଂରାଜ ସୈନ୍ୟମାନେ ତାହାର ଚିତ୍କାର ଶୁଣି ପାରି ଘୋଡ଼ାରେ ଚଢ଼ି ସେ ଆଡ଼କୁ ଆସିଥିଲେ, କିନ୍ତୁ ପଠାଣମାନଙ୍କ ଅପେକ୍ଷା ସେମାନେ ଜଗତ୍ ସିଂହ ଠାରୁ ଦୂରରେ ଥିଲେ । ଜଗତ ସିଂହ ପ୍ରାଣପଣେ ସେମାନଙ୍କ ଆଡ଼କୁ ଦୌଡ଼ିବାକୁ ଲାଗିଲା । ପଠାଣମାନେ ଇଂରାଜମାନଙ୍କୁ ସଂଖ୍ୟାରେ ଅଧିକ ଦେଖି ଆଉ ଅଗ୍ରସର ନ ହୋଇ ଫେରି ଯାଇଥିଲେ । ଇଂରାଜମାନେ ଜଗତ୍ ସିଂହ ପାଖକୁ ଆସି ତାହାର ବନ୍ଧନ ଫିଟାଇ ଦେଇଥିଲେ । ଟିକିଏ ସୁସ୍ଥ ହୋଇ ସେ ତାହାର ସମସ୍ତ କଥା ସେମାନଙ୍କୁ ଜଣାଇଲା ସେମାନେ ତାକୁ ଦୁର୍ଗକୁ ନେଇ ଯାଇଥିଲେ, ସେଠାରେ କେହି କେହି ତାକୁ ଚିହ୍ନି ପାରିଥିଲେ ।

 

ଏହାର ପ୍ରାୟ ଏକ ମାସ ପରେ କରିମ୍ ମୁକ୍ତି ପାଇଥିଲା । ତାହାର ଟଙ୍କା ଆସିବାରୁ ପଠାଣମାନେ ତାକୁ ଛାଡ଼ି ଦେଇଥିଲେ କିନ୍ତୁ ସେତେବେଳକୁ ସେ ମୃତପ୍ରାୟ ହୋଇଥିଲା ।

Image

 

ଦୃଷ୍ଟିଲାଭ

 

ଶ୍ୟାମ ଦେଶର ରାଜା ଶୈଳେନ୍ଦ୍ର ନିକଟବର୍ତ୍ତୀ ଗୋଟିଏ ରାଜ୍ୟ ଆକ୍ରମଣ କରି ରାଜ୍ୟର ଅନେକ ନଗର ଗ୍ରାମ ପୋଡ଼ି ପକାଇଲେ, ସେଠାରେ ଅନେକ ପ୍ରଜାଙ୍କୁ ବନ୍ଦୀ କରିନେଇ ସେମାନଙ୍କୁ ହତ୍ୟା କଲେ ଏବଂ ରାଜା ଲଳିତେନ୍ଦ୍ରଙ୍କୁ ବନ୍ଦୀ କରି ଗୋଟିଏ ପିଞ୍ଜରା ଭିତରେ ଆବଦ୍ଧ କରି ରଖିଲେ । ଦିନେ ରାତ୍ରିରେ ରାଜା ଶୈଳେନ୍ଦ୍ର ଶଯ୍ୟାରେ ଶୋଇ ଶୋଇ କିପରି ଲଳିତେନ୍ଦ୍ରଙ୍କୁ ହତ୍ୟା କରିବେ, ସେହି କଥା ଭାବୁଅଛନ୍ତି, ଏପରି ସମୟରେ ନିକଟରେ ଗୋଟିଏ ଶବ୍ଦ ଶୁଣି ଚାହିଁ ଦେଖିଲେ ଯେ, ଜଣେ ପ୍ରଶାନ୍ତମୂର୍ତ୍ତି ବୃଦ୍ଧ ଆସି ତାଙ୍କ ଶଯ୍ୟା ପାଖରେ ଠିଆ ହୋଇଅଛନ୍ତି । ବୃଦ୍ଧ ରାଜାଙ୍କୁ ପଚାରିଲେ, ତୁମେ କଣ ଲଳିତେନ୍ଦ୍ରଙ୍କୁ ହତ୍ୟା କରିବାକୁ ଇଚ୍ଛା କର ?’’ ରାଜା କହିଲେ, “ହଁ; କିନ୍ତୁ କିପରି ମୁଁ ତାଙ୍କ ଜୀବନ ନାଶ କରିବି, ତାହା ଠିକ୍ କରି ପାରୁନାହିଁ ।” ରାଜା ଉତ୍ତର କଲେ, “ମୁଁ ଲଳିତେନ୍ଦ୍ର ନୁହେଁ, ମୁଁ ଶ୍ୟାମ ଦେଶର ରାଜା ଶୈଳେନ୍ଦ୍ର ।”

 

ବୃଦ୍ଧ–“ତୁମେ ଓ ଲଳିତେନ୍ଦ୍ର ଏକ । ତୁମେ ଦୁଇ ଜଣ ଯେ ଭିନ୍ନ, ଏହା କେବଳ ତୁମର କଳ୍ପନା ।”

 

ରାଜା–“କିପରି ! ମୁଁ ଏଠାରେ ସୁନ୍ଦର ଶଯ୍ୟାର ଶୋଇଛି, ମୋ ପାଖରେ ମୋର ଭୃତ୍ୟମାନେ ଅଛନ୍ତି । ଲଳିତେନ୍ଦ୍ର ପକ୍ଷୀ ପରି ଗୋଟିଏ ପିଞ୍ଜରାରେ ବନ୍ଦ ହୋଇ ରହିଛି, କାଲି ତାହାର ପ୍ରାଣଦଣ୍ଡ ହେବ ।”

 

ବୃଦ୍ଧ–ତୁମେ ତାର ଜୀବନ ନାଶ କରି ପାରିବ ନାହିଁ ।

 

ରାଜା–ମୁଁ ଲଳିତେନ୍ଦ୍ରର ଚୌଦ ହଜାର ସୈନ୍ୟ ଓ ପ୍ରଜାଙ୍କୁ ହତ୍ୟା କରିଛି । ମୁଁ ବର୍ତ୍ତମାନ ବଞ୍ଚିଛି, କିନ୍ତୁ ସେମାନେ ନାହାନ୍ତି । ଏଥିରୁ କଣ ପ୍ରମାଣ ହେଉ ନାହିଁ ଯେ, ମୁଁ ଜୀବନ ନାଶ କରି ପାରେ ?

 

ତୁମେ କିପରି ଜାଣିଲ ଯେ, ସେମାନେ ନାହାନ୍ତି ?

 

ରାଜା–ମୁଁ ସେମାନଙ୍କୁ ଦେଖି ପାରୁ ନାହିଁ; ସେଥିରୁ ଜାଣେ ଯେ ସେମାନେ ନାହାନ୍ତି ।

 

ବୃଦ୍ଧ–ଏହା ମଧ୍ୟ ତୁମର କଳ୍ପନା, ବାସ୍ତବରେ ତାହା ନୁହେଁ । ତୁମେ ସେମାନଙ୍କୁ କଷ୍ଟ ଦେଇ ନାହଁ, ନିଜେ କଷ୍ଟ ପାଇଛ ।

 

ରାଜା–ମୁଁ ତୁମ କଥା ବୁଝି ପାରୁ ନାହିଁ, ମତେ ବୁଝାଇ ଦିଅ ।

 

ବୃଦ୍ଧ ରାଜାଙ୍କୁ ଗୋଟିଏ ଜଳାଧାର ନିକଟକୁ ଡାକିନେଲେ । ସେଠାକୁ ଗଲାରୁ ସେ ରାଜାଙ୍କୁ ସେହି ଜଳାଧାର ଭିତରେ ପ୍ରବେଶ କରିବାକୁ କହିଲେ । ରାଜା ଜଳରେ ପ୍ରବେଶ କଲାରୁ ବୃଦ୍ଧ ତାଙ୍କୁ ଗୋଟିଏ ଜଳପାତ୍ର ଦେଖାଇ କହିଲେ, “ଏହି ପାତ୍ରରେ ପାଣି ଅଛି, ମୁଁ ତୁମ ମୁଣ୍ଡ ଉପରେ ଏହି ପାଣି ଢାଳିଲେ ତୁମେ ଏହି ପାଣି ଭିତରେ ମୁଣ୍ଡ ବୁଡ଼ାଇବ ।” ରାଜା ସେହିପରି କଲେ-। ପାଣି ଭିତରେ ମୁଣ୍ଡ ବୁଡ଼ାଇଲାକ୍ଷଣି ତାଙ୍କର ମନେ ହେଲା, ସେ ଶ୍ୟାମ ଦେଶର ରାଜା ନୁହନ୍ତି, କିନ୍ତୁ ଲଳିତେନ୍ଦ୍ର । ପୁଣି ତାଙ୍କର ମନେହେଲା, ସେ ଗୋଟିଏ ସୁନ୍ଦର ଶଯ୍ୟାରେ ଶୋଇ ଅଛନ୍ତି, ଜଣେ ପରମା ସୁନ୍ଦରୀ ସ୍ତ୍ରୀ ତାଙ୍କ ନିକଟରେ ଅଛନ୍ତି । ରାଜା ସେ ରମଣୀକୁ କେବେ ଦେଖି ନ ଥିଲେ; କିନ୍ତୁ ତାଙ୍କର ମନେ ହେଲା, ସେ ତାଙ୍କର ସ୍ତ୍ରୀ । ସେ ରମଣୀ କହିଲେ, “ଦେଖ, ତୁମେ ଆଜି ଅନେକ ବେଳଯାଏ ଶୋଇ ରହିଛ । କାଲି ତୁମକୁ ଅଧିକ ପରିଶ୍ରମ କରିବାକୁ ହୋଇଥିଲା ବୋଲି ମୁଁ ଏପର୍ଯ୍ୟନ୍ତ ତୁମକୁ ଉଠାଇ ନାହିଁ । ବର୍ତ୍ତମାନ ତୁମର ଦରବାରର ସମୟ ହୋଇଛି, ସମସ୍ତେ ଅପେକ୍ଷା କରିଛନ୍ତି, ତୁମେ ଯାଅ ।” ରାଜା ଉଠି କାର୍ଯ୍ୟ ସାରି ଦରବାରକୁ ଗଲେ । ତାଙ୍କର ମନ୍ତ୍ରୀ ଓ ଅନ୍ୟାନ୍ୟ ରାଜକର୍ମଚାରୀମାନେ ତାଙ୍କୁ ଅଭିବାଦନ କରି ନିଜ ସ୍ଥାନରେ ବସିଲାରୁ ମନ୍ତ୍ରୀ କହିଲେ, ଶ୍ୟାମଦେଶର ରାଜା ବଡ଼ ଅପମାନ କରୁଛନ୍ତି, ତାଙ୍କ ସଙ୍ଗରେ ଯୁଦ୍ଧ ଘୋଷଣା କରିବାକୁ ହେବ-। ରାଜା ସେମାନଙ୍କ କଥା ନ ଶୁଣି ଠିକ୍ କଲେ ଯେ, “ଶୈଳେନ୍ଦ୍ର ପାଖକୁ ଦୂତପଠାଯାଉ-। ଯେପରି ଯୁଦ୍ଧ ନ ହେବ, ସେ ବିଷୟରେ ଚେଷ୍ଟା କରିବା ଉଚିତ ।” ଏହି କଥା ରାଜା କେତେଜଣ ଦୂତଙ୍କୁ ଯଥାଯୋଗ୍ୟ ଉପଦେଶାଦି ଦେଇ ଶ୍ୟାମ ଦେଶକୁ ପଠାଇଦେଲେ । ତତ୍‌ପରେ ସେ ଶିକାର କରିବାକୁ ଯାଇ ଦିଓଟି ବନ୍ୟ ଗଧ ଶିକାର କରି ଫେରି ଆସିଲେ । ବନ୍ଧୁମାନଙ୍କ ସାଙ୍ଗରେ ଆହାରାଦି ଓ ନାନା ଆମୋଦର ଦିନ ଶେଷ ହୋଇଗଲା । ଏହିପରି ଦରବାର, ଦୋଷୀମାନଙ୍କର ବିଚାର, ଶିକାର ଇତ୍ୟାଦିରେ ଦିନ ପରେ ଦିନ କଟିଗଲା । ସମସ୍ତେ ଅପେକ୍ଷା କରୁଥାନ୍ତି, ଶ୍ୟାମ ଦେଶରୁ ଦୂତମାନେ ଆସି କି ସମ୍ବାଦ ଦେବେ । ପ୍ରାୟ ମାସକ ପରେ ସେମାନେ ଫେରି ଆସିଲେ-। ଶୈଳେନ୍ଦ୍ର ସେମାନଙ୍କ ନାକ କାନ କାଟି ଦେଇ ଅଛନ୍ତି ଆଉ କହିଅଛନ୍ତି ଯେ, ଯଦି ଶୀଘ୍ର ରାଜା ଲଳିତେନ୍ଦ୍ର ନିଜେ ଯାଇଁ ତାଙ୍କ ନିକଟରେ ବଶ୍ୟତା ସ୍ଵୀକାର କରି ତାଙ୍କୁ କର ନ ଦିଅନ୍ତି, ତାହାହେଲେ ତାଙ୍କୁ ମଧ୍ୟ ଶାସ୍ତିଦେବେ ।

 

ବର୍ତ୍ତମାନ କ’ଣ କରିବାକୁ ହେବ, ରାଜା ମନ୍ତ୍ରୀମାନଙ୍କୁ ଡାକି ସେ ବିଷୟରେ ପରାମର୍ଶ କରିବାକୁ ଲାଗିଲେ । ସମସ୍ତେ ଯୁଦ୍ଧ କରିବାକୁ ପରାମର୍ଶ ଦେବାରୁ ରାଜା ମଧ୍ୟ ସମ୍ମତ ହେଲେ । ସୈନ୍ୟ ସଂଗ୍ରହ କରି ରାଜା ଯୁଦ୍ଧ କରିବାକୁ ବାହାରିଲେ । ସାତ ଦିନ ଯୁଦ୍ଧ ହେଲା; କୌଣସି ପକ୍ଷରେ ଜୟ ପରାଜୟ କିଛି ସ୍ଥିର ହେଲା ନାହିଁ । ଶ୍ୟାମ ଦେଶର ରାଜାଙ୍କ ସୈନ୍ୟସଂଖ୍ୟା ଲଳିତେନ୍ଦ୍ରଙ୍କ ସୈନ୍ୟ ଅପେକ୍ଷା ଅନେକ ବେଶି ଥିଲା । ଅଷ୍ଟମ ଦିନ ଯୁଦ୍ଧରେ ଲଳିତେନ୍ଦ୍ର ଦେଖିଲେ ଯେ, ତାଙ୍କର ସୈନ୍ୟମାନେ ନିରାଶ ହୋଇ ପଡ଼ୁଅଛନ୍ତି । ସେ ସେମାନଙ୍କ ମଧ୍ୟରେ ରହି ନିଜେ ଅତ୍ୟନ୍ତ ସାହସରେ ଯୁଦ୍ଧ କରି ସେମାନଙ୍କୁ ଉତ୍ସାହ ଦେବାକୁ ଲାଗିଲେ, କିନ୍ତୁ କିଛି ଫଳ ହେଲା ନାହିଁ, ତାଙ୍କର ସୈନ୍ୟମାନେ ପରାସ୍ତ ହୋଇ ପଳାଇବାକୁ ଲାଗିଲେ । ଅନେକ ବନ୍ଦୀ ହେଲେ, ନିଜେ ଲଳିତେନ୍ଦ୍ର ଆହତ ହୋଇ ବନ୍ଦୀ ହେଲେ । ତାଙ୍କୁ ବନ୍ଦୀକରି ଶୈଳେନ୍ଦ୍ର ନିଜ ରାଜ୍ୟକୁ ଘେନି ଯାଇ ସେଠାରେ ଗୋଟିଏ ପିଞ୍ଜରାରେ ବନ୍ଦ କରି ରଖିଲେ । ଶାରୀରିକ କଷ୍ଟ ଅପେକ୍ଷା ବନ୍ଦୀ ହେବାରୁ ଲଜ୍ଜା ଓ କ୍ରୋଧରେ ତାଙ୍କର ଅଧିକ କଷ୍ଟ ହୋଇଥିଲା । ଅଥଚ ପ୍ରତିଶୋଧ ନେବାର ତାଙ୍କର କୌଣସି ଉପାୟ ନ ଥିଲା । ସେ ଭାବିଲେ, ତାଙ୍କର କଷ୍ଟ ଓ ଯନ୍ତ୍ରଣାର କୌଣସି ଚିହ୍ନ ଶତ୍ରୁକୁ ଦେଖାଇବେ ନାହିଁ । ସେ ସ୍ଥିରଭାବରେ ତାଙ୍କ ଭାଗ୍ୟକୁ ଅପେକ୍ଷା କରି ରହିଲେ । ପ୍ରତିଦିନ ତାଙ୍କ ସମ୍ମୁଖରେ ତାଙ୍କର ଆତ୍ମୀୟ ଓ ଅନୁଚରମାନଙ୍କୁ ହତ୍ୟା କରିବାକୁ ଘେନିଯାନ୍ତି, ସେମାନଙ୍କ ଆର୍ତ୍ତନାଦ ଶୁଣି ମଧ୍ୟ ସେ ନୀରବରେ ସମସ୍ତ ସହ୍ୟ କରି ରହିଲେ ।

 

ଦିନେ ତାଙ୍କର ପ୍ରହରୀ ତାଙ୍କୁ କହିଲା, “ଲଳିତେନ୍ଦ୍ର, ତୁମକୁ ଦେଖି ମୋର ବାସ୍ତବିକ ଦୟା ହେଉଛି, ତୁମେ ରାଜା ଥିଲ, ବର୍ତ୍ତମାନ କଣ ହୋଇଛି ।” ଏହି କଥା ଶୁଣି ଦୁଃଖରେ, ଲଜ୍ଜାରେ ରାଜା ଆତ୍ମହତ୍ୟା କରିବାକୁ ଇଚ୍ଛା କଲେ; କିନ୍ତୁ ଏତେ ଦୁର୍ବଳ ହୋଇ ପଡ଼ିଥିଲେ ଯେ, ସେ ଶକ୍ତି ମଧ୍ୟ ତାଙ୍କର ନ ଥିଲା । ଅବଶେଷରେ ଦିନେ ଦୁଇଜଣ ହତ୍ୟାକାରୀ ଆସି ତାକୁ ବଧ୍ୟଭୂମିକୁ ଘେନିଗଲେ । ସେଠାକୁ ଯାଇ ରାଜା ଦେଖିଲେ ସେହି ବଧ୍ୟଭୂମି ତାଙ୍କର ଅନୁଚରମାନଙ୍କ ରକ୍ତରେ ରଞ୍ଜିତ ହୋଇଅଛି । ଲଳିତେନ୍ଦ୍ର ସ୍ଥିର କରିଥିଲେ ଯେ, ଶେଷ ପର୍ଯ୍ୟନ୍ତ ସେ ସମସ୍ତ ଶାନ୍ତ ଓ ଦୃଢ଼ ଚିତ୍ତରେ ସହ୍ୟ କରିବେ; କିନ୍ତୁ ଯେତେବେଳେ ତାଙ୍କୁ ଠିକ୍‍ ହତ୍ୟା କରିବାକୁ ଉଦ୍ୟମ ହେଉଅଛି, ସେତେବେଳେ ସେ ଜୀବନର ମାୟା ଛାଡ଼ି ନ ପାରି ତାଙ୍କୁ ଛାଡ଼ିଦେବାକୁ ପ୍ରାର୍ଥନା କଲେ; କିନ୍ତୁ କେହି ତାଙ୍କ କଥା ଶୁଣିଲେ ନାହିଁ । ସେ ଭାବିଲେ, “ଏହା କଦାପି ହୋଇ ନ ପାରେ । ମୁଁ ନିଶ୍ଚୟ ସ୍ଵପ୍ନ ଦେଖୁଛି ।” ସେ ଜାଗ୍ରତ ହେବାକୁ ଚେଷ୍ଟା କଲେ । ଜାଗ୍ରତ ହେବାରୁ ତାଙ୍କର ମନେ ହେଲା, ସେ ଶୈଳେନ୍ଦ୍ର କିମ୍ବା ଲଳିତେନ୍ଦ୍ର କେହି ନୁହନ୍ତି; ମାତ୍ର ଗୋଟିଏ ଜନ୍ତୁ । ସେ ଦେଖିଲେ, ସେ ଗୋଟିଏ ଗଧ ହୋଇ ଗୋଟିଏ ପଡ଼ିଆରେ ଚରୁଛନ୍ତି ଓ ତାଙ୍କର ଗୋଟିଏ ଶାବକ ତାଙ୍କ ପାଖରେ ଖେଳୁଅଛି-। ଶୈଳେନ୍ଦ୍ର ଏହା ଦେଖି କିଛିମାତ୍ର ଆଶ୍ଚର୍ଯ୍ୟାନ୍ୱିତ ହେଲେ ନାହିଁ, ବରଂ ଶାବକଟିର ଖେଳ ଦେଖି ମନେ ମନେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବାକୁ ଲାଗିଲେ । ଏହିପରି ସମୟରେ ହଠାତ୍‍ ଗୋଟିଏ ତୀର ଆସି ତାଙ୍କ ଦେହରେ ବାଜିଲା, ସେ ଭୀତ ହୋଇ ଯେଉଁ ଦଳରୁ ବିଚ୍ଛିନ୍ନ ହୋଇ ଆସିଥିଲେ, ସେହି ଦଳ ଆଡ଼କୁ ପଳାଇବାକୁ ଆରମ୍ଭ କଲେ, ଶାବକଟି ମଧ୍ୟ ତାଙ୍କ ସଙ୍ଗେ ସଙ୍ଗେ ଦୌଡ଼ିଲା-। ସେ ପ୍ରାୟ ସେହି ଦଳ ନିକଟରେ ଆସି ପହଞ୍ଚିଅଛନ୍ତି, ଏପରି ସମୟରେ ଆଉ ଗୋଟିଏ ତୀର ଆସି ଶାବକ ଦେହରେ ବିଦ୍ଧ ହେଲା । ଶାବକଟି ଆର୍ତ୍ତନାଦ କରି ସେଠାରେ ପଡ଼ିଗଲା, ତାହାର ମା’ ତାକୁ ଛାଡ଼ି ପଳାଇ ପାରିଲା ନାହିଁ, ସେହିଠାରେ ଛିଡ଼ା ହୋଇ ରହିଲା । ଏପରି ସମୟରେ ଜଣେ ମନୁଷ୍ୟ ଆସି ସେହି ମୃତପ୍ରାୟ ଶାବକଟିର ଜୀବନ ଶେଷ କରିଦେଲା ।

 

ରାଜା ଭାବିଲେ, ‘‘ଏହା ମଧ୍ୟ ଅସମ୍ଭବ, ମୁଁ ନିଶ୍ଚୟ ଏପର୍ଯ୍ୟନ୍ତ ଶୋଇଛି । ମୁଁ ଲଳିତେନ୍ଦ୍ର କିମ୍ବା ଗଧ ନୁହେଁ, ମୁଁ ତ ରାଜା ଶୈଳେନ୍ଦ୍ର । ସେ ପୁଣି ସଚେତ ହେବାକୁ ଚେଷ୍ଟା କଲେ । ପାଣି ଭିତରୁ ମୁଣ୍ଡ ଉଠାଇ ଦେଖିଲେ ଯେ, ସେହି ବୃଦ୍ଧ ତାଙ୍କ ପାଖରେ ଠିଆ ହୋଇ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଅଛନ୍ତି । ରାଜା କହିଲେ, “ମୁଁ ଅତ୍ୟନ୍ତ କଷ୍ଟ ପାଇଛି । କେତେକାଳ ମୁଁ ଏପରି ଭାବରେ ଥିଲି ?” ବୃଦ୍ଧ ଉତ୍ତର କଲେ, “କେତେ କାଳ ? ତୁମେ ତ ପାଣି ଭିତରେ ମୁଣ୍ଡ ବୁଡ଼ାଇ ଉଠାଇ ଆଣିଛ । ଦେଖ, ଏପର୍ଯ୍ୟନ୍ତ ମୋ ପାତ୍ରର ପାଣି ଶେଷ ହୋଇ ନାହିଁ । ବର୍ତ୍ତମାନ କଣ ତୁମେ ବୁଝି ପାରିଛ ?” ରାଜା କିଛି ନ କହି ଭୟରେ ତାଙ୍କ ଆଡ଼କୁ ଚାହିଁ ରହିଲେ । ବୃଦ୍ଧ କହିଲେ, ବର୍ତ୍ତମାନ କଣ ତୁମେ ବୁଝି ପାରିଅଛ ଯେ, ଲଳିତେନ୍ଦ୍ର ଓ ତାଙ୍କର ଯେଉଁ ସୈନ୍ୟମାନଙ୍କୁ ତୁମେ କଷ୍ଟ ଦେଇଛ, ସେମାନେ ତୁମଠାରୁ ଭିନ୍ନ ନୁହନ୍ତି ! କେବଳ ମନୁଷ୍ୟ ନୁହନ୍ତି, ଯେଉଁ ଜନ୍ତୁମାନଙ୍କୁ ତୁମେ ଆମୋଦ ପାଇବା ପାଇଁ ଶିକାର କରିଛ, ସେମାନେ ମଧ୍ୟ ତୁମଠାରୁ ଭିନ୍ନ ନୁହନ୍ତି । ତୁମେ ଭାବିଥିଲ, କେବଳ ତୁମର ଜୀବନ ଅଛି; କିନ୍ତୁ ମୁଁ ତୁମକୁ ଦେଖାଇ ଦେଇଛି ଯେ, ଅନ୍ୟମାନଙ୍କର ମନ୍ଦ କରିବାକୁ ଯାଇ ତୁମେ ନିଜର ମନ୍ଦ କରିଛ । ଏକ ଜୀବନସ୍ରୋତ ସମସ୍ତଙ୍କ ମଧ୍ୟରେ ପ୍ରବାହିତ ହେଉଛି, ତୁମର ଜୀବନ ତାହାରି ଗୋଟିଏ ଅଂଶ ମାତ୍ର । ତୁମ ଅଂଶଟିକୁ ତୁମେ ଉନ୍ନତ ବା ଅବନତ କରିପାର-। କେବଳ ଅନ୍ୟକୁ ଆପଣାପରି ଦେଖି ଓ ସ୍ନେହକରି ତୁମେ ଅପର ସଙ୍ଗେ ତୁମର ଯେ ପାର୍ଥକ୍ୟ ଅଛି, ତାହା ଦୂର କରିପାର । ତଦ୍ଦ୍ୱାରା ତୁମର ଜୀବନ ସାର୍ଥକ ଓ ପୂର୍ଣ୍ଣତର ହେବ । କିନ୍ତୁ ଯେତେବେଳେ ତୁମେ ଅନ୍ୟକୁ କଷ୍ଟ ଦେଇ ନିଜେ ସୁଖ ପାଇବାକୁ ଚେଷ୍ଟାକର, ସେତେବେଳେ କେବଳ ତୁମେ ନିଜର କ୍ଷତି କର । ଅନ୍ୟର ଜୀବନ ନଷ୍ଟ କରିବାର କ୍ଷମତା ମଧ୍ୟ ତୁମର ନାହିଁ । ଯେଉଁମାନଙ୍କୁ ତୁମେ ହତ୍ୟା କରିଚ, ସେମାନଙ୍କୁ ତୁମେ ଆଉ ଦେଖିପାରୁ ନାହଁ, ସେମାନଙ୍କ ଜୀବନ ନଷ୍ଟ ହୋଇ ନାହିଁ । ମନୁଷ୍ୟ, ଇତର ପ୍ରାଣୀ ପ୍ରଭୃତି ସମସ୍ତଙ୍କ ଜୀବନ ସମାନ, ତାହା ବିନଷ୍ଟ କିମ୍ବା ପରିବର୍ତ୍ତିତ କରିବା ଅସମ୍ଭବ, କାରଣ ଜୀବନ କେବେ ନଷ୍ଟ ହୁଏ ନାହିଁ ।”

 

ଏହା କହି ବୃଦ୍ଧ ଅନ୍ତର୍ହିତ ହେଲେ ।

 

ପରଦିନ ରାଜା ଶୈଳେନ୍ଦ୍ର ହତ୍ୟା ବନ୍ଦ କରିବାକୁ ଆଦେଶ ଦେଇ ଲଳିତେନ୍ଦ୍ର ଓ ଅନ୍ୟାନ୍ୟ ବନ୍ଦୀମାନଙ୍କୁ ମୁକ୍ତ କରିଦେଲେ । ତତ୍ପରେ ସେ ତାଙ୍କ ପୁତ୍ର ହସ୍ତରେ ରାଜ୍ୟଭାର ଦେଇ ବିଜନବନ ପ୍ରଦେଶରେ ବାସ କରି ସେ ଯାହା ଶିକ୍ଷା କରିଅଛନ୍ତି, ସେ ବିଷୟ ରେ ଗଭୀରତାର ଚିନ୍ତାରେ ରତ ହେଲେ । କିଛିଦିନ ପରେ ସେ ସନ୍ନ୍ୟାସୀ ବେଶରେ ନାନା ଗ୍ରାମ ଓ ନଗରମାନଙ୍କୁ ଯାଇ ଏକ ଶିକ୍ଷା ଦେବାକୁ ଲାଗିଲେ ଯେ, ପ୍ରାଣୀମାନଙ୍କ ମଧ୍ୟରେ ଏକ ଜୀବନସ୍ରୋତ ବହୁଅଛି । ମନୁଷ୍ୟ ଅନ୍ୟର କ୍ଷତି କରିବାକୁ ଯାଇ ନିଜର ଅଧିକ କ୍ଷତି କରେ ।

Image

 

ବିବାଦଭଞ୍ଜନ

 

ଦୁର୍ଗାପୂଜା ସମୟ, ଖୁବ ବର୍ଷା ହୋଇ ଯାଇଛି । ଗୋଟିଏ କ୍ଷୁଦ୍ର ଗ୍ରାମରେ ବିଲ, ବାଟ, ଘାଟ ସର୍ବତ୍ର ପାଣି ଜମି ଯାଇଅଛି । ବର୍ଷା ଛାଡ଼ି ଆକାଶ ପରିଷ୍କାର ହୋଇଯିବାରୁ ଦିଓଟି ଘରୁ ଦିଓଟି ସାନ ସାନ ବାଳିକା ପଦାକୁ ଆସିଲେ । ତାଙ୍କ ମଧ୍ୟରୁ ଯେ ଟିକିଏ ବଡ଼, ତାହାର ନାମ କମଳା । ଖଣ୍ଡେ ଡୋରିଆ ଲୁଗା ପିନ୍ଧିଅଛି । ମଲ୍ଲିକାର ହଳଦିଆ ଲୁଗା । ସେମାନେ ଆସି ପ୍ରଥମେ ପରସ୍ପରକୁ ନିଜ ନିଜର ନୂଆ ଲୁଗା ଦେଖାଇ ଖେଳିବାକୁ ଆରମ୍ଭ କଲେ । ବାଟରେ ଗୋଟିଏ ପଡ଼ିଆରେ ଅନେକ ପାଣି ଜମିଥିଲା । କିଛିକ୍ଷଣ ଖେଳିଲା ପରେ ନିକଟର ସେହି ପାଣି ଭିତରକୁ ଯିବାକୁ ସେମାନଙ୍କର ଭାରି ଇଚ୍ଛା ହେଲା । ମଲ୍ଲିକା ଯେପରି ଲୁଗା ପିନ୍ଧିଥିଲା; ସେହିପରି ପାଣି ଭିତରକୁ ପଶିବାକୁ ଲାଗିଲା, କିନ୍ତୁ କମଳା ତାକୁ ଡାକି କହିଲା, “ମଲ୍ଲିକା ସେ କଣ, ସେପରି ଯା ନାହିଁ, ତୋର ଲୁଗା ତିନ୍ତିଯିବ । ଘରେ ମା’ ପାଖରୁ ଗାଳି ଖାଇବୁ । ଦେଖ, ମୁଁ ଯେପରି ଲୁଗା ଟେକିଛି ସେହିପରି ଲୁଗା ଟେକି ଧର ।” ପରେ ଦୁଇ ଜଣଯାକ ଲୁଗା ଟେକି ପରସ୍ପର ଆଡ଼କୁ ଆସିବାକୁ ଲାଗିଲେ । କିଛି ଦୂର ଯାଇ ମଲ୍ଲିକା କହିଲା, “କମଳା, ମୋର ମନେ ହଉଛି, ପାଣି ବେଶି ଅଛି, ମତେ ଡର ମାଡ଼ୁଛି । “କମଳା କହିଲା,” କିଛି ଡର ନାହିଁ, ତୁ ଚାଲିଆ ।” ଯେତେବେଳେ ସେମାନେ ପରସ୍ପର ପାଖକୁ ଆସିଲେ, କମଳା କହିଲା, “ଦେଖ ମଲ୍ଲିକା, ଖୁବ୍‍ ସାବଧାନ ହୋଇ ଆସିବୁ, ଜୋରରେ ଗୋଡ଼ ପକାଇବୁ ନାହିଁ; ମୋ ଲୁଗାରେ ପାଣି ପଡ଼ିବ ।” କଥାଟା ତା ମୁହଁରୁ ଶେଷ ନ ହେଉଣୁ ମଲ୍ଲିକା ଏତେ ଜୋରରେ ପାଣି ଭିତରେ ଗୋଡ଼ ପକାଇ ଦେଲା ଯେ, କାଦୁଅ ପାଣି ଛିଡ଼ିକି କମଳାର ଦେହ ଓ ଲୁଗାଯାକ ପଡ଼ିଲା । ସେ ଭାରି ରାଗିଯାଇ ମଲ୍ଲିକାକୁ ମାରିବାକୁ ଗୋଡ଼ାଇଲା । ମଲ୍ଲିକା ଭୟରେ ପାଣିରୁ ଉଠି ଘରଆଡ଼କୁ ଦୌଡ଼ିବାକୁ ଲାଗିଲା । ଠିକ୍ ଏହି ସମୟରେ କମଳାର ମା’ ଘରୁ ବାହାରି ଆସି ଝିଅର ନୂଆ ଲୁଗାର ଦୁର୍ଦ୍ଦଶା ଦେଖି ଅତ୍ୟନ୍ତ ବିରକ୍ତହୋଇ ତାକୁ ଗାଳି ଦେଲା । କମଳା କହିଲା, “ମୁଁ ତ କିଛି କରି ନାହିଁ, ମଲ୍ଲିକା ଇଚ୍ଛା କରି ମୋ ଲୁଗାରେ କାଦୁଅ ପାଣି ପକାଇଛି ।” ତାହାର ମା’ ଏ କଥା ଶୁଣି ମଲ୍ଲିକାକୁ ଧରି ଗାଲରେ ଗୋଟାଏ ଚାପୁଡ଼ା ଲଗାଇଦେଲା । ସେ ଚିତ୍କାର କରି କାନ୍ଦିବାକୁ ଲାଗିଲା । କାନ୍ଦ ଶୁଣି ତାହାର ମା’ ବାହାରି ଆସି କମଳା ମା’କୁ କହିଲା, “ମୋ ଝିଅକୁ ତୁ ମାରିଲୁ କାହିଁକି ?” ଏହା କହି ସେ ତାକୁ ଗାଳି ଦେବାକୁ ଆରମ୍ଭ କଲା । ପଦକୁ ପଦେ ହେଉଁ ହେଉଁ କଳି ବଢ଼ି ଉଠିଲା । ଦୁଇ ଘରର ପୁରୁଷମାନେ ଆସି ମଧ୍ୟ ସେ ବିବାଦରେ ଯୋଗ ଦେଲେ । ଦେଖୁଁ ଦେଖୁଁ ସେଠାରେ ଅନେକ ଲୋକ ଜମା ହୋଇଗଲେ, ପ୍ରତ୍ୟେକେ ଚିତ୍କାର କରୁ ଅଛନ୍ତି, କେହି କାହାରି କଥା ଶୁଣୁ ନାହାନ୍ତି । ଏହି ଗୋଳମାଳ ଶୁଣି କମଳାର ବୁଢ଼ୀ ଆଇ ଘରୁ ବାହାରି ଆସି ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲା । ସେ କହିଲା, “ଆଚ୍ଛା, ତୁମମାନଙ୍କର କିପରି ବୁଦ୍ଧି ? ଗୋଟାଏ ସାମାନ୍ୟ କଥା ନେଇ ଏପରି ପର୍ବ ଦିନରେ କଳି କରିବାକୁ ତୁମକୁ ଟିକିଏ ଲାଜ ମାଡ଼ୁନାହିଁ ?” କିନ୍ତୁ ସେ କଥା ଶୁଣୁଛି କିଏ । ସମସ୍ତେ ତ ଉନ୍ମତ୍ତ; ବରଂ ସମସ୍ତେ ବୁଢ଼ୀକୁ ଭର୍ତ୍ସନା କଲେ । ସେ ବିଚାରୀ ତ ଅବାକ୍-! କିନ୍ତୁ ଏତିକିବେଳେ ଗୋଟିଏ ଦୃଶ୍ୟ ଦେଖି ସମସ୍ତେ ତୁନି ହୋଇଯାଇ ସେହି ଆଡ଼କୁ ଚାହିଁ ରହିଲେ । ଯେଉଁ ଦୁଇଜଣଙ୍କୁ ନେଇ ସେମାନେ କଳି କରୁଥିଲେ, ସେହିମାନେ ସେ ବିବାଦ ଶାନ୍ତିର କାରଣ ହେଲେ । ବଡ଼ଯାକ ମିଳି ତୁମୂଳ ବିବାଦ କରୁଅଛନ୍ତି, ତେଣେ କମଳା ତା ଲୁଗାରୁ କାଦୁଅ ପୋଛି ପକାଇ ପଡ଼ିଆରେ ଯେଉଁଠାରେ ପାଣି ଜମିଥିଲା, ସେଠାକୁ ଯାଇଁ ଖଣ୍ଡିଏ ଛୋଟ ଖପରା ଧରି ପାଣି ପାଖରୁ ମାଟି ଖୋଳିବାକୁ ଆରମ୍ଭ କଲା । ତାହାର ଇଚ୍ଛା, ସେହି ପଡ଼ିଆରୁ ବାଟ ପର୍ଯ୍ୟନ୍ତ ଗୋଟିଏ ନାଳ ଖୋଳି ସେହିବାଟେ ବାଟ ଉପରକୁ ପାଣି ନେବ । ଅଳ୍ପକ୍ଷଣ ପରେ ମଲ୍ଲିକା ତାକୁ ସାହାଯ୍ୟ କରିବାକୁ ବସିଗଲା । ସେ ଖଣ୍ଡେ ଛୋଟ କାଠି ଧରି ମାଟି ଖୋଳିବାକୁ ଆରମ୍ଭ କରିଦେଲା । ଯେତେବେଳେ କଳି କରୁ କରୁ ପୁରୁଷମାନେ ମରାମରି ହେବାକୁ ଉଦ୍ୟତ ଓ ସେହି ବୃଦ୍ଧା ତାଙ୍କୁ ଶାନ୍ତ କରିବାକୁ ଯାଇ ନିରସ୍ତ, ସେତେବେଳେ ସେହି ବାଳିକାମାନଙ୍କ ନାଳ ବାଟେ ପାଣି ଆସି ଏକାବେଳକେ ତାଙ୍କ ପାଖରେ ପହଞ୍ଚିଲା । ପିଲାମାନେ ପାଣି ଧାର ଦୁଇ ପାଖ ଦେଇ ମହା କୌତୁକରେ ହସି ହସି ଧାଇଁଛନ୍ତି । ମଲ୍ଲିକା କାଠ ଖଣ୍ଡିକ ପାଣିରେ ଭାସି ଯାଉଛି, କମଳା ଖୁବ୍ ହସି ହସି ଚିତ୍କାର କରି ଡାକୁଛି, “ମଲ୍ଲିକା କାଠିଟା ଧର, ଧର “ମଲ୍ଲିକା ହସି ହସି କଥା କହିପାରୁ ନାହିଁ-। ଏହିପରି ହସି ହସି ଦଉଡ଼ି ଦଉଡ଼ି ସେମାନେ ବିବାଦ ସ୍ଥଳରେ ଆସି ପହଞ୍ଚିଲେ । ବୃଦ୍ଧା ସେମାନଙ୍କୁ ଦେଖି କଳହକାରୀମାନଙ୍କୁ କହିଲା, “ତୁମମାନଙ୍କୁ ଟିକିଏ ଲାଜ ମାଡ଼ୁ ନାହିଁ ? ପିଲାମାନେ ସବୁ ଭୁଲିଯାଇ ମହାଖୁସିରେ ଖେଳୁଛନ୍ତି, ଆଉ ତୁମେମାନେ ତାଙ୍କରିପାଇଁ ଏପରି କରି ମରୁଛ-! ତୁମମାନଙ୍କ ଅପେକ୍ଷା ସେମାନେ ବେଶି ଜ୍ଞାନୀ ।” ଯେଉଁମାନେ ବିବାଦ କରୁଥିଲେ, ସେମାନେ ପିଲାମାନଙ୍କୁ ଚାହିଁ ଅତ୍ୟନ୍ତ ଲଜ୍ଜିତ ହୋଇ ଯେ ଯାହା ଘରକୁ ଫେରିଗଲେ ।

Image

 

ପରିଣାମ

 

ପ୍ରାଚୀନ ଅସଭ୍ୟ ଜାତିମାନଙ୍କ ମଧ୍ୟରେ ନାନା ପ୍ରକାର ଗଳ୍ପ ପ୍ରଚଳିତ ଅଛି, ନିମ୍ନଲିଖିତ ଗଳ୍ପଟି ତନ୍ମଧ୍ୟରୁ ଗୋଟିଏ ।

 

ଈଶ୍ଵର ପ୍ରଥମରେ ଯେତେବେଳେ ମନୁଷ୍ୟ ସୃଷ୍ଟି କରିଥିଲେ, ସେତେବେଳେ ସେମାନଙ୍କର କୌଣସି କାର୍ଯ୍ୟ କରିବାର ପ୍ରୟୋଜନ ନ ଥିଲା । ଗୃହ, ବସ୍ତ୍ର କିମ୍ଵା ଖାଦ୍ୟ କିଛି ସେମାନଙ୍କର ଲୋଡ଼ା ହେଉ ନ ଥିଲା; ସେମାନଙ୍କ ସଂଖ୍ୟା ଏକଶତ ହେବା ପର୍ଯ୍ୟନ୍ତ ସେମାନେ ଏହିପରି ଭାବରେ କାଳ କଟାଉଥିଲେ; ବ୍ୟାଧି କାହାକୁ କହନ୍ତି ସେମାନେ ଜାଣି ନ ଥିଲେ ।

 

ଏହିପରି କିଛିଦିନ ଗଲାରୁ ମନୁଷ୍ୟମାନେ କିପରି ସୁଖରେ ଅଛନ୍ତି ଦେଖିବାକୁ ଆସି ଈଶ୍ଵର ଦେଖିଲେ ଯେ, ସେମାନେ ସୁଖରେ ରହିବା ଦୂରେ ଥାଉ, ଅତ୍ୟନ୍ତ କଷ୍ଟରେ ପଡ଼ିଅଛନ୍ତି । ପ୍ରତ୍ୟେକ ସର୍ବଦା କେବଳ ନିଜ କଥା ଭାବି ପରସ୍ପର ସଙ୍ଗରେ କଳହ କରି ପରସ୍ପରଠାରୁ ଭିନ୍ନ ହୋଇ ରହିଅଛନ୍ତି ଏବଂ ଜୀବନକୁ ଆନନ୍ଦରେ ଉପଭୋଗ ନ କରି ଭାରସ୍ୱରୂପ ମଣୁଅଛନ୍ତି ।

 

ଈଶ୍ୱର ମନେ ମନେ ସ୍ଥିର କଲେ, ସେମାନେ ପରସ୍ପରଠାରୁ ଭିନ୍ନ ହୋଇ ରହିବାରୁ ଏପରି ଘଟିଅଛି । ଏହି ଅବସ୍ଥାର ପରିବର୍ତ୍ତନପାଇଁ ସେ ଏପରି ବନ୍ଦୋବସ୍ତ କରି ଦେଲେ, ଯେପରି କାର୍ଯ୍ୟ ନ କରି ରହିବା ମନୁଷ୍ୟ ପକ୍ଷରେ ଅସମ୍ଭବ ହେବ । ଶୀତ ଗ୍ରୀଷ୍ମ ଓ କ୍ଷୁଧାରୁ ନିଜକୁ ରକ୍ଷା କରିବାକୁ ବର୍ତ୍ତମାନ ଗୃହ ନିର୍ମାଣ କରିବା ଏବଂ ଭୂମି ଖନନ କରି ଶସ୍ୟ ଓ ଫଳ ଜନ୍ମାଇବା ଆବଶ୍ୟକ ହେଲା । ଈଶ୍ଵର ଭାବିଲେ, କାର୍ଯ୍ୟ କରିବାଦ୍ୱାରା ସେମାନେ ଏକତ୍ର ମିଳିତ ହେବେ । ଅସ୍ତ୍ର ଶସ୍ତ୍ର ନିର୍ମାଣ କରିବା, କାଠକାଟି ଗୃହ ପ୍ରସ୍ତୁତ କରିବା, ସୂତା କାଟି ଲୁଗା ବୁଣିବା ଇତ୍ୟାଦି କାର୍ଯ୍ୟ ମନୁଷ୍ୟ ଏକାକୀ ସମ୍ପନ୍ନ କରିପାରିବ ନାହିଁ, ଏଥିରେ ପରସ୍ପର ସାହାଯ୍ୟ ଲୋଡ଼ା ହେବ; ତେଣୁ ସେମାନେ ପରସ୍ପରଠାରୁ ପୃଥକ୍ ହୋଇ ରହିପାରିବେ ନାହିଁ । ଏହାଦ୍ୱାରା ସେମାନେ ବୁଝିପାରିବେ ଯେ, ଯେତିକି ସେମାନେ ପରସ୍ପର ମିଳିମିଶି ମନ ଦେଇ କାର୍ଯ୍ୟ କରିବେ, ସେତିକି ସେମାନଙ୍କର ଲାଭ; ସୁତରାଂ ନିଶ୍ଚୟ ସେମାନେ ପରସ୍ପର ମିଳିମିଶି ରହିବାକୁ ଶିଖିବେ ।

 

କିଛିକାଳ ଗତ ହେଲାରୁ ମନୁଷ୍ୟମାନେ ସୁଖରେ ବାସ କରୁଅଛନ୍ତି କି ନାହିଁ ଦେଖିବାକୁ ଈଶ୍ୱର ପୁଣି ଆସିଲେ । କିନ୍ତୁ ସେ ଦେଖିଲେ ଯେ, ସେମାନେ ପୂର୍ବାପେକ୍ଷା ଅଧିକ କଷ୍ଟରେ ଜୀବନଯାପନ କରୁଅଛନ୍ତି । ସେମାନେ ଏକାଠି ମିଳିମିଶି କାର୍ଯ୍ୟ କରୁଥିଲେ ସତ୍ୟ, କାରଣ ତାହା ନ କଲେ ଚଳିବ ନାହିଁ; ସମସ୍ତେ ଏକତ୍ର ନ ହୋଇ କେତେଗୁଡ଼ିଏ କ୍ଷୁଦ୍ର କ୍ଷୁଦ୍ର ଦଳରେ ବିଭକ୍ତ ହୋଇଯାଇଥିଲେ । ପ୍ରତ୍ୟେକ ଦଳ ଅନ୍ୟ ଦଳକୁ ହିଂସା କରୁଥିଲେ । ଏହିପରି କଳହ କରି ସେମାନେ ପରସ୍ପର କେବଳ ବାଧା ଦେଉଥିଲେ । ସୂତରାଂ ଏହାଦ୍ୱାରା ସେମାନଙ୍କର ଦୁଃଖ ପୂର୍ବାପେକ୍ଷା ଅଧିକ ହୋଇଥିଲା ।

 

ଏଥିରେ ମଧ୍ୟ କିଛି ଫଳ ନ ହେବାର ଦେଖି ଈଶ୍ୱର ଭାବିଲେ, ମୃତ୍ୟୁର ସମୟ ମନୁଷ୍ୟ ନିକଟରେ ଅନିର୍ଦ୍ଦିଷ୍ଟ ରଖିଲେ ସେମାନଙ୍କର ଜ୍ଞାନୋଦୟ ହୋଇପାରେ । ତେଣୁ ସେ ସେମାନଙ୍କ ମଧ୍ୟରେ ପ୍ରଚାର କରାଇଦେଲେ ଯେ, ଯେକୌଣସି ମୁହୂର୍ତ୍ତରେ ସେମାନଙ୍କର ମୃତ୍ୟୁ ହୋଇପାରେ । ଈଶ୍ୱର ଭାବିଲେ, ଯେକୌଣସି ସମୟରେ ସେମାନଙ୍କର ମୃତ୍ୟୁ ହୋଇ ପାରେ, ଏହି କଥା ଜାଣିପାରିଲେ ସେମାନେ ସାମାନ୍ୟ ବିଷୟ ପ୍ରତି ଲୋଭ କରି ପରସ୍ପର ସଙ୍ଗେ ବିବାଦରେ ପ୍ରବୃତ୍ତ ହେବେ ନାହିଁ ବା ବୃଥା ସମୟ ନଷ୍ଟ କରିବେ ନାହିଁ ।

 

କିନ୍ତୁ ଏହାର ଫଳ ମଧ୍ୟ ଅନ୍ୟ ପ୍ରକାର ହେଲା । କିଛିକାଳ ପରେ ଈଶ୍ୱର ଦେଖିଲେ ଯେ, ସେମାନେ ପୂର୍ବପରି କଷ୍ଟରେ କାଳ କଟାଉଅଛନ୍ତି । ଯେଉଁମାନଙ୍କର ଶକ୍ତି ଅଛି, ସେମାନେ ଯେ କୌଣସି ମୁହୂର୍ତ୍ତରେ ସେମାନଙ୍କର ମୃତ୍ୟୁ ହୋଇପାରେ ଏହା ଜାଣି ଅପେକ୍ଷାକୃତ ଦୁର୍ବଳମାନଙ୍କୁ ମୃତ୍ୟୁ ଭୟ ଦେଖାଇ ନିଜର ଅଧୀନ କରି ରଖିଛନ୍ତି । ପୁଣି ବଳବାନ୍ ଓ ଶକ୍ତିଶାଳୀ ଲୋକମାନେ କୌଣସି କାର୍ଯ୍ୟ ନ କରି ଅଳସ ଭାବରେ ସମୟ କଟାଉଛନ୍ତି ଏବଂ ଦୁର୍ବଳମାନେ ଶକ୍ତିର ଅତିରିକ୍ତ ପରିଶ୍ରମ କରି ବିଶ୍ରାମ ପାଇଁ ସମୟ ପାଉ ନାହାନ୍ତି । ପ୍ରତ୍ୟେକ ଦଳ ଅନ୍ୟ ଦଳକୁ ଭୟ ଓ ଘୃଣା କରୁଛନ୍ତି ।

 

ଏହି ଅବସ୍ଥାର ସଂଶୋଧନପାଇଁ ଶେଷ ଚେଷ୍ଟା ସ୍ୱରୂପ ଈଶ୍ୱର ନାନପ୍ରକାର ବ୍ୟାଧି ମନୁଷ୍ୟମାନଙ୍କ ମଧ୍ୟକୁ ପଠାଇଦେଲେ । ସେ ଭାବିଲେ, ସମସ୍ତେ ଯେତେବେଳେ ରୋଗରେ କଷ୍ଟ ପାଇବେ, ସେତେବେଳେ ବୁଝି ପାରିବେ ଯେ, ସୁସ୍ଥ ଲୋକମାନଙ୍କର ଅସୁସ୍ଥ ଲୋକମାନଙ୍କ ପ୍ରତି ଦୟା କରିବା ଓ ସେମାନଙ୍କର ସେବା କରିବା ଉଚିତ; କାରଣ ସେମାନେ ନିଜେ ଅସୁସ୍ଥ ହେଲେ ଅନ୍ୟମାନେ କୃତଜ୍ଞ ହୋଇ ସେମାନଙ୍କୁ ସେବା ଓ ସାହାଯ୍ୟ କରିବେ । ପରସ୍ପର ସାହାଯ୍ୟ ଭିନ୍ନ କାହାରି ଦିନ ଚଳିବ ନାହିଁ ।

 

କିଛିକାଳ ପରେ ଈଶ୍ୱର ପୁଣି ଆସି ଦେଖିଲେ ଯେ, ପୂର୍ବାପେକ୍ଷା ମନୁଷ୍ୟସମାଜର କଷ୍ଟ କିଛିମାତ୍ର କମି ନାହିଁ, ବରଂ ବଢ଼ିଅଛି । ସେମାନଙ୍କ ମଧ୍ୟରେ ଏକତା ଆଣିବା ପାଇଁ ଯେଉଁସବୁ ବ୍ୟାଧି ପଠାଇଥିଲେ, ତାହାଦ୍ୱାରା ସେ ପୂର୍ବାପେକ୍ଷା ପରସ୍ପରଠାରୁ ବେଶି ବିଚ୍ଛିନ୍ନ ହୋଇ ପଡ଼ିଅଛନ୍ତି-। ଶକ୍ତିଶାଳୀ ଲୋକମାନେ ଦୁର୍ବଳ ଲୋକମାନଙ୍କୁ ବାଧ୍ୟକରି ନିଜ ସେବାରେ ଲଗାଇ ଅଛନ୍ତି; କିନ୍ତୁ ଏହି ଦୁର୍ବଳ ଓ ପରାଧୀନ ଲୋକମାନେ ରୋଗରେ ପଡ଼ିଲେ ସେମାନଙ୍କ ସେବା ପାଇଁ କେହି ବାହାରୁ ନାହିଁ । ପୁଣି ଯେଉଁମାନଙ୍କୁ ବାଧ୍ୟ ହୋଇ ରୋଗୀରେ ସେବା ଓ ସାହାଯ୍ୟ କରିବାକୁ ପଡ଼େ, ସେମାନଙ୍କର ଆତ୍ମୀୟସ୍ୱଜନମାନେ ଯେତେବେଳେ ଅସୁସ୍ଥ ହୁଅନ୍ତି, ସେମାନଙ୍କ ସେବାପାଇଁ ସମୟ ଓ ସୁଯୋଗ ମିଳେ ନାହିଁ । ଏହାଛଡ଼ା ରୋଗୀମାନଙ୍କୁ ସର୍ବଦା ଦେଖିଲେ ଧନିମାନଙ୍କ ସୁଖରେ ବ୍ୟାଘାତ ହେବ ବୋଲି ସେମାନେ ଦୂରରେ ଗୃହ ନିର୍ମାଣ କରାଇ ସେହିଠାରୁ ରୋଗୀମାନଙ୍କୁ ରଖାଉ ଅଛନ୍ତି । ସେଠାରେ ଆତ୍ମୀୟ ସ୍ୱଜନମାନଙ୍କଠାରୁ ଦୂରରେ ରହି ଅପରିଚିତ ଲୋକମାନଙ୍କ ମଧ୍ୟରେ ଅଧିକାଂଶଙ୍କର ମୃତ୍ୟୁ ହେଉଅଛି । କୌଣସି ରୋଗ ସଂକ୍ରାମକ ବୋଲି ମନେହେଲେ କେହି ସେ ରୋଗୀ ପାଖକୁ ଯାଆନ୍ତି ନାହିଁ; ଏପରିକି, ସେପରି ରୋଗୀର ସେବାକାରୀମାନଙ୍କୁ ମଧ୍ୟ ପାଖକୁ ଆସିବାକୁ ଦିଅନ୍ତି ନାହିଁ ।

 

ଏହା ଦେଖି ଈଶ୍ଵର ଭାବିଲେ, ଏଥିରେ ସୁଦ୍ଧା ଯଦି ସେମାନେ କିପରି ସୁଖୀ ହେବେ ନ ବୁଝି ପାରିଲେ, ତାହାହେଲେ ଆଉ କିଛି ଉପାୟ ନାହିଁ; ଏଣିକି ସେମାନେ କଷ୍ଟ ଭୋଗ କରି ଶିକ୍ଷା କରନ୍ତୁ । ମନୁଷ୍ୟ ଭାଗ୍ୟରେ ଯାହାଅଛି, ତାହା ହେବ, ଏହା ଭାବି ଈଶ୍ୱର ଚାଲିଗଲେ ।

 

ବହୁକାଳ ପରେ ମନୁଷ୍ୟମାନେ ବୁଝି ପାରିଛନ୍ତି ଯେ, ସୁଖୀ ହେବା ସେମାନଙ୍କର ନିୟତି ଏବଂ ସେମାନେ ଇଚ୍ଛା କଲେ ସୁଖୀ ହୋଇ ପାରିବେ । କ୍ରମେ ପରିଣାମଚିନ୍ତାଦ୍ୱାରା ଅଳ୍ପସଂଖ୍ୟକ ଲୋକ ବୁଝି ପାରୁଅଛନ୍ତି ଯେ, କର୍ମରେ ଭୟ ବା ନିନ୍ଦାର କଥା କିଛି ନାହିଁ; ଏହା ମନୁଷ୍ୟମଣ୍ଡଳୀ ମଧ୍ୟରେ ଏକତା ବିଧାନ କରି ଆନନ୍ଦର କାରଣ ହେବ । ମୃତ୍ୟୁ ଯେ କୌଣସି ମୁହୂର୍ତ୍ତରେ ଆସିପାରେ; ସୁତରାଂ ପରସ୍ପରକୁ ଘୃଣା ନ କରି ଯେ ସଂସାରରେ ଯେତେଦିନ ବଞ୍ଚିବେ, ପରକୁ ସ୍ନେହ କରି ମିଳିମିଶି ରହି ପାରିଲେ ସେ ସମୟ କଷ୍ଟକର ନ ହୋଇ ଯଥାର୍ଥ ସୁଖରେ ଅତିବାହିତ ହେବ । ସେମାନେ ଏହା ମଧ୍ୟ ବୁଝି ପାରୁଅଛନ୍ତି ଯେ, ରୋଗ ପରସ୍ପରକୁ ବିଚ୍ଛିନ୍ନ ନ କରି ପରସ୍ପର ମଧ୍ୟରେ ସ୍ନେହ ସମ୍ମିଳନର କାରଣ ହେବ । କର୍ମ, ମୃତ୍ୟୁ ଓ ରୋଗ ବିଧାନ କରି ଈଶ୍ୱର ମନୁଷ୍ୟପାଇଁ କଲ୍ୟାଣ ଓ ଆନନ୍ଦର ଦ୍ୱାର ମୁକ୍ତ କରି ଦେଇଅଛନ୍ତି ।

Image